Unknown

 

 

 

 

 

 

 

 

 

 

 

ଭାରତ ଭାଗ୍ୟ ବିଧାତା

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

 

ଉତ୍ସର୍ଗ

 

ଶିବରାତ୍ରି

ତା ୨୭ । ୨। ୪୪

ବ୍ରହ୍ମପୁର ଜେଲ

 

ସ୍ନେହର ବୁଲୁ,

 

ଆଜି ଶିବରାତ୍ରି । ଉପବାସ । ବସି ବସି ଘର କଥା ମନେ କରୁଥାଏଁ । ଜେଲ୍ ଭିତରେ ଘରକଥା ପ୍ରାୟ ମୋର ମନେ ପଡ଼େ ନାହିଁ । ତାର କାରଣ, ଘରର ସ୍ମୃତି ଜେଲଖାନାର ବେଢ଼ା ଅଣନିଶ୍ୱାସୀ ପାଚିରୀ ଭିତରେ ବସି ମନେ କଲାଭଳିଆ ମୋ ପକ୍ଷରେ ସେପରି ମଧୁମୟ ନୁହେଁ । ସେ ଅନେକ କଥା । ଗଲା ପଚିଶି ବର୍ଷର ଇତିହାସ ସେ । ସେ କଥା ଏଠି କହିବାକୁ ଯାଉନାହିଁ । କମଦାଦା ଯାଇଛନ୍ତି, ସା’ନ୍ତବାପା ଯାଇଛନ୍ତି, ଘରର ମାୟା ଅନେକଟା ମୋର ତାଙ୍କରି ସାଙ୍ଗରେ ଛିଡ଼ି ପଡ଼ିଚି । ବାକୀ ଯାହା ଥିଲା ଦାଦା ଜୀଇ ଥାଉଁ ଥାଉଁ ତାର ଶେଷ ସେ ଦେଖି ଯାଇଛନ୍ତି । ପିଲାଦିନୁ ଦାଦାଙ୍କୁ ମୁଁ ଭାରି ଡରୁଥିଲି । ଯେତେବେଳେ ବଡ଼ ହୋଇ ଭଲପାଇ ଶିଖିଲି, ସେତିକିବେଳେ ସେ ଡୋରିଟି ବି ଛିଡ଼ିଗଲା । ସେଥିପାଇଁ ମୋ ଆଗରେ ଦାଦାଙ୍କ ପ୍ରାଣ ଗଲାନାହିଁ-। ମଲା ବେଳକୁ ମୋତେ ସେ ଖୋଜି ବି ନାହାନ୍ତି । ତା’ର ଗୋଟେ କାରଣ ହୋଇପାରେ ଯେ, ସେ ସେତେବେଳେ ନିଜକୁ ପୂରାପୂରି ଗୋପୀନାଥଙ୍କୁ ସଅଁପି ଦେଇଥିଲେ । କିନ୍ତୁ ମୋ ଭିତରେ ଦୁଃଖ ରହିଗଲା । ଯାହୁଁ ଯାହୁଁ ଦିନ ଯାଇଛି ତାହୁଁ ତାହୁଁ ଦାଦା ମୋର ଆହୁରି ନିକଟର ଆଉ ଅତି ଆପଣାର ହୋଇଯାଉଛନ୍ତି । ସ୍ୱାର୍ଥର ସଂପର୍କଟା ଛିଡ଼ିଯାଇଛି । ଏବେ ଖାଲି ସ୍ନେହ ଓ ଭକ୍ତିର ଟଣାଟଣି । ତାଙ୍କର ମୋ ପ୍ରତି ଯେଉଁ ସ୍ନେହ, ମୋ’ର ତାଙ୍କ ପ୍ରତି ଯେଉଁ ଭକ୍ତି ସେଇ ସ୍ନେହ–ଭକ୍ତିର ବ୍ୟବଧାନକୁ ମଣ୍ଡଣି କରି ଜଗି ବସିଛ ତମେ–ତିନିହେଁ–ତୁ, ଟୁଲୁ ଆଉ କମ । ତମ ତିନିଙ୍କ କଥା ମନେ ପଡ଼ିଲେ ଦାଦା ମୋଠୁଁ ବେଶି ଦୂରରେ ବୋଲି ମନେ ହୁଅନ୍ତି ନାହିଁ । ସେଥିପାଇଁ ମୋର ଆଜି ଘର ବୋଇଲେ ମୁଖ୍ୟତଃ ତମେ ତିନିହେଁ । ତମ ସାଙ୍ଗରେ ଆଉ ଗୋଟିଏ ପିଲା—ସେ ହେଉଛନ୍ତି ବାବା । ଏଇ ଚାରି । ଆଉ ସମସ୍ତେ ମୋତେ ସେ ଖୁବ୍ ଭଲ ନ ପାଆନ୍ତି ତା’ ନୁହେଁ, । କିନ୍ତୁ ତାଙ୍କ କାହାରି ପାଇଁ ମୋର ଚିନ୍ତା କରିବାର କିଛି ନାହିଁ । ଚାରିଜଣଙ୍କ କଥା ମୁଁ ଚିନ୍ତା କରେ ଆଜି ବି ତମରି କଥା ମନେ ପଡ଼ିଲା । ତମ ଚାରିଙ୍କ ଭିତରେ ତୋର ମୋ ଉପରେ ସବୁଠାରୁ ବେଶି ନିର୍ଭର-। ସେଥିପାଇଁ ତୋ’ ପ୍ରତି ମୋର ଗୋଟେ ବଡ଼ କର୍ତ୍ତବ୍ୟ ଅଛି । ଯେଉଁ ସମୟରେ ମୋ ପାଖରେ ତୋର ବେଶି ଦରକାର ଥିଲା ସେତିକିବେଳେ ମୁଁ ତୋଠୁଁ ବିଚ୍ଛିନ୍ନ ହୋଇଗଲି । କେତେବର୍ଷ ଚାଲାଣି-। ୪୧, ୪୨, ୪୩ ଯାଇ ୪୪ ଚାଲିଛି । ଆଉ କେତେ ବର୍ଷ ଯିବ ତାର ଠିକଣା ନାହିଁ । ସେଥିପାଇଁ ଆଜି ବସି ବସି ଠିକ୍ କଲି ଏଇଠି ଥାଇ ତୋ ପ୍ରତି ମୋର କର୍ତ୍ତବ୍ୟ ପାଳନ କରିବାକୁ ଚେଷ୍ଟା କରିବି-

 

ଏ ଲେଖାଗୁଡ଼ିକ ତୋ ହାତରେ ଯେତେବେଳେ ପଡ଼ିବ ତେତେ–ବେଳକୁ ତୁ ଗୋଟିଏ ସୁନ୍ଦର ତରୁଣ ହୋଇ ଯାଇଥିବୁ । ତେଣୁ ଏ ଲେଖା ମୋର ତୋତେ ଏକା ନୁହେଁ ତୋ’ପରି ଏ ଦେଶର ତରୁଣ ମାନଙ୍କର ଉପକାରରେ ଲାଗିପାରେ । ଲାଗୁ । ସେତିକିରେ ମୋର ଆନନ୍ଦ ।

 

ତୋର

ବଡ଼ ଭାଇ

★★★

 

ସୂଚୀପତ୍ର

 

୧.

ଆଦିକବି ବାଲ୍ମୀକି

୨.

ରାଜା ରାମଚନ୍ଦ୍ର

୩.

ବେଦବ୍ୟାସ

୪.

ଶ୍ରୀକୃଷ୍ଣ

୫.

ଜ୍ଞାନ ବୃଦ୍ଧ ଯାଜ୍ଞବଳ୍‍କ

୬.

ମନସ୍ଵୀ ପାଣିନି

୭.

ମହାବୀର ଜିନ

୮.

ଗୌତମ ବୁଦ୍ଧ

୯.

ରାଜନୀତିଜ୍ଞ ଚାଣକ୍ୟ

୧୦.

ପ୍ରିୟଦଶ୍ଶୀ ଅଶୋକ

୧୧.

ଚରକ ସୁଶ୍ରୁତ

୧୨.

ସୁମେଧସ ପତଞ୍ଜଳି

୧୩.

ଚକ୍ରବର୍ତ୍ତୀ ଖାରବେଳ

୧୪.

ପ୍ରଜ୍ଞାପାରମିତ ନାଗାର୍ଜୁନ

୧୫.

ଗଣକ ଗର୍ଗ

୧୬.

ମହାକବି କାଳିଦାସ

୧୭.

ଆଚାର୍ଯ୍ୟ ଶଙ୍କର

୧୮.

ମହା ମନା ରାମାନୁଜ

୧୯.

ମହାତ୍ମା ମଧ୍ୱାଚାର୍ଯ୍ୟ

୨୦.

ମାର୍ଗଦର୍ଶୀ ବଲ୍ଲଭ

୨୧.

ନାମ ନଦୀ ରାମାନନ୍ଦ

୨୨.

ଧର୍ମବୀର କବିର

୨୩.

ସିଦ୍ଧମୁନି ସାରଳା ଦାସ

୨୪.

ଶ୍ରୀଚୈତନ୍ୟ

୨୫.

ଅତିବଡ଼ି ଜଗନ୍ନାଥ ଦାସ

୨୬.

ଗୁରୁ ନାନକ

୨୭.

ସନ୍ଥ ସୂର ଦାସ

୨୮.

ଗୋସ୍ୱାମୀ ତୁଳସୀ ଦାସ

୨୯.

ରାଜରାଣୀ ମୀରା

୩୦.

ଶାହନଶାହେ ଆକ୍‍ବର

୩୧.

ରାଣାପ୍ରତାପ

୩୨.

ସୁର-ସମ୍ରାଟ୍ ତାନ୍ସେନ

୩୩.

ଗୁରୁ ଗୋବିନ୍ଦ ସିଂହ

୩୪.

ଛତ୍ରପତି ଶିବାଜୀ

୩୫.

ରାଣୀ ଅହଲ୍ୟାବାଈ

★★★

 

ଆଦିକବି ବାଲ୍ମୀକି

 

ମା ନିଷାଦ ପ୍ରତିଷ୍ଠାଂ ତ୍ୱମଗମଃ ଶାଶ୍ୱତୀଃ ସମାଃ

ଯତ୍ତ୍‍ନ୍ତ୍ରୌମିଥୁନାଦେଳମବଧିଃ କାମମୋହିତଂ ।

 

ଏକ ପ୍ରଣୟ–ବିହ୍ଵଳ ତ୍ରୌଞ୍ଚଦମ୍ପତି ମନୋରମ ବନାନୀର ନିଭୃତ ତରୁଶାଖାରେ ଆନନ୍ଦର କଳରବ ତୋଳୁଥିଲେ । ହଠାତ୍ ସେ ଆନନ୍ଦର ରବ କ୍ରନ୍ଦନରୋଳରେ ପରିଣତ ହୋଇଗଲା । ବ୍ୟାଧର ନିର୍ମମ ତୀକ୍ଷ୍ଣ ଶରାଘାତରେ ତ୍ରୌଞ୍ଚଯୁଗଳରୁ ଗୋଟିଏ ଭୂତଳରେ ନିପତିତ ହେଲା । ଯନ୍ତ୍ରଣାରେ ସେ ଅସ୍ଥିର । ଅନ୍ୟ ପକ୍ଷୀଟିର ଅବସ୍ଥା ଅକଥନୀୟ । ସେ ସାଥୀର ଦୁଃଖରେ ଅଥୟ, ମ୍ରିୟମାଣ । ଦାରୁଣ ବିରହ–ବେଦନାରେ ସେ ଆର୍ତ୍ତନାଦ କରିଉଠିଲା । କିନ୍ତୁ ନିଷ୍ଠୁର ବ୍ୟାଧର ଦୁଃଖ ନାହିଁ, ବରଂ ସଫଳତାର ଆନନ୍ଦରେ ତାର ଛାତି ଫୁଲି ଫୁଲି ଉଠୁଛି ।

 

ସେତିକିବେଳେ ଅଦୂରରେ ଏ କାହାର କଣ୍ଠ ? ଏ କାହାର ଧ୍ୱନି–“ମା ନିଷାଦ ପ୍ରତିଷ୍ଠାଂ ତ୍ୱମଗତଃ ଶାଶ୍ୱତୀଃ ସମାଃ !” ଏ ଧ୍ୱନି କେବଳ କଣ୍ଠ, ଜିହ୍ଵା ବା ତାଳୁର ବ୍ୟାୟାମ–ସିଦ୍ଧ କୌଣସି ପଦ ନୁହେଁ, ଏ କେବଳ ଗୋଟିଏ ଦରଦୀ ହୃଦୟର ଶୋକାଚ୍ଛ୍ୱାସ ମାତ୍ର ନୁହେଁ, ଏ କେବଳ କେତେକ ଛନ୍ଦୋବଦ୍ଧ ପଦ୍ୟପଂକ୍ତି ନୁହେଁ–ଏ ପଦ–ବିନ୍ୟାସ, ଏ ଶୋକାଚ୍ଛ୍ୱାସ, ଏ ପଦ–ପ୍ରକରଣ ଗୋଟିଏ ପ୍ରାଣମୟ ଜୀବନ୍ତ ମନ୍ତ୍ର ସଦୃଶ ତେଜସ୍କର ।

 

ଏହାହିଁ ସମଗ୍ର ପୃଥିବୀର ସର୍ବପ୍ରଥମ ସୁବିନ୍ୟସ୍ତ କବିତା ।

 

ଏ ଯାବତ୍ ଋକ୍‍ବେଦର ସୁନ୍ଦର ସୁଲଳିତ ପ୍ରକୃତିବର୍ଣ୍ଣନାସମ୍ବଳିତ ଋକ୍ ସହିତ ମାନବ ପରିଚିତ ଥିଲା, ସାମବେଦର ସଙ୍ଗୀତମୟ ସାମଗାନର ସ୍ପନ୍ଦନ ଉପଲବ୍ଧି କରିଥିଲା । କେଉଁଠି ଏ ବିରାଟ ମହିମାମୟୀ ପ୍ରକୃତି ମୂର୍ତ୍ତିମତୀଦେବୀ ରୂପରେ ପୂଜା ପାଇଛନ୍ତି—ଆଉ ମନୁଷ୍ୟ ହୋଇଛି ତା’ର ନିଷ୍ଠାପର ଉପାସକ; କେଉଁଠି ଦେବତା ହୋଇଛି ତାର ସମସ୍ତ ଯାଗଯଜ୍ଞରେ ହବିର୍ଭାଗଭୋକ୍ତା—ମନୁଷ୍ୟ ହୋଇଛି ସେହି ଦେବତାର ଚରୁହୋତୃଯାଜ୍ଞିକ । କିନ୍ତୁ ମନୁଷ୍ୟ ଅଦ୍ୟାବଧି ତାହାର ଅନ୍ତର-ଆତ୍ମାର ଅନନ୍ତ ଆର୍ତ୍ତନାଦ ଯେପରି ଶୁଣି ମଧ୍ୟ ବୁଝିପାରି ନ ଥିଲା । ଏହି ହୃଦୟସ୍ପର୍ଶୀ ମର୍ମନ୍ତୁଦ ବାଣୀ ସର୍ବପ୍ରଥମ ‘ଶ୍ଳୋକରୂପେ ସର୍ବ ଅବନୀକି’ ମୁଗ୍ଧ କରିଦେଲା । ମନୁଷ୍ୟ ଯେତେବେଳେ କୀଟ-ପତଙ୍ଗ, ଜୀବ-ଜନ୍ତୁ, ବୃକ୍ଷ-ଲତା ଏପରି କି ସମସ୍ତ ପ୍ରକୃତି ଦେହରେ ମଧ୍ୟ ନିଜର ପ୍ରତିବିମ୍ବ ଦର୍ଶନ କରେ, ସେତିକିବେଳେ ହିଁ ସେ ହୁଏ ପ୍ରକୃତ କବି । ସେତିକିବେଳେ ତା’ର ହୃଦୟ ମଧ୍ୟରୁ ଯେଉଁ ଭାବ ଉଚ୍ଛ୍ଵସିତ ହୋଇ ଉଠିଆସେ, ତାହାହିଁ ବାସ୍ତବିକ୍ କବିତା ।

 

ତେଣୁ ଏହି ଶ୍ଳୋକର ରଚୟିତା ବାଲ୍ମୀକି ପୃଥିବୀର ଆଦିକବି ।

 

ଏ ବାଲ୍ମୀକି କିଏ ? ବାଲ୍ମୀକି କଅଣ କେବଳ ହୋମର୍, କାଳିଦାସ, ସେକ୍‍ସପିଅର୍ ବା ଓମାରଖାୟାମ୍‍ଙ୍କ ଭଳି ଜଣେ ସୁପ୍ରସିଦ୍ଧ ଲେଖକ ବା କବି ?

 

ନା ! ଏ ବାଲ୍ମୀକି କେବଳ ଲେଖକ ନୁହନ୍ତି । ବା ସାମାନ୍ୟ ଜଣେ କବି ମଧ୍ୟ ନୁହନ୍ତି । ଏ ବାଲ୍ମୀକି ଗୋଟାଏ ବିରାଟ ଆଦର୍ଶ, ସଂସ୍କୃତ ମାନବ-ହୃଦୟର କଳ୍ପିତ ପ୍ରତିମୂର୍ତ୍ତି ।

 

କିମଦନ୍ତୀକହେ, ସେଦିନ ଯେଉଁ ଦସ୍ୟୁ ରତ୍ନାକର ଅସଂଖ୍ୟ ନରନାରୀଙ୍କୁ ହତ୍ୟାକରି ଧନ–ଅପହରଣ ବୃତ୍ତିରେ ଇତସ୍ତତଃ ବିଚରଣ କରୁଥିଲା, ଆଜି ସାମାନ୍ୟ ବିଦ୍ଧ କ୍ରୌଞ୍ଚ ବିହଗର ଅବଲୋକନରେ ତାହାରି ଶୋକୋଚ୍ଛ୍ଵାସ ଶ୍ଳୋକରୂପରେ ସର୍ବ ଅବନୀକି ବିମୋହିତ କରୁଛି—ସେହି ଆତତାୟୀ ଆଜି ଆଦିକବି ବାଲ୍ମୀକି ।

 

କେଉଁ ଏକ ଶୁଭ ମୁହୂର୍ତ୍ତରେ ଦସ୍ୟୁରତ୍ନାକର ସାକ୍ଷାତ୍ ହେଲା କତିପୟ ପ୍ରଜ୍ଞାବାନ୍ ୠଷିଙ୍କ ସହିତ । କ୍ଷଣମାତ୍ର ହେଲେହେଁ ସେହି ସଜ୍ଜନସଙ୍ଗତି ହିଁ ବାଲ୍ମୀକିଙ୍କ ଜୀବନଧାରାର ଗତି ପରିବର୍ତ୍ତନ କରିଦେଲା । ଋଷିଙ୍କର ‘ରାମ’ ନାମ ଦୀକ୍ଷା, ବାଲ୍ମୀକିଙ୍କର ଜଡ଼ ଜିହ୍ଵା ଉଚ୍ଚାରଣ କରି ପାରି ନ ଥିଲା ସେତେବେଳେ । ବହୁ ଆୟାସସହକାରେ ବାଲ୍ମୀକି କେବଳ ମାତ୍ର କହିବାକୁ କ୍ଷମ ହେଲେ—“ମରା, ମରା” ।

 

କିନ୍ତୁ ବାଲ୍ମୀକିଙ୍କର ନିଷ୍ଠା, ସାଧନା, ଧୈର୍ଯ୍ୟ ଏହି ‘ମରା, ମରା’ ପଦକୁ ‘ରାମ, ରାମ’ ମହାମନ୍ତ୍ରରୂପରେ ରୂପାୟିତ କରିଦେଲା । ଦସ୍ୟୁ ରତ୍ନାକରର ଶରୀରଗୋଟି ବଲ୍ମୀକସ୍ତୂପରେ ପରିଣତ ହୋଇଯାଇଥିଲା ସେଦିନ । ତଥାପି ‘ରାମ ରାମ’ ରଟନାରେ ଅବିରାମ–ଅଶ୍ରାନ୍ତ ଜିହ୍ୱା କେତେବେଳେ ନୀରବ ହୋଇ ନାହିଁ ।

 

ଦିନେ ଏହି ଦସ୍ୟୁ ରତ୍ନାକରର ବଳିଷ୍ଠ ଶରୀର ମଧ୍ୟରେ ଗୋଟାଏ ଜଡ଼ ପାଷାଣ ହୃଦୟ ବିଦ୍ୟମାନ ଥିଲା । ଆଜି ମାଟିର ମର–କଳେବର ମଧ୍ୟରେ ସେହି ଶାଶ୍ଵତ ଅମର ଆତ୍ମାର ସଗୁଣ ବିକାଶ ପ୍ରାଣମୟ ହୃଦୟର ଅପୂର୍ବ ସ୍ପନ୍ଦନ । ରତ୍ନାକର ତପଃସିଦ୍ଧ ହୋଇ ଏକ ଆଲୋକ–ପ୍ରାପ୍ତ ଅନ୍ତରାତ୍ମା ଘେନି ବଲ୍ମୀକସ୍ତୂପ ମଧ୍ୟରୁ ପୁନର୍ଜନ୍ମ ଲାଭ କଲେ । ତେଣୁ ସେ ବାସ୍ତବିକ୍ ବାଲ୍ମୀକି–ବଲ୍ମୀକକୀଟର ଅଟଳ ଧୈର୍ଯ୍ୟ ଗୁଣରେ ଅଳଙ୍କୃତ ନିର୍ମାତା ସାଧକ ସିଦ୍ଧ ବାଲ୍ମୀକି ।

 

ବାଲ୍ମୀକି ସ୍ଵୟଂ ଏକାଧାରରେ ଯେ ଜଣେ କବି, ବିଦ୍ୱାନ୍ ଓ ଆତ୍ମଦର୍ଶୀ, ତାହା ତାଙ୍କର ଅଭିମାନଶୂନ୍ୟ ହୃଦୟ ଉପଲବ୍ଧି କରିବାର ସୁଯୋଗ ପାଇ ନ ଥିଲା । ନିଷାଦ–ଶରରେ ବିଦ୍ଧ ସେହି କ୍ରୋଞ୍ଚ ପକ୍ଷୀ ହିଁ ନିଜର ପ୍ରାଣଦାନ କରି ବାଲ୍ମୀକିଙ୍କୁ ସେଦିନ ସେହି ଅମର ସମ୍ବାଦ ଦେଇଗଲା ଯେପରି ! ବାଲ୍ମୀକି ବାସ୍ତବିକ୍ ସେଦିନ ନିଜକୁ ନିଜେ ହିଁ ପ୍ରଶ୍ନ କରିଥିଲେ—“ପକ୍ଷୀର ବ୍ୟଥାରେ ବ୍ୟଥିତ ବ୍ୟାକୁଳ ହୋଇ ମୁଁ ଏ କଅଣ କହିପକାଇଲି ସତେ !”

 

ବାଲ୍ମୀକି ହୃଦୟ ପାଇଥିଲେ, ବିକଶିତ ଅନ୍ତର ପାଇଥିଲେ; ଏବେ ସେ ସେହି ଆତ୍ମାର ସଂଚାର ନିମନ୍ତେ ଛନ୍ଦୋମୟୀ ଭାଷାର ଶରୀର ମଧ୍ୟ ଲାଭ କଲେ । ଏହି ଛନ୍ଦରେ ହିଁ ଆଦିକବି ବାଲ୍ମୀକି ପୃଥିବୀରେ ଆଦିକାବ୍ୟ ରଚନା କରିଯାଇଛନ୍ତି । ଏହି ଅନୁଷ୍ଟୁପ୍‍ଛନ୍ଦକୁ ହିଁ ଶ୍ରେଷ୍ଠ ପ୍ରମାଣ କରି ପରବର୍ତ୍ତୀ ଯୁଗରେ ଭଗବାନ୍ ଶ୍ରୀକୃଷ୍ଣ ଆପଣାକୁ “ଛନ୍ଦମାନଙ୍କ ମଧ୍ୟରେ ‘ଅନୁଷ୍ଟୁପ୍ ଛନ୍ଦ’ ବୋଲି ଘୋଷଣା କରିଥିଲେ ।

 

ବାଲ୍ମୀକି ଭାରତର ଆଦର୍ଶ କବି—କବିକୁଳର ଆଦିଗୁରୁ । ବାଲ୍ମୀକିଙ୍କ ରାମାୟଣ ପୃଥିବୀର ଏକ ମହାକାବ୍ୟରୂପେ ଗଣ୍ୟ । ବରେଣ୍ୟ ବାଲ୍ମୀକି ଆଜି “ମଧୁମୟ ଭଣତୀନାଂ ମାର୍ଗଦର୍ଶୀ ମହର୍ଷିଃ” ବୋଲି ପରିଚିତ ।

 

ବାଲ୍ମୀକିଙ୍କ ଅମର ଦାନ ରାମାୟଣ ଭାରତ—ସଭ୍ୟତାର ଅସ୍ଥି ଓ ମଜ୍ଜା ।

 

ଆଦିକବିଙ୍କର ଜୟ ହେଉ !

★★★

 

ରାଜା ରାମଚନ୍ଦ୍ର

 

ଆଜି ଆଉ ଦେବତା ଭାରତର ଆଦର୍ଶ ନୁହନ୍ତି । ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ, ବରୁଣ, ମରୁତ ଆଦି ଭାରତୀୟ ସଂସ୍କୃତିରେ ଉଚ୍ଚତମ ସ୍ଥାନ ଅଧିକାର କରି ରହିପାରି ନାହାନ୍ତି । ଭାରତବାସୀର ଲକ୍ଷ୍ୟ ଆଜି ଆଉ ସ୍ଵର୍ଗବାସ ନୁହେଁ । ଭାରତୀୟ ଯେପରି ଆଜି ତାର ନିଜର ମାତୃଭୂମିରେ ହିଁ ସ୍ୱର୍ଗାବତରଣ ସମ୍ଭବ କରିପାରିଛି, ସ୍ଵର୍ଗର ସନ୍ଧାନ ପାଇପାରିଛି—ମନୁଷ୍ୟ ଭିତରେ ହିଁ ଦେବତାର ଆବିର୍ଭାବ ଦେଖିଛି । ମହାଭାରତକାର ବ୍ୟାସଦେବଙ୍କୁ ଦିନେ ସ୍ଵୀକାର କରିବାକୁ ପଡ଼ିଥିଲା, “ଏ ଯୁଗର ଗୁହ୍ୟ ରହସ୍ୟ ଉଦ୍‍ଘାଟନ କରି ମୁଁ କହୁଛି—ମନୁଷ୍ୟଠାରୁ ବଡ଼ ହୋଇ ଆଉ କିଛି ନାହିଁ । ତାହା ଏତେ ଦିନେ ସତ୍ୟ ବୋଲି ପ୍ରମାଣିତ ହୋଇଛି ।”

 

ଭାରତରେ ଏହି ଯୁଗାନ୍ତର କିଏ ଆଣି ଦେଇଥିଲା ? କେଉଁ ମହାମାନବର ଦିବ୍ୟଜ୍ୟୋତିରେ ସ୍ଵର୍ଗର ଦେବତାମାନେ ମଧ୍ୟ ସର୍ବପ୍ରଥମେ ନିଷ୍ପ୍ରଭ ହୋଇପଡ଼ିଥିଲେ ? କେଉଁ ବୀରପୁଙ୍ଗବର ବାହୁଛାୟାତଳେ ନିଷ୍ପୀଡ଼ିତ ଦେବ, ୠଷି, ବ୍ରାହ୍ମଣ, ସିଦ୍ଧ, ତପସ୍ୱୀ ଆଶ୍ରୟ ଗ୍ରହଣ କରି ପରିତ୍ରାଣ ଲାଭ କରିଥିଲେ ? କାହାର ଆନନ୍ଦମୟ ନାମ ଉଚ୍ଚାରଣରେ ଭାରତର ପୁରପଲ୍ଲୀ ପ୍ରତିଧ୍ଵନିତ ହେଉଥିଲା ? କାହାର ଆଦର୍ଶରେ ଭାରତୀୟ ନରନାରୀ ଅନୁପ୍ରାଣିତ ହୋଇ ଆପଣାର ଜୀବନକୁ ଦୈନନ୍ଦିନ ଜୀବନରେ ମଧ୍ୟ ସମଧିକ ମହନୀୟ ଓ ମହିମାମୟ କରିପାରିଥିଲେ ?

 

ସ୍ଵୟଂ ବାଲ୍ମୀକି ମଧ୍ୟ ଦିନେ ଆପେ ଆପଣାକୁ ଏହି ପ୍ରଶ୍ନ ପୁଚ୍ଛା କରିଥିଲେ, “ଇହଲୋକରେ ଯଥାର୍ଥରେ ଗୁଣୀ, ବୀର୍ଯ୍ୟବାନ୍, ଧର୍ମଜ୍ଞ, କୃତଜ୍ଞ, ସତ୍ୟବାଦୀ, ଦୃଢ଼ବ୍ରତ, ଚରିତ୍ରବାନ୍, ସର୍ବଜନହିତକାରୀ, ବିଦ୍ୱାନ୍, ସମର୍ଥ, ସୁନ୍ଦର, ଆତ୍ମବାନ୍, ଅକ୍ରୋଧ, ତେଜସ୍ଵୀ ଓ ଅଚ୍ଛିଦ୍ରାନ୍ଵେଷୀ କିଏ ବର୍ତ୍ତମାନ ?”

 

ସେହି ମହର୍ଷି ବାଲ୍ମୀକି ହିଁ ନିଜ ପ୍ରଶ୍ନର ନିଜେ ଉତ୍ତର ଦେଇ ରାମଙ୍କର ମହତ୍ ଆଦର୍ଶ ଚରିତ୍ର ଜଗତ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି—ରାମାୟଣରେ ।

 

ରାମଚନ୍ଦ୍ରଙ୍କ ଆଖ୍ୟାୟିକା ରାମାୟଣର ମାହାତ୍ମ୍ୟ ଆଜି କାହାରିକି ଅଗୋଚର ନାହିଁ । କିନ୍ତୁ ସେ କେବଳ ଏକ ପୁରାଣର କଥା ହୋଇ ରହିଯାଇଛି । ପୁରାଣ-ବର୍ଣ୍ଣିତ ସମସ୍ତ ବିଷୟ କପୋଳକଳ୍ପିତ ବୋଲି ଆନନ୍ଦ ପ୍ରକାଶ କରିବାରେ ସୌଖିନ ସଭ୍ୟତା ଆଜି ବହୁ ଶିକ୍ଷିତ ସଭ୍ୟବ୍ୟକ୍ତି ଙ୍କ ମଧ୍ୟରେ ଦେଖାଯାଏ । ସଙ୍ଗେ ସଙ୍ଗେ କେତେକ ଧର୍ମାନ୍ଧ ରାଜା ରାମଚନ୍ଦ୍ରଙ୍କୁ ଦେବତାର ଆସନ ଦେଇ ସୀତା, ଭରତ, ଲକ୍ଷ୍ମଣଙ୍କୁ ଅତିମାନବ ରୂପରେ ଗଣନା କରି ମନୁଷ୍ୟର ଜୀବନଦର୍ଶଠାରୁ ବହୁ ଦୂରକୁ ଅପସାରିତ କରିନେଇଛନ୍ତି ।

 

ସତେ କ’ଣ ଭାରତପୃଷ୍ଠରେ ଦଶରଥ ସଦୃଶ ସତ୍ୟସନ୍ଧ, ପୁତ୍ରସ୍ନେହୀ ପିତା ଜନ୍ମ ଲାଭ କରିବା ଏବେ ଏକ ଅସମ୍ଭବ କଳ୍ପନା ? ପୁତ୍ରଶୋକରେ ପ୍ରାଣତ୍ୟାଗ କରିବା କଅଣ ଭାରତ ଇତିହାସରେ ଗୋଟାଏ ବିକଳ ଓ ବିରଳ ଦୁଷ୍ଟାନ୍ତ ? ରାମଚନ୍ଦ୍ରଙ୍କ ପରି ପିତ୍ରାଜ୍ଞା ପାଳନ କରି ଏ ଦେଶର କୌଣସି ଯୁବକ କଅଣ କେବେହେଲେ ତାର ବିରାଟ ଭବିଷ୍ୟତକୁ ରାଜତ୍ୱ ଓ ରାଜସିଂହାସନକୁ ଜଳାଞ୍ଜଳି ଦେବା ଏକ ଅବାସ୍ତବ ବର୍ଣ୍ଣନା ? ଅନ୍ୟାୟର ପ୍ରତିରୋଧ କରିବାକୁ ଯାଇ ରାବଣ, ମହିରାବଣ ଆଦି ସମକକ୍ଷ ଦୁର୍ଦ୍ଦାନ୍ତ ଦାନବ ମାନଙ୍କର ସମ୍ମୁଖୀନ ହେବାର ସତ୍ ସାହସ ଆଜି କଅଣ କୌଣସି ଭାରତୀୟ ଯୁବକ ତାର ସ୍ଫୀତବକ୍ଷରେ ଧାରଣ କରିବା ଏକ ପ୍ରତ୍ୟୟହିନ ଆଖ୍ୟାୟିକା ? ପ୍ରଜାର ବା ରାଷ୍ଟ୍ରର ସ୍ଵାର୍ଥ ଦୃଷ୍ଟିରୁ ଆପଣାର ପ୍ରାଣୋପମା ପତ୍ନୀକୁ ବିସର୍ଜ୍ଜନ ଦେବାର ଧୈର୍ଯ୍ୟ କଅଣ ଏ ଦେଶର ଗୃହସ୍ଥ ହୃଦୟରେ ସ୍ଥାନ ପାଇବା ଏକ ଅଳୀକ ସ୍ଵପ୍ନ-? ଏ ଦେଶରେ କଅଣ ଭରତ, ଲକ୍ଷଣ ସଦୃଶ ଅଗ୍ରଜ–ଆଜ୍ଞାବହର ଅଭାବ ସତେ ଉପଲବ୍ଧି ହୁଏ-? ଏ ଦେଶରେ କଅଣ ସତୀ ସୀତାଙ୍କ ପରି ସହଧର୍ମିଣୁ, ନାନା ଦୁଃଖ ଯନ୍ତ୍ରଣାର ଅଗ୍ନିପରୀକ୍ଷା ମଧ୍ୟରେ ଶୁଦ୍ଧ ସୁବର୍ଣ୍ଣ ପରି ଜାଜ୍ଵଲ୍ୟମାନ ହେବାର ଦୃଶ୍ୟ କେବଳ ଏକ ରୂପ–କଥା ?

 

ଆଜି ହୁଏତ ଭାରତବର୍ଷରେ ରାଜା ଓ ରାଜସିଂହାସନ ଗନ୍ଧ ବର୍ଣ୍ଣ ନାହିଁ । ଆଜି ନିଃସନ୍ଦେହରେ ଏହି ବିଲୋପ କ୍ରମରେ ଭାରତ ହୁଏତ ଏକ ସୁପରୀକ୍ଷିତ ସାମ୍ୟବାଦୀ ରାଷ୍ଟ୍ର ରୂପେ ପରିଗଣିତ ହୋଇଯିବ । ଅସମ୍ଭବ ନୁହେଁ ଯେ,ଦିନେ ଭାରତୀୟ ଭାଷାମାନଙ୍କର ରାଜା ଶବ୍ଦର ଅର୍ଥାନ୍ତର ପ୍ରକାଶ ପାଇବ । କିନ୍ତୁ ଏ କଥା ସୁନିଶ୍ଚିତ ଯେ, ଦେଶର ଶାସକ ହିଁ ଦେଶର ନିୟନ୍ତା । ସେ ରାଜା ନାମଧାରୀ ହେଉ ଅଥବା ଅନ୍ୟ ଯେ କୌଣସି ନାମରେ ଅଭିହିତ ହେଉ; ସେ ଯଦି ଏକ ହସ୍ତରେ ରାଜଦଣ୍ଡ ଧାରଣ କରି ଶାସକ ହେବା ସଙ୍ଗେ ସଙ୍ଗେ ଅନ୍ୟ ହସ୍ତରେ ପ୍ରଜା ବତ୍ସଳ ଓ ପ୍ରଜାଭିରାମ ନ ହୁଏ, ପ୍ରଜାଙ୍କ ପାଇଁ ସର୍ବସ୍ଵ ତ୍ୟାଗ କରି ଯଦି ନିଜକୁ ସ୍ଵାର୍ଥ-ମୁକ୍ତ କରି ନ ପାରେ, ତେବେ ଭାରତବର୍ଷରେ ବହୁ ଶତାବ୍ଦୀ ପୂର୍ବର ସୁଖ୍ୟାତ” ରାମରାଜ୍ୟ: ବାସ୍ତବିକ୍ ଏକ ସ୍ଵପ୍ନଚ୍ଛାୟା ହୋଇ ରହିଯିବ ସିନା !

 

ରାଜା ରାମଚନ୍ଦ୍ର କେବଳ ଜଣେ ଶ୍ରେଷ୍ଠ ଶାସକ ନ ଥିଲେ, ସେ ଜଣେ ଆଦର୍ଶ ପୁରୁଷ ମଧ୍ୟ ଥିଲେ । କଠୋର ମର୍ଯ୍ୟାଦା ପାଳନ କରିଥିବାରୁ ଶ୍ରୀରାମଚନ୍ଦ୍ର ଙ୍କୁ ‘ମର୍ଯ୍ୟାଦା ପୁରୁଷୋତ୍ତମ’ ବୋଲି ବର୍ଣ୍ଣନା କରାଯାଇଛି । ଯେତେବେଳେ ଦଶରଥ ରାମଚନ୍ଦ୍ରଙ୍କୁ ଯୁବରାଜ କରିବା ବିଷୟରେ ପ୍ରଜାପ୍ରତିନିଧିମାନଙ୍କର ମତ ସଂଗ୍ରହ କଲେ, ସେତେବେଳେ ରାମଚନ୍ଦ୍ରଙ୍କ ସମ୍ବନ୍ଧରେ ସେମାନଙ୍କର ମନ୍ତବ୍ୟ ହିଁ ଏହି ବର୍ଣ୍ଣନାର ଅଭ୍ରାନ୍ତ ପ୍ରମାଣ । ଏହା ହିଁ ପ୍ରକୃତ ପ୍ରଜାତନ୍ତ୍ରର ବୀଜ ମନ୍ତ୍ର ।

 

ରାମାୟଣ ଯଦି ବାଳ, ଆଯୋଧ୍ୟା, ଅରଣ୍ୟ, କିସ୍କିନ୍ଧା, ସୁନ୍ଦରା, ଯୁଦ୍ଧ ଓ ଉତ୍ତର—ସପ୍ତ କାଣ୍ଡରେ ବିଭକ୍ତ ନ ହୋଇ ଆହୁରି ସୁବିସ୍ତୃତ ଓ ସଂସ୍କୃତ ରୂପରେ ରହିଥାନ୍ତି, ସର୍ବ ମୋଟ ଚତୁର୍ବିଂଶଶତ ଶ୍ଳୋକ ଅନୁଷ୍ଟୁପ୍ ଛନ୍ଦରେ ଲିଖିତ ନ ହୋଇ ଯଦି ବିବିଧ ଛନ୍ଦରେ ଓ ରାଗରେ ସୁବିନ୍ୟସ୍ତ ହୋଇଥାନ୍ତା, ତଥାପି ମୂଳ ରାମାୟଣର ମହିମା କ୍ଷୁର୍ଣ୍ଣ ହୁଅନ୍ତା ନାହିଁ । ପଣ୍ଡିତମାନେ ଆଜି ରାମାୟଣର ପ୍ରଥମ ଓ ଶେଷ ବିଶେଷତଃ ଉତ୍ତରାକାଣ୍ଡକୁ ପରବର୍ତ୍ତୀ ଆଲେଖ୍ୟ ବୋଲି କହି ମଧ୍ୟ ମୂଳ ରାମାୟଣର ରଚୟିତାଙ୍କ ଲେଖନୀର ଗୌରବକୁ ହୀନୋଚ୍ଛ୍ଵଳ କରି ପାରି ନାହାନ୍ତି । ରାମାୟଣର ପ୍ରାଚୀନତା ସମ୍ବନ୍ଧରେ ଆଧୁନିକ ଓ ଐତିହାସିକ ଧାରଣା ଭ୍ରାନ୍ତ ହେଉ ବା ଅଭ୍ରାନ୍ତ ହେଉ, ଋକବେଦରେ ବେଣ ଆଦି ରାଜାଙ୍କ ଉପାଖ୍ୟାନ ମଧ୍ୟରେ ‘ରାମନାମ’ ର ଉଲ୍ଲେଖ କୁତ୍ରାପି ଦେଖିବାକୁ ନ ମିଳିଲେ ମଧ୍ୟ, ରାମାୟଣ ବାଲ୍ମୀକିଙ୍କ ଦ୍ଵାରା ହିଁ ଗୀତ–ଏହା ଅର୍ଥ ରଖି ଋକବେଦୀୟ ଗୋଟିଏ ଶ୍ଳୋକ ଅବିକଳ ବାଲ୍ମୀକି ରାମାୟଣରେ ମିଳିବାର ଉପଲକ୍ଷରେ ରାମାୟଣର ମହତ୍ତ୍ଵ ବୃଦ୍ଧି ପାଉ ବା ନ ପାଉ, ଆଦିକବି ବାଲ୍ମୀକି କୃତ ସେହି ଆଦି ରାମାୟଣ ଓ ରାଜା ରାମଚନ୍ଦ୍ରଙ୍କ ରାମରାଜ୍ୟ, ତତକାଳୀନ ଭାରତୀୟ ସଂସ୍କତି, ଭାରତୀୟ ସାହିତ୍ୟ ଏବଂ ସର୍ବୋପରି ଭାରତର ସମାଜ ଓ ଶାସନ ପଦ୍ଧତିର ଆଦର୍ଶ ଅଦ୍ୟାବଧି ପୃଥିବୀର ସର୍ବକ୍ଷେତ୍ରରେ ଅପ୍ରତିଦ୍ୱନ୍ଦ୍ଵିତ ହୋଇ ରହିଛି ।

★★★

 

ବେଦବ୍ୟାସ

 

ବେଦ ଯେତେବେଳେ ବିସ୍ମୃତିର ଗର୍ଭରେ, ସମାଜ ଯେତେବେଳେ ବେଦବିଧି ଭୁଲି ଆଚାରହୀନ ଭ୍ରଷ୍ଟ ହୋଇଯାଉଛି ଏବଂ ଅଯଥା ଲୋକାଚାର ଓ ରକ୍ଷଣଶୀଳତାର ରଥଚକ୍ରତଳେ ପିଷ୍ଟ ହୋଇଯାଉଛି, ସେତେବେଳେ ଯଥାର୍ଥ ଜ୍ଞାନର ଆଧାର ବେଦବିଦ୍ୟାର ପୁନରୁଦ୍ଧାର କରିବାପାଇଁ, ବରଂ ବେଦକୁ ସମଧିକ ମନୋଜ୍ଞ ଓ ବୋଧଗମ୍ୟ ରୂପ ଦେବାପାଇଁ, ଲୋକ ସମକ୍ଷରେ ଏହି ସନାତନ ସତ୍ୟକୁ ପୁଣି ଥରେ, ଉଜ୍ଜ୍ଵଳତର ପରିଚ୍ଛଦରେ ସ୍ଥାପନା କରିବାପାଇଁ ଜଣେ ମନୀଷୀଙ୍କର ଆବିର୍ଭାବ ହେଲା ।

 

ଏକାଧାରରେ କବି, ସମ୍ପାଦକ, ସଂସ୍କାରକ, ଧର୍ମଗୁରୁ ଓ ରାଜନୀତିଜ୍ଞ ହୋଇ ଜନ୍ମ ହେବାର ସୌଭାଗ୍ୟ ଏକମାତ୍ର ଏହି ମହାପୁରୁଷଙ୍କ ଛଡ଼ା ଅନ୍ୟ କେହି ଲାଭ କରିଛି କି ନାହିଁ ସନ୍ଦେହ ।

 

ଅତୀତର କେଉଁ ଏକ ଶୁଭ ମୁହୂର୍ତ୍ତରେ ଭାରତର କୌଣସି ଏକ ଜଳବହୁଳ ସ୍ଥାନ ମଧ୍ୟରେ ମତ୍ସ୍ୟଜୀବୀ ଗୋଟିଏ ଅନୂଢ଼ା ବାଳିକାର ଉଦରରୁ ଏହି ମହାପୁରୁଷଙ୍କର ଜନ୍ମ । ମହତ୍ତ୍ୱ କେବେ ଉଚ୍ଚ ନୀଚ ଜାତି ବର୍ଣ୍ଣଭେଦର ଅପେକ୍ଷା କରେ ନାହିଁ । ବହୁ ସହସ୍ର ବର୍ଷ ପୂର୍ବେ ଏହି ସତ୍ୟ ସ୍ଥାପନ କରିବା ପାଇଁ ସତେ ଯେପରି ତାଙ୍କର ଆବିର୍ଭାବ ଏହି ଭାରତଭୂମିରେ ହିଁ ସମ୍ଭବ ହୋଇଥିଲା ।

 

ଗୋଟିଏ ନିକାଞ୍ଚନ ସ୍ଥାନ । ଚତୁର୍ଦ୍ଦିଗରେ ଜଳାର୍ଣ୍ଣବ । ମଧ୍ୟଭାଗର ଭୂଖଣ୍ଡ ଗୋଟିଏ ଦ୍ୱୀପାକାର ଭୂମି । ପ୍ରକୃତରେ ପ୍ରକୃତିର ଏତାଦୃଶ ମନୋରମ ପରିବେଶ ହିଁ ଯେପରି ଏହି ନବଜାତକ ପୁରୁଷ–ପ୍ରଧାନଙ୍କୁ ବାଳୁତକାଳରୁ କବି ଓ ଦାର୍ଶନିକ କରି ଗଢ଼ିବାପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା । ଶରୀରର କୃଷ୍ଣ ବଣ୍ଣ ହେତୁ ଓ ଗୋଟିଏ କ୍ଷୁଦ୍ର ପରିସର ଦ୍ଵୀପ ମଧ୍ୟରେ ଜନ୍ମଲାଭ କରିଥିବାରୁ ଏହାଙ୍କର ବିଶେଷ ପରିଚିତରୂପେ ଗୋଟିଏ ବିଶେଷଣ ସ୍ଵରୂପ ପ୍ରଚଳିତ ପଦ୍ଧତି ଅଦ୍ୟାବଧି ବିଖ୍ୟାତ ହୋଇ ରହିଛି—‘କୃଷ୍ଣଦୈପାୟନ’ ।

 

ଦୀର୍ଘକାୟ, ମାତା ସତ୍ୟବତୀଙ୍କ ସୁଯୋଗ୍ୟ ତନୁଜ ବଳିଷ୍ଠାବୟବ, ପିତା ମହର୍ଷି ପରାଶରଙ୍କର ଉପଯୁକ୍ତ ଦାୟାଦ, ଆବାଲ୍ୟଧର୍ମପରାୟଣ, ଧର୍ମପ୍ରାଣ, ଅଧ୍ୟାତ୍ମଚିନ୍ତାରେ ନିୟତ ନିମଜ୍ଜମାନ ଏହି ସୁନ୍ଦର ସୌଷ୍ଠବମୟ ବାଳକ ପରିଶେଷରେ ହୃଦୟ ମଧ୍ୟରେ ଉଦ୍‍ବେଳିତ ଅନନ୍ତ ପ୍ରଶ୍ନରାଶିର ସମାଧାନ ନିମନ୍ତେ ଅତ୍ୟନ୍ତ ବ୍ୟାକୁଳଚିତ୍ତରେ ପ୍ରବଜ୍ୟା ଗ୍ରହଣପୂର୍ବକ ହିମାଳୟ ଅଭିମୁଖରେ ଯାତ୍ରା କଲେ ।

 

ନଗାଧିରାଜ ହିମାଳୟର ବହୁ କାଳ ସାଧନା ଅନ୍ତେ ନରନାରାୟଣ ପର୍ବତମାଳାର ଅଧିତ୍ୟକା ଭୂମିରେ ଦେବଦାରୁ ବୃକ୍ଷରାଜର ସୁବିନ୍ୟସ୍ତ ମନୋରମ ଛାୟାତଳେ ଏହି ମହାତ୍ମା ବଦରିକାଶ୍ରମ ସ୍ଥାପନ କରି ‘ବାଦରାୟଣ’ ନାମରେ ଅଭିହିତ ହେଲେ ।

 

ଏହି କୃଷ୍ଣଦ୍ଵୈପାୟନ ବାଦରାୟଣଙ୍କୁ ଭାରତର ମତିମାନ୍ ମନୀଷୀବୃନ୍ଦ ଭଗବାନ୍ ଆଖ୍ୟା ମଧ୍ୟ ଦେଇଛନ୍ତି । ଭାରତୀୟ ପରମ୍ପରା ଅନୁସାରେ ଏ ଦେଶର ସର୍ବମୋଟ ଅଷ୍ଟବିଂଶତି ‘ବ୍ୟାସ’ ଜନ୍ମଗ୍ରହଣପୂର୍ବକ ଭିନ୍ନ ଭିନ୍ନ କଳ୍ପରେ ବେଦର ସଂଗ୍ରହ ଓ ବିଭାଗ କରିଯାଇଥିଲେ ହେଁ ଏହି କୃଷ୍ଣଦ୍ଵୈପାୟନ ଭଗବାନ୍ ବାଦରାୟଣ ‘ବ୍ୟାସ’ ଏମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଓ ଅଷ୍ଟବିଂଶତିତମ ବୋଲି ପ୍ରମାଣିକ ଓ ପ୍ରତିଷ୍ଠିତ ହୋଇଅଛନ୍ତି ।

 

ଏହି ଭଗବାନ୍ ବାଦରାୟଣ ହିଁ ସର୍ବପ୍ରଥମେ ବେଦର ବିକ୍ଷିପ୍ତ ଋଚାବଳିକୁ ସଂକଳନ କରି ଋକ୍, ଯଜୁ, ସାମ ଓ ଅର୍ଥବ ନାମକ ଚାରି ସଂହିତାରେ ସୂତ୍ରବଦ୍ଧ କଲେ । ଏହି ଚାରି ସଂହିତାକୁ ସେ ଯଥାକ୍ରମେ ପୈଳ, ବୈଶମ୍ପାୟନ, ଜୈମିନି ଓ ସୁମନ୍ତ ନାମକ ଚାରି ଶିଷ୍ୟପ୍ରଧାନଙ୍କ ମଧ୍ୟରେ ବିତରଣ କରିଦେଲେ । ଏହି ମହନୀୟ ପ୍ରକାରଣ ନିମନ୍ତେ କୃଷ୍ଣଦ୍ୱୈପାୟନ ଭଗବାନ୍ ବାଦରାୟଣ ‘ବେଦବ୍ୟାସ’ ରୂପେ ଆଖ୍ୟାତ ।

 

କିନ୍ତୁ ବେଦବ୍ୟାସ ପ୍ରକୃତରେ ସଂହିତା ନିମନ୍ତେ ପ୍ରସିଦ୍ଧି ଲାଭ କରି ନାହାନ୍ତି, ପୃଥିବୀର ବିରାଟତମ କାବ୍ୟ ମହାଭାରତ ହିଁ ଆଜି ବ୍ୟାସଙ୍କୁ ଅମର କରି ରଖିଛି । ମହାଭାରତ ଓ ମହାଭାରତକାର ବ୍ୟାସ ଆଜି ଏପରି ଅବିଚ୍ଛେଦ୍ୟ ଯେ, ବ୍ୟାସଙ୍କ ଜୀବନର ମହତ୍ତ୍ୱପୂର୍ଣ୍ଣ ଟୀକାରୂପୀ ଏହି ଅଭୁତକଳ୍ପ ଗ୍ରନ୍ଥର ସାକ୍ଷାତ୍ ପ୍ରତିମୂତ୍ତି ହିଁ ‘ବେଦବ୍ୟାସ’ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ବ୍ୟାସଙ୍କର ଏହି ଅବିନାଶୀ ଅବଦାନ ‘ମହାଭାରତ’ ତତ୍କାଳୀନ ଭାରତବର୍ଷର ସାମାଜିକ, ରାଜନୈତିକ ଓ ଧର୍ମନୈତିକ ଜୀବନର ସଂକ୍ଷିପ୍ତସାର ବୋଲି ନିର୍ବିବାଦରେ କୁହାଯାଇପାରେ । ସେଥିପାଇଁ ଜନକୀର୍ତତି ରହିଅଛି–‘ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ-!’

 

ଏହି ଭାରତ ବା ମହାଭାରତ ଯେପରି ବୃହଦାକାର ସେହିପରି ତକ୍ରତ୍ୟ ବିଷୟବସ୍ତୁର ପରିସର ସୁବିସ୍ତୀର୍ଣ୍ଣ ଓ ବ୍ୟାପ୍ତ । ଅଷ୍ଟାଦଶ ଖଣ୍ଡ ବା ପର୍ବରେ ବିଭାଜିତ ଏବଂ ପ୍ରାୟ ଏକ ଲକ୍ଷ ଶ୍ଳୋକସମ୍ବଳିତ ଏହି ବିରାଟ ଗ୍ରନ୍ଥର ଆକାର ସହିତ ତୁଳିତ ହେଲେ ପୃଥିବୀର ଅନ୍ୟ ଦୁଇ ପ୍ରସିଦ୍ଧ ବୃହଦବୟବ ଗ୍ରନ୍ଥ ଓଡ଼େଶୀ ଓ ଇଲିୟଟ୍‍ର ଏକତ୍ର ସମାବେଶ ଏକଅଷ୍ଟମାଂଶ ମାତ୍ର ହେବ ।

 

ଏହା ସାତକାଣ୍ଡ ବା ସପ୍ତଖଣ୍ଡ ରାମାୟଣର ଚତୁର୍ଗୁଣ । ଏହା ପ୍ରାଚୀନ ଭାରତର ଧର୍ମ, ନୀତି, ତତ୍ତ୍ଵଜ୍ଞାନ, ସାମାଜିକ ଜ୍ଞାନ, ରାଜନୀତି, ତଥା କାବ୍ୟ ଓ ଗାଥା ଶାସ୍ତ୍ରର ଗନ୍ତାଘରସ୍ଵରୂପ ଯୁଗେ ଯୁଗେ ଦେଦୀପ୍ୟମାନ ।

 

କିନ୍ତୁ କଥିତ ଅଛି, ବ୍ୟାସଙ୍କ କୃତ ମୂଳ ମହାଭାରତ ‘ଜୟ’ ନାମରେ ମାତ୍ର ୨୪ ହଜାର ଶ୍ଳୋକ ମଧ୍ୟରେ ନିବଦ୍ଧ ଥିଲା । କୁରୁପାଣ୍ଡବ ମଧ୍ୟରେ କୁରୁକ୍ଷେତ୍ର ଯୁଦ୍ଧର ଅବସାନ ପରେ କୃଷ୍ଣଦ୍ଵୈପାୟନ ଦୀର୍ଘ ତିନିବର୍ଷ ଅକ୍ଳାନ୍ତ ପରିଶ୍ରମ କରି ହିମାଳୟସ୍ଥ ଏକାନ୍ତ ନିବାସ ମଧ୍ୟରେ ଏହି ‘ଜୟ’–ରତ୍ନର ସଙ୍କଳନ ସମାପନ କରିଥିଲେ । ବ୍ୟାସଦେବଙ୍କର ଏହି ମୂଳ ଗ୍ରନ୍ଥ ‘ଜୟ’ କ୍ରମେ ‘ଭାରତ’ ‘ଭାରତୀ କଥା’ ଓ ‘ଭାରତ ସଂହିତା’ ନାମରେ ପ୍ରଚଳିତ ହେଲା । ସୁଶିଷ୍ୟ ସୂତରୋମହର୍ଷଣଙ୍କୁ ବ୍ୟାସଦେବ ସର୍ବପ୍ରଥମେ ତାଙ୍କର ଏହି ନବତମ ଅବଦାନର ସୁଶିକ୍ଷା ସମର୍ପଣ କରିଥିଲେ । ତାଙ୍କର ଅନ୍ୟ ଏକ ଶିଷ୍ୟ ବୈଶମ୍ପାୟନ ଜନ୍ମେଜୟଙ୍କର ସର୍ପଯଜ୍ଞରେ ସର୍ବପ୍ରଥମେ ତାହା ପାରାୟଣ କଲେ । ସେହିଠାରେ ସୂତରୋମହର୍ଷଣ–ସୂତ ଉଗ୍ରଶ୍ରବା ‘ସୂତମହାଭାରତ’ ଶ୍ରବଣ କରିବାର ସୁଯୋଗ ପାଇଲେ । ନୈମିଷାରଣ୍ୟରେ ଶୌନକ ଋଷି ବାର ବର୍ଷ ଧରି ମହାଯଜ୍ଞ ଆରମ୍ଭ କଲାବେଳେ ଏହି ସୌତି ଉଗ୍ରଶ୍ରବା ସର୍ବସାଧାରଣ ସମକ୍ଷରେ ସୂତରୋମହର୍ଷଣ–ସମ୍ପାଦିତ ସୂତମହାଭାରତର ପୁନରାବୃତ୍ତି କଲେ । ସେତିକିବେଳେ ପ୍ରସଙ୍ଗବଶତଃ ଗ୍ରନ୍ଥର ସ୍ଥାନେ ସ୍ଥାନେ ନାନା ଉପାଖ୍ୟାନ ଓ ନବ ନବ ପ୍ରକରଣର ସଂଯୋଗ ହେଲା ଏବଂ କାଳକ୍ରମେ ଗ୍ରନ୍ଥର ଲୋକପ୍ରିୟତା ବୃଦ୍ଧି ସଙ୍ଗେ ସଙ୍ଗେ ପ୍ରବଚନକର୍ତ୍ତାମାନେ ନିଜ ନିଜର ପ୍ରକ୍ଷେପ ଯୋଗ କରିବାର ସୁଯୋଗ ନେବା ଫଳରେ ପରିଶେଷରେ ‘ଭାରତ’ ଏକଲକ୍ଷ ଶ୍ଳୋକସମ୍ବଳିତ ଏକ ବିଶ୍ୱକେଷ ‘ମହାଭାରତ’ ରୂପରେ ପରିବେଷିତ ହେଲା ।

 

ମହାଭାରତର ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ ଅଂଶ ଶାନ୍ତି ଓ ଅନୁଶାସନ ପର୍ବ । ଏହି ପର୍ବଦ୍ଵୟରେ ହିଁ ରାଜନୀତି, ସାମାଜବିଜ୍ଞାନ, ଦଣ୍ଡବିଧାନ, ତତ୍ତ୍ଵବିବେଚନା ଆଦି ପ୍ରାଚୀନ ଭାରତୀୟ ବିଧାନର ରୂପରେଖ ଅଙ୍କିତ ହୋଇଅଛି ।

 

ମହାଭାରତର ଶ୍ରେଷ୍ଠତମ ଅଂଶ ଶ୍ରୀମଦ୍‍ଭଗବତଗୀତ । କୁରୁକ୍ଷେତ୍ରରେ ପାର୍ଥସାରଥି ଶ୍ରୀକୃଷ୍ଣଙ୍କ ଶ୍ରୀମୁଖନିଃସୃତ ଏହି ସାରସ୍ଵତବାଣୀ ଚିରଦିନ ବିଶ୍ଵର ମାନବର ଆଶା ଓ ଭରସାର ଦୀପସ୍ତମ୍ଭ ହୋଇ ରହିଥିବ ।

 

ରାମାୟଣରେ ଯେପରି ଆଦର୍ଶ ଗୃହଧର୍ମ, ମହାଭାରତରେ ସେହିପରି ଆଦର୍ଶ ସମାଜଧର୍ମର କ୍ଷେତ୍ର ବା ପରିସର ଆହୁରି ବିସ୍ତୃତି ଲାଭ କରିଅଛି । ବାଲ୍ମୀକିଙ୍କର ଚରିତ୍ରଚିତ୍ରଣ ବ୍ୟାସଦେବଙ୍କର ଧର୍ମ–ଆଖ୍ୟାନରେ ପରିପୂର୍ତ୍ତି ଲାଭ କରିଅଛି । ଧର୍ମକୁ ସମାଜର ଭିତ୍ତି, ସାଂସାରିକ ତଥା ଆଧ୍ୟାତ୍ମିକ ଉନ୍ନତିର ସୋପାନ, ଅଭ୍ୟୁଦୟ ଓ ନିଃଶ୍ରେୟସର ସାଧନ କହି ବ୍ୟାସଦେବ ପତିତମାନଙ୍କୁ କଠିନ ଅଜ୍ଞାନ ଦେଇଛନ୍ତି, “ମୁଁ ବାହୁ ଭତ୍ତୋଳିନି କରି କହୁଛି, ମୋ କଥାପ୍ରତି କେହି କର୍ଣ୍ଣପାତ କରୁ ନାହିଁ; ତଥାପି ମୁଁ କହି ରଖୁଛି—ଧର୍ମରୁ ହିଁ କାମ ଓ ଅର୍ଥର ପ୍ରାପ୍ତି ସମ୍ଭବ ! ଏହା ସତ୍ତ୍ୱେ ତୁମେ ଧର୍ମର ଆଶ୍ରୟ ନେଉ ନାହିଁ କାହିଁକି ?”

 

ଏହା ସତ୍ତ୍ୱେ ଲୋକଙ୍କର ଚୈତନ୍ୟୋଦୟ ହେଲା ନାହିଁ । ବେଦର ସଙ୍କଳକ, ବ୍ରହ୍ମ–ଭପାସକ, ବ୍ରାହ୍ମଣ, ଆତ୍ମଜ୍ଞାନୀ ବ୍ୟାସ, ମହାଭାରତର ରଚୟିତା କର୍ମ ଓ ସାଂଖ୍ୟଯୋଗୀ ସଂସାରୀ ବ୍ୟାସ ପରିଶେଷରେ ମନୁଷ୍ୟର ସଦ୍‍ଗତି ନିମନ୍ତେ ପୁନରାୟ ଚିନ୍ତାମଗ୍ନ ହେଲେ । ସରସ୍ଵତୀ–ତଟନିକଟସ୍ଥ ହସ୍ତିନାର ଉପକଣ୍ଠରେ ପୁଣି ଏକ ଆଶ୍ରମ ପ୍ରତିଷ୍ଠା କରି ବ୍ୟାସଦେବ ସୁମହାନ୍ କଠୋର ସାଧନାରେ ପ୍ରବୃତ୍ତ ରହିଲେ । ସେହି ତପସ୍ୟାର ଫଳସ୍ୱରୂପ ଆମ୍ଭେମାନେ ଆଜି ଜ୍ଞାନାତୀତ ହୃଦୟଗ୍ରାହ୍ୟ ସର୍ବଶ୍ରେଷ୍ଠ ଉକ୍ତିରସମାର ଗ୍ରନ୍ଥ ‘ଶ୍ରୀମଦ୍ଭାଗବତ’ର ପ୍ରସାଦ ଲାଭ କରିଅଛୁଁ-

 

ସମ୍ଭବତଃ ଏହି ସ୍ଥାନରେ ହିଁ ବ୍ୟାସଦେବ ସର୍ବସାଧାରଣବୋଧଗମ୍ୟ ମୂଳ ‘ପୁରାଣ ସଂହିତା’ ରଚନା କରିଥିଲେ ।

 

ଯୋଗୀ, ତପୀ, ଜ୍ଞାନୀ ବେଦବ୍ୟାସଙ୍କୁ ଆମ୍ଭେମାନେ ବର୍ତ୍ତମାନ ଭକ୍ତ, ଭାବୁକ, ହୃଦୟବାନ୍ ବ୍ୟାସରୂପେ ଶ୍ରୀମଦ୍ଭାଗବତ ଓ ଅଷ୍ଟାଦଶ ପୁରାଣ ଆଦିରେ ଦେଖିବାକୁ ପାଉଛୁଁ ।

 

ଏହି ବ୍ୟାସଦେବ ଶାନ୍ତନୁପତ୍ନୀ ସତ୍ୟବତୀଙ୍କ ପୁତ୍ର ବିଚିତ୍ରବୀର୍ଯ୍ୟ ଅପୁତ୍ରିକଭାବରେ ଯୌବନାବସ୍ଥାରେ ଦେହତ୍ୟାଗ କଲାରୁ ମାତାଙ୍କ ଆଦେଶକ୍ରମେ ବିଚିତ୍ରଙ୍କର ଦୁଇ ବିଧବା ପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କ ଗର୍ଭଜାତ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କର ଜନକ ମଧ୍ୟ । ତେଣୁ ବ୍ୟାସଙ୍କୁ କେବଳ ମହାଭାରତର ରଚୟିତା କହିଲେ ଯଥେଷ୍ଟ ହେବ ନାହିଁ—ତାଙ୍କୁ ମହାଭାରତର ଜନକ ବୋଲି କହିବା ମଧ୍ୟ ଅଯୌକ୍ତିକ ନୁହେଁ ।

★★★

 

ଶ୍ରୀକୃଷ୍ଣ

 

ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ

ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।

 

ଯେତେବେଳ ବିଷୟ–ମଦରେ ଉନ୍ମତ୍ତ ମାନବ ନିଜର ଅସ୍ତିତ୍ୱକୁ ଚରମ ସତ୍ୟ ବୋଲି ବିବେଚନା କରି ମନୁଷ୍ୟକୁ ହିଁ ମାନବିକତାର ପରମ ପରିଣାମରୂପେ ବରଣ କରି ଦେବତ୍ଵ ତଥା ଈଶ୍ୱରତ୍ଵକୁ ଅସ୍ଵୀକାର କଲା, ଧର୍ମର ସେହି ଗ୍ଳାନି ଓ ଅଧର୍ମର ଅଭ୍ୟୁତ୍ଥାନ କାଳରେ ଯେଉଁ ମହାପୁରୁଷ ଅକ୍ଷୟ କୀର୍ତ୍ତି ଓ ଅମିତ ତେଜପୁଞ୍ଜର ଅଧିକାରୀ ଯୁଗାବତାର ଏହି ପୁଣ୍ୟଭୂମି ଭାରତଭୂମିରେ ଅବତୀର୍ଣ୍ଣ ହୋଇ ଅଭୟବାଣୀ ଶୁଣାଇଥିଲେ, “ସାଧୁମାନଙ୍କର ପରିତ୍ରାଣ ଓ ଦୁଷ୍କୃତମାନଙ୍କର ବିନାଶାର୍ଥେ ମୁଁ ଯୁଗେ ଯୁଗେ ସମ୍ଭବ ହୁଏଁ”, ସେହି ପୁରୁଷୋତ୍ତମ ପରମପୁରୁଷ ଭଗବାନ୍ ଶ୍ରୀକୃଷ୍ଣ ବାସ୍ତବରେ ଭାରତୀୟ ଆଧ୍ୟାତ୍ମଜୀବନର ଅଦ୍ୱିତୀୟ ନିୟନ୍ତା । ଯାବତ୍ ଭାରତବର୍ଷର ସ୍ଥାନ ପୃଥିବୀବକ୍ଷରେ ନିର୍ଦ୍ଦିଷ୍ଟ ଥିବ, ଭାରତଭୂମିରେ ଯେତେଦିନ ପର୍ଯ୍ୟନ୍ତ ମନୁଷ୍ୟର ଅଧିବସତି ସମ୍ଭବ ହୋଇଥିବ, ସେତେଦିନଯାଏ ସେହି ଅନନ୍ତକାଳ ପର୍ଯ୍ୟନ୍ତ ଭଗବାନ୍ ଶ୍ରୀକୃଷ୍ଣ ଏ ଦେଶର ହୃଦୟ–ସିଂହାସନରେ ପୂଜିତ ହେଉଥିବେ ।

 

ଶ୍ରୀକୃଷ୍ଣ ଏକ ଐତିହାସିକ ବ୍ୟକ୍ତିତ୍ଵ ହୁଅନ୍ତୁ କିମ୍ବା ଏକ କାଳ୍ପନିକ ଚରିତ୍ର ହୁଅନ୍ତୁ—ଆଧୁନିକ ପଣ୍ଡିତମାନଙ୍କର ଏ ସମ୍ବନ୍ଧରେ ଯାବତୀୟ ଯୁକ୍ତିକୁ ଖଣ୍ଡନ କରି ଭଗବାନ୍ ଶ୍ରୀକୃଷ୍ଣଙ୍କର ଶ୍ରୀମୁଖ–ନିଃସୃତ ଶ୍ରୀମଦ୍‍ଭଗବଦଗୀତାର ଉଦାତ୍ତ ସ୍ୱର ଯୁଗଯୁଗବ୍ୟାପୀ ସତ୍ୟ ଓ ଜୀବନ୍ତ ପ୍ରତୀୟମାନ ହେବ ହିଁ ହେବ । ଶ୍ରୀମଦ୍‍ଭଗବଦଗୀତା କୌଣସି ଧର୍ମସଂପ୍ରଦାୟର ନିଜସ୍ଵ ବା ସ୍ୱତ୍ୱ ନୁହେଁ—ଏହା ବାସ୍ତବ ପକ୍ଷରେ ମନୁଷ୍ୟ ଓ ଈଶ୍ୱର ମଧ୍ୟରେ ଏକ ଅଚ୍ଛେଦ୍ୟ ଯୋଗସୂତ୍ର ଏବଂ ପ୍ରତ୍ୟେକ ଅନୁଯାୟୀ ମାନବାତ୍ମାର ନିର୍ଭର ଆଶ୍ୱାସନା ।

 

ଯନ୍ତ୍ରଯୁଗର ଶତ ପ୍ରତିବାଦ ସତ୍ତ୍ୱେ ଭଗବାନ୍ ଶ୍ରୀକୃଷ୍ଣ ଅଦ୍ୟାବଧି ପରଂବ୍ରହ୍ମପ୍ରତୀକରୂପେ ସ୍ୱୟମ୍ଭୂ ଆତ୍ମପ୍ରକାଶକାରୀ ଅବତାର ଓ ଅବତାରୀ ନାମରେ ଆଖ୍ୟାତ । ବାସ୍ତବିକ ମନୁଷ୍ୟର ବହୁମୁଖୀ ପ୍ରତିଭାର ପୂର୍ଣ୍ଣ ବିକାଶ ଯଦି କେଉଁ ସମୟରେ କୌଣସି ଏକ ସଶରୀରୀ ବ୍ୟକ୍ତି ମଧ୍ୟରେ ପୂର୍ଣ୍ଣତମଭାବରେ ସମ୍ଭବ ହୋଇଥିଲା, ତାହା ଏହି ଅବର୍ଣ୍ଣନୀୟ ବର୍ଣ୍ଣଧାରୀ ଅନନ୍ତ ଓ ଅସୀମତ୍ୱର ସାନ୍ତ ସାକାର ପ୍ରକାଶ ସ୍ୱୟମ୍ଭୂ ଶ୍ରୀକୃଷ୍ଣଙ୍କର ଅବତାର ବ୍ୟତୀତ ଅନ୍ୟ କେହି ନୁହନ୍ତି ।

 

ସେଥିପାଇଁ ଶ୍ରୀକୃଷ୍ଣଙ୍କୁ ସାଧାରଣ ମନୁଷ୍ୟ କହିଲେ ଅନ୍ୟାୟ ହେବ । ସେ ସୃଷ୍ଟିର ବିକାଶଧାରାରେ (evolution) ଶ୍ରେଷ୍ଠମାନବତ୍ଵ ପ୍ରାପ୍ତ ହୋଇଥାନ୍ତୁ କିମ୍ବା ଚୂଡ଼ାନ୍ତ ଐଶ୍ୱର୍ଯ୍ୟମୟ ଆସନରୁ ଅଧସ୍ତନ ମାନବର ଉଦ୍ଧାର ଓ ପରିତ୍ରାଣ କଳ୍ପେ ମର୍ତ୍ତ୍ୟମଣ୍ଡଳରେ ଅବତରଣ କରିଥାନ୍ତୁ, ଶ୍ରୀକୃଷ୍ଣ ଯେ ଜଣେ ଅତିମାନବ ଓ ଅଦ୍ୱିତୀୟ–ଚରିତ୍ର, ଏହା ନିଃସନ୍ଦେହରେ କୁହାଯାଇପାରେ ।

 

ପାଞ୍ଚ ହଜାର ବର୍ଷ ପୂର୍ବର ଭାରତ—କିଏ କହିବ ଆଉ କେତେ ସହସ୍ର ବର୍ଷ ବା ଯୁଗ ଏଥି ପୂର୍ବରୁ ହୁଏତ ଅତିବାହିତ ହୋଇଯାଇଥିବ—ଐତିହାସିକମାନଙ୍କର ପ୍ରାମାଣିକ କଳ୍ପନା ଯେତେ ଦୂର ଯାଇପାରିଛି, ତଦନୁସାରେ ପାଞ୍ଚ ହଜାର ବର୍ଷ ହେବ । ଭାରତର ସାମାଜିକ, ରାଜନୈତିକ ତଥା ନୈତିକ ଜୀବନପକ୍ଷରେ ଯେତେବେଳେ ଘୋର ଦୁର୍ଦ୍ଦିନ; ରାଷ୍ଟ୍ରହୀନ ସମାଜ—ଯେଉଁ ସମାଜରେ ବ୍ୟଷ୍ଟି ସମଷ୍ଟିର ସ୍ୱାର୍ଥ ପାଇଁ ନିଜେ ନିଜକୁ ଆତ୍ମସଂଯମରେ ରଖି ସୁଖୀ ହୋଇ ପାରୁଥିଲା—ସେହି ରାଷ୍ଟ୍ରହୀନ ସମାଜର ଯେତେବେଳେ ଅବସାନ ହୋଇଆସୁଛି; ଯୌବନର ଉନ୍ମାଦନାରେ ସୀମା ଲଙ୍ଘନ କରି ଜାତି ଯେତେବେଳେ ସ୍ଖଳନପଥରେ ପତନୋନ୍ମୁଖ; ଧାର୍ମିକ ଉଚ୍ଛୃଙ୍ଖଳତା ଓ ରାଜନୈତିକ ନିରଙ୍କୁଶତା ଯେତେବେଳେ ଜାତିର ମେରୁଦଣ୍ଡକୁ ଜୀର୍ଣ୍ଣ କରିପକାଉଛି; ମନୁଷ୍ୟ ଜୀବନର ଚାରୋଟି ମୁଖ୍ୟ ଅବସ୍ଥାରେ ଚାରି ଆଶ୍ରମ ବରଣ ପ୍ରଥାର ବିଲୋପ ସାଧିତ ହୋଇ ଆସୁଛି; ଗହନବନାକୀର୍ଣ୍ଣ ସାଧନା–ଉପଯୋଗୀ କ୍ଷୁଦ୍ର ଜନପଦ ପରିବର୍ତ୍ତରେ ବହିର୍ମୁଖୀ ପାର୍ଥିବ ଉନ୍ନତିର ଉନ୍ନତ ବିଳାସ, କୁଟୀର ପରିବର୍ତ୍ତରେ ତୂଳିତଳ୍ପ–ସୁସଜ୍ଜିତ ବିଶାଳ ପ୍ରାସାଦରାଜି, କ୍ଷୁଦ୍ର କ୍ଷୁଦ୍ର ଆତ୍ମନିର୍ଭରଶୀଳ ଗୋଷ୍ଠୀ ବା ଗୋତ୍ର ପରିବର୍ତ୍ତରେ ବିଶାଳ ରାଜ୍ୟମାନ ପ୍ରତିଷ୍ଠିତ ହୋଇପାରିଛି; ସିନ୍ଧୁ, ସୌବୀର, କୁରୁ, ପଞ୍ଚାଳ, ବିଦର୍ଭ, ଆବର୍ତ୍ତ, କୋଶଳ, କଳିଙ୍ଗ ଓ ବିଦେହ ଆଦି ସୁଦୂରବ୍ୟାପୀ ରାଜ୍ୟସମୂହ ପରସ୍ପର ପ୍ରତି ସ୍ପର୍ଦ୍ଧାରେ ସ୍ଫୀତ; କଂସ, ଜରାସନ୍ଧ ପ୍ରଭୃତି ଏକଛତ୍ର ନିରଙ୍କୁଶ ରାଜାମାନଙ୍କ ପାର୍ଥସାରଥି ଅତ୍ୟାଚାରରେ ଦେଶ ଉତ୍ପୀଡ଼ିତ; ଅଧର୍ମ ଓ ଅନୀତିର ଆପାତବିଜୟରେ ଜନସାଧାରଣ ଯେତେବେଳେ ସ୍ତମ୍ଭୀଭୂତ–ସେତିକିବେଳେ ଦୁଷ୍କୃତର ବିନାଶ ପାଇଁ କଂସର ବନ୍ଦିଶାଳାରେ ବନ୍ଦିନୀ ଦେବକୀ–ଉଦରରେ ଭଗବାନ ଶ୍ରୀକୃଷ୍ଣଙ୍କର ଆବିର୍ଭାବ ।

 

ଭାଦ୍ରପଦ କୃଷ୍ଣାଷ୍ଟମୀ । ଆକାଶ ମେଘାଛନ୍ନ । ନିବିଡ଼ ଅନ୍ଧକାର । ଅବିରାମ ବୃଷ୍ଟି । ମଧ୍ୟେ ମଧ୍ୟେ ପ୍ରହରୀମାନଙ୍କର ଚିତ୍କାର । ହଠାତ୍ କାରାର ତମସାଚ୍ଛନ୍ନ ପ୍ରକୋଷ୍ଠ ଉଜ୍ଜ୍ୱଳ ହୋଇଉଠିଲା । ଦେବକୀ ମୂର୍ଚ୍ଛିତା । ସେ ଚେତନା ଫେରି ପାଇ ଦେଖିଲେ—ଏ କି ଅପରୁପ ରୂପ !

 

ଯୁଗପତ୍ ହର୍ଷ ଓ ବିଷାଦରେ କଂସର ଭଗିନୀ ଦେବକୀ ଓ ଭଗିନୀପତି ବସୁଦେବ ମ୍ରିୟମାଣ ହୋଇଗଲେ । ଦେବକୀ ଏକ ଅପୂର୍ବ ଅଦୃଷ୍ଟପୂର୍ବ ଅବର୍ଣ୍ଣନୀୟ ସୁନ୍ଦର ସୁଠାମ ସନ୍ତାନର ଜନନୀ । ମାତ୍ର ଏ ଯେ ବନ୍ଦିଶାଳା ଏବଂ ରାତ୍ରି ପ୍ରଭାତ ହେବାର ଅନତିବିଳମ୍ବରେ ଯେ କଂସହସ୍ତରେ ଏ ଅପରୂପ ଶିଶୁର ମୃତ୍ୟୁ ଅବଶ୍ୟମ୍ଭାବୀ !

 

ତା’ପରେ କିଭଳିଭାବରେ କାରାଗାରର ରକ୍ଷୀ, କଂସର ଜନକ ଉଗ୍ରସେନ ସହିତ ପରାମର୍ଶ କରି ବିଶ୍ଵର ଅଗୋଚରରେ ସେଇ ଘନତମସାବୃତା ନିଦ୍ରିତା ଧରଣୀର ଅନ୍ଧକାର–ବକ୍ଷରେ ଏକାକୀ ବସୁଦେବ ସଦ୍ୟୋଜାତ ସନ୍ତାନ ଶ୍ରୀକୃଷ୍ଣଙ୍କୁ କୋଳରେ ଧରି ବନ୍ୟା–ଉଦବେଳିତ ଯମୁନା ଉଲ୍ଲଙ୍ଘନପୂର୍ବକ ମଥୁରାର ଗୋପପୁରଯାଏ ଦୁରନ୍ତ ପଥ ଅତିକ୍ରମ କରି ଗୋପରାଜ ନନ୍ଦଙ୍କର ପତ୍ନୀ ନବପ୍ରସୂତ–ଶିଶୁ କନ୍ୟାର ଜନନୀ ଯଶୋଦା କୋଳରେ ଥୋଇ ସନ୍ତାନ–ବିନିମୟସୂତ୍ରରେ ସ୍ଵସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ, ସେ ଇତିକଥା ଭାରତର ଆବାଳବୃଦ୍ଧବନିତା ସମସ୍ତଙ୍କର ସୁବିଦିତ ।

 

କିନ୍ତୁ ନନ୍ଦଯଶୋଦାଙ୍କର ବାତ୍ସଲ୍ୟମମତା, ଗୋପଗୋପୀମାନଙ୍କର ଅପ୍ରାକୃତ ପ୍ରେମ ଓ ପ୍ରୀତି, ବଂଶୀବଟ, ଗିରି ଗୋବର୍ଦ୍ଧନ, ଯମୁନାପୁଳିନ, ବୃନ୍ଦାବନର ନିଭୃତ, ନିକୁଞ୍ଜର ମାୟା କର୍ମବୀର ଶ୍ରୀକୃଷ୍ଣଙ୍କୁ ଅଧିକ ଦିନ ବ୍ରଜଧାମରେ ବାନ୍ଧି ରଖି ପାରି ନ ଥିଲା ।

 

କଂସର ଅତ୍ୟାଚାରରେ ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁର ଭାରତର ତ୍ରିକୋଣ ଏବଂ ତ୍ରିଖଣ୍ଡ ଭୂମି ବିବ୍ରତ ହୋଇ ପଡ଼ିଥିଲା । ଶିଶୁ ଶ୍ରୀକୃଷ୍ଣଙ୍କୁ ମଧ୍ୟ ସେଦିନ ସେହି ଅତ୍ୟାଚାରର ଆଘାତ ସହ୍ୟ କରିବାକୁ ହେଲା । ପୁତନାଠାରୁ ଆରମ୍ଭ କରି ବକା, ଶକଟାଦି ଦୁର୍ଦ୍ଦାନ୍ତ ଅସୁର ବୀରମାନଙ୍କଦ୍ଵାରା ବାଳକ ଶ୍ରୀକୃଷ୍ଣ ବାରମ୍ବାର ଆକ୍ରାନ୍ତ ହୋଇ ସ୍ଵୀୟ ଶକ୍ତିବଳରେ ଆତ୍ମରକ୍ଷା କରିପାରିଥିଲେ । ପରିଶେଷରେ ବିପ୍ଳବୀ ଶ୍ରୀକୃଷ୍ଣ ଅତି ଅର୍ବାଚୀନ ଅବସ୍ଥାରେ କଂସର ଧ୍ଵଂସ ସାଧନ କରିବାକୁ ମଥୁରା ଗମନ କଲେ । ଅତ୍ୟାଚାରରେ ନିଷ୍ପେଷିତ ଉତ୍ତ୍ୟକ୍ତ ଜନତା ଶ୍ରୀକୃଷ୍ଣ–ଜନାର୍ଦ୍ଦନଙ୍କ ବଳିଷ୍ଠ ନେତୃତ୍ଵରେ ଅନାୟାସକ୍ରମେ କଂସ ତଥା ଚାଣୁର, ମୁଷ୍ଟିକାଦି ଅନ୍ୟାନ୍ୟ ଅସୁର ବଂଶର ଧ୍ଵଂସ ସାଧନ କରି କଂସପିତା ଧର୍ମାଧୀଶ ଉଗ୍ରସେନଙ୍କୁ ରାଜ୍ୟଭାର ଅର୍ପଣ କଲେ ।

 

ଗୋପଲୀଳା ସମାପ୍ତ ହେଲା । ଯେଉଁ ତପସ୍ୱୀ ଋଷିବର୍ଗ ଜ୍ଞାନମାର୍ଗର ନୀରସତା ଉପଲବ୍ଧି କରି ଭଗବାନଙ୍କୁ ସମ୍ବନ୍ଧସୂତ୍ରରେ ବାନ୍ଧି ଭକ୍ତିରସ ଆସ୍ୱାଦନ କରିବା ନିମନ୍ତେ ବର ଭିକ୍ଷା କରିଥିଲେ, ଶ୍ରୀକୃଷ୍ଣ ସେମାନଙ୍କର ମନୋବାଞ୍ଛା ପୂର୍ଣ୍ଣ କରିବା ପାଇଁ ସେଦିନ ଗାଇଥିଲେ ମଧୁର ଶ୍ରୀବୃନ୍ଦାବନରେ–

 

ମୋତେ ବରିଲେ ତପ କରି

ମୁଁ ତାଙ୍କ ପୂରାଇବି ଆଶ

ସେ ମୋର ଭକତ ବିଶ୍ଵାସ ।

 

ପଲ୍ଲୀଗ୍ରାମର ଆଦର୍ଶ, ଏକଦା ଧେନୁରକ୍ଷୀ ଲଙ୍ଗଳଧାରୀ ହଳୀ ବାଳକ କୃଷ୍ଣ ବଳରାମ ରାଷ୍ଟ୍ରର ଆହ୍ଵାନରେ ଭାରତର ରାଜନୀତିକ୍ଷେତ୍ରରେ ଅବତୀର୍ଣ୍ଣ ହେଲେ । କ୍ଷାତ୍ରଧର୍ମର ଶିକ୍ଷା ନିମନ୍ତେ ଯାଦବ ଶ୍ରୀକୃଷ୍ଣ ସାନ୍ଦୀପନି ମୁନିଙ୍କର ଗୁରୁକୁଳ ଆଶ୍ରମରେ ଆଶ୍ରୟପ୍ରାର୍ଥୀ ହେଲେ । ସେହିଠାରେ ହିଁ କୃଷ୍ଣ ବଳରାମ ଅତି ଅଳ୍ପକାଳ ମଧ୍ୟରେ ଧନୁର୍ବିଦ୍ୟାଠାରୁ ଆରମ୍ଭ କରି ବେଦବେଦାନ୍ତାଦି ସମସ୍ତ ଶାସ୍ତ୍ରରେ କୁଶଳୀ ହୋଇ ସମାବର୍ତ୍ତନ ସମାପନ କଲେ ।

 

ଭାରତର ଚତୁର୍ଦ୍ଦିଗ ସେତେଳେ କୃଷ୍ଣକୀର୍ତ୍ତନରେ ଗୁଞ୍ଜରିତ । ଉତ୍ପୀଡ଼ିତ ଜନତା ଏଭଳି ଏକ ବିରାଟ ନେତୃତ୍ଵକୁ ସତେ ଯେପରି ଉଦଗ୍ର ପଦାଙ୍ଗୁଷ୍ଠରେ ଉଦଗ୍ରୀବ ହେଇ ଚାହିଁ ରହିଛି । ଶ୍ରୀକୃଷ୍ଣ ସେ ଆହ୍ଵାନକୁ ଅସ୍ୱୀକାର ବା ଉପେକ୍ଷା କରିପାରିଲେ ନାହିଁ । ନନ୍ଦଯଶୋଦାଙ୍କ ଅନ୍ଧର ଲଉଡ଼ି ବାଳକ ଶ୍ରୀକୃଷ୍ଣଗୋପାଳ, ଦେବକୀବସୁଦେବଙ୍କର ତ୍ରାଣକର୍ତ୍ତା ଅରିନ୍ଦମ କୁଳପ୍ରଦୀପ ଶ୍ରୀକୃଷ୍ଣଯାଦବ ଆଜି ସମଗ୍ର ଭାରତର ସମ୍ପଦ । ସମଗ୍ର ଭାରତକୁ ନିରଙ୍କୁଶ ଛତ୍ରପତି ଜରାସନ୍ଧ, ଶିଶୁପାଳ ଆଦି ଯଥେଚ୍ଛାଚାରୀଙ୍କ ଆତଙ୍କରୁ ରକ୍ଷା କରି ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରିବା ନିମନ୍ତେ ଶ୍ରୀକୃଷ୍ଣ ଆଜି ଏ ଦେଶର ପଥପ୍ରଦର୍ଶକ, ଲୋକପ୍ରିୟ ନେତା ।

 

ଅତ୍ୟାଚାରୀ ରାଜାମାନଙ୍କ ଆକ୍ରମଣରୁ ନିଜକୁ ସୁରକ୍ଷିତ କରିବା ନିମନ୍ତେ ଶ୍ରୀକୃଷ୍ଣ ସମ୍ଭବତଃ ମଥୁରାକଟକରୁ ଯାଦବମାନଙ୍କୁ ସଙ୍ଗରେ ଘେନି ଆଧୁନିକ କାଠିଆବାଡ଼ର ସମୁଦ୍ରତଟନିକଟସ୍ଥ ଦ୍ୱାରକା ନାମକ ଗୋଟିଏ ଦ୍ଵୀପରେ ରାଜଧାନୀ ସ୍ଥାପନ କଲେ । ଉଗ୍ରସେନଙ୍କ ସାହାଯ୍ୟରେ ଭାରତର ପଶ୍ଚିମ ଅଂଶରେ ପ୍ରଜାସଭା ସ୍ଥାପିତ ହେଲା । ଏହିଠାରେ ହିଁ ହେଲା ବିପ୍ଳବର ସୂତ୍ରପାତ । ସମଗ୍ର ଭାରତ ଦ୍ଵାରକାର ଆଦର୍ଶରେ ଉତ୍ସାହିତ ହୋଇଉଠିଲା । ଜରାସନ୍ଧ, ଶିଶୁପାଳଙ୍କର ଅକାଳ ବିନାସ ହେଲା । ତେଣେ କୌରବରାଜ ଦୁର୍ଯ୍ୟୋଧନଙ୍କ ଅନ୍ୟାୟ ଆଚରଣରେ ପଣ୍ଡୁରାଜାଙ୍କର ପଞ୍ଚପୁତ୍ର ବିଦ୍ରୋହର ଇନ୍ଧନ ପ୍ରସ୍ତୁତ କରି ରଖିଥିଲେ । ଏ ସୁଅବସରର ସୁଯୋଗ ନେଇ ଶ୍ରୀକୃଷ୍ଣ ପାଣ୍ଡବପକ୍ଷ ସମର୍ଥନପୂର୍ବକ ସେହି ଇନ୍ଧନରେ ଅଗ୍ନି ସଂଯୋଗ କଲେ ମାତ୍ର । ତତ୍ପରେ ବଳାତ୍ସମନ୍ତପଞ୍ଚକ କୁରୁକ୍ଷେତ୍ରରେ ଯେଉଁ ପ୍ରଳୟକାଣ୍ଡ ଘଟିଲା, ଯେଉଁ ଉତ୍ତପ୍ତ ରକ୍ତନଦୀ ପ୍ରବାହିତ ହେଲା, ତାହାର କେନ୍ଦ୍ରବିନ୍ଦୁରୂପେ ପାର୍ଥସାରଥି ଶ୍ରୀକୃଷ୍ଣ ପରିଦୃଷ୍ଟ ହେଲେହେଁ ସେହି ମର୍ମନ୍ତୁଦ ବିଭୀଷିକାର ଦାୟିତ୍ଵ ନ୍ୟାୟତଃ ତାଙ୍କ ଶିରରେ ଆରୋପ କରି ହେବ ନାହିଁ । ଏହି ସଙ୍ଘର୍ଷକୁ ଏଡ଼ିବା ନିମନ୍ତେ ଶ୍ରୀକୃଷ୍ଣ ପ୍ରଥମେ ପାଣ୍ଡବମାନଙ୍କର ଦୌତ୍ୟ ସ୍ଵୀକାର କରି ଦୁର୍ଯ୍ୟୋଧନଙ୍କୁ ପାଣ୍ଡବମାନଙ୍କ ପ୍ରତି ଯଥୋଚିତ ବ୍ୟବହାର କରିବା ନିମନ୍ତେ ଯତ୍ପରୋନାସ୍ତି ପ୍ରବର୍ତ୍ତାଇଥିଲେ । କିନ୍ତୁ କୁରୁରାଜପୁତ୍ର ଦୁର୍ଯୋଧନ ବିନାଯୁଦ୍ଧରେ ସୁଚ୍ୟଗ୍ରପରିମିତ ଭୂମି ଦେବାକୁ ଅସ୍ଵୀକାର କରିବାରୁ ଭାରତର ସେହି ପ୍ରଳୟପ୍ଳାବନ ଅଷ୍ଟାଦଶଦିବସବ୍ୟାପୀ ଅଦ୍ଭୁତପୂର୍ବ ରାଷ୍ଟ୍ରବିପ୍ଳବ ସଙ୍ଘଟିତ ହେଲା । ଏକ ପକ୍ଷରେ ଭାରତର ସମସ୍ତ ସାମନ୍ତରାଜାପରିବେଷ୍ଟିତ ଧନଗୌରବମଦାନ୍ଵିତ ଶତଭ୍ରାତା ସମାରୋହରେ ରାଜାଧିରାଜ ଅଭିମାନୀ ମାନଗୋବିନ୍ଦ ଦୁର୍ଯ୍ୟୋଧନ, ଅନ୍ୟ ପକ୍ଷରେ ବିରାଟ ଜନତାର ଅଧିନାୟକ ଶ୍ରୀକୃଷ୍ଣ ଓ ପଞ୍ଚାୟତ ପ୍ରଜାତନ୍ତ୍ର ଶାସନର ପ୍ରବର୍ତ୍ତକ ପଞ୍ଚପାଣ୍ଡବ । ପରିଶେଷରେ ପ୍ରଜାଶକ୍ତିର ହିଁ ବିଜୟ ହେଲା ।

 

କିନ୍ତୁ ଅତି ଦୁର୍ଭାଗ୍ୟର କଥା, ଶ୍ରୀକୃଷ୍ଣଙ୍କ ଭଳି ନେତା ପାଇ ମଧ୍ୟ ଭାରତ ପ୍ରଜାତନ୍ତ୍ରର ଉଚ୍ଛୃଙ୍ଖଳତା ତଥା ଅନ୍ୟାନ୍ୟ ଅବଶ୍ୟମ୍ଭାବୀ ଅବଗୁଣରୁ ନିଜକୁ ମୁକ୍ତ ରଖି ପାରି ନ ଥିଲା । ଏ ବିଶୃଙ୍ଖଳାର ଅୟମାରମ୍ଭ ହେଲା ପ୍ରଜାତନ୍ତ୍ରର ପ୍ରଥମ ପୀଠ, ଶ୍ରୀକୃଷ୍ଣଙ୍କର ସ୍ଵରାଜ୍ୟ ଦ୍ୱାରକାଦ୍ଵୀପରେ-। ବିଜୟ ତଥା ସମୃଦ୍ଧିରେ ଉନ୍ମତ୍ତ ମଦାନ୍ଧ ଯଦୁକୁଳ ରାଷ୍ଟ୍ରର ମୂଳଭିତ୍ତି ଧର୍ମକୁ ଭ୍ରୂକୁଟି କଟାକ୍ଷରେ ଉପହାସ କଲେ । ଧର୍ମର ଯାଜକ ବ୍ରାହ୍ମଣମାନଙ୍କୁ ଅବଜ୍ଞା ପ୍ରଦର୍ଶନ କଲେ । ଶ୍ରୀକୃଷ୍ଣ ନିଜେ ଏହି ଆତିଶଯ୍ୟ ସହ୍ୟ କରି ନ ପାରି ଦ୍ୱାରକାକୁ ଆପଣାର ଅଭିଶାପରେ ଆପେ ଧ୍ଵଂସ କରିବାପାଇଁ ସେ ସ୍ଥାନ ପରିତ୍ୟାଗ କଲେ । ଅଙ୍କୁଶହୀନ, ଧର୍ମ–ଅବିଶ୍ଵାସୀ, ନାସ୍ତିକ ଯଦୁକୁଳ ପରସ୍ପର ଘୋର ଯୁଦ୍ଧରେ ଲିପ୍ତ ରହି ଏରକାରଣ୍ୟରେ ବିଧ୍ୱସ୍ତ ହେଲେ ।

 

ତେଣେ ଯୁଧିଷ୍ଠିର ଧର୍ମରାଜ୍ୟ ପ୍ରତିଷ୍ଠା କରିବାର ଉଦ୍ୟମରେ ମଧ୍ୟ ସଫଳକାମ ଓ ସନ୍ତୁଷ୍ଟ ହୋଇ ପାରି ନ ଥିଲେ । ଶ୍ରୀକୃଷ୍ଣଙ୍କର ଦେହତ୍ୟାଗ ସମ୍ବାଦ ପାଇ ସେ ନିଜକୁ ଶକ୍ତିଶୂନ୍ୟ ଓ ଚାଳକବିହୀନ ମନେ କରି ସ୍ୱର୍ଗାରୋହଣ କଲେ ।

 

ଇତିପୂର୍ବରୁ ଏକପ୍ରକାର ଉତ୍କଟ ଜାତୀୟତା ଭାରତକୁ ଗ୍ରାସ କରିବାକୁ ବସିଥିଲା । ଯୁଧିଷ୍ଠିର ନିଜେ ତା’ର ପୁରୋଧାରୂପେ ଅଶ୍ଵମେଧ ଯଜ୍ଞ ଆରମ୍ଭ କଲେ । ଶାସକମାନଙ୍କର କ୍ଷମତା ଓ ପ୍ରତିପତ୍ତି ବୃଦ୍ଧି ପାଇଲା । ମାତ୍ର ପ୍ରଜାବର୍ଗଙ୍କର ସୁଖସ୍ଵାଚ୍ଛନ୍ଦ୍ୟ ସ୍ଵପ୍ନବତ୍ ପ୍ରତୀୟମାନ ହେଲା । ତେଣୁ ସନ୍ଦିହାନ୍ ଯୁଧିଷ୍ଠିର ଧର୍ମକୁ ପ୍ରଶ୍ନକଲେ, ସୁଖ କାହିଁ–ସୁଖୀ କିଏ ଧର୍ମ ?

 

ଧର୍ମ ଉତ୍ତର ଦେଲେ, “ଦିବସର ମଧ୍ୟମ ଭାଗରେ ଯେ ଅନ୍ନ ଆହାର କରିପାରେ, ଯେ ଅଋଣୀ, ଅପ୍ରବାସୀ—ସେହି ସୁଖୀ ।”

 

ସମ୍ଭବତଃ ଭାରତରେ ଧର୍ମ-ଆଖ୍ୟାତ ସୁଖୀ ବ୍ୟକ୍ତି ସେତେବେଳେ ମୁଷ୍ଟିମେୟ ।

 

ତଥାପି ଶ୍ରୀକୃଷ୍ଣଙ୍କର ଅବତାର ବା ଜନ୍ମଗ୍ରହଣ ଅଯଥାର୍ଥ ନୁହେଁ । ଭାରତୀୟ ରାଜନୀତିକୁ ଶ୍ରୀକୃଷ୍ଣଙ୍କର ମହନୀୟ ଦାନର ମହତ୍ତ୍ଵ ହୁଏ ତ ଶାସକମାନଙ୍କର ଅବିମୃଷ୍ୟକାରିତା ହେତୁ କ୍ଷୁଣ୍ଣ ହେବାର ମନେ ହେଲା । ମାତ୍ର ଶ୍ରୀକୃଷ୍ଣଙ୍କର ରାଜନୀତି ପ୍ରବେଶ କେବଳ ତାଙ୍କର ପ୍ରତିଶ୍ରୁତି ବାକ୍ୟ “ବିନାଶାୟ ଚ ଦୁଷ୍କୃତାଂ” ନିମନ୍ତେ ହୋଇଥିବାରୁ ଶତ୍ରୁ ମିତ୍ରନିର୍ବିଶେଷ ଏବଂ ନିର୍ବିଚାରରେ ସେ ତାହା ଅକ୍ଷରେ ଅକ୍ଷରେ ପୂର୍ଣ୍ଣ କରିଥିବାରୁ ତାଙ୍କର ମହତ୍ତ୍ୱ ଅଦ୍ୟାପି ଦୀପ୍ତ ହୋଇ ରହିଛି ।

 

କିନ୍ତୁ ଶ୍ରୀକୃଷ୍ଣଙ୍କର ଜନ୍ମ ଯେପରି ଭାରତର ରାଷ୍ଟ୍ରନିୟାମକ ହେବା ନିମନ୍ତେ ହୋଇ ନ ଥିଲା । ଭାରତର ମହତ୍ତ୍ୱ ପାର୍ଥିବ ସୁଖସ୍ୱାଚ୍ଛନ୍ଦ୍ୟର ପ୍ରାଚୁର୍ଯ୍ୟ ନିମନ୍ତେ ନୁହେଁ । ଭାରତର ବିଶେଷତ୍ଵ ତା’ର ଆଧ୍ୟାତ୍ମିକତାରେ–ତା’ର ଅତିନ୍ଦ୍ରିୟ ଅନୁଭୂତିମୂଳକ ଅଭିଜ୍ଞତାରେ । ତେଣୁ ସେ ଦୁଷ୍କୃତବିନାଶ ସଙ୍ଗେ ସଙ୍ଗେ ସାଧୁମାନଙ୍କର ପରିତ୍ରାଣ ପାଇଁ ଯାହା ଦେଇଯାଇଛନ୍ତି, ତାହା ବାସ୍ତବିକ ପୃଥିବୀରେ ଅତୁଳନୀୟ ଅକ୍ଷୟ କୀର୍ତ୍ତି । କଳାକାର ବେଣୁବାଦନପର ଭକ୍ତବତ୍ସଳ ଶ୍ରୀକୃଷ୍ଣ ରାଷ୍ଟ୍ରର ଆହ୍ୱାନରେ ମଧୁର ବୃନ୍ଦାବନ ଛାଡ଼ି ଚକ୍ରଧାରୀ ହୋଇଥିଲେ ସତ୍ୟ, କିନ୍ତୁ ସେହି ରାଜନୀତି–ସମୁଦ୍ର–ମନ୍ଥନ ମଧ୍ୟରେ ସେ ଯେଉଁ ପରମ ଅଧ୍ୟାତ୍ମ ଆଲୋଚନା କରିଯାଇଛନ୍ତି, ସେହି ଅମୃତର ସମ୍ଭାର ଭଗବଦ୍‍ଗୀତାର ଦୋଗ୍‍ଧାରୂପେ ଭଗବାନ୍ ଗୋପାଳନନ୍ଦନ ପାର୍ଥସାରଥି ଶ୍ରୀକୃଷ୍ଣଙ୍କର ଅବତାର ସାର୍ଥକ ହୋଇଛି । ଗୀତା ଅବିନାଶୀ, ଅମର, ଚିର ସତ୍ୟ । ନାନା ରାଜନୈତିକ ବିପ୍ଳବ ଓ ଝଞ୍ଜାମଧ୍ୟରେ ସେହି ଅବିନଶ୍ଵରକୀର୍ତ୍ତି ଚିର ଜାଜ୍ୱଲ୍ୟମାନ ରହିବ । ତାହାର ଜ୍ଞାନଯୋଗରୂପୀ ସରସ୍ଵତୀ, ଭକ୍ତିଯୋଗରୂପୀ ମନ୍ଦାକିନୀ ଓ କର୍ମଯୋଗରୂପୀ କାଳିନ୍ଦୀର ତ୍ରିବେଣୀସଙ୍ଗମରେ ଅଦ୍ବୈତବାଦୀ ଶଙ୍କର, ବିଶିଷ୍ଟା–ଦ୍ଵୈତବାଦୀ ରାମାନୁଜ, ଦ୍ଵୈତବାଦୀ ମଧ୍ୱ, ଭକ୍ତମାର୍ଗୀ ବଲ୍ଲଭଙ୍କଠାରୁ ଆରମ୍ଭ କରି କର୍ମଯୋଗୀ ତିଳକ, ଅହିଂସାବାଦୀ ଗାନ୍ଧୀ, ଯୋଗିରାଜ ଅରବିନ୍ଦଙ୍କ ପର୍ଯ୍ୟନ୍ତ ସକଳ ମନୀଷୀ ପୁଣ୍ୟସ୍ନାନ କରି ପ୍ରସାଦମଣ୍ଡିତ ହୋଇଛନ୍ତି ।

★★★

 

ଜ୍ଞାନବୃଦ୍ଧ ଯାଜ୍ଞବଳ୍‍କ

 

“ସୌମ୍ୟ ସାମଶ୍ରବା, ଏ ଗୋକୁଳକୁ ତାଡ଼ନ କରି ଘେନିଯାଅ ।”

 

ଏହି ଗୁରୁଗମ୍ଭୀର ଆଦେଶ ଶୁଣି ସଭା ତଟସ୍ଥ ହୋଇଗଲା । ବିଦେହରାଜ ଜନକଙ୍କର ବହୁ-ଦକ୍ଷିଣ ଯଜ୍ଞ । ଯଜ୍ଞକ୍ଷେତ୍ରରେ କୁରୁପାଞ୍ଚାଳର ମହା ମହା ତତ୍ଵବେତ୍ତାମାନଙ୍କ ସମାବେଶ । ସମ୍ମୁଖରେ ସହସ୍ରସଂଖ୍ୟକ ଗୋଗୋଷ୍ଠ ପ୍‍ଙକ୍ତିବଦ୍ଧି–ଭାବରେ ଉଦଗ୍ର । ପ୍ରତ୍ୟେକର ଶୃଙ୍ଗଦେଶରେ ଦଶ ଦଶ ପାଦ ସୁବର୍ଣ୍ଣ ମୁଦ୍ରା ଗ୍ରଥିତ ରହିଛି । ସର୍ବଶ୍ରେଷ୍ଠ ବ୍ରହ୍ମବିତ୍ ବୋଲି ଯେଉଁ ବିଦ୍ୟାର୍ଥୀଙ୍କର ଆତ୍ମପ୍ରତ୍ୟୟ ଥିବ, ସେହି କେବଳ ଏହି ଗୋକୁଳର ଅଧିକାରୀରୁପେ ଗୋଗୋଷ୍ଠ ତାଡ଼ନ କରି ଘେନି ଯାଇପାରନ୍ତି । ଏତାଦୃଶ ଘୋଷଣା ଶୁଣି ସଭାସଦ୍ବର୍ଗ ପ୍ରତ୍ୟେକେ ପ୍ରତ୍ୟେକର ମୁଖାରବିନ୍ଦକୁ ସନ୍ଦେହ ଦୃଷ୍ଟିରେ ଚାହିଁ ରହିଛନ୍ତି । କିଏ ସେହି ମତିମାନ୍ ପ୍ରଜ୍ଞବାନ୍ ପୁରୁଷ, ଯେ କି ସମଗ୍ର ଆର୍ଯ୍ୟାବର୍ତ୍ତର ଜ୍ଞାନସମକ୍ଷରେ ଏ ଦୁଃସାହାସିକ କାର୍ଯ୍ୟ–ସାଧନର ଗର୍ବ ଧାରଣ କରିପାରେ ?

 

ଜନକଙ୍କର ଋତ୍ଵିକ୍ ସନ୍ଦିଗ୍ଧ ଅଶ୍ୱକ ପ୍ରଶ୍ନ କଲେ, “ଯାଜ୍ଞବଳ୍‍କ, ଏହା କ’ଣ ସତ୍ୟ ଯେ ତୁମ୍ଭେ ଆପଣାକୁ ଏ ସଭାରେ ସର୍ବଶ୍ରେଷ୍ଠ ବ୍ରହ୍ମଜ୍ଞାନୀ ବୋଲି ବିବେଚନା କରୁଛ ?”

 

“ପରୀକ୍ଷା ପ୍ରାର୍ଥନୀୟ ।” ଯାଜ୍ଞବଳ୍‍କ ଉତ୍ତର ଦେଲେ ।

 

ଚତୁର୍ଦ୍ଦିଗରୁ ପ୍ରଶ୍ନାବଳୀର ବୃଷ୍ଟି ହେଲା । ଉଦ୍ଦାଳକ–ଆରୁଣିଙ୍କର ଶିଷ୍ୟ ଯାଜ୍ଞବଳ୍‍କ ନିର୍ଭୀକଭାବରେ ସମସ୍ତ ପ୍ରଶ୍ନର ଯଥୋଚିତ ଉତ୍ତର ଦେଲେ । ସର୍ବଶେଷରେ ସୁପଣ୍ଡିତା ଗାର୍ଗୀ ବାଚକ୍ନବୀ ବ୍ୟକ୍ତ କଲେ, “ହେ ବ୍ରାହ୍ମଣମଣ୍ଡଳି ! ମୁଁ ଯାଜ୍ଞବଳ୍‍କଙ୍କୁ ମାତ୍ର ଦୁଇଟି ପ୍ରଶ୍ନ ପଚାରିବି । ସେ ଯଦି ସନ୍ତୋଷଜନକ ଉତ୍ତର ଦେଇପାରନ୍ତି ତେବେ ସେ ବ୍ରହ୍ମବିଦ୍ୟାରେ ଅଜେୟ ବୋଲି ଅବଶ୍ୟ ମାନ୍ୟ ହେବେ ।”

ସଭାର ଅନୁମତିକ୍ରମେ ଗାର୍ଗୀ ପୁଚ୍ଛାକଲେ, “ଯାଜ୍ଞବଳ୍‍କ, କାଶୀ କିମ୍ବା ବିଦେହର ରାଜନ୍ୟବର୍ଗ ଯେପରି ସ୍ଵ ସ୍ୱ ଧନୁର୍ଗଣରେ ଶତ୍ରୁଘାତୀ କରାଳ ବାଣ ଧାରଣ କରି ଅଗ୍ରସର, ମୁଁ ସେହିପରି ଦୁଇଟି ଅକାଟ୍ୟ ପ୍ରଶ୍ନ ଘେନି ପୁରଃସରଣ କରୁଛି—ଉତ୍ତର ଦେବା ହେଉ ।”

ଯାଜ୍ଞବଳ୍‍କ ଉତ୍କର୍ଣ୍ଣ ହୋଇ ଅପେକ୍ଷା କରୁଛନ୍ତି ।

ଗାର୍ଗୀ ପ୍ରଶ୍ନ କଲେ, “ସ୍ଵର୍ଗର ଊର୍ଦ୍ଧ୍ଵ ଭାଗରେ ତଥା ମର୍ତ୍ତ୍ୟର ନିମ୍ନଦେଶରେ ଯାହା ବିଦ୍ୟମାନ ଏବଂ ଯାହା ସ୍ଵର୍ଗ–ମର୍ତ୍ତ୍ୟ ଉଭୟର ମଧ୍ୟ ଭାଗରେ ତଥା ଗର୍ଭ ମଧ୍ୟରେ ପରିବ୍ୟାପ୍ତ, ଯାହା ଭୁତ, ଭବିଷ୍ୟ ଓ ବର୍ତ୍ତମାନ ରୂପେ ଆଖ୍ୟାତ ସେ ସମସ୍ତ କାହାହାରା ନିର୍ମିତ ଏବଂ କାହା ଉପରେ ଆଶ୍ରିତ ?”

ବାଜସନେୟ–ପୁତ୍ର ଯାଜ୍ଞବଳ୍‍କ ଉତ୍ତର ଦେଲେ, “ସେ ସମସ୍ତ ଆକାଶତତ୍ତ୍ଵ ଦ୍ୱାରା ନିର୍ମିତ ଏବଂ ସେହି ଆକାଶତତ୍ତ୍ଵ ଉପରେ ହିଁ ଆଶ୍ରିତ, ଗାର୍ଗି !”

“ପୁଣି ସ୍ଵୟଂ ସେହି ଆକାଶତତ୍ତ୍ଵ କାହା ଉପରେ ଆଶ୍ରିତ ?”

“ଆକାଶତତ୍ତ୍ଵ ଯାହା ଉପରେ ଆଶ୍ରିତ ଏବଂ ଯାହାଦ୍ୱାରା ନିର୍ମିତ, ତାହାକୁ ବିପ୍ରଗଣ ଅକ୍ଷର ଆଖ୍ୟା ଦେଇଛନ୍ତି । ସେ ସୂକ୍ଷ୍ମ ନୁହେଁ କିମ୍ବା ସ୍ଥଳ ନୁହେଁ—ଲଘୁ ନୁହେଁ କିମ୍ବା ଦୀର୍ଘ ନୁହେଁ, ଆର୍ଦ୍ର କିମ୍ବା ରକ୍ତିମ ନୁହେଁ–ତା’ର ସ୍ଵାଦ ନାହିଁ କିମ୍ବା ଗନ୍ଧ ନାହିଁ, ନେତ୍ର ନାହିଁ କିମ୍ବା କର୍ଣ୍ଣ ନାହିଁ, ବାଣୀ ନାହିଁ କିମ୍ବା ମନ ନାହିଁ । ତେଜ କିମ୍ବା ପ୍ରାଣ ନାହିଁ–ଭିତର କିମ୍ବା ବାହାର ନାହିଁ–ସେ ନିରବଲମ୍ବ–ସେ ଭକ୍ଷକ କିମ୍ବା ଭକ୍ଷ ନୁହେଁ–ତଥାପି ତାହାରିଦ୍ୱାରା ସୂର୍ଯ୍ୟ, ଚନ୍ଦ୍ର, ପୃଥ୍ୱୀ, ଘଡ଼ି, ପଳ, ଦିନ, ରାତି, ପକ୍ଷ, ମାସ, ଋତୁ, ସମ୍ବତ୍ସରାଦି ନିୟନ୍ତ୍ରିତ ହେଉଛି । ତାହାରି ନିର୍ଦ୍ଦେଶରେ ପୂର୍ବର ନଦନଦୀ, ହିମାଚ୍ଛାଦିତ ପର୍ବତଶୃଙ୍ଗରୁ ଅବତରଣ କରି ପଶ୍ଚିମ ଦିଗରେ ଏବଂ ପଶ୍ଚିମର ସ୍ରୋତସ୍ଵତୀ ପୂର୍ବାଭିମୁଖରେ ପ୍ରବାହିତ ହେଉଛି । ସେ ଦୃଷ୍ଟ ନୁହେଁ ତଥାପି ଦ୍ରଷ୍ଟା । ଶ୍ରାବ୍ୟ ନୁହେଁ ମାତ୍ର ଶ୍ରୋତା । ଜ୍ଞେୟ ନୁହେଁ ଅଥଚ ସମସ୍ତ ପଦାର୍ଥର ଜ୍ଞାତା । ତଦତିରିକ୍ତ ଏ ସୃଷ୍ଟିରେ ଅନ୍ୟ କେହି ଦ୍ରଷ୍ଟା ନାହିଁ–ଶ୍ରୋତା ନାହିଁ କିମ୍ବା ଜ୍ଞାତା ନାହିଁ । ସେହି ଅକ୍ଷର ବ୍ରହ୍ମ ଉପରେହିଁ ଏ ସମଗ୍ର ବିଶ୍ଵ ଆଶ୍ରିତ ଏବଂ ସେହି ଉପାଦାନରୁହିଁ ସମସ୍ତ ଦୃଶ୍ୟାଦୃଶ୍ୟ ନିର୍ଣ୍ଣୀତ ହୋଇଛି ।”

‘ମହାଶୟଗଣ’ ! ପରାଜିତ ଗାର୍ଗୀ କହିବାକୁ ଲାଗିଲେ, ‘ବ୍ରହ୍ମଜ୍ଞାନରେ ଆପଣମାନଙ୍କ ମଧ୍ୟରୁ କେହି କେବେହେଲେ ଏହି ବିଦ୍ୱାନ୍‍ଙ୍କ ପରାଜିତ କରିପାରିବେ ନାହିଁ । ଅତଏବ ଆସନ୍ତୁ, ଆମ୍ଭେମାନେ ସମସ୍ତେ ମିଳି ଯାଜ୍ଞବଳ୍‍କଙ୍କୁ ଅଭିବାଦନ କରିବା ।”

ଉତ୍ତରକାଳୀନ ବୈଦିକ ବାଙୟରେ ଆମ୍ଭେମାନେ ଉଦ୍ଦାଳକ, ଆରୁଣି, ସତ୍ୟକାମ ଜାବାଳ, ଗାର୍ଗ୍ୟ ବାଲାକି, ମହୀଦାଶ ଐତରେୟ, ପ୍ରବାହଣ ଜୈବଳୀ, ବିଦଗ୍ଧ ଶାକଲ୍ୟ, ଜନକ ବୈଦହ, ଅଶ୍ଵପତି କୈକେୟ, ଶ୍ୱେତକେତୁ ଉଦ୍ଦାଳକ, ଗାର୍ଗୀ ବାଚକନବୀ, ପିପ୍ପଲାଦ, ରୈକ୍ୱ, ପ୍ରତର୍ଦ୍ଦନ, ଶାଣ୍ଡିଲ୍ୟ, ଅଜାତଶତ୍ରୁ ଆଦି ବହୁ ପ୍ରତିଭାଶାଳୀ ବ୍ରହ୍ମବାଦୀଙ୍କର ପରିଚୟ ପାଇଛୁଁ । କିନ୍ତୁ ଯାଜ୍ଞବଳ୍‍କ ନକ୍ଷତ୍ରମାନଙ୍କ ମଧ୍ୟରେ ଚନ୍ଦ୍ରମା ସଦୃଶ । ବୈଦିକ ଆର୍ଯ୍ୟମାନଙ୍କ ଜ୍ଞାନମାର୍ଗୀ ସାଧନାର ଫଳସ୍ୱରୂପ ଉପନିଷଦର ପରାକାଷ୍ଠା ବିଷୟରେ ବିଚାର କଲେ ଯାଜ୍ଞବଳ୍‍କଙ୍କର କୃତିତ୍ୱ ସର୍ବାଧିକ ବିବେଚିତ ହେବ । ଆର୍ଯ୍ୟ ସଂସ୍କୃତି ଉପରେ ଯାଜ୍ଞବଳ୍‍କଙ୍କ ପ୍ରଭାବ ଅପ୍ରେମୟ ।

 

ଯାଜ୍ଞବଳ୍‍କ ଶୁକ୍ଳ ଯଜୁର୍ବେଦ ଏବଂ ଶତପଥ ବ୍ରାହ୍ମଣର ପ୍ରଣେତା ବୋଲି କୁହାଯାଏ । ‘ଯଜ୍ଞବଳ୍‍କ ସ୍ମୃତି’ ନାମକ ଗୋଟିଏ ପ୍ରଧାନ ଧର୍ମଶାସ୍ତ୍ର ଏହାଙ୍କ ନାମରେ ପ୍ରଚଳିତ ।

 

ଯାଜ୍ଞବଳ୍‍କଙ୍କର ଦୁଇ ସ୍ତ୍ରୀ–ମୈତ୍ରେୟୀ ଓ କାତ୍ୟାୟନୀ । ଜୀବନର ସାୟାହ୍ନରେ ଯାଜ୍ଞବଳ୍‍କ ସନ୍ନ୍ୟାସଗ୍ରହଣପୂର୍ବକ ଗୃହତ୍ୟାଗ କରିବା ସମୟରେ ମୈତ୍ରେୟୀଙ୍କୁ ଡାକି କହିଲେ, “ମୈତ୍ରେୟୀ ! ମୋତେ ବିଦାୟ ଦିଅ । ବର୍ତ୍ତମାନ ମୁଁ ତୁମ ଦୁହିଙ୍କ ମଧ୍ୟରେ ମୋର ଯାବତୀୟ ସମ୍ପତ୍ତି ବଣ୍ଟନ କରିଦେବାକୁ ଚାହେଁ ।”

 

ମୈତ୍ରେୟୀ ପ୍ରଶ୍ନ କଲେ, “ଭଗବାନ୍ ! ଯଦି ସମ୍ପତ୍ତିରେ ପରିପୂର୍ଣ୍ଣ ଏ ସମୁଦାୟ ପୃଥିବୀ ମୋତେ ପ୍ରାପ୍ତ ହୁଏ, ତେବେ ମୁଁ କ’ଣ ଅମରତ୍ଵ ଲାଭ କରିପାରିବି ?”

 

ଯାଜ୍ଞବଳ୍‍କ ଉତ୍ତର ଦେଲେ, “ଅସମ୍ଭବ !”

 

“ତେବେ ମୋର ସମ୍ପତ୍ତିରେ କି ଆବଶ୍ୟକ ? ଯାହା ଲାଭ କଲେ ମୁଁ ଅମରତ୍ଵ ପାଇପରିବି, ମୋତେ ସେହି ବସ୍ତୁ ଦିଅନ୍ତୁ ପ୍ରଭୋ !”

 

ମୈତ୍ରେୟୀଙ୍କ ପ୍ରାର୍ଥନା ପୂର୍ଣ୍ଣ ହେଲା । ପତ୍ନୀଙ୍କ ଆତ୍ମଜ୍ଞାନ ଦେବା ଲକ୍ଷ୍ୟରେ ଯାଜ୍ଞବଳ୍‍କ ଯାହା ଦାନ କରି ଯାଇଛନ୍ତି ତାହାହିଁ ଉପନିଷଦସ୍ଥ ଦାର୍ଶନିକ ଚିନ୍ତନର ସାର ନିର୍ଯାସ ।

★★★

 

ମନସ୍ଵୀ ପାଣିନି

 

ମନର ଭାବ ଯେତେବେଳେ ଭାଷା ସୃଷ୍ଟି କରେ, ପୁଣି ଭାଷାକୁ ଯେତେବେଳେ ସମାଜ ଭାବ ବିନିମୟର ବାହକ କରି ଜୀବନ୍ୟାସ ଦିଏ, ଭାଷା ଯେତେବେଳେ ଭାବର ଅନନ୍ତ ସମୁଦ୍ରରେ ଦିଗହରା, ସେତେବେଳେ ଭାଷାର ପ୍ରକ୍ଷିପ୍ତ ଗତିକୁ ନିୟନ୍ତ୍ରିତ କରିବାପାଇଁ ସୃଷ୍ଟି ହୁଏ ଭାଷାର ନିୟାମକ–ବ୍ୟାକରଣ । ବ୍ୟାକରଣ ଭାଷାର ଶୃଙ୍ଖଳ ନୁହେଁ, ବରଂ ଭାଷାକୁ ଉଚ୍ଛୃଙ୍ଖଳତାରୁ ରକ୍ଷା କରି ତା’ର ପ୍ରାକୃତିକ ବିକାଶ ଭଙ୍ଗୀରେ ଅଗ୍ରସର ହେବାର ସୁଯୋଗ ଦିଏ ।

 

ଅନନ୍ତ ଆକାଶସମ ସମୂଚ୍ଚ ଭାରତୀୟ ଭାବରାଶିକୁ ବିକଶିତ କରିବା ପାଇଁ ଏକଦା ଯେଉଁ ଭାଷାର ସୃଷ୍ଟି ହୋଇଥିଲା, ତାକୁ ବ୍ୟାକରଣର ପ୍ରଖର ରସାଣରେ ଶାଣିତ କରି ସର୍ବ ପ୍ରଥମେ ଯେଉଁ ମହାପୁରୁଷ ଏକ ସଂସ୍କୃତ ରୂପ ଦେଇଥିଲେ, ବାଣୀର ବୈଖରୀ ମୂର୍ତ୍ତି ସ୍ୱରୂପ ବୈଦିକ ଯୁଗରେ ସେହି ଅନ୍ତିମ ଆଚାର୍ଯ୍ୟହିଁ ପାଣିନି ବା ଶାଳାତୁରୀୟ ନାମରେ ଅଭିହିତ ।

 

ଗାନ୍ଧାର ଦେଶର ଏକ କ୍ଷୁଦ୍ର ଜନପଦ । ଆଧୁନିକ ଉତ୍ତର–ପଶ୍ଚିମ ସୀମାନ୍ତ ପ୍ରଦେଶରେ ଅବସ୍ଥିତ ଶାଳାତୁର ଶୋଲାତୁଲୋରେ ଏହି ଶାଳାତୁରୀୟ ପାଣିନିଙ୍କର ଜନ୍ମ। ସାଧ୍ଵୀ ଦାକ୍ଷୀଙ୍କ ଗର୍ଭରୁ ଏହି ମହାପୁରୁଷ ଭୂମିଷ୍ଠ ହୋଇଥିଲେ । ସେ ଆଜକୁ ପ୍ରାୟ ସାଢ଼େ ଚାରି ହଜାର ବର୍ଷ ତଳର କଥା–କେତେକଙ୍କ ମତରେ ଖ୍ରୀ: ପୂ: ତିନିଶ ପଚାଶ । କେହି କେହି ଖ୍ରୀ: ପୂ: ଛଅ ଶହ, ସାତ ଶହ, ଆଠ ଶହ ବା ନଅ ଶହ ମଧ୍ୟ କହିଥାନ୍ତି ।

 

ଉପାଧ୍ୟାୟ ବର୍ଷଙ୍କ ଆଶ୍ରମରେ ବହୁ ଧୀମାନ୍, ମତିପନ୍ନ ଛାତ୍ର ଅଧ୍ୟୟନ କରୁଛନ୍ତି । ସେମାନଙ୍କ ମଧ୍ୟରେ ସ୍ୱନାମଧନ୍ୟ କାତ୍ୟାୟନ, ବ୍ୟାଡ଼ି ଓ ଇନ୍ଦ୍ର ଦତ୍ତ ନାମକ ବୈୟାକରଣିକମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ପ୍ରବାଦ ଅଛି । ସେହି ବୈୟାକରଣିକମାନଙ୍କ ଗଣନାରେ ପାଣିନି ସେତେବେଳେ ଜଣେ ଅଳ୍ପବୁଦ୍ଧି ବିଦ୍ୟାର୍ଥୀ । ଅଧ୍ୟୟନରେ ବିଶେଷ ସଫଳତା ଲାଭ କରି ନ ପାରିବାରୁ, କଥିତ ଅଛି, କୁଣ୍ଠିତବୁଦ୍ଧି ଘେନି ପାଣିନି ଭଗବାନ୍ ଶିବଙ୍କର ଆରାଧନା କଲେ । ଆଶୁତୋଷ ସଦାଶିବଙ୍କର ବରସ୍ୱରୂପ ଯେ ବ୍ୟାକରଣର ପ୍ରଥମ ପ୍ରାରମ୍ଭିକ ଚତୁର୍ଦ୍ଦିଗ ସୂତ୍ର ପ୍ରାପ୍ତ ହୋଇଥିଲେ । ସେହି ସୂତ୍ରଗୁଡ଼ିକ “ଶିବସୂତ୍ର” ବା ମହେଶ୍ୱର ସୂତ୍ର” ନାମରେ ପ୍ରସିଦ୍ଧ । ଏହାହିଁ ପାଣିନିକୃତ ବ୍ୟାକରଣର ମୂଳାଧାର ।

 

କିନ୍ତୁ ପାଣିନିଙ୍କ ଅମରକୀର୍ତ୍ତିର ସ୍ମାରକ ପ୍ରାୟ ଚାରି ହଜାର ସୂତ୍ରସମ୍ବଳିତ ଏକ ବିରାଟ ସଂସ୍କୃତ ଶାସ୍ତ୍ର । ଏହା ଆଠ ଭାଗରେ ବିଭାଜିତ ଥିବାରୁ ଏହାକୁ “ଅଷ୍ଟାଧ୍ୟାୟୀ” କୁହାଯାଏ । ଏହି ଅଦ୍ଭୁତ ପୃଥିବୀର ଏହା ଏକ ଅତ୍ୟାଶ୍ଚର୍ଯ୍ୟ ସାମଗ୍ରୀ କହିଲେ ଚଳେ । ଏହାର ସୂତ୍ର–ଶୈଳୀ ବ୍ୟାକରଣପ୍ରକାରଣର ପୂର୍ଣ୍ଣ ପରାକାଷ୍ଠା । ଅବଶ୍ୟ ଭାରତରେ ବହୁ ବ୍ୟାକରଣସଂପ୍ରଦାୟର ସେତେବେଳେ ଥିଲେ । ସେମାନଙ୍କ ମଧ୍ୟରୁ ଅନ୍ୟୂନ, ଆନୁମାନିକ ତିନି ଶହ ଉଦ୍ଭଟ ଆଚାର୍ଯ୍ୟଙ୍କର ନାମ ମିଳେ । ବ୍ୟାଡ଼ି, କାତ୍ୟାୟନ (ବରରୁଚି),ପତଞ୍ଜଳି, ବୈଜି, ସୌଭବ, ହାର୍ଯ୍ୟକ୍ଷ, ଭର୍ତ୍ତୁହରି, କୈଜ୍ୟଟ, ହେମଚନ୍ଦ୍ର, ହରଦତ୍ତ, ଭଟ୍ଟୋଜି, ନାଗେଶ ପ୍ରମୁଖ ବହୁ ବୈୟାକରଣିକ ପାଣିନିଙ୍କ ପଦାଙ୍କ ଅନୁସରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ମୁଷ୍ଟିମେୟ ପଣ୍ଡିତ ମୌଳିକ ତଥ୍ୟ ଦାନ କରିଥିବେ । ଅଷ୍ଟାଧ୍ୟାୟୀ ବ୍ୟତିରେକେ ଗଣପାଠ, ଧାତୁପାଠ, ଲିଙ୍ଗାନୁଶାସନ, ଶିକ୍ଷାସୂତ୍ର ଆଦି ଅନ୍ୟ ଅନେକ ଗ୍ରନ୍ଥ ମଧ୍ୟ ପାଣିନିଙ୍କ ରଚନା ବୋଲି କୁହାଯାଏ । ଏ ସମ୍ବନ୍ଧରେ ବିଶେଷଜ୍ଞମାନଙ୍କର ମତଦ୍ଵୈଧ ଥିବା ଦୃଷ୍ଟିରୁ ବିଚାର କଲେ ମଧ୍ୟ କେବଳ ଅଷ୍ଟାଧ୍ୟାୟୀ ପାଣିନିଙ୍କୁ ଅମର କରି ରଖିବ । ଅଷ୍ଟାଧ୍ୟାୟୀ ବ୍ୟାକରଣ ତତ୍କାଳୀନ ଭାରତର ଇତିହାସ, ଭୂଗୋଳ, ସାହିତ୍ୟ, ଧର୍ମ, ଆଚାର, ବ୍ୟବହାର, ଭାଷା ପ୍ରକରଣାଦି ନାନା ମୂଲ୍ୟବାନ୍ ବିଷୟରେ ଆଲୋକ ସଂପାତ କରେ ।

 

କେତେକଙ୍କ ମତରେ ପାଣିନି ମଧ୍ୟ ଭାରତୀୟ ଭାଷା–ବ୍ୟାକରଣବିଧାନର ପ୍ରକୃତ ଭିତ୍ତିସ୍ଥାପକ ନୁହନ୍ତି । ପାଣିନି–କୃତ ଗ୍ରନ୍ଥରେ ଉଲ୍ଲିଖିତ ତାଙ୍କର ପୂର୍ବଗାମୀ ଶକଟାୟନ, ଆପିଶଳି, କାଶକୃତ୍ସ୍ନ, ଗାର୍ଗ୍ୟ, କାଶ୍ୟପ, ଗାଲବ୍ୟ ଆଦି ବିବିଧ ବୈୟାକରଣିକ ତଥା ଅନ୍ୟାନ୍ୟ ଅନେକ ମନୀଷୀ ଯେଉଁ ଭିତ୍ତି ସ୍ଥାପନ କରିଥିଲେ, ପାଣିନି ତାହାରି ଉପରେ ଏକ ପୂର୍ଣାଙ୍ଗ ସୌଧ ରଚନା କରିଗଲେ ମାତ୍ର ।

 

ବୈଦିକ ଭାଷା ପ୍ରାଚୀନ ହୋଇ ଆସିଥିଲା । ଲୋକମୁଖରେ ପ୍ରାକୃତ ଭାଷା ବୈଦିକ ମନ୍ତ୍ରରୁ କାଳକ୍ରମେ ବହୁ ଦୂରକୁ ବିକ୍ଷିପ୍ତ ହୋଇଯାଇଥିଲା । କିନ୍ତୁ ବୈଦିକ ମନ୍ତ୍ରର ମାଧୁର୍ଯ୍ୟମଣ୍ଡିତ ଚିରନ୍ତନ ସନାତନ ଭାବଧାରା ପୂର୍ବବତ୍ ଅକ୍ଷୁଣ୍ଣ ରହି ଜନମନ ମୁଗ୍ଧ କରୁଥିଲା । ବୈଦିକ ପଦ ଓ ଶବ୍ଦ ସମ୍ବଳିତ ବିବିଧ ରଚନାର ଅଧ୍ୟୟନ ଓ ଗବେଷଣା ଥିଲା ସଭ୍ୟତାର ସୂଚନା ଓ ସମାଜର ପ୍ରବୃତ୍ତି । “ପ୍ରାତିଶାଖ୍ୟ” ତାହାର ଉଦାହରଣ । କ୍ରମେ ଶବ୍ଦର ବ୍ୟୁତ୍ପତ୍ତି ଓ ରଚନାର ସମୀକ୍ଷାଦ୍ୱାରା ମୂଳ ଶବ୍ଦ ଓ ଧାତୁର ରୂପ ରୂପାନ୍ତରକୁ ନିରୀକ୍ଷଣ କରି ବିବିଧ ଗଣ ନିର୍ଣ୍ଣୟ କରାଗଲା । ଏହିପରି ଧୀରେ ଧୀରେ ପ୍ରାଚୀନ ସଂସ୍କୃତର ଗୋଟିଏ ବିଧିବଦ୍ଧ ବ୍ୟାକରଣ ପ୍ରକଟିତ ହେଲା । ପ୍ରଥମ ଅବସ୍ଥାରେ ସେହି ନୀହାରିକାପୁଞ୍ଜ କ୍ରମେ ପାଣିନିଙ୍କ ସମୟରେ ଏକ ବିରାଟ ଜ୍ୟୋତିଷ୍କର କିରଣଜାଳରେ ଭାରତୀୟ ସାହିତ୍ୟକୁ ଉଦ୍ଭାସିତ କରିଦେଲା । ତେଣୁ ପାଣିନିଙ୍କ ବ୍ୟାକରଣ ମୂଳରେ କେବଳ ପାଣିନିଙ୍କ ପ୍ରତିଭାର ବିକାଶ ନୁହେଁ, ବହୁ ତପଃସିଦ୍ଧ ମନୀଷୀଙ୍କର ଅଜ୍ଞାତ ସାଧନା ମଧ୍ୟ ସନ୍ନିହିତ ।

 

‘ପଞ୍ଚତନ୍ତ୍ର’ର ଏକ ଆଖ୍ୟାୟିକାନୁଯାୟୀ ପାଣିନି ଏକଦା ଗୋଟିଏ ହିଂସ୍ର ସିଂହମୁଖରେ ପ୍ରାଣ ହରାଇଥିଲେ ।

 

ଏହି ମହାପୁରୁଷଙ୍କର ଅନ୍ତିମ ଦଶା ଏପରି ଆକସ୍ମିକ ଓ ମର୍ମନ୍ତୁଦ ହୋଇଥିଲେହେଁ ତାଙ୍କର ଜୀବନ ସାର୍ଥକ ଓ କାଳାତୀତ ।

★★★

 

ମହାବୀର ଜିନ

 

ଏକଦା ବ୍ରହ୍ମର୍ଷିମାନଙ୍କର ସାମନାଦରେ ନିନାଦିତ ଭାରତବର୍ଷ ପରେ ଦିନେ ମହା ମହିମାମୟ ରାଜର୍ଷିମାନଙ୍କର ପ୍ରସବିନୀରୂପେ ପୂଜା ପାଇ ପାରିଲା । ଅଧ୍ୟାତ୍ମଚିନ୍ତା ପ୍ରାକୃତିକ ଶୋଭାମଣ୍ଡିତ ଋଷିଆଶ୍ରମରୁ ଯାଇ ରାଜପ୍ରାସାଦର ସାଡ଼ମ୍ବର କୋଳାହଳମଧ୍ୟରେ ମଧ୍ୟ ପ୍ରବେଶ କରିଥିଲା । ରାମାୟଣ–ପ୍ରସିଦ୍ଧ କର୍ମଯୋଗୀ, ସ୍ଥିତପ୍ରଜ୍ଞ ଜନକଙ୍କ ପରେ ଯେଉଁମାନେ ରାଜକୁଳରେ ଜନ୍ମଗ୍ରହଣ କରି ମଧ୍ୟ ଭାରତକୁ ଅଧ୍ୟାତ୍ମଚିନ୍ତନର ନବତନ ଆଭାରେ ଉଦ୍ଭାସିତ କରିଥିଲେ, ସେମାନଙ୍କ ମଧ୍ୟରୁ ମହାବୀର ବର୍ଦ୍ଧମାନ ଓ ଗୌତମ ବୁଦ୍ଧ ପ୍ରଧାନ ।

 

ଖ୍ରୀ: ପୂ: ପାଞ୍ଚ ଶହ ଅନେଶତର କଥା–ରାଜା ସିଦ୍ଧାର୍ଥ କୌଣ୍ଡିନ୍ୟପୁରରେ ଅବସ୍ଥାନ କରୁଥିଲେ I ମଗଧ ଅନ୍ତର୍ଗତ ବୈଶାଳୀ ରାଜ୍ୟର ପରାକ୍ରମୀ ଲିଚ୍ଛବି୍‍ ନରପତିଙ୍କର କନ୍ୟା ତ୍ରିଶଳା ତାଙ୍କ ସହଧର୍ମିଣୀ । ସେହି ସାଧ୍ଵୀ ତ୍ରିଶଳାଙ୍କ ଗର୍ଭରେ ମହାବୀର ଜିନ ଜନ୍ମଗ୍ରହଣ କରିଥିଲେ ।

 

ବାଳକାଳରୁ ହିଁ ମହାବୀର ବଡ଼ ଶାନ୍ତ ଓ ଚିନ୍ତାଶୀଳ । ବିବାହ ପରେ ପରେ ମଧ୍ୟ ତାଙ୍କର ଉଦାସୀନ ସ୍ଵଭାବରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଇ ନ ଥିଲା । ଯଥାସମୟରେ ତାଙ୍କର ଅନୋଜ୍ଜା ବା ପ୍ରିୟଦର୍ଶନା ନାମରେ ଗୋଟିଏ କନ୍ୟା ଜାତ ହେଲା । କିନ୍ତୁ ସ୍ତ୍ରୀ, କନ୍ୟାର ସ୍ନେହ ଓ ମମତାବନ୍ଧନ ତାଙ୍କୁ ସଂସାରରେ ବାନ୍ଧି ରଖି ପାରିଲା ନାହିଁ । ତିରିଶ ବର୍ଷ ବୟଃକ୍ରମରେ ସେ ଜଣେ ବିରକ୍ତ ସନ୍ନ୍ୟାସୀ ରୂପେ ଏହି ବିଶାଳ ବୈଭବ ପରିତ୍ୟାଗ କରି ଅରଣ୍ୟ ଗମନ କଲେ । ଦୀର୍ଘ ଦ୍ଵାଦଶ ବର୍ଷ କଠିନ ତପସ୍ୟା ପରେ ସେ ଜ୍ଞାନର କୈବଲ୍ୟ ପ୍ରାପ୍ତ ହୋଇ ଜୀବନର ତୃଷ୍ଣା ପରିତୃପ୍ତ କରିଥିଲେ । ସେ ନିଜର ସେହି ସଦ୍ଜ୍ଞାନସଂଭୂତ ମତବାଦକୁ ଜୀବନର ଦୀର୍ଘ ତିରିଶ ବର୍ଷବ୍ୟାପୀ ଶେଷଭାଗରେ ଭାରତର ପୁରପଲ୍ଲୀରେ ପ୍ରଚାର କରିଥିଲେ ।

 

ଜିନ ବା ମହାବୀର ତାଙ୍କର ଜନ୍ମନାମ ନ ଥିଲା । ମହାବୀରଙ୍କ ଭକ୍ତମାନେ ହିଁ ତାଙ୍କୁ ଜିନ, ମହାବୀର, ବର୍ଦ୍ଧମାନ, ନିଗ୍ଗଣ୍ଠ–ଆତପୁତ୍ତ ବା ଅର୍ହତ ନାମରେ ବିଖ୍ୟାତ କରିଥିଲେ । ମହାବୀର ନିଜେ ଜୈନଧର୍ମର ପ୍ରତିଷ୍ଠାତା ନୁହନ୍ତି । ସେ ତାଙ୍କର ପୂର୍ବଗାମୀ ତ୍ରୟୋବିଂଶ ତୀର୍ଥଙ୍କରଙ୍କଦ୍ୱାରା ପ୍ରତିପାଦିତ ମତର ପ୍ରବର୍ତ୍ତକ ବୋଲି ନିଜେ ସ୍ୱୀକାର କରିଛନ୍ତି । ଏହି ତୀର୍ଥଙ୍କରମାନଙ୍କର ସର୍ବପ୍ରଥମ ତୀର୍ଥଙ୍କର ଋଷଭଦେବଙ୍କ ନାମ ଯଜୁର୍ବେଦ, ବିଷ୍ଣୁ ପୁରାଣ, ଶ୍ରୀମଦ୍ଭାଗବତାଦି ବେଦାନୁସଙ୍ଗତ ଗ୍ରନ୍ଥମାନଙ୍କରେ ଉଲ୍ଲେଖ ଅଛି । କିନ୍ତୁ ଏହି ତୀର୍ଥଙ୍କର ଜୈନଧର୍ମର ଯଥାର୍ଥ ସ୍ୱରୂପ ତୀର୍ଥଙ୍କର–ପରମ୍ପରାରେ ସର୍ବଶେଷ ଦୁଇ ମନୀଷୀ ପାର୍ଶ୍ଵନାଥ ଓ ମହାବୀରଙ୍କ ସମୟରେ ହିଁ ପୂର୍ଣ୍ଣ ବିକାଶ ଲାଭକରିଥିଲା । ପାର୍ଶ୍ଵନାଥ ମହାବୀର ଦୁଇ ଶହ ପଚାଶ ବର୍ଷ ପୂର୍ବେ ଜନ୍ମଗ୍ରହଣ କରିଥିଲେ । ମହାବୀର ଗୌତମ ବୁଦ୍ଧଙ୍କ ସମସାମୟିକ । ପାର୍ଶ୍ଵନାଥଙ୍କର ଅହିଂସା, ସତ୍ୟ, ଅସ୍ତେୟ ଓ ଅପରିଗ୍ରହ ଏହି ଚାରି ଧାମକ ନିୟମ ସହିତ ମହାବୀର ପଞ୍ଚମ ବ୍ରତ ବ୍ରହ୍ମଚର୍ଯ୍ୟ ଉପରେ ଜୋର୍ ଦେଇ ମୋକ୍ଷମାର୍ଗ ଦର୍ଶାଇଥିଲେ; କିନ୍ତୁ ଅହିଂସା ତାଙ୍କ ଧର୍ମପ୍ରଚାରର ମୁଖ୍ୟ ସୂତ୍ର ଥିଲା ।

 

ଜୈନଧର୍ମ ଏକପ୍ରକାର ନିରୀଶ୍ୱରବାଦୀ ଧର୍ମ । ସ୍ଵାଦ୍‍ବାଦ ନାମକ ଏହି ଧର୍ମର ଏକ ଦାର୍ଶନିକ ବିଚାରଧାରା ଅନୁଯାୟୀ ସତ୍ତ୍ଵ–ଅସତ୍ତ୍ଵ ନିତ୍ୟତ୍ଵ–ଅନିତ୍ୟତ୍ଵ, ସାଦୃଶ୍ୟ–ବିରୂପତ୍ଵ ଏକ ବସ୍ତୁର ହିଁ ଦ୍ଵିବିଧ ରୂପ ବା ଗୁଣ ବୋଲି ବର୍ଣ୍ଣିତ ହୋଇଛି । ଜୈନମାନେ ଏକପ୍ରକାର କର୍ମବାଦୀ । ସେମାନଙ୍କ ମତରେ ପୁଦ୍‍ଗଳ ବା କର୍ମର ଆବରଣରୁ ମୁକ୍ତ ହୋଇ ମୋକ୍ଷ ବା କୈବଲ୍ୟ ସ୍ମୃତିର ପ୍ରାପ୍ତି ହିଁ ଜୀବନର ପରମ ଲକ୍ଷ୍ୟ । ବାସ୍ତରି ବର୍ଷ ବୟସରେ ପାବା ନାମକ ସ୍ଥାନରେ ମହାବୀରଙ୍କର ମହାପ୍ରୟାଣ ହୋଇଥିଲା ଖ୍ରୀ: ପୂ : ୫୨୭ ଅବ୍ଦରେ । ସେତେବେଳକୁ ତାଙ୍କର ଶିଷ୍ୟମାନଙ୍କର ଗୋଟିଏ ସୁସଂଗଠିତ ସଂଘ ପ୍ରତିଷ୍ଠାପିତ ହୋଇଯାଇଥିଲା । ମହାବୀରଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଗୌତମ ଇଦ୍ରଭୂତି ସୁଧର୍ମନ ମୁଖ୍ୟ ଥିଲେ । ତାଙ୍କ ପରେ ଜମ୍ବୁସ୍ଵାମୀ, ସ୍ଵୟଂଭବ, ଭଦ୍ରଭାନୁ ଓ ସ୍ଥୂଳଭଦ୍ର ପ୍ରଭୃତି ଆଚାର୍ଯ୍ୟ ସୁବିଖ୍ୟାତ ଥିଲେ ।

 

ଖ୍ରୀ: ପୂ: ଚତୁର୍ଥ ଶତାବ୍ଦୀରେ ପାଟଳିପୁତ୍ରଠାରେ ଏକ ଜୈନ ସଙ୍ଗୀତି ସଙ୍ଗଠିତ ହୋଇ ଜୈନ ସିଦ୍ଧାନ୍ତକୁ ଏକ ଶାସ୍ତ୍ରୀୟ ରୂପ ଦେବାର ପ୍ରଯତ୍ନ ହୋଇଥିଲା, କିନ୍ତୁ ଏ ଉଦ୍ୟମ ସଫଳ ହେବା ନିମନ୍ତେ ବହୁ ଶତ ବର୍ଷ ଅତିବାହିତ ହୋଇଗଲା । ଆନୁମାନିକ ଅଷ୍ଟଶତ ବର୍ଷ ପରେ ଚାରି ଶହ ଚଉବନ ଖ୍ରୀଷ୍ଟାବ୍ଦରେ ବଳଭିଠାରେ ଦେବର୍ଦ୍ଧିଙ୍କ ସଭାପତିତ୍ଵରେ ନିୟୋଜିତ ସଙ୍ଗୀତିଦ୍ଵାରା ଏହି ମହାକାର୍ଯ୍ୟର ପରିସମାପ୍ତି ସମ୍ଭବପର ହୋଇଥିଲା ।

 

ଏହି ସମସ୍ତ ଧର୍ମଗ୍ରନ୍ଥର ମୋଟ ସଂଖ୍ୟା ଚଉରାଅଶୀ । ଏଥିରେ ଏକଚାଳିଶଟି ସୂତ୍ର, ବହୁ ପ୍ରକୀର୍ଣ୍ଣକ, ବାର ନିଯୁକ୍ତି ଓ ଏକ ମହାଭାଷ୍ୟ ମଧ୍ୟ ନିହିତ ଅଛି । ସୂତ୍ରଟି ଏଗାର ଅଙ୍ଗ, ବାର ଉପାଙ୍ଗ, ପଞ୍ଚ ଛେଦ୍ୟ, ପଞ୍ଚ ମୂଳ ଓ ଅଷ୍ଟ ପ୍ରକୀର୍ଣ୍ଣାଦି ରଚନାବଳୀରେ ବିମଣ୍ଡିତ । ଏହାର ଭାଷା ଅର୍ଦ୍ଧ ମାଗଧୀ ।

 

ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ଭଦ୍ରବାହୁଙ୍କ ନେତୃତ୍ୱରେ ଏକ ଜୈନ ପରିବ୍ରାଜକ ଦଳ ଏହି ଧର୍ମର ପ୍ରଚାରକାର୍ଯ୍ୟରେ ବାହାରିଥିଲେ । ପରେ ପରେ ଗଙ୍ଗ, କଦମ୍ବ, ଚାଲୁକ୍ୟ, ରାଷ୍ଟ୍ରକୂଟ ଆଦି ରାଜବଂଶଦ୍ଵାରା ଏ ଧର୍ମ ସୁପ୍ରତିଷ୍ଠିତ ହୋଇଥିଲା ଏବଂ ସେହି ସମୟରେ ଜୈନ ସ୍ତୂପ ଓ ଜଳାଶୟାଦି ସ୍ଥାପନା କରାଯାଇଥିଲା ।

★★★

 

ଗୌତମ ବୁଦ୍ଧ

 

ଏବେ ମଧ୍ୟ ସେ ବୃକ୍ଷର ସତ୍ତା ବିଦ୍ୟମାନ । ଅଢ଼େଇ ହଜାର ବର୍ଷର ଗ୍ରୀଷ୍ମ, ବର୍ଷା, ଶୀତ, କାକର, ଝଡ଼ ଝଞ୍ଜା ତା ଉପରେ ଅତିବାହିତ ହୋଇଗଲାଣି । ତଥାପି ସେ ମୁଣ୍ଡ ଟେକି ରହିଛି । କାଣ୍ଡ ନାହିଁ, ପତ୍ର ନାହିଁ, ଶାଖା ନାହିଁ, ଶିକଳ ନାହିଁ, ଚେର ନାହିଁ, ବଳ୍କଳ ନାହିଁ, ଅଛି କେବଳ ଏକ ଆଭାସ–ଗୋଟିଏ ସ୍ମୃତି, ଗୋଟାଏ ପରମ୍ପରା । ତଥାପି ସେ ବଞ୍ଚିଛି ଗୋଟିଏ ଜୀବନ୍ତ ସତ୍ୟର ପ୍ରତୀକରୂପେ–ଆଜି ମଧ୍ୟ ସେ ସମଗ୍ର ଏସିଆର ଆଲୋକସ୍ତମ୍ଭ ଭଳି ଦେଦୀପ୍ୟମାନ ।

ହଁ, ଅଢ଼େଇ ହଜାର ବର୍ଷରୁ ଉର୍ଦ୍ଧ୍ଵ ହେବ । ବର୍ଷ ପରେ ବର୍ଷ ବିତିଗଲାଣି । ଭାରତର କେତେ ରାଜା, ମହାରାଜା ସେହି ଭୂମି ଉପରେ ରାଜତ୍ଵ କରିଗଲେଣି । କିନ୍ତୁ କାହିଁ ? କିଏ ସେହି ଆଲୋକସ୍ତମ୍ଭର ପ୍ରକୃତ ଅଧିକାରୀ ହୋଇପାରିଛି । କିଏ ସେହି ବୋଧିବୃକ୍ଷର ଉଦାରଭାବରେ ଉଦ୍‍ବୁଦ୍ଧ ହୋଇଛି ? ରାଜା ହୋଇ ମଧ୍ୟ ସନ୍ନ୍ୟାସୀର ଭାଗ୍ୟ କିଏ ସ୍ଵାଗତ କରି ଭାରତର ହୃଦୟ–ରାଜ୍ୟକୁ ଅଦ୍ୟାବଧି ଶାସନ କରିପାରିଛି ।

ଗୟା ନିକଟସ୍ଥ ନିବିଡ଼ ଅରଣ୍ୟ ମଧ୍ୟରେ ନିସ୍ତବ୍ଧ ଗୋଟିଏ ନିକାଞ୍ଚନ ସ୍ଥାନ—‘ଉରିବିଲ୍ଵ’ । ସ୍ଫଟିକ–ସ୍ୱଚ୍ଛ ନିର୍ମଳ ନିର୍ଝରଣୀ ‘ନିରଞ୍ଜନା’ ନିରନ୍ତର ଝରଝର ନାଦ କରି ପ୍ରବାହିତ ହେଉଅଛି । ତଟସ୍ଥ ଗୋଟିଏ ପିପ୍ପଳ ବୃକ୍ଷ ଆଜକୁ ଅଢ଼େଇ ହଜାର ବର୍ଷ ପୂର୍ବେ ଧୀର ସମୀରରେ ଦୋଳାୟମାନ ହେଉଥିଲା ।

ଆଜି ବୁଦ୍ଧଗୟାରେ ଯେଉଁ ବୋଧିବୃକ୍ଷର ରୂପଦର୍ଶନ ମିଳେ, ସାର୍ଦ୍ଧ ଦୁଇ ସହସ୍ର ବର୍ଷ ପୂର୍ବେ ସେ ବୃକ୍ଷ ଅବଶ୍ୟ ଏହାର ଅବିକଳ ସ୍ୱରୂପ ଧାରଣ କରି ନ ଥିଲା । ଘଞ୍ଚ ଶ୍ୟାମଳ ପତ୍ରାବଳିର ଛତ୍ରଛାୟାତଳେ ବିଶ୍ଵଶାନ୍ତିର ଏକ ମୂର୍ତ୍ତ ପ୍ରତୀକ ସତେ ଯେପରି ରୂପାୟିତ ହୋଇଥିଲା ସେ ଦିନ !

 

ସେହି ଦୋଳଘନ ଲୋକଦଳ ବିତାନ ତଳେ କିଏ ଏହି ଅସ୍ଥି-ଚର୍ମସାର ଜୀବନ୍ତ କଙ୍କାଳ ମୂର୍ତ୍ତି ?

 

ଅଦୂର ବନ ପ୍ରାନ୍ତରର ସୁମଧୁର ସୁଲଳିତ ସଙ୍ଗୀତ ଭାସି ଆସୁଥିଲା—

 

ଶିଥିଳ କଲେ ଅତି ସୂକ୍ଷ୍ମ ବିପଞ୍ଚୀ ତନ୍ତ୍ରୀ

ନ ଉଠେ କିଞ୍ଚିତେ ଝଙ୍କାର,

ଛିନ୍ନ ସେ ହେବ ସିନା ବାଦନ କଲେ ବୀଣା

ଆଞ୍ଚ ତା ଗାଢ଼େ ବାରବାର ।

 

ରମଣୀ କଣ୍ଠର ଲଳିତ ସ୍ୱରଝଙ୍କାର ଚଳଚଞ୍ଚଳ ବାୟୁବଳୟରେ ଜଗାଇଥିଲା ଏକ ଅଭିନବ ହିଲ୍ଲୋଳ । ତପସ୍ଵୀଙ୍କର ଜୀର୍ଣ୍ଣ ଅବୟବ ସହସା ଏକ ଅନୁପମ ପୁଲକ-କମ୍ପରେ ଉଲ୍ଲସିତ ହୋଇଉଠିଲା ।

 

ସୁଦୃଢ଼ ସ୍ୱସ୍ତିକ ଆସନ ଶ୍ଳଥ ଶିଥିଳ ହୋଇଗଲା । ନିମୀଳିତ ନୟନରେ ଅପୂର୍ବ ଦିବ୍ୟ ଜ୍ୟୋତି ଉଦ୍ଭାସିତ ହୋଇଉଠିଲା । ଶୁଷ୍କ ଚର୍ମର ପ୍ରତି ଲୋମକୂପରେ ନୂତନ ଜୀବନର ସଂଚାର—ନୂତନ ସ୍ପନ୍ଦନର ଉନ୍ମେଷ ।

 

ତପସ୍ଵି ! ଏ କି ବେଶ ? ଏ କି ନିର୍ମମ କଠୋର ସାଧନା ? ଅସ୍ଥିସାର ପ୍ରଶସ୍ତ ପଞ୍ଜର ଆଜି ବକ୍ଷହାରରୂପେ ପ୍ରଲମ୍ବିତ । ଉଦରର ବର୍ତ୍ତୁଳ ଭଙ୍ଗୀ କ୍ଷୀଣରୁ କ୍ଷୀଣତର ହୋଇ ପୃଷ୍ଠଭାଗସ୍ଥ ମେରୁପ୍ରାଚୀର ସହିତ ସଂଲଗ୍ନ ହୋଇଗଲାଣି । ଉଦ୍ଦୀପ୍ତ ଚକ୍ଷୁତାରକାଦ୍ଵୟ କୋଟରାନ୍ତର୍ଗତ । ରୁକ୍ଷ କେଶଗୁଚ୍ଛ ଶୁଷ୍କ ତୃଣ ସଦୃଶ ଇତସ୍ତତଃ ବିଚ୍ଛୁରିତ । ସଙ୍ଗୀତର ଶେଷ ଝଙ୍କାର ପରି ସ୍ପନ୍ଦିତ ହେଉଛି କେବଳ ମାତ୍ର କ୍ଷୀଣ, ଅତିକ୍ଷୀଣ ଜୀବନର ସୂକ୍ଷ୍ମାଭାସ ।

 

ଗ୍ରାମସୀମନ୍ତିନୀ ଜନପଦବଧୂମାନଙ୍କର ଅସ୍ପଷ୍ଟ କଣ୍ଠଧ୍ୱନି ସୁଦୁର କାକଳି ସଙ୍ଗୀତର ଧୀରେ ଧୀରେ ସମନ୍ଵୟ ସୃଷ୍ଟି କରୁଅଛି । ସେହି ସଙ୍ଗୀତର ମୂର୍ଚ୍ଛନା ସତେ ଯେପରି ହୃଦୟର ଘନ ଅନ୍ତରାଳରେ ତୀବ୍ର ଆଲୋଡ଼ନ ଜଗାଇ ସନ୍ନ୍ୟାସୀଙ୍କର କର୍ଣ୍ଣକୁହରରେ ବାରମ୍ବାର ଧ୍ଵନିତ କରୁଛି, “କି ସନ୍ନ୍ୟାସି ! ଜୀବନର ଜୀର୍ଣ୍ଣ ବୀଣାଯନ୍ତ୍ରର ତନ୍ତୁଚୟକୁ ଆଉ କେତେ ଦୂର ଆକର୍ଷଣ କରିବ ? ସେ ଯେ ଛିନ୍ନପ୍ରାୟ !”

 

ସନ୍ନ୍ୟାସୀଙ୍କର ସମାଧି ଭଗ୍ନ ହେଲା । ମଗ୍ନ ଧ୍ୟାନ ଅନ୍ୟ ଅଭିମୁଖରେ ଅନୁଧାବିତ ହେବାକୁ ଲାଗିଲା । ଜୀବନ–ସ୍ରୋତର ପ୍ରବାହରେ ଏ କି ବିପରୀତ ପରିବର୍ତ୍ତନ ! ଏଯାବତ୍ ଅବରୁଦ୍ଧ ସ୍ୱର୍ଗରାଜ୍ୟର ସେହି ସୁସଜ୍ଜିତ ତୋରଣଦ୍ୱାର ସଙ୍ଗେ ସଙ୍ଗେ ଉଦ୍ଘାଟିତ ହୋଇଗଲା–“ସକାମ ତାପସବ୍ରତ ସୁକଠୋର ହେଲେହେଁ ଆତ୍ମାର ଶାନ୍ତି ସମ୍ପାଦନ କରିପାରେ ନାହିଁ ।”

 

ତପସ୍ୱୀଙ୍କର ଶାନ୍ତ ସମାହିତ ଚିତ୍ତ ଆଜି ଉଦ୍‍ବେଳିତ । ସାଧକଙ୍କର ଅସାଧ୍ୟ ସାଧନ ବ୍ରତ ଆଜି ସନ୍ଧିଗ୍‍ଧ ।

 

ତେବେ କ’ଣ ଏ ସମସ୍ତ କେବଳ ଭ୍ରାନ୍ତି ? ସବୁ ବ୍ୟର୍ଥ ? ବିପୁଳ ରାଜବୈଭବ, ପିତାମାତା ସ୍ତ୍ରୀପୁତ୍ରଙ୍କର ଅପ୍ରମିତ ସ୍ନେହମମତା, ବନ୍ଧୁ ବାନ୍ଧବ ପ୍ରିୟାପ୍ରୀତିଙ୍କର ଅପ୍ରତୁଳ ସୌହାର୍ଦ୍ଦ୍ୟ, ସମସ୍ତ ତ୍ୟାଗ କରି ଏହି ଗହନ ବନ ମଧ୍ୟରେ ନିଦ୍ରାହାର ପରିହାରର ଏ ପରିଣାମ ତେବେ କ’ଣ ନିଷ୍ଫଳ ?

 

ମନେ ପଡ଼ିଗଲା ବିଦ୍ୟୁଦ୍ଦାମର କ୍ଷଣିକ ଆଭା ପ୍ରାୟ ଅତୀତ ଜୀବନର ବିସ୍ମୃତ କରୁଣ କାହାଣୀ । ନିଶାର ଅର୍ଦ୍ଧ ଭାଗରେ ଉତ୍ସବମୁଖର ସମଗ୍ର ପାଟଳୀ ପୁତ୍ର ଯେତେବେଳେ ଶ୍ରମକ୍ଳାନ୍ତ ଓ ସୁଷୁପ୍ତ, ଶୟନକକ୍ଷରେ ନବପ୍ରସୂତିକା ପତିପ୍ରାଣା ପତ୍ନୀ ନିଶ୍ଚିନ୍ତ ନିଦ୍ରାରେ ନିମଗ୍ନ, ଧୀରେ ଅତି ଧୀରେ ସୌଷ୍ଠବମୟ ଶୋଭାଙ୍ଗ ଗୋଟିଏ ଯୁବକ ରାଜପ୍ରାସାଦରୁ ଅବତରଣ କରି ଆସୁଛନ୍ତି ।

 

ରାଜକୁମାର ଶାକ୍ୟସିଂହ ! ଚିରପରିଚିତ ପାଟଳୀପୁତ୍ରର ନଗରପ୍ରାନ୍ତର ସତେ ଯେପରି ଏକ ମୂକ ଆତଙ୍କରେ ଉଦ୍‍ଗ୍ରୀବ ହୋଇ ଚାହିଁରହିଛି । ସଦ୍ୟଜାତ ଶିଶୁର କରୁଣ ଚିତ୍କାର ଘନଘନ କର୍ଣ୍ଣକୁହରରେ ଆଘାତ କରୁଛି । କିନ୍ତୁ ଶାକ୍ୟସିଂହ ଦୃଢ଼ସଂକଳ୍ପ–ନିଜ ମାର୍ଗ ର ଅଚଳ ଅଟଳ । ଅଦ୍ୟ ସନ୍ଧ୍ୟାରେ ସଦ୍ୟ ନୃତ୍ୟଗୀତରତା ଯେଉଁ ବାରାଙ୍ଗନା ନର୍ତ୍ତକୀଗଣ ଆପଣାର ଅଦ୍ଭୁତ ଲାସ୍ୟଭଙ୍ଗିମାରେ ସଭାମଣ୍ଡପ ମଣ୍ଡନ କରି ଦର୍ଶକଚିତ୍ତ ଅପହରଣ କରୁଥିଲେ, ସେ ସମସ୍ତେ ଏକେ ଏକେ ନିଦ୍ରାଭିଦ୍ଭୁତା ବିସ୍ରସ୍ତବସନା ହୋଇ କି ବୀଭତ୍ସ କଦାକାର ଦୃଶ୍ୟ ସୃଷ୍ଟି କରୁଛନ୍ତି !

 

ରାଜକୁମାର ଚମକିପଡ଼ିଲେ । ତାଙ୍କ ସମ୍ମୁଖରେ କିଏ ଯେପରି ଦ୍ଵାର ଉନ୍ନୁକ୍ତ କରିଦେଲା-। ସଂସାରପ୍ରତି ବିତୃଷ୍ଣା ଓ ଘୃଣା ଯେପରି ଦ୍ଵିଗୁଣିତ ହୋଇଉଠିଲା । ଜରା, ବ୍ୟାଧି ଓ ମୃତ୍ୟୁର ନିର୍ମମ ଭୀମ ଦୃଶ୍ୟ ସନ୍ଦର୍ଶନ କରିବା ଫଳରେ ଯେ ଏକଦା ଏହି ସଂସାରକୁ ଅସାର ଜ୍ଞାନ କରି ସର୍ବଦା ଉଦାସୀନ ରହି ଆସିଥିଲେ, ଆଜି ତାଙ୍କୁ ଜଗତର କେଉଁ ମନମୁଗ୍ଧକାରୀ ଦୃଶ୍ୟ, କେଉଁ ମହାକାଳ ମରୀଚିକାର କୁହୁକସ୍ପର୍ଶ ଭୁଲାଇବାରେ ସମର୍ଥ ହେବ !

 

ଜରା, ମରଣ, ରୋଗ, ବ୍ୟାଧି, କୋଳାହଳ ଓ ପରବଶତା, ସଂସାରର ଏହି ସଂସ୍କୃତିରୁ ତାଙ୍କୁ ମୁକ୍ତ ହେବାକୁ ହିଁ ହେବ । ଯୌବନର ଆସବ, ସାମ୍ରାଜ୍ୟର ବୈଭବ, ଯୁବତୀର ରକ୍ତାଧର, ପ୍ରଣୟପ୍ରାର୍ଥନା, କୌଣସି ପ୍ରଲୋଭନ ତାଙ୍କୁ ଏହି ନିଶ୍ଚୟରୁ ବିଚ୍ୟୁତ କରିପାରିବ ନାହିଁ । ଅଶ୍ୱରକ୍ଷୀ ଛନ୍ଦକକୁ ସଙ୍ଗରେ ଘେନି ସେ ରାଜନବର ପରିତ୍ୟାଗ କରି ନଗର–ଉପକଣ୍ଠରେ ଉପସ୍ଥିତ ହେଲେ-। ଅର୍ଦ୍ଧ ପଥରେ ଛନ୍ଦକର କାକୁତି ମଧ୍ୟ ନିଷ୍ଫଳ ହେଲା । ରାଜକୁମାର ଏକାକୀ ନିରୁଦ୍ଦେଶ୍ୟର ଉଦ୍ଦେଶ୍ୟରେ ଅଗ୍ରସର ହେଉଛନ୍ତି ।

 

ଜରା, ବ୍ୟାଧି ଓ ମୃତ୍ୟୁ ଗ୍ରସ୍ତ ସଂସାରରୁ ମୁକ୍ତ ହେବାର ଉପାୟ କ’ଣ ? ଏହି ସଂସାରରେ ଯେତେ ମତ, ଯେତେ ବାଦ, ସମଗ୍ର ମାର୍ଗ ଓ ପଥର ଅନୁସରଣ କରି, ତତ୍କାଳୀନ ବହୁ ପଣ୍ଡିତ ଓ ବିଦ୍ୱାନଙ୍କର ଦ୍ଵାରସ୍ଥ ହୋଇ ଏବଂ ନାନା ଶାସ୍ତ୍ର, ନାନା ଦର୍ଶନ, ବେଦବେଦାନ୍ତର ପୃଷ୍ଠା ପୃଷ୍ଠା ତନ୍ନତନ୍ନ ଅଧ୍ୟୟନ କରି ମଧ୍ୟ ଏ ପ୍ରଶ୍ନର ସାଧୁ ଉତ୍ତରପ୍ରାପ୍ତି ସମ୍ଭବ ହେଲା ନାହିଁ । ସେହି ସଂକଳ୍ପରେ କେତେ ଆଶ୍ରମ, କେତେ ଗୁରୁକୁଳ, କେତେ ବିଦ୍ୟାନଗର ପରିବ୍ରଜ କଲେ ମଧ୍ୟ ସମସ୍ତ ଆଶା ନିଷ୍ଫଳ ହେଲା । ପରିଶେଷରେ ଏହି କଠୋର ତପସ୍ୟାର ନିର୍ମମ ଅନୁଷ୍ଠାନଜନିତ ଉପବାସକ୍ଲିଷ୍ଟ ଦେହର ଅସହ୍ୟ ଯନ୍ତ୍ରଣା ଅସୀମ ଧୈର୍ଯ୍ୟସହକାରେ ଭୋଗ କରି ମଧ୍ୟ ଏ ପ୍ରଶ୍ନ କ’ଣ ଅମୀମାଂସିତ ରହିବ ?

 

ବନବାଳାମାନଙ୍କର ସେହି ସୁସଙ୍ଗୀତ ସ୍ୱର ବାରମ୍ବାର ଝଂକୃତ ହେବାରେ ଲାଗିଥାଏ । “ବୀଣାର ତନ୍ତୁ ଶିଥିଳ କର ନାହିଁ ବୈଣିକ ! ଶିଥିଳ ତନ୍ତ୍ରୀରେ ସ୍ୱର-ଉତ୍ତୋଳନ ଅସମ୍ଭବ ।”

ତପସ୍ୱୀ ପୁନରାୟ ଶ୍ରୁତି ଡେରି ଶ୍ରବଣ କରୁଛନ୍ତି–“ଅତିରିକ୍ତ ଆକର୍ଷଣରେ ବୀଣାଯନ୍ତ୍ରର ଏହି ଛିନ୍ନତନ୍ତ୍ରୀ କ’ଣ କେବେହେଲେ ମନ୍ଦିତ ହୋଇପାରେ ସନ୍ନ୍ୟାସି ?”

ସନ୍ନ୍ୟାସୀଙ୍କର ସୁକଠୋର ସକାମ ତାପସ ବ୍ରତ ଆଜି ପରିସମାପ୍ତ । ଏ କି ଅସମ୍ଭବ ପରିବର୍ତ୍ତନ ? ଏହା କ’ଣ ଅବାଞ୍ଛନୀୟ ? ଆଚାର୍ଯ୍ୟ ରାମପୁତ୍ତଙ୍କ ଆଶ୍ରମରୁ ବିଫଳମନୋରଥ ହୋଇ ତପସ୍ୟା ନିମନ୍ତେ ବନ ଗମନ କଲାବେଳେ ସହଗାମୀ ପଞ୍ଚବ୍ରହ୍ମଚାରୀ ବନ୍ଧୁ ଏହି ପରିବର୍ତ୍ତନରେ ଉତ୍ତେଜିତ ହୋଇଉଠିଲେ । ସିଦ୍ଧାର୍ଥଙ୍କର ଏ ପରିବର୍ତ୍ତନକୁ ଅବାଞ୍ଛନୀୟ ସ୍ଖଳନ ମନେ କରି ସେମାନେ ଏକେ ଏକେ ସେହି ଘନ ଅରଣ୍ୟାନୀ ମଧ୍ୟରେ ତାଙ୍କୁ ଏକାକୀ ପରିତ୍ୟାଗ କରି ବାରାଣାସୀ–ସମୀପସ୍ଥ ‘ମୃତଦାୟ’ ନାମକ ସ୍ଥାନକୁ ପ୍ରସ୍ଥାନ କଲେ ।

କିନ୍ତୁ ତପସ୍ଵୀ ଗୌତମ ନିରୁତ୍ସାହ ହେଲେ ନାହିଁ । ଏକ ନୂତନ ଚିନ୍ତାଧାରା ତାଙ୍କର ମାନସ ମଧ୍ୟରେ ପରିଘୂର୍ଣ୍ଣିତ ହେବାକୁ ଲାଗିଲା—ଅତି ବା ଅତ୍ୟନ୍ତକୁ ତ୍ୟାଗ କରି ମଧ୍ୟମ ମାର୍ଗର ଗ୍ରହଣ ହିଁ ଯଥାର୍ଥ ପନ୍ଥା । ଅନର୍ଥକାରୀ ବିଷୟସୁଖରେ ନିମଜ୍ଜିତ ହେବା ଯେପରି ଅନୁଚିତ, ଘୋର ତପଶ୍ଚରଣଦ୍ଵାରା ଶରୀରକୁ ନିରର୍ଥକ ଦୁଃଖ ଦେବା ତଦ୍ରୁପ ଅଶ୍ଳାଘ୍ୟ ।

ନିରନ୍ତର ପରିବର୍ତ୍ତନଶୀଳ ଜଗତରେ ଏହା ହିଁ କ’ଣ ସତ୍ୟ ? ତଥାପି ସନ୍ଦେହ । ଗୌତମଙ୍କର ଚିତ୍ତ ତଥାପି ସନ୍ଦିଗ୍ଧ । ଜରା, ବ୍ୟାଧି ଓ ମରଣ–ପାଶରୁ ମୁକ୍ତି ପାଇବାର ମାର୍ଗ ଅଦ୍ୟାପି ଅଗମ୍ୟ, ଅବୋଧ୍ୟ । ଏବେ ମଧ୍ୟ ସେ ପ୍ରଶ୍ନର ଉତ୍ତର ତାଙ୍କୁ ମିଳି ନାହିଁ । ତାଙ୍କର ଲକ୍ଷ୍ୟ ନିର୍ବାଣ । କିଏ ନିର୍ଦ୍ଦେଶ କରିପାରିବ ସେହି ନିର୍ବାଣର ମାର୍ଗ ? ନିର୍ବାଣ ହିଁ ତାଙ୍କର ଧ୍ୟେୟ–ପରିନିର୍ବାଣ ହିଁ ତାଙ୍କର କାମ୍ୟ । ଜରା, ମରଣ, ରୋଗ, ବ୍ୟଥା, କୋଳାହଳ ପରବଶତା–ସଂସାରର ଏହି ସଂସ୍କୃତିଚୟରୁ ଚିରମୁକ୍ତି ହିଁ ତାଙ୍କର ଲକ୍ଷ୍ୟ ।

ବୈଶାଖ ପୂର୍ଣ୍ଣିମା । ଶାକ୍ୟମୁନି ଗୌତମ ବୋଧିବୃକ୍ଷର ଛାୟାତଳେ ଧ୍ୟାନମଗ୍ନ । ଦଗ୍ଧ ସୁବର୍ଣ୍ଣ ପ୍ରାୟ ତପୋଽନଳରେ ଦୀପ୍ତ ଦେହର ଦ୍ୟୁତି । ନେତ୍ରପକ୍ଷ୍ମ ଅକମ୍ପିତ । ଅକସ୍ମାତ୍ ବନଦେବୀଙ୍କର ଶ୍ରଦ୍ଧା–ପାଳିତା କନ୍ୟା ସଦୃଶ ଅଦୂରରେ କଲ୍ୟାଣମୟୀ ନାରୀମୂର୍ତ୍ତିର ଆବିର୍ଭାବ । ଗୌତମ ପକ୍ଷ୍ମ ଉନ୍ମୋଚନ କରି ବୃଷ୍ଟିପାତ କଲେ–ପାୟସପାତ୍ରହସ୍ତା ଅପରୂପା ତନ୍ୱିକା ଗୋଟିଏ କନ୍ୟା । ସେହି ଦିନ କେବଳ ଭାରତବର୍ଷର ନୁହେଁ, ସମଗ୍ର ପୃଥିବୀର ଏକ ଉଜ୍ଜ୍ୱଳ ମଙ୍ଗଳମୟ ଭବିଷ୍ୟତର ସ୍ଵାଗତକାରୀ ଶୁଭ ମୁହୂର୍ତ୍ତରେ–ଉରୁବିଲ୍ଵର ନବୋଢ଼ା ଶ୍ରେଷ୍ଠୀକନ୍ୟା ପୁତ୍ରକାମିନୀ ସୁଜାତା ବନଦେବୀଙ୍କ ଉଦ୍ଦେଶ୍ୟରେ ଅନୀତ ନୈବେଦ୍ୟ ପାୟସପାତ୍ରକୁ ସିଦ୍ଧାର୍ଥଙ୍କ ସମୀପରେ ସମର୍ପଣ କରିଥିଲା । ପାୟସ ପାନାନ୍ତେ ପୁନର୍ବାର ଆସନରେ ସମାସୀନ ଗୌତମ ବୁଦ୍ଧ ଧ୍ୟାନମଗ୍ନ ହେଲେ ।

ସହସା ତୃଷ୍ଣା, ବାସନା, କ୍ଷୋଭ ଓ ବିକ୍ଷୋଭର ଅଗ୍ନି ପ୍ରଜ୍ଵଳିତ ହୋଇଉଠିଲା । ସତ୍ତ୍ଵ ଓ ତମ ମଧ୍ୟରେ ଲାଗିଲା ପ୍ରବଳ ଯୁଦ୍ଧ । କାମନାର ଘୂର୍ଣ୍ଣିପାକ ବୁଦ୍ଧ ଚିତ୍ତକୁ ବିଚଳିତ କରିଦେଲା । ସମଗ୍ର ଶରୀରରେ ଅବାଞ୍ଛିତ ଶିହରଣ ଅନୁଭବ କରି ମଧ୍ୟ ସେ ନୀରବ–ନିସ୍ପନ୍ଦ ।

ପରୀକ୍ଷାର ପରିସମାପ୍ତି ହୋଇଯାଇଛି । ଚତୁର୍ଦିଗରେ କେବଳ ଆଲୋକ–ଆଲୋକ–ଉଦ୍ଭାସିତ ଆଲୋକ ହିଁ ବିଦ୍ୟମାନ । ରାଜକୁମାର ସିଦ୍ଧାର୍ଥ–ତପସ୍ଵୀ ଗୌତମ ଆଜି ସମ୍ବୋଧିପ୍ରାପ୍ତ ପ୍ରବୁଦ୍ଧ ବୁଦ୍ଧ–ସଦୟ–ହୃଦୟ କଳିର ବୌଦ୍ଧ ଅବତାର ବୁଦ୍ଧଶରୀର ବୁଦ୍ଧଦେବ ।

 

ସେହି ଆଲୋକର ପ୍ରଥମ ସମ୍ପାତ ହେଲା ଦୁଇଟି କଳିଙ୍ଗାଧିବାସୀ ଯୁବକ, ସିଦ୍ଧାର୍ଥଙ୍କର ପ୍ରଥମ ଶିଷ୍ୟ ଭଲ୍ଲିକ ଓ ତପୁଷଙ୍କ ଉପରେ ।

 

ଶୁଦ୍ଧ ଜ୍ଞାନର ସାର–ସନ୍ଦର୍ଭ ଘେନି ବୁଦ୍ଧଦେବ ଚାଲିଲେ ପୃଥିବୀର ଦୁଃଖଭରା ହରଣ କରିବା ଉଦ୍ଦେଶ୍ୟରେ । ପୂର୍ବର ପଞ୍ଚସାଥୀ ପଞ୍ଚଭଦ୍ର ବର୍ଗ୍ୟଙ୍କର ପୁନରାୟ ସାକ୍ଷାତ୍ ହେଲା ସାରନାଥ ନିକଟରେ । ପ୍ରଥମରେ ଗୌତମଙ୍କୁ ବ୍ରତଭ୍ରଷ୍ଟ ବ୍ରତାଚାରୀ ଜ୍ଞାନରେ ସେମାନେ ସ୍ୱାଗତ ସତ୍କାର ମଧ୍ୟ କଲେ ନାହିଁ; କିନ୍ତୁ ହିଂସା–ଦ୍ୱେଷ–ବିବର୍ଜିତ ବିମଳ ମୁଖମଣ୍ଡଳବିଶିଷ୍ଟ ବୁଦ୍ଧଦେବଙ୍କର ସାମୀପ୍ୟ ଲାଭ କଲାମାତ୍ରେ ସେହି ସୁମହାନ୍ ବ୍ୟକ୍ତିତ୍ଵ ନିକଟରେ ନତଶିର ନ ହୋଇ ରହିପାରି ନ ଥିଲେ ।

 

“ହେ ଭିକ୍ଷୁ ! ହେ ସନ୍ୟାସୀ ! ତୁମ୍ଭମାନଙ୍କୁ ଦୁଇଟି ଆତ୍ୟନ୍ତିକତାରୁ ମୁକ୍ତ ରହିବାକୁ ହେବ-। ପତନୋନ୍ମୁଖ ବିଳାସାତିଶଯ୍ୟ ବିଷୟଲାଳସା ତଥା ତପଶ୍ଚରଣର ମାତ୍ରାଧିକ୍ୟଦ୍ଵାରା ଶରୀରର ଉତ୍ପୀଡ଼ନ ଅନ୍ୟାୟ । ‘ମଧ୍ୟମା ପ୍ରତିପଦା’ ଅର୍ଥାତ୍ ମଧ୍ୟମ ମାର୍ଗହିଁ ‘ସମ୍ବୋଧିଜ୍ଞାନ’ ଏବଂ ନିର୍ବାଣକାମୀର ପ୍ରକୃତ ଅବଲମ୍ବନ ।” ବୃଦ୍ଧଙ୍କର ଏହି ବାଣୀ, ଏହି ଧର୍ମପ୍ରଚାର ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ ନାମରେ ଅଭିହିତ–ସମ୍ୟକ୍ ଦୃଷ୍ଟି, ସମ୍ୟକ୍ ସଂକଳ୍ପ, ସମ୍ୟକ୍ ବାଣୀ, ସମ୍ୟକ୍ କର୍ମ, ସମ୍ୟକ୍ ଆଜୀବିକା, ସମ୍ୟକ୍ ବ୍ୟାୟାମ ବା ଉଦ୍ୟୋଗ, ସମ୍ୟକ୍ ସ୍ମୃତି ବା ବିଚାର ଏବଂ ସମ୍ୟକ୍ ସମାଧି ବା ଧ୍ୟାନ ।

 

ଏହି ସତ୍ୟ ପ୍ରକାଶ ପରେ ପରେ ହିଁ ଚାଲିଲା କୁଲାଳ–ଚକ୍ରବତ୍ ବୃଦ୍ଧଙ୍କର ଧର୍ମଚକ୍ର ପ୍ରବର୍ତ୍ତନ । ପ୍ରଥମରେ ପଞ୍ଚସଖା ଶିଷ୍ୟତ୍ୱ ଗ୍ରହଣ କଲେ । ସେହିମାନଙ୍କର ଉଦ୍ୟମରେ ହିଁ ସଂସ୍କୃତ ବା ପାଣ୍ଡିତ୍ୟପୂର୍ଣ୍ଣ ଭାଷା ପରିବର୍ତ୍ତେ ସର୍ବସାଧାରଣ–କଥିତ ଭାଷାରେ ପ୍ରଚାରିତ ହେଲା ବୁଦ୍ଧଙ୍କର ଅମୂଲ୍ୟ ବାଣୀ । ନାନା ଦିଗରୁ ଶତସତ ସଂଖ୍ୟକ ଶିଷ୍ୟ ବୁଦ୍ଧଙ୍କର ଶରଣାପନ୍ନ ହେଲେ । ଚତୁର୍ଦ୍ଦିଗରେ ଭିକ୍ଷୁସଂଘମାନ ପ୍ରତିଷ୍ଠିତ ହେଲା । ସଂଘର ଦୃଢ଼ତା, ପବିତ୍ରତା ଓ କ୍ରମବିକାଶର ସୁରକ୍ଷା ନିମନ୍ତେ କଠିନ ଅନୁଶାସନମାନ ପ୍ରଣୀତ ହେଲା । ନାନା ସ୍ଥାନରେ ଏହି ସଂଘଗୁଡ଼ିକ ପରିବ୍ରଜକ୍ରମରେ ନୂତନ ଧର୍ମର ପ୍ରଚାର କରିବାକୁ ଲାଗିଲେ । ଉରୁବିଲ୍ଡଠାରେ ପ୍ରକାଣ୍ଡ ବୈଦିକ କର୍ମକାଣ୍ଡୀ ବିଲ୍ଵକାଶ୍ୟପ, ଗୟକାଶ୍ୟପ ଓ ନଦୀକାଶ୍ୟପ ବ୍ରାହ୍ମଣତ୍ରୟ ଶିଷ୍ୟତ୍ୱ ଗ୍ରହଣ କଲେ । ରାଜଗୃହର ଶୈଶୁନାକ ରାଜା ଶୈବିକ ବିମ୍ବିସାର ଅତି ଆଗ୍ରହରେ ବୁଦ୍ଧଙ୍କର ଚରଣଧୂଳି ଗ୍ରହଣ କରିଥିଲେ । ସେହିଠାରେ ହିଁ ବୁଦ୍ଧଙ୍କର ଶିଷ୍ୟପ୍ରଧାନ ତଥା ବୌଦ୍ଧ ସଂଘର ଅଗ୍ରନେତା ସାରିପୁତ୍ତ ଓ ମୋଗ୍‍ଗଲନ ନାମକ ଦୁଇ ବିଦ୍ୱାନ୍ ପୁରୁଷ ବୁଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ।

 

ଭାରତରେ କୋଣେ କୋଣେ ବୁଦ୍ଧଙ୍କର ମହିମା ପ୍ରଚାରିତ ହୋଇଥିଲା । କିନ୍ତୁ ବୁଦ୍ଧଙ୍କର ଜନ୍ମଭୂମି କପିଳବାସ୍ତୁ ?

 

ସେ ଏକ ଅଭିନବ ଦୃଶ୍ୟ–ଅପୂର୍ବ ଆଖ୍ୟାୟିକା । ସୁସଜ୍ଜିତ ପ୍ରାସାଦଶୋଭିତ କପିଳବାସ୍ତୁ ତାହାର ଆପଣାର ରାଜକୁମାରଙ୍କ ଆଗମନ ପଥକୁ ଉଦ୍‍ଗୀବ ହୋଇ ଅନାଇ ରହିଛି । ରାଜକୁମାର ଗୌତମଙ୍କର ପ୍ରତ୍ୟାବର୍ତ୍ତନ ବାର୍ତ୍ତା ପାଇ ସତେ ଯେପରି ଏହି ସମୃଦ୍ଧ ନଗରୀର ପୂରେ ପୂରେ ଜନଗଣର ପ୍ରାଣ ମଧ୍ୟରୁ ଅନିନ୍ଦ୍ୟ ସ୍ୱାଗତିକା ଗୁଞ୍ଜରିତ ହୋଇଉଠୁଛି । ପ୍ରତି ହୃଦୟ–ସ୍ପନ୍ଦନରେ ଯେପରି ରାଜକୁମାର ଗୌତମଙ୍କର ନାମ ଅହରହ ଧ୍ୱନିତ ହେଉଛି ।

 

ମାତ୍ର ଏ କିଏ ? ଭିକ୍ଷାପାତ୍ରହସ୍ତ ମୁଣ୍ଡିତ–ମସ୍ତକ କଷାୟଭୂଷିତ ଏହି ଅଭିନବ ଭିକ୍ଷୁବେଶଧାରୀ ପୁରୁଷପ୍ରବର କ’ଣ ସେହି କପିଳବାସ୍ତୁର ଭାବୀ ଉତ୍ତରାଧିକାରୀ ଶାକ୍ୟରାଜ ଶୁଦ୍ଧୋଦନଙ୍କର ସୁସନ୍ତାନ ଗୌତମ ସ୍ଵୟଂ ? କପିଳବାସ୍ତୁର ହୃଦୟ ବିହ୍ଵଳିତ ହୋଇଗଲା–ପୁରବାସୀଙ୍କ ଚକ୍ଷୁରେ ଅଶ୍ରୁଧାରା । ରାଜା ଶୁଦ୍ଧୋଦନ ଭିକ୍ଷୁ ରାଜକୁମାରଙ୍କୁ ସାଦରେ ନଗର ମଧ୍ୟକୁ ପାଛୋଟି ଘେନିଗଲେ ।

 

ମାତ୍ର ଯଶୋଧାରା ?

 

ଯଶୋଧାରା ! ଯଶୋଧାରା ! ବିଗତ ଶତଶତ ବିନିଦ୍ର ରଜନୀର ସ୍ଵପ୍ନପ୍ରତିମା, ଯଶୋଧାରାଙ୍କ ହୃଦୟଦେବତା ଗୌତମ ଯେ ସମ୍ମୁଖରେ ଉଭା ! ଯଶୋଧାରା ନିଉଛାଳି ହୋଇ ପଡ଼ିଲେ । ନୟନର ଅଶ୍ରୁଜଳରେ ଯଶୋଧାରା ସ୍ଵାମୀଙ୍କର ଚରଣ ପ୍ରକ୍ଷାଳନ କରି ପୁତ୍ରପ୍ରତି ଆଦେଶ କଲେ, “ରାହୁଳ ! ଏ ତୁମ୍ଭର ଜନକ । ବର୍ତ୍ତମାନ ଜନକଙ୍କ ନିକଟରେ ପିତୃଦାୟ ଭିକ୍ଷା କର-।”

 

ବୁଦ୍ଧଦେବ ପୁତ୍ର ରାହୁଳକୁ ପ୍ରବ୍ରଜ୍ୟା ଦେବାପାଇଁ ପ୍ରିୟ ଶିଷ୍ୟ ସାରିପୁତ୍ତଙ୍କୁ ଆଜ୍ଞା ପ୍ରଦାନ କଲେ ।

 

ତିନୋଟି ବର୍ଷ ଅତିବାହିତ ହୋଇଗଲା । ଇତିମଧ୍ୟରେ ଶୁଦ୍ଧୋଧନଙ୍କର ଦେହାନ୍ତ ହୋଇଯାଇଛି । ପ୍ରଜାବତୀ ଓ ପୁତ୍ରବଧୂ ଯଶୋଧାରା ବହୁ ଶାକ୍ୟନାରୀଙ୍କୁ ସଂଘରେ ଯୋଗ ଦେବାପାଇଁ ସଙ୍ଗରେ ଘେନି ବୈଶାଳିସ୍ଥ ବୁଦ୍ଧଙ୍କ ନିକଟରେ ଉପବିଷ୍ଟ ହେଲେ । ବୁଦ୍ଧଦେବ ଦ୍ଵିଧାଗ୍ରସ୍ତ ଓ ବିବ୍ରତ । ପରିଶେଷରେ ବୁଦ୍ଧଦେବଙ୍କର ପ୍ରିୟତମ ଶିଷ୍ୟ ଆନନ୍ଦଙ୍କ ଅନୁରୋଧରେ ତଦବଧି–ନାରୀବର୍ଜିତ ସଂଘରେ ଶାକ୍ୟନାରୀମାନଙ୍କୁ ସ୍ଥାନ ଦିଆଯାଇ ଭକ୍ଷୁଣୀସଂଘ ସ୍ଥାପିତ ହେଲା । ଭିକ୍ଷୁ ଓ ଭିକ୍ଷୁଣୀମାନେ ଭାରତର ପୁରପଲ୍ଲୀରେ ବୁଦ୍ଧଙ୍କର ବାର୍ତ୍ତା ପ୍ରଚାର କଲେ ।

 

ଦିବା ଅବସାନ ହୋଇଆସିଲା—ହିରଣ୍ୟବତୀ ଗଣ୍ଡକର ଅପର ପାର୍ଶ୍ଵରେ କୁଶିନାରା ନିକଟବର୍ତ୍ତୀ ଗୋଟିଏ ଶାଳବନ । ଅଶିତିତମ ବୟୋବୃଦ୍ଧ କର୍ମକ୍ଳାନ୍ତ ବୁଦ୍ଧଦେବ ପ୍ରିୟ ଶିଷ୍ୟମାନଙ୍କ ଗହଣରେ ଧର୍ମଚର୍ଚ୍ଚା କରୁଛନ୍ତି । ଶ୍ରୀମୁଖରୁ ସୁମଧୁର ଅମୃତବାଣୀ ବିନିଃସୃତ ହେଲା–”ସଂସାରରେ ଯେ ସକଳ ବସ୍ତୁ ସୃଷ୍ଟି ହୋଇଛି ତାହାର ବିନାଶ ଅବଶ୍ୟମ୍ଭାବୀ । ମାତ୍ର ତୁମ୍ଭେମାନେ ନିଜ ନିଜର ଲକ୍ଷ୍ୟପ୍ରାପ୍ତି ବିଷୟରେ ନିଃସନ୍ଦେହ ହୁଅ ।”

 

ମାତ୍ର କିଏ ଜାଣିଥିଲା ଏସିଆଖଣ୍ଡରେ ଏ ଆଲୋକସ୍ତମ୍ବର ଏହା ହିଁ ଶେଷ ଦୀପ୍ତି–ବିକିରଣ ? କିଏ ଜାଣିଥିଲା ସଂସାରର ସନ୍ତାପହାରୀ ଯୁଗାବତାର ବୁଦ୍ଧଦେବଙ୍କର ଏହା ହିଁ ଶେଷ ଉକ୍ତି ? ଧୀରେ ଧୀରେ ନିମୀଳିତ ନେତ୍ରର ପକ୍ଷପଙ୍କ୍ତି ମୁଦ୍ରିତ ହୋଇ ଆସିଲା । ମହା ପରିନିର୍ବାଣର ଅନନ୍ତ ସାଗରରେ ତପୋଧନ ବୁଦ୍ଧଦେବ ଚିରି ସମାଧି ଲାଭ କଲେ ।

 

କୁଶିନାରାର ମଲ୍ଲମାନେ ସେଦିନ ଲୁମ୍ବିନୀର ଶିଶୁକୁମାର, ବୁଦ୍ଧଗୟାର ସିଦ୍ଧଶରୀର ବୁଦ୍ଧଦେବଙ୍କର ପବିତ୍ର ଶବର ଦାହକ୍ରିୟା ସମାପନ କଲେ । ତାଙ୍କର ଭସ୍ମାସ୍ଥି ଆଠଭାଗରେ ବିଭକ୍ତ କରାଯାଇ ପ୍ରତେକ ଭାଗ ଉପରେ ଗୋଟିଏ ଗୋଟିଏ ସ୍ତୂପ ନିର୍ମାଣ କରାଗଲା । କ୍ରମେ କ୍ରମେ ବୁଦ୍ଧଙ୍କର ବୋଧିତତ୍ତ୍ଵ ଚୀନ, ତିବ୍ଦତ, ମଙ୍ଗୋଲିଆ, ଜାପାନ, କୋରିଆ, ଶାମ, ବ୍ରହ୍ମଦେଶ ଓ ସିଂହଳ ତଥା ସମଗ୍ର ମଧ୍ୟଏସିଆରେ ପ୍ରଚାରିତ ହୋଇ ଧର୍ମରାଜ୍ୟ ସ୍ଥାପିତ ହୋଇଗଲା ।

 

ଏହି ପରିନିର୍ବାଣର ଅବ୍ୟବହିତ ପରେ ଏକ ସଙ୍ଗୀତିର ସଂକଳନ କଲେ ବୁଦ୍ଧଙ୍କର ପ୍ରିୟ ଶିଷ୍ୟ ଉପାଳି, କାଶ୍ୟପ ଓ ଆନନ୍ଦ । ସେଥିରେ ସନ୍ନିହିତ ହେଲା ବୁଦ୍ଧଙ୍କର ମହିମାନ୍ୱିତ ବାଣୀ–ବିବୁଦ୍ଧ ବିଚାର ଏବଂ ସୁମହାନ୍ ଆତ୍ମଚରିତ । ଏହି ବାଙ୍ମୟ ଆଜି ତ୍ରିପିଟକ ନାମରେ ବିଶ୍ଵବିଦିତ । ବିନୟ ପିଟକ, ସୁତ୍ତ ପିଟକ ଓ ଅଭିଧମ୍ମ ପିଟକ ଏହାର ତିନୋଟି ମୁଖ୍ୟ ଭାଗ । ବିନୟ ପିଟକରେ ଆଚାର ସମ୍ବନ୍ଧୀୟ ନିୟମ ଉଲ୍ଲିଖିତ ହୋଇଛି । ଏହା ମଧ୍ୟ ତିନି ଅଙ୍ଗରେ ବିଭକ୍ତ–ବିଭଙ୍ଗ,ଖନ୍ଦକ ଓ ପରିବାର । ସୁତ୍ତ ପିଟକର ଧର୍ମଶିକ୍ଷା ପଞ୍ଚ ନିକାୟରେ ବିଭକ୍ତ–ଦୀର୍ଘ ନିକାୟ, ମଜ୍ଝିମ ନିକାୟ, ଅଙ୍ଗୁତର ନିକାୟ, ସଂଯୁତ ନିକାୟ ଏବଂ ଖୁନ୍ଦ୍ୱକ ନିକାୟ । ଧର୍ମର ଦାର୍ଶନିକ ଓ ଆଧ୍ୟାତ୍ମିକ ବିବେଚନାପୂର୍ଣ୍ଣ ଅଭିଧମ୍ମ ପିଟକ ସାତୋଟି ସ୍ୱତନ୍ତ୍ର ଗ୍ରନ୍ଥରେ ଗ୍ରଥିତ–ଧମ୍ମସଙ୍ଗନି, ବିଭଙ୍ଗ, ଧାତୁକଥା, ପୁଗ୍‍ଗଳ ପଞ୍ଜତି, କଥାବତ୍‍ଥୁ, ଯମକ ଓ ପଠ୍‍ଠାନ । ଏହି ଗ୍ରନ୍ଥଗୁଡ଼ିକ ପାଲି ଭାଷାରେ ଲିଖିତ ।

 

ପରବର୍ତ୍ତୀ ଯୁଗରେ ଏହି ଗ୍ରନ୍ଥାବଳୀର ଉତ୍ତରୋତ୍ତର ଉନ୍ନତି ସାଧିତ ହେଲା । ବିକାଶକ୍ରମରେ ଏହା ମହାଯାନ, ହୀନଯାନ, ଓ ବଜ୍ରଯାନ ନାମକ ତିନି ଶାଖାରେ ବୌଦ୍ଧମତକୁ ବିଭକ୍ତ କରିଦେଲା ।

 

କାଳକ୍ରମେ ବୌଦ୍ଧବିଚାର ମଧ୍ୟରେ ତନ୍ତ୍ର ମଧ୍ୟ ପ୍ରବେଶ କଲା ଏବଂ ସାକାର ବୁଦ୍ଧମୂର୍ତ୍ତି ସ୍ଥାପିତ ହୋଇ ପୂଜା, ଅର୍ଚ୍ଚନା ଓ ଉପାସନାର ସୂତ୍ରପାତ ହେଲା ।

★★★

 

ରାଜନୀତିଜ୍ଞ ଚାଣକ୍ୟ

 

“ନ ତ୍ୱେବାର୍ଯ୍ୟସ୍ୟ ଦାସଭାବଃ”–ଏ ଆର୍ଯ୍ୟଜାତି କାହାରି ଦାସ ହେବା ଅସମ୍ଭବ ।

 

ଚତୁର୍ବିଂଶ ଶତାବ୍ଦୀ ଅତୀତ ହେବା ପରେ ମଧ୍ୟ ସଦ୍ୟ ପରାଧୀନତା ନିଗଡ଼ରୁ ମୁକ୍ତ ଭାରତ ପକ୍ଷରେ ଏ ବାଣୀ ଅଦ୍ୟାପି ସତ୍ୟ ଜୀବନ୍ତ ପରି ପ୍ରତୀୟମାନ ହୁଏ । ଚତୁର୍ବିଂଶ ଶତାବ୍ଦୀ ପୂର୍ବେ ଏହି ଦେଶରେ, ଏହି ଭାରତ ଭୂମିରେ ଜଣେ ମହିମାମୟ ମନୀଷୀ ପୃଥିବୀର ତାତ୍କାଳିକ ଅଦ୍ୱିତୀୟ ରାଜନୀତିକ ପୁରୁଷରୂପେ ଜନ୍ମ ଗ୍ରହଣ କରି ବୈଦେଶିକ ଆକ୍ରମଣରେ ବିଚଳିତ ଆର୍ଯ୍ୟ ଭାରତକୁ ଏ ମନ୍ଦ୍ରବାଣୀ, ଏ ମହାମନ୍ତ୍ରରେ ଦୀକ୍ଷିତ କରି ଯାଇଥିଲେ । ଭାରତ କଣ ସେ ମନ୍ତ୍ର କେବେ ଭୁଲିପାରେ ? ସେ ମନ୍ତ୍ର ଅଦ୍ୟାବଧି ଭାରତୀୟ ଧମନୀ କୁ ଉଷ୍ଣ ଚଞ୍ଚଳ କରୁଛି । ସେ ମନ୍ତ୍ର ଉଚ୍ଚାରଣ କରି ଭାରତୀୟ ଆଜି ଅନାର୍ଯ୍ୟ ବିଦେଶୀ ଜାତିର ଶୃଙ୍ଖଳକୁ ଛିନ୍ନଭିନ୍ନ କରିପାରିଛି—ଚାଣକ୍ୟଙ୍କର ଅତୃପ୍ତ ଆତ୍ମା ଆଜି ହୁଏ ତ ସ୍ଵର୍ଗଭୂମିରେ ଥାଇ ପରିତୃପ୍ତିର ଦୃଷ୍ଟିପାତ କରୁଥିବ ଏହି ସ୍ଵାଧୀନ ଭାରତବର୍ଷ ଉପରେ ।

 

ସାମାନ୍ୟ କୁଶ, ତୁଚ୍ଛ ତୃଣଶୀର୍ଷଟାଏ–ଶାସନ ଅଭାବରେ ସେ ମଧ୍ୟ ଶକ୍ତିଶାଳୀ ମନୁଷ୍ୟକୁ ଆଘାତ କରିପାରେ ! ନା, ନା, ଉଚ୍ଛୃଙ୍ଖଳ ସମାଜରେ ଶାନ୍ତି ଓ ସ୍ୱାଚ୍ଛନ୍ଦ୍ୟ ଆଣିବା ପାଇଁ ନିର୍ମମ ଶାସନର ଅବଶ୍ୟ ପ୍ରୟୋଜନ । ସେ ସ୍ଵୟଂ ରାଜା ହେଉ ବା ଶାସକ ହେଉ ଅଥବା ଅଧୀନସ୍ଥ ଶାସିତ ପ୍ରଜା ହେଉ, ପ୍ରତ୍ୟେକକୁ ସମାଜର ଶୃଙ୍ଖଳା ମଧ୍ୟରେ ରହି, ସମାଜର ପୁଷ୍ଟି ସାଧନ କରିବାକୁ ହିଁ ପଡ଼ିବ । ଅନ୍ୟଥା ସମାଜ ରସାତଳଗାମୀ ହେବା ଅନିବାର୍ଯ୍ୟ ।

 

ଭାରତର ଯୁବକ ପିଣ୍ଡପାତ କରି ଯେଉଁ ସ୍ଵାଧୀନତାର ଅଧିକାରୀ ହୋଇଛି, ତାହାର ସୁରକ୍ଷା ଏବଂ ସଂବୃଦ୍ଧ ନିମନ୍ତେ ଏ ବାଣୀ ଅଦ୍ୟାପି ଅନୁପେକ୍ଷ ଅନୁଶାସନ ରୂପେ ଭାରତବାସୀଙ୍କ ମାନସ ପଟରେ ଅଙ୍କିତ ହେବା ବାଞ୍ଛନୀୟ ।

 

ସିକନ୍ଦରଙ୍କର ସେନା ସିନ୍ଧୁନଦୀର ପଶ୍ଚିମ ତଟରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । କିନ୍ତୁ ତଦୀୟ ସେନାପତି ସେଲ୍ୟୁକ୍‍ସଙ୍କର ଲୋଲୁପ ଦୃଷ୍ଟି ଶସ୍ୟଶ୍ୟାମଳ ଭାରତଭୂମିରୁ ଅପସାରିତ ହୋଇନାହିଁ । ତକ୍ଷଶୀଳା ଗ୍ରୀକ୍ ପଦାନତ । ଜନ୍ମଭୂମିର ଏ ଦୁର୍ଦ୍ଦଶା ଦେଖି ସେଦିନ ଗୋଟିଏ ବ୍ରାହ୍ମଣସନ୍ତାନ ପ୍ରତିଶୋଧର ଜ୍ୱଳନ୍ତ ଶିଖା ହୃଦୟରେ ପ୍ରଜ୍ୱଳିତ କରି ଆର୍ଯ୍ୟାବର୍ତ୍ତକୁ ପଳାଇ ଆସିଥିଲେ ।

 

କିନ୍ତୁ ଏ କ’ଣ ? ତାଙ୍କ ସ୍ଵପ୍ନର ଆର୍ଯ୍ୟାବର୍ତ୍ତର ଏ କି ଦୂରବସ୍ଥା ? ଚତୁର୍ଦ୍ଦିଗ ଅନ୍ଧକାରମୟ-ସମାଜରେ ଶୃଙ୍ଖଳା ନାହିଁ । ବ୍ରାହ୍ମଣ ଭଣ୍ଡ, କ୍ଷତ୍ରିୟ ଭୀରୁ, ବୈଶ୍ୟ ତସ୍କରଠାରୁ ହୀନ-ଅରାଜକତାରେ, ଉଚ୍ଛୃଙ୍ଖଳତାରେ ସାମାନ୍ୟ କୁଶଗୁଳ୍ମ ମଧ୍ୟ ମସ୍ତକ ଉତ୍ତୋଳନ କରି ମନୁଷ୍ୟର ଗତିରୋଧ କରିଛି । ବ୍ରାହ୍ମଣ ବିଷ୍ଣୁ ଗୁପ୍ତ ମଗଧରାଜ ମହାନନ୍ଦଙ୍କ ନିକଟରେ ରାଜ୍ୟର ବିକ୍ଷିପ୍ତ ଅବସ୍ଥାର ପ୍ରତିକାର ପାଇଁ ଆବେଦନ କଲେ । ବିଳାସୀ ପତନୋନ୍ମୁଖ ନନ୍ଦବଂଶର ଶେଷରାଜାଙ୍କଠାରୁ ସେ ପ୍ରାର୍ଥନାର ପ୍ରତିବଦଳରେ ପାଇଲେ ତୀବ୍ର ଅପମାନ ।

 

ବ୍ରହ୍ମଶାପରେ ଆଜି କ’ଣ ପୃଥିବୀ ଭସ୍ମୀଭୁତ ହେବା ସମ୍ଭବ ନୁହେଁ ? ବ୍ରାହ୍ମଣ କ’ଣ ଆଜି ଏତେଦୂର ଅଧଃପତିତ ? ରାଜଦୂତ ମାନେ ବିଷ୍ଣୁ ଗୁପ୍ତଙ୍କର ଶିଖା ଆକର୍ଷଣ କରି ଅର୍ଦ୍ଧ ଚନ୍ଦ୍ରରେ ବିତାଡ଼ିତ କରିଦେଲେ । ତଥାପି ଏ ପୃଥିବୀ ରସାତଳଗତ ହେଲା ନାହିଁ ! ବ୍ରହ୍ମ ଅଗ୍ନିରେ ନନ୍ଦବଂଶ ଧ୍ଵଂସପ୍ରାପ୍ତ ହେଲା ନାହିଁ । ଅଧୋବଦନରେ ରାଜଦ୍ଵାରରୁ ଫେରି ଆସିଲେ ବିଷ୍ଣୁଗୁପ୍ତ । ଅନ୍ତର୍ଗତରେ ଅହିଂସାର ପ୍ରବଳ ବହ୍ନି କୁହୁଳି ଉଠିଲା–ନନ୍ଦ ବଂଶର ଧ୍ଵଂସ–ନନ୍ଦ ବଂଶର ଧ୍ଵଂସ–ନନ୍ଦ ବଂଶର ଧ୍ଵଂସ ସାଧିତ ନ ହେବାଯାଏ ସ୍ରସ୍ତ ଶିଖା ସେହିପରି ଉନ୍ମୁକ୍ତ ରହିଲା । ଏହା ହିଁ ହେଲା ଚାଣକ୍ୟର ପଣ–ବ୍ରାହ୍ମଣ ବିଷ୍ଣୁଗୁପ୍ତର ପ୍ରତିଜ୍ଞା ।

 

ପଥ ମଧ୍ୟରେ ଦେଖା ଦେଲେ ଅନ୍ୟ ଏକ ମେଧାବାନ୍ ଶକ୍ତିଶାଳୀ ପୁରୁଷ । ଅତୀତର ଧ୍ଵଂସ ସ୍ତୂପରେ ଠିଆ ହୋଇ ସେ ଏକ ଉଜ୍ଜ୍ୱଳ ସ୍ଵପ୍ନ ଦେଖିଥିଲେ ।

 

“ଅରାଜକ ଭାରତର ଦରିଦ୍ର କୁଟୀର ମଧ୍ୟରୁ ଉତ୍ଥିତ ହାହାକାର ଆର୍ତ୍ତନାଦରେ ବ୍ୟଥିତ । ମୌର୍ଯ୍ୟ ଚନ୍ଦ୍ରଗୁପ୍ତ ! ତୁମେ ଏ କଣ କରୁଛ ? ଏ ଦୁଃଖ କରିବାର ସମୟ ନୁହେଁ–ଅବସାଦ ରେ ଅବସନ୍ନ ହେବାର ସମୟ ନୁହେଁ । ଏ କ୍ଳୈଵ୍ୟ ପରିତ୍ୟାଗ କର । ଉଠ—ଜାଗ—ତୁମର ସ୍ଵପ୍ନକୁ ସତ୍ୟରେ ପରିଣତ କର ।”

 

ଚନ୍ଦ୍ରଗୁପ୍ତ ଚକିତ ହୋଇ ଚାହିଁଲେ—ସମ୍ମୁଖରେ ବ୍ରାହ୍ମଣ ବିଷ୍ଣୁଗୁପ୍ତ ।

 

ବ୍ରାହ୍ମଣର ବୁଦ୍ଧି, କ୍ଷତ୍ରିୟର ବାହୁ ଭାରତର ମୁକ୍ତ ଆକାଶତଳେ ପୁଣି ଥରେ ପ୍ରତିଜ୍ଞାବଦ୍ଧ ହେଲା—ଭାରତକୁ ମୁକ୍ତ ଓ ସ୍ୱାଧୀନ କରିବାକୁ ହିଁ ହେବ ।

 

ଭାରତ ମୁକ୍ତ, ସ୍ୱାଧୀନ ହେଲା । ସେଲ୍ୟୁକ୍‍ସ ପରାଜିତ ହୋଇ ସ୍ଵୀୟ କନ୍ୟା ହେଲେନାଙ୍କୁ ଚନ୍ଦ୍ରଗୁପ୍ତଙ୍କ ହସ୍ତରେ ସମର୍ପଣ କଲେ । ରାଜଦୂତ ମେଘାସ୍ଥିନିସ୍‍ଙ୍କୁ ଚନ୍ଦ୍ରଗୁପ୍ତଙ୍କ ରାଜସଭାରେ ଦୌତ୍ୟ ଗ୍ରହଣ କରିବାକୁ ପଡ଼ିଲା ।

 

ନନ୍ଦବଂଶର ଧ୍ଵଂସ ସାଧିତ ହୋଇଛି । ଚାଣକ୍ୟଙ୍କର ମହା ଶିଖା ମହନନ୍ଦଙ୍କ ଭକ୍ତି ରଙ୍ଗରେ ରଞ୍ଜିତ ହୋଇ ଏତେ ଦିନେ ସୁବିନ୍ୟସ୍ତ ହେଲା । ଆସମୁଦ୍ରହିମାଚଳ ସହସ୍ର ଯୋଜନ ପରବ୍ୟାପ୍ତ “ଚାତୁରଙ୍ଗ ରାଜ୍ୟ” ସ୍ଥାପନା କରାଗଲା । ଚନ୍ଦ୍ରଗୁପ୍ତ ତା’ର ଶାସକ ନୁଆଉ ବ୍ରାହ୍ମଣ ବିଷ୍ଣୁଗୁପ୍ତ ଅର୍ଥନୀତିଜ୍ଞ କୌଟିଲ୍ୟ, ରାଜନୀତିଜ୍ଞ ଚାଣକ୍ୟ ତାଙ୍କର ମନ୍ତ୍ରୀ–ପ୍ରଧାନ ପୁରୋଧା ।

 

ଚାଣକ୍ୟଙ୍କର ପୃଥିବୀକୁ ସର୍ବଶ୍ରେଷ୍ଠ ଦାନ “କୌଟିଲ୍ୟ ଅର୍ଥଶାସ୍ତ୍ର” । ଚାଣକ୍ୟ ହିଁ ସର୍ବପ୍ରଥମେ ଏ ଦେଶକୁ ଦର୍ଶାଇ ଯାଇଥିଲେ–ରାଜନୀତି, ଅର୍ଥନୀତି ଓ ନୀତିଶାସ୍ତ୍ର ସର୍ବଥା ଅଭିନ୍ନ । କୌଟିଲ୍ୟ ଅର୍ଥଶାସ୍ତ୍ରରେ ସେ ବଜ୍ରନିର୍ଦ୍ଦୋଷରେ କହି ଯାଇଛନ୍ତି,” ପ୍ରତ୍ୟେକ ବିଜ୍ଞାନର ଲକ୍ଷ୍ୟ ଇନ୍ଦ୍ରିୟ ସଂଯମ । ଯାହାର ଇନ୍ଦ୍ରିୟ ଅନାୟତ୍ତ, ଯେ ଇନ୍ଦ୍ରିୟପ୍ରବଣ, ଦିଗନ୍ତବ୍ୟାପୀ ସମଗ୍ର ପୃଥିବୀର ଅଧୀଶ୍ଵର ହେଲେ ହେଁ ତାହାର ଆଶୁ ଧ୍ଵଂସ ଅବଶ୍ୟମ୍ଭାବୀ ।”

 

ଚାଣକ୍ୟଙ୍କର ପଦ୍ଧତି ଯେଉଁଠି ଇଉରୋପୀୟ ମେକିଆଭେଲି ରାଜନୀତି ସହିତ ସମକକ୍ଷ ବୋଲି ପ୍ରତୀୟ ମାନ ହୁଏ, ସେଠାରେ ମଧ୍ୟ ଚାଣକ୍ୟଙ୍କୁ ନିନ୍ଦା କରିବାର କୌଣସି କାରଣ ନାହିଁ । ମେକିଆଭେଲିଙ୍କ ତୁଳନାରେ ଚାଣକ୍ୟଙ୍କର ଲକ୍ଷ୍ୟ, ଉଦ୍ଦେଶ୍ୟ ଯେ ସୁମହତ୍ ଥିଲା ଏହା ନିଃସନ୍ଦେହରୂପେ କୁହାଯାଇପାରେ । ଅବଶ୍ୟ ସେ ରାଜ୍ୟ ପଦ୍ଧତିରେ କଠୋର ଶାସନ ଓ ଗୁପ୍ତଚରଙ୍କ ଦ୍ଵାରା ବ୍ୟକ୍ତିଗତ ସ୍ଵାତନ୍ତ୍ର୍ୟକୁ ଖର୍ବ କରିବାର ନୀତି ପ୍ରଚଳନ କରିଥିଲେ; କିନ୍ତୁ ଏହା କେବଳ ଆଶୁ ଲକ୍ଷ୍ୟ ଲାଭ ନିମନ୍ତେ ବ୍ୟଗ୍ରତା ଓ ବ୍ୟସ୍ତତାରହିଁ ପରିଚୟ ଦିଏ ।

 

ବିଷ୍ଣୁ ପୁରାଣ, ଜୈନ ନନ୍ଦି ସୂତ୍ର, ବୁଦ୍ଧଘୋଷଙ୍କ ଦ୍ଵାରା ବିନୟପିଟକର ଟୀକା, ମହାବଂଶର ଟୀକା, ମୃଚ୍ଛକଟିକ ନାଟକ, କାମାନ୍ଦକ କୃତ ନୀତିସାର, ପଞ୍ଚତନ୍ତ୍ର ଆଦି ବହୁ ଗ୍ରନ୍ଥରେ ଚାଣକ୍ୟଙ୍କର ନାମ ଉଲ୍ଲେଖ ରହିଛି । ଷଟ୍‍ସହସ୍ର ଶ୍ଳୋକମଣ୍ଡିତ କୋଟିଲ୍ୟ ଅର୍ଥଶାସ୍ତ୍ରର ପ୍ରଶସ୍ତି ମଧ୍ୟ ମହାକବି ଦଣ୍ଡିନ କରିଯାଇଛନ୍ତି କଥାସରିତସାଗର, ଚାଣକ୍ୟ କଥା ଓ ମୁଦ୍ରାରାକ୍ଷସରେ ଚାଣକ୍ୟଙ୍କ ଜୀବନର ସମ୍ୟକ୍ ପରିଚୟ ମିଳେ ।

 

ନୀତିଶତକ, ନୀତିସାର, ଲଘୁ ଚାଣକ୍ୟ, ରାଜନୀତି ଶାସ୍ତ୍ର, ଚାଣକ୍ୟ ଶ୍ଳୋକ, ଚାଣକ୍ୟ ସୂତ୍ର ଆଦି ବହୁ ଗ୍ରନ୍ଥ ଚାଣକ୍ୟଙ୍କ ନାମରେ ପ୍ରଚଳିତ । କିନ୍ତୁ ସବୁଠାରୁ ଅଧିକ ଉଲ୍ଲେଖଯୋଗ୍ୟ ପୁସ୍ତକ ହେଉଛି “କୌଟିଲ୍ୟ ଅର୍ଥଶାସ୍ତ୍ର” । ଏଥିରେ ରାଜ୍ୟ ସଂସ୍କାର ସ୍ୱରୂପ ରାଜାର କର୍ତ୍ତବ୍ୟ, ଶାସନ ତନ୍ତ୍ରର ସମ୍ବିଧାନ, ସେନା, କୋଷ ଓ ନ୍ୟାୟରକ୍ଷା କର, ଦଣ୍ଡ ଓ ନୀତି ଆଦି ସମ୍ବନ୍ଧରେ ନାନା ବିଧାନ ବର୍ଣ୍ଣିତ ହୋଇଛି । ଚାଣକ୍ୟଙ୍କ ଚକ୍ଷୁରେ ରାଜାର ଅସ୍ତିତ୍ଵ ବସ୍ତୁତଃ ଓ ମୁଖ୍ୟତଃ ପ୍ରଜାର ସୁଖ ଓ ହିତାର୍ଥେ ।

★★★

 

ପିୟଦଶ୍‍ଶୀ ଅଶୋକ

 

ଅନ୍ୟ ଭ୍ରାତୃଗଣ ରାଜକୁମାରଯୋଗ୍ୟ ଉଚ୍ଚ ଆସନ ନିର୍ବାଚନ କରିନେଲେ । କିନ୍ତୁ କ୍ଷୁଦ୍ର ଚପଳମତି ବାଳକ ଅଶୋକ ସେଦିନ ଅଧସ୍ତନ ଭୂମିକୁ ହିଁ ଆପଣାର ଯୋଗ୍ୟ ଓ ଶ୍ରେଷ୍ଠ ଆସନ ବୋଲି ବିବେଚନା କଲେ ।

 

ସେହି ଅଶୋକ...

 

କିଏ ଜାଣିଥିଲା ପରବର୍ତ୍ତୀ କାଳରେ ଏହି ତୀକ୍ଷ୍ଣବୁଦ୍ଧି ବାଳକ ସମଗ୍ର ଭାରତରେ ଏକଚ୍ଛତ୍ର ଶାସକରୂପେ ବହୁମୂଲ୍ୟ ଓ ଅପ୍ରତୁଳ ରାଜସିଂହାସନର ଅଧିକାରୀ ହୋଇ ମଧ୍ୟ ମର୍ତ୍ତ୍ୟର ସେହି ମୃତ୍ତିକାକୁ ହିଁ ସର୍ବଶ୍ରେଷ୍ଠ ସ୍ଥାନ ଦେବେ ! କିଏ ଜାଣିଥିଲା ଯୌବନରେ ଉଦ୍ଧତ ପ୍ରଚଣ୍ଡ ଚଣ୍ଡାଶୋକ ଏକଦା କେବଳ ଭାରତର ନୁହେଁ, ସମଗ୍ର ଏସିଆଖଣ୍ଡରେ ପୁଣ୍ୟାଶୋକ ନାମରେ ପୂଜିତ ହେବେ ! କିଏ ଜାଣିଥିଲା କଠିନ ପାଷାଣ ସଦୃଶ କଠୋର ହୃଦୟ ଦିନେ ଆପଣାର କାରୁଣ୍ୟରେ, ସହାନୁଭୂତିରେ, ମହାନୁଭାବୁକତାରେ ନିର୍ଜୀବ ଶିଳାମୁଖରେ ମଧ୍ୟ ଅମୂଲ୍ୟ ବାଣୀ ଯୁଗ ଯୁଗକୁ ସୁରକ୍ଷିତ କରିଯିବେ !

 

କମ୍ବୋଜଠାରୁ କର୍ଣ୍ଣାଟକ ପର୍ଯ୍ୟନ୍ତ ବିସ୍ତୃତ ଏକଚ୍ଛତ୍ର ସାମ୍ରାଜ୍ୟ ବା ‘ବିଜିତ’ର ଅଧିକାରୀ ହେବା ପରେ ରାଜୁତିର ଅଷ୍ଟମ ବର୍ଷରେ ସେ ସ୍ଵୀୟ ସାମ୍ରାଜ୍ୟକୁ ବୃହତ୍ତର କରିବାପାଇଁ ପଡ଼ୋଶୀ କଳିଙ୍ଗ ରାଜ୍ୟ ଆକ୍ରମଣ କଲେ । ସେ ଏକ ଲୋମହର୍ଷଣକାରୀ ବିଭୀଷିକା । କଳିଙ୍ଗ ଓ ମଗଧ ମଧ୍ୟରେ ଏହି ଭୀଷଣ ଦ୍ଵନ୍ଦ୍ୱ ଦ୍ଵିତୀୟ ମହାଭାରତଯୁଦ୍ଧରେ ପରିଣତ ହେଲା । ବୀର କଳିଙ୍ଗର ସୈନ୍ୟବୃନ୍ଦ ଅଦୃଷ୍ଟପୂର୍ବ ଓ ଅଶ୍ରୁତପୂର୍ବ ରଣକୌଶଳ ପ୍ରଦର୍ଶନ କଲେ । ଲକ୍ଷ୍ୟ ଲକ୍ଷ୍ୟ ସୈନ୍ୟସାମନ୍ତଙ୍କର ଶିର ରଣାଙ୍ଗନ ଆଚ୍ଛାଦିତ କଲା । ରକ୍ତନଦୀ ପ୍ରବାହିତ ହେଲା । ଅସଂଖ୍ୟ କଳିଙ୍ଗ ସୈନିକଅଶୋକଙ୍କ ଦ୍ଵାରା ବନ୍ଦୀ ହେଲେ । ତଥାପି କଳିଙ୍ଗ ଶତ୍ରୁର ଅତ୍ୟାଚାର ଓ ଉଦ୍ୟତ ଅସ୍ତ୍ର ସମ୍ମୁଖରେ ମସ୍ତକ ଅବନତ କରିବାକୁ ଅସ୍ଵୀକାର କଲା । କଳିଙ୍ଗର ଅସୀମ ସାହସ ଏବଂ ରଣଧନ୍ଦୋଳର ପୈଶାଚିକୀ ଲୀଳା ସନ୍ଦର୍ଶନରେ ଅଶୋକଙ୍କ ହୃଦୟ ବିଗଳିତ ହୋଇଗଲା । ସେ ଚିତ୍କାର କରି କହିଉଠିଲେ, “ବନ୍ଦ କର–ବନ୍ଦ କର ଏ ଯୁଦ୍ଧ ! ହିଂସା–ପ୍ରଣୋଦିତ ତରବାରୀର ଜୟ ଜୟ ନୁହେଁ ।” ପଶୁବଳରେ ଶକ୍ତିଶାଳୀ ମଗଧ କଳିଙ୍ଗର ସାହସ ଓ ନୈତିକତା ନିକଟରେ ନମିତ ହେଲା ।

 

ଏ କି ଆଶ୍ଚର୍ଯ୍ୟ କଥା ! ସମ୍ରାଟଙ୍କର ଏ କି ପରିବର୍ତ୍ତନ ! ବିନା ଅସ୍ତ୍ରରେ, ବିନା ତରବାରୀରେ, ବିନା ରାଜଦଣ୍ଡରେ ସାମ୍ରାଜ୍ୟ ସ୍ଥାପନା ଓ ରାଜ୍ୟଶାସନ ? ଏ ଯେ ଅସମ୍ଭବ, ଅକଳ୍ପନୀୟ !

 

ମହାରାଜ ଅଶୋକ ତାର ଉତ୍ତର ଦେଇଥିଲେ । କଳିଙ୍ଗସଂଗ୍ରାମରେ ଆହତ, ନିହତ ଓ ବନ୍ଦୀମାନଙ୍କ ସଂଖ୍ୟାର ଶତସହସ୍ରାଂଶ ପ୍ରାଣରେ ଯଦି ସାମାନ୍ୟ ଆଘାତ ଲାଗେ, ତେବେ ଦେବାନାଂ ପ୍ରିୟ ପ୍ରିୟଦର୍ଶୀ ଅଶୋକଙ୍କ ପ୍ରାଣ ବ୍ୟଥିତ ହେବ । ‘ଦେବତାମାନଙ୍କ ପ୍ରିୟ’ ଅଶୋକଙ୍କ ମତରେ ଅପକାରୀ ଶତ୍ରୁ ମଧ୍ୟ କ୍ଷମାର ପାତ୍ର । ‘ଦେବତାଙ୍କ ପ୍ରିୟ’ ଅଶୋକ ଚାହାନ୍ତି ସମସ୍ତ ଜୀବସୃଷ୍ଟିର ଅକ୍ଷତି, ସଂଯମ, ସମଚର୍ଯ୍ୟା ଓ ପ୍ରସନ୍ନତା । ଯେଉଁ ବିଜୟ ଧର୍ମଦ୍ଵାରା ପ୍ରାପ୍ତ ହୁଏ, ଦେବତାମାନଙ୍କର ପ୍ରିୟ ଅଶୋକଙ୍କ ମତରେ କେବଳ ସେହି ବିଜୟକୁ ହିଁ ପ୍ରକୃତ ବିଜୟ ଆଖ୍ୟା ଦିଆଯାଇପାରେ ।

 

ପ୍ରକୃତରେ ତରବାରୀ ତ୍ୟାଗ କରି ଅଶୋକ ସମଗ୍ର ଭାରତରେ ଏକ ପ୍ରୀତିର ସାମ୍ରାଜ୍ୟ ପ୍ରତିଷ୍ଠା କଲେ । ଯେଉଁ ନିମ୍ନଭୂମିକୁ ସେ ଦିନେ ସର୍ବଶ୍ରେଷ୍ଠ ଆସନ ଜ୍ଞାନ କରିଥିଲେ, ସେହି ଭୂମି ପୂତ–ଅଶୋକ ଭୂମିର ସନ୍ତାନ ମନୁଷ୍ୟମାନଙ୍କ ହୃଦୟ–ସିଂହାସନରେ ଅପ୍ରତିଦ୍ୱନ୍ଦିତ୍ଵ ଅଧିକାର ଲାଭ କଲେ ।

 

ଆଜକୁ ଦ୍ୱାବିଂଶ ଶତାବ୍ଦୀ ପୂର୍ବେ ଏହି ମହାମନସ୍ଵୀ ଦେବାନାଂ ପ୍ରିୟ ପ୍ରିୟଦର୍ଶୀ–ପ୍ରିୟଦଶ୍‍ଶୀ–ଅଶୋକ, ମୌର୍ଯ୍ୟବଂଶର ସ୍ଥାପୟିତା ଚନ୍ଦ୍ରଗୁପ୍ତଙ୍କର ପୌତ୍ର ଓ ବିନ୍ଦୁସାର ଅମିତଘାତଙ୍କର ଅନ୍ୟତମ ପୁତ୍ର ଅଶୋକ ଏ ଦେଶର କର୍ଣ୍ଣଧାର ହେବାର ସୌଭାଗ୍ୟ ଲାଭ କରିଥିଲେ ।

 

କଳିଙ୍ଗ ସମରରେ ମହାର୍ଘ ବହୁଦର୍ଶିତା ଏବଂ ଅନନୁଭୂତ ଅଭିଜ୍ଞତା ଫଳରେ ପରିବର୍ତ୍ତିତ ଅଶୋକ, ବୌଦ୍ଧଧର୍ମର ‘ଶ୍ରାବକ’ ହୋଇଗଲେ । ସର୍ବଥା ସର୍ବବିଧ ହିଂସା ବିଶେଷତଃ ରାଜପ୍ରାସାଦ ମଧ୍ୟରେ ପ୍ରତିନିତ୍ୟ ସଂଘଟିତ ଯାବତୀୟ ଜୀବବଧ ସେ ନିଷିଦ୍ଧ କରିଦେଲେ । ରାଜ୍ୟମୟ ଘୋଷିତ ହୋଇଗଲା–କି ପଶୁ, କି ପକ୍ଷୀ ଯେ କୌଣସି ଜୀବବଧରେ ଅପରାଧୀ ରାଜଦ୍ଵାରରେ ଦଣ୍ଡିତ ହେବ-। ରାଜ୍ୟର ପ୍ରତି ପ୍ରାନ୍ତରରେ ସ୍ଥାପିତ ଅମାତ୍ୟମାନଙ୍କ ପ୍ରତି ସ୍ଥାୟୀ ଆଦେଶ ରହିଲା–‘‘ଅଗଣିତନରନାରୀଙ୍କର ଦାୟିତ୍ଵଗ୍ରାହୀ ସେବକରୂପେ ଆପଣମାନଙ୍କୁ ଉଚ୍ଚପଦସ୍ଥ କରାଯାଇଛି କାହିଁକି ? ଆପଣମାନେ ଦେବତାମାନଙ୍କର ପ୍ରିୟ ଏବଂ ସତ୍ପୁରୁଷଙ୍କର ସ୍ନେହଭାଜନ ବ୍ୟକ୍ତିଭାବରେ ସାମର୍ଥ୍ୟବାନ୍ ହୁଅନ୍ତୁ !”

 

ଆପଣାର ପ୍ରତିବେଦକମାନଙ୍କ ନାମରେ ସେ ଆଜ୍ଞାପତ୍ର ଜାରି କଲେ–ଭୋଜନାଳୟରେ ଭୋଜନରତ ଥିବାବେଳେ କିମ୍ବା ଅନ୍ତପୁରସ୍ଥ ଶୟନକକ୍ଷରେ ନିଦ୍ରିତାବସ୍ଥାରେ ଅଥବା ଅନ୍ୟ ଯେ କୌଣସି ପରିସ୍ଥିତିରେ ପ୍ରଜାର ନିବେଦନ ସୂଚିତ ହେବା ଏକାନ୍ତ ଆବଶ୍ୟକ । ସର୍ବତ୍ର ସର୍ବ ସମୟରେ ପ୍ରଜାକାର୍ଯ୍ୟ ହିଁ ମୋର କର୍ତ୍ତବ୍ୟ ।

 

ବୁଦ୍ଧଦେବ ବୌଦ୍ଧଧର୍ମର ମୂଳ ବୀଜମନ୍ତ୍ର ମାତ୍ର ଆବିଷ୍କାର କରିଥିଲେ; କିନ୍ତୁ ବୁଦ୍ଧଙ୍କର ସେହି ବୋଧିତତ୍ତ୍ୱକୁ କେହି ଯଦି ଏସିଆଖଣ୍ଡର ଗୃହେ ଗୃହେ ପ୍ରକଟ କରିବାର ସାମର୍ଥ୍ୟ ଦେଖାଇଥାଏ, ସେ ହେଉଛନ୍ତି ମହାରାଜାଧିରାଜ ପୁଣ୍ୟଶ୍ଳୋକ ଅଶୋକ । ଅଶୋକଙ୍କ ସମୟରେ ହିଁ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଗଠିତ ଧର୍ମମହାମାତ୍ୟମାନେ ନିକଟବର୍ତ୍ତୀ ରାଜ୍ୟ ତଥା ସୁଦୂର ବିଦେଶ ଯାତ୍ରା କରିଥିଲେ । ପାଟଳୀ ପୁତ୍ର ସମୀପସ୍ଥ ଅଶୋକାରାମ ସ୍ଥାନରେ ଅଶୋକଙ୍କର ଧର୍ମଗୁରୁ ମୋଗ୍ଗଲିପୁତ୍ତ ତିସ୍ସ ବା ଉପଗୁପ୍ତଙ୍କ ନେତୃତ୍ଵରେ ଅଶୋକଙ୍କ ରାଜତ୍ୱର ଅଷ୍ଟାଦଶ ଅଙ୍କରେ ବୌଦ୍ଧସଂଘର ତୃତୀୟ ସଂଗୀତିର ନବମାସାବଧି ଅଧିବେଶନ ବସିଥିଲା । ଏହି ସଂଗୀତିରେ ନିର୍ଦ୍ଧାରିତ ‘ଧର୍ମ ବିଜୟ’ ନୀତି ଧାର୍ଯ୍ୟ ହେଲା । ତଦନୁସାରେ ତିସ୍ସଙ୍କ ଆଦେଶକ୍ରମେ ଥେରା ବା ବୌଦ୍ଧଭିକ୍ଷୁ ବିଦ୍ୱାନମାନଙ୍କୁ ସୁଦୂର ଖାତମ୍, ସିଂହଳ, ସ୍ୱର୍ଣ୍ଣଭୂମି ପର୍ଯ୍ୟନ୍ତ ପ୍ରେରଣ କରାଗଲା । କଥିତ ଅଛି, ଅଶୋକକନ୍ୟା ସଂଘମିତ୍ରା ନିଜେ ସିଂହଳ ଯାତ୍ରା କରିଥିଲେ । ସମ୍ଭବତଃ ସଂଘ ଶବ୍ଦରୁହିଁ ସିଂହଳ ଶବ୍ଦର ଉଦ୍ଭବ ।

 

ଅଶୋକ ଯେ କେବଳ ଜଣେ ଧର୍ମପ୍ରଚାରକ ଭାବରେ ପ୍ରସିଦ୍ଧି ଲାଭ କରି ରାଜଦଣ୍ଡର ସୁଯୋଗ ନେଇ ସ୍ଵଧର୍ମର ବହୁଳ ପ୍ରଚାର କରିଥିଲେ, କେବଳ ଯେ ଅନୁଶାସନାବଳିପୂର୍ଣ୍ଣ ସ୍ତୂପ ବା ସ୍ତମ୍ଭମାନ ପ୍ରତିଷ୍ଠା କରିଯାଇଥିଲେ ତାହା ନୁହେଁ; ତାଙ୍କ ରାଜତ୍ଵକାଳରେ ଦେଶର ସର୍ବବିଧ ଉନ୍ନତି ସାଧିତ ହୋଇଥିଲା ଏବଂ ନାନା ଲୋକହିତକର କାର୍ଯ୍ୟ ମଧ୍ୟ ସୁସମ୍ପନ୍ନ ହୋଇଥିଲା ।

 

ଅଶୋକଙ୍କର ପ୍ରଧାନ ଶିଳାଭିଲେଖରେ ଚଉଦଟି ଅନୁଶାସନ ବା ଧର୍ମଲିପି ଲିପିବଦ୍ଧ ହୋଇଛି ଏବଂ ସ୍ତମ୍ଭାଭିଲେଖରେ ମାତ୍ର ସାତୋଟି ସର୍ତ୍ତ ଦେଖିବାକୁ ମିଳେ । ସର୍ବ ପ୍ରକାର ଅନୁଶାସନର ସଂଖ୍ୟା ପ୍ରାୟ କ୍ରୟସ୍ତ୍ରିଂଶଟି ଅଦ୍ୟାବଧି ଆବିଷ୍କୃତ ହୋଇଅଛି । ସମୁଦାୟ ୮୦,୦୦୦ ସ୍ତମ୍ଭ ଅଶୋକ ସ୍ଥାପନ କରିଯାଇଥିଲେ । ଏହା ପ୍ରବାଦ ମାତ୍ର ।

 

ସ୍ୱାଧୀନ ଭାରତରେ ଏହି ଅଶୋକସ୍ତମ୍ଭ ହିଁ ରାଷ୍ଟ୍ରର ଶାସନସଂକେତ ଏବଂ ଭାରତର ଜାତୀୟ ପତାକାନ୍ତର୍ଗତ ଶିଳ୍ପର ପ୍ରତୀକ ଚକ୍ରାକୃତ ଚିହ୍ନ ମଧ୍ୟ ଅଶୋକ–ସ୍ତମ୍ଭାଙ୍କିତ ଗୋଟିଏ କଳାମଣ୍ଡିତ ଚକ୍ରଲେଖ ।

★★★

 

ଚରକ ସୁଶ୍ରୁତ

 

ବହୁବିଧ ବନସ୍ପତି–ବିମଣ୍ଡିତ ଏହି ଭାରତବର୍ଷ ଦିନେ ଯେ ଚିକିତ୍ସାବିଜ୍ଞାନରେ ପାରାକାଷ୍ଠା ଲାଭ କରିଥିଲା, ଏ ଦେଶ ଯେ ସମଗ୍ର ପୃଥିବୀର ଚିକିତ୍ସା–ବିଜ୍ଞାନର ବିଧାତା ଏବଂ ଏହି ଦେଶର ଚିକିତ୍ସାବିଧାନ ଯେ ଦିନେ ଆରବ, ପାରସ୍ୟ ଓ ଗ୍ରୀକ୍ ଦେଶ ଅତିକ୍ରମ କରି ଇଉରୋପ ଭୂମିରେ ମଧ୍ୟ ପ୍ରସାର ଲାଭ କରିଥିଲା, ଏ କଥାର ପ୍ରମାଣ ଦେବାପାଇଁ ହୁଏ ତ ଭାରତୀୟ ଆୟୁର୍ବେଦର ବର୍ତ୍ତମାନ ଅବସ୍ଥା ଯଥେଷ୍ଟ ଶକ୍ତିଶାଳୀ ନୁହେଁ; ତଥାପି ଐତିହାସିକମାନେ ଭାରତୀୟ ଆୟୁର୍ବେଦକୁ ହିଁ ମାନବସମାଜର ସର୍ବପ୍ରଥମ ଓ ସର୍ବପ୍ରଧାନ ଚିକିତ୍ସାଶାସ୍ତ୍ର ବୋଲି କହିବାକୁ ଦ୍ଵିଧା କରନ୍ତି ନାହିଁ ।

 

ଋକ୍ବେଦ ସମୟର କଥା । ଋକ୍ବେଦ ସର୍ଜନାର ସମୟ ମଧ୍ୟ ନୁହେଁ–ତତ୍ପୂର୍ବ ବହୁ ଶତାବ୍ଦୀ କାଳକ୍ରମରେ ରାଜମହିଷୀ ବିଶ୍ୱଳାଙ୍କ ନଷ୍ଟପାଦ ବିନିମୟରେ ଧାତୁନିର୍ମିତ କୃତ୍ରିମ ଅଙ୍ଗ ବିନିଯୋଗ କରିବା ନିମନ୍ତେ ଦେବବୈଦ୍ୟ ଅଶ୍ୱିନୀକୁମାରଙ୍କର ମର୍ତ୍ତ୍ୟ–ଆଗମନ ବାର୍ତ୍ତା ଋକ୍ବେଦର ୧୧୬ଶ ସୂକ୍ତରେ ବର୍ଣ୍ଣିତ ଅଛି । ସେ ଆଜକୁ କେତେ ସହସ୍ର ବର୍ଷର କଥା, କିଏ କହିବ ! ସେତେବେଳେ ମଧ୍ୟ ଏ ଦେଶ ଭେଷଜବିଦ୍ୟା ଓ ଶଲ୍ୟଚିକିତ୍ସାରେ ଅଦ୍ଵିତୀୟ ଥିଲା ।

 

ଏହି ଭେଷଜତତ୍ତ୍ୱ ଓ ଚିକିତ୍ସାନିଦାନ ସମ୍ବନ୍ଧରେ ପୁରାତନ ଭାରତରେ ଜ୍ଞାନର ପ୍ରମାଣ ସ୍ୱରୂପ ଆମ୍ଭେମାନେ ପାଉଁ ସର୍ବପ୍ରଥମ ଆୟୁର୍ବିଦ୍ୟା ‘ଚରକ ସଂହିତା’ ।

 

ମାତ୍ର କିଏ ଏହି ଆଦି ଚିକିତ୍ସକ ସଂହିତାରଚୟିତା ଚରକ ?କିଏ ଏହି ଅଦ୍ଭୁତକର୍ମା ମନୀଷୀ ? କେଉଁ ଯୁଗରେ–କେଉଁ ନିର୍ଦ୍ଦିଷ୍ଟ କାଳରେ ସେ ଏହିଭାରତଭୂମିରେ ହିଁ ଜନ୍ମଲାଭ କରି ସ୍ଵୀୟ ଜୀବନକୁ ସାର୍ଥକ କରିବା ସଙ୍ଗେ ସଙ୍ଗେ ସମଗ୍ର ପୃଥିବୀକୁ ଧନ୍ୟ କରିଗଲେ ?

 

ଏହାର ସାଧୁ ଉତ୍ତର ଦେବା ଏବେ ମଧ୍ୟ ସମ୍ଭବ ନୁହେଁ । ଏଯାବତ୍ ସମସ୍ତ ନିର୍ଣ୍ଣୟ କେବଳ ଅନୁମାନସିଦ୍ଧ–ପ୍ରମାଣପୁଷ୍ଟ ନୁହେଁ । ଶନ୍ ଦେଶର ଏକ ପୁରାତନ ତ୍ରିପିଟକରେ ଚରକ ନାମକ କୌଣସି ବୈଦ୍ୟ କୁଷାଣ ସମ୍ରାଟ୍ କନିଷ୍କଙ୍କର ଆଧ୍ୟାତ୍ମିକ ଗୁରୁ ଥିଲେ ବୋଲି ଉଲ୍ଲେଖ ଅଛି-। ସେହି ପୁସ୍ତକାନୁସାରେ ଚରକଙ୍କୁ ଦ୍ୱିତୀୟ ଶତାବ୍ଦୀର ମନୁଷ୍ୟ ବୋଲି ବୋଲାଯାଇପାରେ । କିନ୍ତୁ ଅନ୍ୟ କେତେକ ପୁରାତନତତ୍ତ୍ଵବେତ୍ତ ଚରକର ରଚନାକାଳ ଓ ଅଥର୍ବବେଦର ରଚନାକାଳ ମଧ୍ୟରେ ଏକ ହଜାର ବର୍ଷ ବ୍ୟବଧାନ ଥିବାର ପ୍ରମାଣ କରନ୍ତି । ମାତ୍ର ଏ କଥା ଅତ୍ୟନ୍ତ ସଭ୍ୟ ଯେ ‘ସ୍ମୃତି’ର ସଂସ୍କାର ଭଳି କାଳକ୍ରମେ ଚରକର ମଧ୍ୟ ଦୈନଦିନ ପରୀକ୍ଷା ଓ ପର୍ଯ୍ୟବେକ୍ଷଣ ଫଳରେ ସଂସ୍କାର ସାଧିତ ହୋଇଛି । ଏହାର ଶେଷ ୪୧ ଅଧ୍ୟାୟ ପରବର୍ତ୍ତୀ ସଂକଳନ ବୋଲି ସ୍ପଷ୍ଟ ବୋଧ ହୁଏ-

 

ସୁତରାଂ ଭାରତୀୟ ଚିକିତ୍ସାଶାସ୍ତ୍ର ଆୟୁର୍ବେଦ କେବଳ ଚରକଙ୍କ ଦାନରେ ପୁଷ୍ପ ନୁହେଁ, ବହୁ ଋଷି ମଧ୍ୟ ସ୍ଵ ସ୍ଵ ପ୍ରତିଭାର ପରିଚୟ ଏହି ଶାସ୍ତ୍ର ଜରିଆରେ ଦେଇ ଏ ଶାସ୍ତ୍ରର ପୁଷ୍ଟିସାଧନ କରିଛନ୍ତି । ଏ ଶାସ୍ତ୍ରର ମୌଳିକ ନିର୍ମାତାମାନଙ୍କ ମଧ୍ୟରେ ଭରଦ୍ୱାଜ, ପୁନର୍ବସୁ, ଅଗ୍ନିବେଶ, ଭେଲ, ଜାତୁକର୍ଣ୍ଣ, ପରାଶର, ହାରିତ ଓ କ୍ଷାରପାଣି ଆଦିଙ୍କର ନାମ ଉଲ୍ଲେଖଯୋଗ୍ୟ । ଏମାନଙ୍କ ମଧ୍ୟରେ ଅଗ୍ନିବେଶ ଅତ୍ୟନ୍ତ ମେଧାବୀ ଥିଲେ । କୁହାଯାଏ, ତାଙ୍କର ବିଚାରଧାରାର ସାରାଂଶସଂଗ୍ରହହିଁ ଚରକସଂହିତାର ରୂପ ପରିଗ୍ରହ କରିଛି ପରବର୍ତ୍ତୀ କାଳରେ ।

 

ବାସ୍ତବରେ ଚରକସଂହିତା ଏକ ଅଦ୍ଭୁତ ଚିକିତ୍ସାଶାସ୍ତ୍ର ! ଏହି ପୁସ୍ତକର ପ୍ରାରମ୍ଭିକ ପ୍ରକରଣରେ କି ମନୋରମ ଚିତ୍ର ! ଚୈତ୍ରରଥର ଗହନ ରମଣୀୟ ଅରଣ୍ୟ । ଆତ୍ରେୟ, ପୁନର୍ବସୁ, ଭଦ୍ରକାଶ୍ୟପ, ଶାକୁନ୍ତେୟ, ମୌଦଗଲ୍ୟ, କୈଶିକ, ଭରଦ୍ୱାଜ, ବାରି ଓ ବିଦ; ତଥା ନମି, ବାଦିଶ, ଧାମାଗର୍ଗ ଓ ବହ୍ଲୀକ ଆଦି ବଶିଷ୍ଟ ପ୍ରାଣାଚାର୍ଯ୍ୟ ରୋଗବ୍ୟାଧି ଓ ତା’ର ଔଷଧ ଉପରେ ସ୍ୱ ସ୍ୱ ମତ ବ୍ୟକ୍ତି କରୁଛନ୍ତି । ସେହି ସମସ୍ତ ଗବେଷକ ଋଷିଙ୍କର ଶ୍ରେଷ୍ଠ ବିଚାରସଂଗ୍ରହ ରୂପ ନେଲା ଚରକସଂହିତାରେ । ବାତ, ପିତ୍ତ, କଫ ଏହି ତ୍ରିବିଧ ଶାରୀରିକ କ୍ଷରଣର ବୈଷମ୍ୟରେ ରୋଗର ଉତ୍ପତ୍ତି ବୋଲି ଏହି ପ୍ରାଣାଚାର୍ଯ୍ୟମାନେ ଯେଉଁ ନିଷ୍ପତ୍ତି କରିଗଲେ, ତାହାହିଁ ଭାରତୀୟ ଆୟୁର୍ବେଦର ମୂଳଭିତ୍ତି ବୋଲି କହିବାକୁ ହେବ ।

 

ପାଶ୍ଚାତ୍ୟ ବା ଆଧୁନିକ ଚିକିତ୍ସାବିଜ୍ଞାନ ରୋଗନିର୍ଣ୍ଣୟ ପ୍ରଣାଳୀରେ ଆଜିପର୍ଯ୍ୟନ୍ତ ଏହି ସିଦ୍ଧାନ୍ତର ସମକକ୍ଷ ଆବିଷ୍କାର କରିପାରିନାହିଁ ।

 

ଭାରତ ଯେ କେବଳ ରୋଗତତ୍ତ୍ଵ, କାୟାତତ୍ତ୍ଵ ଓ ଔଷଧ ପ୍ରକରଣାଦି ବିଶିଷ୍ଟ ବିଜ୍ଞାନବିଦ୍ୟାରେ ଉତ୍କର୍ଷ ଲାଭ କରିଥିଲା ତାହା ନୁହେଁ, ଶଲ୍ୟଚିକିତ୍ସା ବା ଅସ୍ତ୍ରୋପଚାର ବିଦ୍ୟାରେ ମଧ୍ୟ ସେ ଯଥେଷ୍ଟ ଧୂରୀଣ ଥିଲା । ବର୍ତ୍ତମାନ କାଳର ପ୍ରତ୍ନତାତ୍ତ୍ଵିକମାନେ ଏପରି ଅଦ୍ଭୁତ ପ୍ରାଚୀନ ଶଲ୍ୟ–ଉପକରଣର ସନ୍ଧାନ ପାଇଛନ୍ତି, ଯାହାର ଉପଯୁକ୍ତ ବ୍ୟବହାର ସମ୍ବନ୍ଧରେ ଅଧୁନିକ କୃତୀ ଅସ୍ତ୍ରୋପଚାରକମାନେ କୌଣସି ସିଦ୍ଧାନ୍ତ କରିପାରୁ ନାହାନ୍ତି ।

 

ପ୍ରଶ୍ନ ଉଠେ–ଏଭଳି ଉନ୍ନତ ଏକ ବିଜ୍ଞାନ କାଳକ୍ରମେ ଏକାବେଳକେ ଲୋପ ପାଇଯିବାର କାରଣ କ’ଣ ? ଗବେଷକମାନେ ଏହାର ଉତ୍ତର ଦିଅନ୍ତି ଯେ, ଉତ୍ତରକାଳରେ ଭେଷଜଶାସ୍ତ୍ରର ଏଭଳି ଉନ୍ନତି ସାଧିତ ହେଲା, ଯାହା ଫଳରେ ଚିକିତ୍ସକମାନେ ବିଶଲ୍ୟକରଣୀମାନ ଆବିଷ୍କାର କରିବାରୁ ଶଲ୍ୟକରଣର ଆଉ ଆବଶ୍ୟକତା ଦେଖିଲେ ନାହିଁ । ତେଣୁ କାଳକ୍ରମେ ଶଲ୍ୟବିଦ୍ୟା ଅପକ୍ରିୟା, ନିର୍ମମ ଓ ଅମାନୁଷିକ ବିବେଚିତ ହେବାକୁ ଲାଗିଲା । ଫଳରେ ତାହା ବୈଦ୍ୟପ୍ରକ୍ରିୟା ହେବା ପରିବର୍ତ୍ତରେ ନାପିତକ୍ରିୟାରେ ପରିଣତ ହେଲା । ଶଲ୍ୟ–ଉପଚାରକମାନଙ୍କୁ ସମାଜ ପତିତ ଶ୍ରେଣୀରେ ଗଣ୍ୟ କଲା ।

 

‘ଶଲ୍ୟତନ୍ତ୍ର’ର ପ୍ରଧାନ ଉଦ୍‍ଗତା ହେଉଛନ୍ତି ସୁଶ୍ରୁତ । ସୁଶ୍ରୁତଙ୍କର ସଂହିତା ଚରକସଂହିତା ସଂକଳନଠାରୁ ଅଧିକ ସୁବ୍ୟବସ୍ଥିତ, କ୍ରମବଦ୍ଧ ଓ ସୁସଙ୍ଗତ ମନେହୁଏ । ମହାଭାରତ ଅନୁସାରେ ସୁଶ୍ରୁତ ବିଶ୍ୱାମିତ୍ରଙ୍କର ପୁତ୍ର ଥିଲେ । ଅନୁସୃତି ଅନୁସାରେ ସେ ଦେବବୈଦ୍ୟ ଧନ୍ଵନ୍ତରୀଙ୍କର ଶିଷ୍ୟ । ସୁଶ୍ରୁତଙ୍କର ଶଲ୍ୟ–ଚିକିତ୍ସା ଶାସ୍ତ୍ରରେ ଅନ୍ୟ କାହାରି ହସ୍ତମୁଦ୍ରା ଅଙ୍କିତ ଥିବାର ପ୍ରମାଣ ମିଳେ ନାହିଁ; କିନ୍ତୁ ଚରକସଂହିତା ଚରକଙ୍କର ମୂଳକୃତି ନୁହେଁ । ନାଗାର୍ଜ୍ଜୁନ ତାହାକୁ ପରିମାର୍ଜିତ ଓ ପରିବର୍ଦ୍ଧିତ କରିଛନ୍ତି ଏବଂ ଏହି ସଂହିତାର ପରିଶିଷ୍ଟ ଭାଗର ପ୍ରଣେତା ସ୍ଵୟଂ ନାଗାର୍ଜ୍ଜୁନ ବୋଲି ଟୀକାକାର ବଲ୍ଵଣାଚାର୍ଯ୍ୟଙ୍କର ମତ ।

 

ଚରକ ସୁଶ୍ରୁତଙ୍କ ପରେ ଆୟୁର୍ବେଦଜଗତରେ ଧାତୁଶାସ୍ତ୍ରବିଶେଷଜ୍ଞ ନାଗାର୍ଜ୍ଜୁନ, ଅଷ୍ଟାଙ୍ଗହୃଦୟର ରଚୟିତା ବାଗ୍ଭଟ୍ଟ, ମାଧବନିଦାନର ପ୍ରଣେତାବୃନ୍ଦ, ଚକ୍ରଦତ୍ତର ନିର୍ମାତା ଓ ଚରକଟୀକାକାର ଚକ୍ରପାଣି, ସାରଙ୍ଗଧର ସଂହିତା ଲେଖକ ନିଜେ ସାରଙ୍ଗଧର, ରସଗଙ୍ଗାଧର ରଚୟିତା ଗଙ୍ଗାଧର, ଭାବପ୍ରକାଶର ଲେଖକ ଭାବମିଶ୍ର ଆଦି ପ୍ରସିଦ୍ଧ ।

★★★

 

ସୁମେଧସ ପତଞ୍ଜଳି

 

ଭାରତୀୟ ସଂସ୍କୃତିରେ ଏକ ମହତ୍ତ୍ୱପୂର୍ଣ୍ଣ ଯୁଗର ଦୀପସ୍ତମ୍ଭ ପତଞ୍ଜଳି । ଆଜି ଆମ୍ଭେମାନେ ଯେଉଁ ପତଞ୍ଜଳିଙ୍କର ପରିଚୟ ପାଉଁ, ଏ ଧରାଧାମରେ ତାଙ୍କର ଆବିର୍ଭାବ ହେବାର ବହୁ ଶତାବ୍ଦୀ ପୂର୍ବରୁ ସେହି ନାମରେ ଆଉ ଜଣେ ମନୀଷୀ ଜନ୍ମଗ୍ରହଣ କରିଥିଲେ ।

 

ଏ ଅଧ୍ୟାୟର ଉଦ୍ଦେଶ୍ୟ ଯୋଗସୂତ୍ରକାର ପୂର୍ବ ପତଞ୍ଜଳିଙ୍କର ଜୀବନ ଅଧ୍ୟୟନ ନୁହେଁ । ସେ ପତଞ୍ଜଳିଙ୍କର ଚରିତ୍ର ଶ୍ରବଣରେ ଏ ନବତମ ଯୁଗରେ କ୍ଵଚିତ୍ ଭାରତୀୟ ସ୍ପୃହାବାନ୍ ହୋଇଥାଏ । ‘ଅଷ୍ଟାଙ୍ଗଯୋଗ’ ଆଜି ବିସ୍ମୃତିର ଗର୍ଭରେ । ବୌଦ୍ଧଧର୍ମନିର୍ଦ୍ଦିଷ୍ଟ ମଧ୍ୟମ ପନ୍ଥାର ପ୍ରଶ୍ରୟ ପାଇ ଭାରତ କଠୋର ସଞ୍ଜମର ରଶ୍ମି ଶିଥିଳ କରିଦେଇଛି । ବୌଦ୍ଧଧର୍ମର ଅଭ୍ୟୁଦୟକାଳ ଅବସାନ ହେବା ସମୟର କଥା । ଚତୁର୍ଦ୍ଦିଗରେ ଅନ୍ଧକାର ଘୋଟି ଆସୁଥିଲା । ଧର୍ମର ଗ୍ଳାନିରେ ପତିତ ଭାରତ ପୁଣି ଏକ ନବ ଅଭ୍ୟୁତ୍ଥାନର ସ୍ୱାଗତ ନିମନ୍ତେ ଆକାଙ୍କ୍ଷିତ ହୋଇ ରହିଥିଲା ।

 

ଏତିକିବେଳେ ଆସିଲା ତତ୍କାଳୀନ ଭାରତର ଉଷରବକ୍ଷକୁ ପ୍ଳାବିତ କରି ପୁଣି ଏକ ପ୍ରବଳ ବନ୍ୟା । ଭସାଇଦେଲା ସେ ପୁରାତନ ଜୀର୍ଣ୍ଣ ଧ୍ୱଂସାବଶେଷ । ସେହି ନବତନ ବୃଷ୍ଟିଜନିତ ଅଙ୍କୁରୋଦ୍‍ଗମକାଳରେ ଯିଏ ଏହି ଭାରତବର୍ଷର ଶିରୋପରି ଛତ୍ରଛାୟା ବିସ୍ତାର କରିଥିଲେ, ସିଏ ଆଉ ଏକ ପ୍ରଖ୍ୟାତ ମନୀଷୀ ମହାଭାଷ୍ୟକାର ପତଞ୍ଜଳି । ସେ ଅଷ୍ଟାଙ୍ଗଯୋଗୀ ପତଞ୍ଜଳି ନୁହନ୍ତି ।

 

ମଗଧରେ ପୁଷ୍ପମିତ୍ର ଶୁଙ୍ଗଙ୍କର ରାଜତ୍ଵକାଳ । ଖ୍ରୀ: ପୂ: ଅର୍ଦ୍ଧଶତ ଶତାଦ୍ଦୀର ଆଖ୍ୟାୟିକା ଭାରତର ଆକାଶ ପୁନର୍ବାର ବୈଦିକ ମନ୍ତ୍ରର ପ୍ରାଣସ୍ପର୍ଶୀ ଝଙ୍କାରରେମନ୍ଦ୍ରିତ ହୋଇଉଠିଲା । ପାଟଳୀପୁତ୍ରରେ ଶୁଙ୍ଗବଂଶଜ ପୁଷ୍ପମିତ୍ର ମୌର୍ଯ୍ୟଙ୍କର ଶେଷ ବଂଶଧର ବୃହଦ୍ରଥଙ୍କୁ ହତ୍ୟା କରି ନୂଆ ରାଜତନ୍ତ୍ର ଶାସନ ପ୍ରତିଷ୍ଠା କରିବା ପରେ ଅଶ୍ଵମେଧ ଯଜ୍ଞ ଆରମ୍ଭ କଲେ । ସେହି ଯଜ୍ଞର ଋତ୍ୱିକମାନଙ୍କ ମଧ୍ୟରେ କିଏ ଏହି ମେଧାବୀ, ତେଜସ୍ଵୀ ପୁରୁଷ, ଯାହାଙ୍କ ବିଚକ୍ଷଣ ଧୀମତ୍ତର ପରିଚୟ ପାଇବାପାଇଁ ସମଗ୍ର ଭାରତ ସତେ ଯେପରି ଉତ୍କଣ୍ଠ ଉଦ୍‍ଗ୍ରୀବ ହୋଇ ଚାହିଁ ରହିଅଛି ? ବିଦିଶା ନିକଟସ୍ଥ ଗୋନଦ–ଅଧିବାସୀ ଗୋଡ଼ିକାଙ୍କ ପୁତ୍ର ବା ଗୋନର୍ଦୀୟ ଗୋଣିକାପୁତ୍ର ପତଞ୍ଜଳି କ୍ରମେ ଭାରତର ଗୁଣିଗଣଗଣନାରମ୍ଭରେ ଶୀର୍ଷ ସ୍ଥାନ ଅଧିକାର କଲେ ।

 

ପୁଷ୍ପମିତ୍ରଙ୍କର ରାଜତ୍ଵ ଭାଙ୍ଗିପଡ଼ିଲା । କଳିଙ୍ଗଚକ୍ରବର୍ତ୍ତୀ ଖାରବେଳ ପୁଷ୍ପମିତ୍ରଙ୍କର ସମସ୍ତ ମଗଧ ରାଜ୍ୟ ଅଧିକାର କଲେ । କିନ୍ତୁ ମଗଧାପତିଙ୍କ ଯଜ୍ଞପୁରୋଧା ପତଞ୍ଜଳିଙ୍କର ସ୍ପର୍ଦ୍ଧିତ ମସ୍ତିଷ୍କ କେବେହେଲେ କେଉଁ ଶକ୍ତିଶାଳୀ ବାହୁବଳର ପତକାତଳେ ଅବନତ ହୋଇ ନାହିଁ । ମହାଭାଷ୍ୟକାର ପତଞ୍ଜଳିଙ୍କ ଶିର ମଗଧର ପତନକାଳରେ ଯେପରି ଉଦ୍ଧତ ହୋଇ ରହିଥିଲା, ଆଜି ବହୁ ଶତାବ୍ଦୀ ଅତୀତ–ଗର୍ଭରେ ବିଲୀନ ହେଲେ ମଧ୍ୟ ତାହା ପୂର୍ବ ପରି ଉନ୍ନତ ରହିଅଛି । ପତଞ୍ଜଳିଙ୍କ ପରିଚୟ ତାଙ୍କର ପିତୃପିତାମହ କିମ୍ବା ତାଙ୍କର ବାସସ୍ଥଳୀ ଆବିଷ୍କାରକୁ ଅପେକ୍ଷା କରେ ନାହିଁ; ତେଣୁ ପତଞ୍ଜଳିଙ୍କର ମହାଭାଷ୍ୟରୁ ଗୋନର୍ଦୀୟ ଓ ଗୋଣିକାପୁତ୍ର ଏହି ଦୁଇଟି ଶବ୍ଦକୁ ଘେନି ପତଞ୍ଜଳିଙ୍କ ଜୀବନ ଉପରେ ଯେଉଁ ସାମାନ୍ୟ ଆଲୋକପାତ କରାଯାଏ, ତାହା ସର୍ବମାନ୍ୟ ନ ହେଲେହେଁ ପତଞ୍ଜଳି ଯେ ଏହି ଭାରତର ସନ୍ତାନ ଏବଂ ଏହି ଭାରତବର୍ଷର ହିଁ କୀର୍ତ୍ତିଧ୍ଵଜା ଉଚ୍ଚ ହିମାଳୟଶିଖରରେ ମହାଦିଗ୍‍ବିଜୟୀ ସଦୃଶ ଉତ୍ତୋଳନ କରି ଯାଇଛନ୍ତି, ଏ କଥାର ପ୍ରତିବାଦ କେହି କରିପାରିବେ ନାହିଁ ।

 

ପତଞ୍ଜଳିଙ୍କର ‘ମହାଭାଷ୍ୟ’ ଏକ ଅଦ୍ୱିତୀୟ ଗ୍ରନ୍ଥ । କେବଳ ଶଙ୍କରକୃତ ବେଦାନ୍ତସୁତ୍ରକୁ ତା’ର ସମସ୍ଥାନ ଦେଲେ ହୁଏ ତ ଦିଆଯାଇପାରେ । ପତଞ୍ଜଳିଙ୍କର ମହାଭାଷ୍ୟ ପାଣିନିଙ୍କ ଅଷ୍ଟାଧ୍ୟାୟୀର ଏକ ଭାଷ୍ୟରୂପେ ପରିଗଣିତ । ଏଥିରେ ଚାରି ହଜାର ଶ୍ଳୋକ ସନ୍ନିବିଷ୍ଟ ଅଛି । ତନ୍ମଧ୍ୟରୁ କାତ୍ୟାୟନଙ୍କର ‘ବାର୍ତ୍ତିକ’ କୁ ସମ୍ମୁଖରେ ରଖି ସତରସହ ତେରଟି ଶ୍ଳୋକ ସଂକଳିତ ହୋଇଛି ଏବଂ ପତଞ୍ଜଳି ‘ଇଷ୍ଟ’ ନାମକ ସ୍ଵକୀୟ ଟିପ୍ପଣୀ ଦ୍ଵାରା ପାଣିନିଙ୍କ ଅନ୍ୟ ସୁତ୍ରଗୁଡ଼ିକର ସ୍ଵାଧୀନ ଆଲୋଚନା କରିଛନ୍ତି । କାତ୍ୟାୟନ, ପାଣିନି ଓ ପତଞ୍ଜଳି ଏହି ତିନି ବିଦ୍‍ବେତ୍ତା ଭାରତୀୟ ବ୍ୟାକରଣଶାସ୍ତ୍ରର ‘ମୁନିତ୍ରୟ’ ବୋଲି ସୁବିଖ୍ୟାତ । ଏମାନଙ୍କ ମଧ୍ୟରେ ପତଞ୍ଜଳି ହିଁ ଉତ୍ତରକାଳୀନ ସଂସ୍କୃତ ସାହିତ୍ୟର ନିୟାମକ ଥିଲେ । ଫଳତଃ କାଳିଦାସଙ୍କଠାରୁ ଆରମ୍ଭ କରି ଶଙ୍କରଙ୍କ ପର୍ଯ୍ୟନ୍ତ ପତଞ୍ଜଳି ହିଁ ଥିଲେ ସାହିତ୍ୟ–ଆକାଶର ଧ୍ରୁବତାରା ।

 

କେବଳ ‘ଅଷ୍ଟାଧ୍ୟାୟୀ’ ନୁହେଁ, ଭାରତର ତତ୍କାଳୀନ ଇତିହାସ, ଭୂଗୋଳ, ଧର୍ମ, ସମାଜ ଓ ସାହିତ୍ୟର ଦର୍ପଣସ୍ୱରୂପ ଥିଲେ ଏହି ପତଞ୍ଜଳି । ଏତଦ୍‍ବ୍ୟତୀତ ଏହି ମହାମୁନି ପତଞ୍ଜଳି ହିଁ ‘ସ୍ଫୋଟବାଦ’ ନାମକ ଏକ ନୂତନ ଦର୍ଶନବିଚାର ଭାରତୀୟ ସଂସ୍କୃତିରେ ପରିସ୍ଫୁଟ କରିଥିଲେ । ‘ସ୍ଫୋଟବାଦ’ ଅନୁସାରେ ସ୍ଫୋଟ ନାମକ ନିରବୟବ ନିତ୍ୟ ଅକ୍ଷର ବା ଶବ୍ଦବ୍ରହ୍ମ ହିଁ ଜଗତର ଆଦିକାରଣ । କିନ୍ତୁ ଏ ସ୍ଫୋଟବାଦ ଯୋଗୀ ପତଞ୍ଜଳିଙ୍କର ଆବିଷ୍କାର କି ଭାଷ୍ୟକାର ପତଞ୍ଜଳିଙ୍କର ପ୍ରବୁଦ୍ଧ ବିଚାର, ତାହା ଏପର୍ଯ୍ୟନ୍ତ ମୀମାଂସିତ ହୋଇ ନାହିଁ ।

 

ପତଞ୍ଜଳିଙ୍କର ଯୋଗକୁ ‘ସାତବାହନଶୁଙ୍ଗ ଯୁଗ’ ବୋଲି ବୋଲାଯାଇପାରେ । କିମ୍ବା ‘ଅଶ୍ଵମେଧର ପୁନରୁଦ୍ଧାର ଯୁଗ’ ରୂପେ ତାହା ଆଖ୍ୟାତ ହୋଇପାରେ । ମାତ୍ର ଏହା ଯେ ଭାରତର ଏକ ପୁନରୁତ୍ଥାନର ସମୟ, ଏଥିରେ ସନ୍ଦେହ ନାହିଁ । ଏହି ସମୟରେ ମନୁସ୍ମୃତି ଓ ଯାଜ୍ଞବଳ୍କ୍ୟସ୍ମୃତିର ବିଧିବଦ୍ଧ ସଂକଳନ ହୋଇଥିଲା । ରାମାୟଣ ଓ ମହାଭାରତର ଅନ୍ତିମ ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଲା । ପତଞ୍ଜଳିଙ୍କ ମହାଭାଷ୍ୟ ସଙ୍ଗେ ସଙ୍ଗେ ଅମରସିଂହକୃତ ‘ଅମରକୋଷ’ ମଧ୍ୟ ରଚିତ ହେଲା । ବହୁ ବୌଦ୍ଧ ଓ ଜୈନ ଗ୍ରନ୍ଥ ଏହି କାଳରେ ହିଁ ଗ୍ରଥିତ ହୋଇଛି । ଭାସ ଓ ଅଶ୍ଵଘୋଷଙ୍କର କାବ୍ୟ ତଥା ନାଟକ ସଂସ୍କୃତ ସାହିତ୍ୟର କେଳିକୁଞ୍ଜ ନିର୍ମାଣ କରିଥିଲା ଏହି ଯୁଗରେ । ବେଦିକ, ରସାୟନ, ଗଣିତ, ଜ୍ୟୋତିଷ ଏବଂ ଦର୍ଶନାଦି ବିବିଧ ଆଧାରଭୂତ ଗ୍ରନ୍ଥର ରଚନ, ସଂକଳନ, ସଂସ୍କାର, ପ୍ରତିସଂସ୍କାର ଓ ପୁନରୁଦ୍ଧାର ତଥା ନୂତନ ପ୍ରଯୋଜନାର ମଧ୍ୟ ସୂତ୍ରପାତ ହେଲା ଏହି ଯୁଗର ଉପଜ । ଦକ୍ଷିଣରେ ତାମିଲ ସାହିତ୍ୟର ସର୍ବୋତ୍ତମ କୃତି ତିରୁବଲ୍ଲବକୃତ ‘କୁରଳ’ ପ୍ରାୟ ଏହି ଯୁଗରେ ପ୍ରଣୀତ ହୋଇଥିଲା । ଏହି ସମୟରେ ‘ଲେଣ’ ଓ ‘ସେଲପର’ ବୋଲାଉଥିବା ଚୈତ୍ୟଗୁହାର ଖୋଦନ ତଥା ସ୍ତୁପ, ବିହାର, ତୋରଣ, ବେଦିକା, ଧ୍ଵଜ, ଭିତ୍ତିଚକ୍ର ଓ ମୂର୍ତ୍ତି ଆଦିର ନିର୍ମାଣଦ୍ଵାରା କଳାକ୍ଷେତ୍ରରେ ମଧ୍ୟ ଏ ଯୁଗ ଅତୀବ ଆଗୁସାର ହୋଇଥିଲା-

 

ଭାରହୁତ ଓ ସାଞ୍ଚିର ତୋରଣ, ଚୂଡ଼ା, ବେଦିକା ତଥା ଯୋଗିମାରା, ସୀତାବେଗା, ଉଦୟଗିରି, ନାସିକ, କାର୍ଲେ ଓ ଅଜନ୍ତାର ପ୍ରାଚୀନତମ ଗୁମ୍ଫା ତଥା ତାହାର ପ୍ରାଚୀରମାନଙ୍କର ଖୋଦିତ ଭିତ୍ତିଚିତ୍ର, ବେସନଗର, ହେଲିଉଗର, ଗରୁଡ଼ଧ୍ୱଜ ସଦୃଶ ସ୍ମାରକସ୍ତମ୍ଭ, ଜୈନ ଓ ବୌଦ୍ଧ ମୂର୍ତ୍ତି, ଆୟାଗପଟ ଓ ନାଳନ୍ଦତକ୍ଷଶିଳାଦିର ଧ୍ୱଂସାବଶେଷ ଏହି ସଂସ୍କୃତ ଯୁଗର ମୂକସାକ୍ଷୀରୂପେ ଅଦ୍ୟାପି ଦଣ୍ଡାୟମାନ ।

★★★

 

ଚକ୍ରବର୍ତ୍ତୀ ଖାରବେଳ

 

ସମଗ୍ର ଭାରତକୁ ଯଦି ଏକଦା କୌଣସି ଏକକ ଭାରତୀୟ ଜାତି ତାହାର ଏକଛତ୍ର ଶାସନତଳେ ଅଭିବୃଦ୍ଧ ହେବାର ସୁଯୋଗ ଦେଇଥାଏ, ଦିନେ ଯଦି କୌଣସି ଭାରତୀୟ ଜାତି ଏକାକୀ ବୈଦେଶିକ ଶତ୍ରୁର ସମଗ୍ର ଓ ଉଗ୍ର ବିରୋଧ କରି ବିଜୟ ଲାଭ କରିପାରିଥାଏ, ଅତୀତ ଇତିହାସର ପୃଷ୍ଠପଟରେ ଯଦି ମହାଭାରତର କୌଣସି ବିଶିଷ୍ଟ ଅଂଶରେ କୌଣସି ଜାତିର ଅଧିନାୟକ ରାଜଚକ୍ରବର୍ତ୍ତୀ ହୋଇ ମଧ୍ୟ ପ୍ରଜାନୁରଞ୍ଜକ ଉପାଧି ପାଇ ପାରିଥାଏ, ତେବେ ସେ ଏହି ଓଡ଼ିଆ ଜାତି, ଏବଂ ଉତ୍କକ ଦେଶ, ଉତ୍କଳିଙ୍ଗ, ଉତ୍ତର କୋଶଳର ଅଧିରାଜ କଳିଙ୍ଗର ସମ୍ରାଟ ଖାରବେଳ ହିଁ ସେହି ଜାତିର ନିୟନ୍ତା ।

 

ଆଜକୁ ଦୁଇହଜାର ବର୍ଷ ପୂର୍ବର କଥା । ଖ୍ରୀଷ୍ଟପୂର୍ବ ୧୨୩ ଅଦ୍ଦର ଆରମ୍ଭ କାଳ । କଳିଙ୍ଗରେ ପ୍ରବଳ ଝଞ୍ଜା । ରାଜଧାନୀ ତୋଷାଳି–କଟକର ସୁଦୃଢ଼ ଗଡ଼–ପ୍ରାଚୀର ମଧ୍ୟ ସେ ଝଡ଼ରେ ଟଳିପଡ଼ିଲା । ଅଶୋକଙ୍କ ଆକ୍ରମଣରେ କ୍ଷତବିକ୍ଷତ ଦେଶ ଅଦ୍ୟାପି ଆରୋଗ୍ୟ ଲାଭ କରିନାହିଁ । ପରାଜିତ ଐର ରାଜବଂଶ ଅବଶ୍ୟ ମଗଧ ମୋର୍ଯ୍ୟଙ୍କ କବଳରୁ ମୁକ୍ତ ହୋଇ କୋଶଳରୁ ପ୍ରତ୍ୟାବର୍ତ୍ତନାନ୍ତେ ସ୍ୱରାଜ୍ୟ କାଳିଙ୍ଗକୁ ସ୍ୱାଧୀନ ଶାସକରୂପେ ଫେରି ଆସିଛନ୍ତି; ତଥାପି ପରାଜୟର କାଳିମା ଯେପରି ଅଦ୍ୟାବଧି ତାହାର ଭାଲପଟରୁ ବିମୁଞ୍ଚିତ ହୋଇନାହିଁ । ସେହି ଝଡ଼ ଓ ଝଞ୍ଜା ଭିତରେ ହିଁ ଅଧିଷ୍ଠିତ ହେଲା କୋଶଳୋତ୍କଳର ଅଧିପତି ତରୁଣ ଖାରବେଳଙ୍କର ରାଜ୍ୟାଭିଷେକ ।

 

ମାତ୍ର ସେ ଦିନ ପ୍ରକୃତପକ୍ଷରେ କଳିଙ୍ଗ ରାଜାଙ୍କର ରାଜ୍ୟାଭିଷେକ ହୋଇ ନ ଥିଲା; ଯୁଗଯୁଗବ୍ୟାପୀ ଆଗାମୀ କାଳ ପାଇଁ ଏକ ଅଦ୍ଵିତୀୟ ଆଦର୍ଶ ଶାସନ ଓ ଶାସନକର୍ତ୍ତାଙ୍କ ଅମର ଚରିତର ଅତୁଳନୀୟ ଦୃଷ୍ଟାନ୍ତ ପ୍ରସ୍ଥାପିତ ହୋଇଥିଲା କହିଲେ ସାମାନ୍ୟ ଅତିରଞ୍ଜନ ମଧ୍ୟ ହେବ ନାହିଁ ।

 

ଚୈତ ବଂଶ ଅବତଂସ ଐରକୁଳୋଦ୍ଭବ କଳିଙ୍ଗାଧିପତି ଖାରବେଳଙ୍କର ଜନ୍ମ ସତେ ଯେପରି ଉତ୍କଳିଙ୍ଗର କ୍ଷୟୀକୃତ ସମ୍ମାନକୁ ପୁନରାୟ ଉଚ୍ଚଶୃଙ୍ଗୋପରି ପ୍ରୋତ୍‍ଥିତର କରିବାର ଗୁରୁ ଭାର ବହନ କରିବା ନିମନ୍ତେ ହିଁ ସମ୍ଭବ ହୋଇଥିଲା । ଉତ୍କଳୀୟ ଜୀବନର ଉନ୍ନତ ସଂସ୍କୃତିପୁଷ୍ଟ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗର ବହୁମୂଲ୍ୟ ପ୍ରଭାବ ସମଗ୍ର ଭାରତ ଉପରେ ବିସ୍ତାର କରି ନିଜ ଜୀବନରେ ଆଚରଣଦ୍ଵାରା ସେ ଯେପରି ସେହି ଆଦର୍ଶର ପରାକାଷ୍ଠା ଦେଖାଇ ଯାଇଛନ୍ତି, ତାହା ଇତିହାସରେ ପୁନରାୟ କୌଣସି ପୁରୁଷସିଂହ ଦ୍ଵାରା ସ୍ଵାକ୍ଷରିତ ହୋଇନାହିଁ ।

 

ଖାରବେଳ କେବଳ ଉତ୍କଳର ଶତ୍ରୁ ମଗଧ ବା ଆଧୁନିକ ବିହାର ଉପରେ ବିଜୟ ହାସଲ କରି ଜାତିର ଟେକ ଏବଂ ସମ୍ମାନ ଫେରାଇ ଆଣି ନ ଥିଲେ, ଦକ୍ଷିଣାପଥଗତ ସାତକର୍ଣ୍ଣି, ତଥା ମୂଷିକରାଜ ଓ ପାଣ୍ଡ୍ୟପତି ଏବଂ ସାତବାହାନଙ୍କ ସଙ୍ଗେ ସଙ୍ଗେ ଶାକଳର ଯବନାଧିପତି, ମେନେନ୍ଦ୍ର ବା ମିନିନ୍ଦ ମଧ୍ୟଭାରତର ଚେଦିରାଜ, ରାଷ୍ଟ୍ରକ ବା ମହାରାଷ୍ଟ୍ର, ଭୋଜକ ବା ବେରାର ତଥା ଉତ୍ତର–ଭାରତର ପଞ୍ଜାବ ଓ ସୀମାନ୍ତ ପ୍ରଦେଶ ମଧ୍ୟ ଅଧିକାର କରିଥିଲେ । ଏହିପରି ସମଗ୍ର ଭାବରେ ଭାରତର ବହୁଳାଂଶକୁ ଏକଶାସନାଧୀନ କରି ସେ ଭାରତର ଶତ୍ରୁ ଗ୍ରୀକ୍ମାନଙ୍କୁ ମଧ୍ୟ ଉତ୍ତର–ପଶ୍ଚିମ ସୀମାନ୍ତର ଅପରପାର୍ଶ୍ଵରେ ପରାଭୂତ କରିଥିଲେ । ଅଧୁନା ଆଫ୍ଗାନ୍ ଏବଂ ପାରସ୍ୟର ଅଂଶବିଶେଷ ସେତେବେଳେ ବକ୍ତ୍ରିୟା ନାମରେ ଅଭିହିତ ଥିଲା ଏବଂ ତାହାର ଗ୍ରୀକ୍‍ଶାସକ ଦତ୍ତିମ ପରିଶେଷରେ ଖାରବେଳଙ୍କର ଶରଣାପନ୍ନ ହେଲେ ।

 

 

ଏହି ଅଦ୍ଭୁତ ବିଜୟ ଖାରବେଳଙ୍କ ରାଜ୍ୟାଭିଷେକର ମାତ୍ର ୧୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣରୂପେ ସମ୍ପନ୍ନ ହୋଇଥିଲା । ମାତ୍ର ଏ ଅଭୂତପୂର୍ବ ବିଜୟ ଗୌରବ, କିମ୍ଵା ରାଜଚକ୍ରବର୍ତ୍ତୀପଦ ଖାରବେଳଙ୍କୁ ମୋହଗ୍ରସ୍ତ କରି ନାହିଁ । ସେ ପ୍ରତ୍ୟେକ ବିଜିତ ରାଜ୍ୟର ପ୍ରତ୍ୟେକ ଶାସନସଭାକୁ ତେଣୁ ସ୍ୱୀକାର କରିଥିଲେ । ସମଗ୍ର ସାମ୍ରାଜ୍ୟର କୌଣସି ଅଂଶ ବା ପ୍ରାନ୍ତର ସ୍ଵାଧୀନତା ବା ସ୍ୱତନ୍ତ୍ରତାକୁ ସେ ଖର୍ବ କରି ନ ଥିଲେ । ଉତ୍ତର–ପଶ୍ଚିମରୁ ବୈଦେଶିକ ଶତ୍ରୁ ମାନଙ୍କ ଆକ୍ରମଣରୁ ସମଗ୍ର ଭାରତଭୂମିକୁ ରକ୍ଷା କରିବାପାଇଁ ସେ ଏକମାତ୍ର ମୈନ୍ତ୍ରୀପ୍ରୀତିର ବନ୍ଧନରେ ବିଭିନ୍ନ ରାଜ୍ୟଗୁଡ଼ିକୁ ଏକତ୍ରୀକରଣ ଦ୍ୱାରା ବିଶୃଙ୍ଖଳା ଓ ସ୍ୱେଚ୍ଛାଚାରିତାର ଦ୍ଵାର ରୁଦ୍ଧ କରି ଏକ ଆଦର୍ଶ ସାମ୍ରାଜ୍ୟ ସ୍ଥାପନ କରିଥିଲେ । ତେଣୁ ସେ ଭାରତର ଉତ୍ତର ଦିଗ ପ୍ରତି ଦୃଷ୍ଟିକ୍ଷେପ କରିବା ଆବଶ୍ୟକ ମନେ କରି ନାହାନ୍ତି । କାରଣ ଏକାଙ୍ଗଚକ୍ରବର୍ତ୍ତୀ ହେବାର ହୀନ ଅଭିଳାଷ ତାଙ୍କର ନ ଥିଲା । ବରଂ ତାଙ୍କ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ସମସ୍ତ ରାଜ୍ୟର ଶାସକମାନଙ୍କୁ ସେ ନିଜର ପ୍ରାପ୍ୟ ସମ୍ମାନଠାରୁ ସମଧିକ ଗୌରବ ପ୍ରଦର୍ଶନ କରୁଥିଲେ । ଏପରି କି କଳିଙ୍ଗର ସମ୍ରାଟ ହେଲେ ମଧ୍ୟ ସେ କଳିଙ୍ଗର ପ୍ରଥମ ରାଜା କେତୁଭଦ୍ରଙ୍କୁ ସମ୍ମାନ ଦେଖାଇବା ପାଇଁ ତାଙ୍କର ମୂର୍ତ୍ତି ସ୍ଥାପନ ମଧ୍ୟ କରିଥିଲେ । ଆଜି ଭାରତବର୍ଷର ସମ୍ବିଧାନରେ ରାଷ୍ଟ୍ରକୁ ଧର୍ମ–ନିରପେକ୍ଷ ଆଖ୍ୟା ଦିଆଯାଇଛି । ମାତ୍ର ଦୁଇ ସହସ୍ରାଧିକ ବର୍ଷ ପୂର୍ବେ ଏହି ଉତ୍କଳର ଜଣେ ରାଜା ତାହାର ପରିକଳ୍ପନା କରିଥିଲେ ଏବଂ ଆବଶ୍ୟକତା ଦୃଷ୍ଟିରୁ କାର୍ଯ୍ୟରେ ପରିଣତ କରିଥିଲେ ମଧ୍ୟ । ଖାରବେଳ ଜୈନ ଥିଲେହେଁ ଅଧିକ ସଂଖ୍ୟକ ପ୍ରଜାଙ୍କର ମତାନୁସାରେ ସେ ତାଙ୍କର ଅଭିଷେକ ସ୍ଵଧର୍ମାନୁକୂଳ ବିଧିରେ କରି ନ ଥିଲେ ।

 

ରାଜଚକ୍ରବର୍ତ୍ତୀ ଖାରବେଳଙ୍କର ସୁଶାସନର କୀର୍ତ୍ତିରାଜି ଆଜି ହୁଏ ତ କାଳବକ୍ଷରେ ଲୋପ ହୋଇଗଲାଣି । କୃଷିର ଉନ୍ନତି, ବାଣିଜ୍ୟର ଉନ୍ନତି, ଜଳପଥ ଓ ସ୍ଥଳପଥର ଉନ୍ନତି ଦିଗରେ ସେ ଯାହା ଯାହା କରିଯାଇଥିଲେ, ତାହାର ସାକ୍ଷ୍ୟ ଦେବାକୁ ହୁଏ ତ କେତେକ ଶିଳାରେଖା ଛଡ଼ା ଆଉ କିଛି ନାହିଁ । ଦେଶେ ଦେଶେ, ପ୍ରାନ୍ତେ ପ୍ରାନ୍ତେ ଯେଉଁସବୁ ଜନହିତକର କାର୍ଯ୍ୟ ସେ କରିଯାଇଛନ୍ତି, ତାହାର ଚିହ୍ନବର୍ଣ୍ଣ ନ ଥିଲେ ନ ଥାଉ, ମାତ୍ର ଏହି ରାଜର୍ଷିଙ୍କର ଜାତୀୟ ଚରିତ୍ର ଗଠନ ଦିଗରେ ଯେଉଁ ଅକ୍ଷୟ ଦାନ, ତାହା ଏ ଭୂମିରେ ମାନବବସତି ଥିବାଯାଏ ଏ ଜାତି ନତ ଶିରରେ ସ୍ଵୀକାର କରୁଥିବ ।

 

ମାତ୍ର ସପ୍ତକ୍ରିଂଶ ବର୍ଷ ବୟସରେ ସେ ବାନପ୍ରସ୍ଥ ଗ୍ରହଣ କରି ଅଧ୍ୟାତ୍ମଚିନ୍ତନର ପଥ ପରିଷ୍କାର କରିବା ସଙ୍ଗେ ସଙ୍ଗେ ଜାତି ଆଗରେ ଏକ ବଳିଷ୍ଠ ଚରିତ୍ରର ମହାଦାଦର୍ଶ ସ୍ଥାପନ କରିଥିଲେ । ଉଦୟଗିରି ଓ ଖଣ୍ଡଗିରିର ଜୈନମୂର୍ତ୍ତି, ହାତୀଗୁମ୍ଫା, ଗଣେଶଗୁମ୍ଫା ଆଦି ବହୁ ଗୁମ୍ଫା ତାଙ୍କ ଧର୍ମପ୍ରବୃତ୍ତି ଓ ପ୍ରବର୍ତ୍ତନର ସାକ୍ଷ୍ୟ ଦିଏ ।

 

ସେହି ଦୃଷ୍ଟିରୁ ଖାରବେଳ ସେ ଯୁଗର ଅଗ୍ରଗ୍ରାମୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମ୍ରାଟ ହୋଇ ମଧ୍ୟ କ୍ଷମତାର ମୋହ ତାଙ୍କୁ ସ୍ପର୍ଶ କରି ନ ଥିଲା । ସେ ବକ୍ତ୍ରିଆର ଗ୍ରୀକ୍‍ମାନଙ୍କ ଶତ୍ରୁ ବଜିର ରାଜକନ୍ୟା ଧୂଷିଙ୍କ ପରି ବୀରା, ଦୟାଶୀଳା, ନାନା ଗୁଣାଳଙ୍କୁ ତା ସୁନ୍ଦରୀ ସ୍ତ୍ରୀ ଲାଭ କରି ମଧ୍ୟ ଆସକ୍ତିହୀନ ବିରକ୍ତ ସନ୍ନ୍ୟାସୀରୂପେ ଜୀବନ ଯାପନ କରୁଥିଲେ ।

 

ସାମ୍ରାଜ୍ଞୀ ଧୂଷି ମଧ୍ୟ ସ୍ୱାମୀସୁହାଗିନୀ, ଉପଯୁକ୍ତ ସ୍ୱାମୀର ଉପଯୁକ୍ତା ସହଧର୍ମିଣୀ ଭାବରେ ସମରାଙ୍ଗନଠାରୁ ଆରମ୍ଭ କରି ଗୃହସଂସାର ତଥା ସନ୍ନ୍ୟାସାଶ୍ରମରେ ମଧ୍ୟ ପତିଗତପ୍ରାଣା ହୋଇ ଯେପରି ମହନୀୟ ଚରିତ୍ର ଏ ଦେଶର ମାତା, ବଧୂ ଓ କନ୍ୟାଙ୍କ ନିମନ୍ତେ ଦୃଷ୍ଟାନ୍ତ ସ୍ୱରୂପ ରଖି ଯାଇଛନ୍ତି, ତାହା ପୁରାଣରେ ବର୍ଣ୍ଣିତ ସତୀ ସୀତା, ସାବିତ୍ରୀଙ୍କ ଉପଖ୍ୟାନଠାରୁ କୌଣସି ଗୁଣରେ ଲଘୁ ବିବେଚିତ ହୋଇ ନ ପାରେ ।

 

ଉତ୍କଳର ବା କଳିଙ୍ଗର ଅଧୀଶ୍ଵର ଭାରତର ରାଜଚକ୍ରବର୍ତ୍ତୀ ସମ୍ରାଟ ଖାରବେଳଙ୍କ ଆତ୍ମଚରିତଠାରୁ ଅଧିକ ସତ୍ୟାନୁମୋଦିତ ବାସ୍ତବଧର୍ମୀ ସୁସଙ୍ଗତ ଜୀବନଦର୍ଶ ଆଧୁନିକ ଶାସକବର୍ଗଙ୍କ ପକ୍ଷରେ ସହଜ ଅନୁକରଣୀୟ ନୁହେଁ । ତେଣୁ ଖାରବେଳ କେବଳ ଉତ୍କଳ ଇତିହାସରେ ନୁହେଁ—ସମଗ୍ର ଭାରତ ତଥା ପୃଥିବୀ ଇତିହାସର ଆଦର୍ଶ ଶାସକବର୍ଗଗଣନାରେ ଯେ ଏକ ଅଦ୍ଵିତୀୟ ପୁରୁଷ—ଏହା ନିଃସନ୍ଦେହରେ କୁହାଯାଇପାରେ ।

★★★

 

ପ୍ରଜ୍ଞାପାରମିତ ନାଗାର୍ଜୁନ

 

ଯେଉଁମାନଙ୍କର ଜୀବନୀ ସ୍ୱୀୟ କୀର୍ତ୍ତି-ସୌଧର ସୌକର୍ଯ୍ୟରେ ସମାହିତ—ଯେଉଁମାନଙ୍କର ଆତ୍ମଚରିତ ଅମରକୃତିର ଦୀପ୍ତି ମଧ୍ୟରେ ବିଲୀୟମାନ–ସେହି ଅପୂର୍ବକର୍ମା, ତ୍ୟାଗଧର୍ମୀ ମହର୍ଷିମାନଙ୍କ ମଧ୍ୟରେ ଅନ୍ୟତମ ଜ୍ଞାନ–ପାରଙ୍ଗମ ପ୍ରଜ୍ଞାବାନ୍ ନାଗାର୍ଜ୍ଜୁନ । ଧାରାବଦ୍ଧ ଇତିହାସ ନ ଥାଇପାରେ–ଲୋକମୁଖରେ କିମ୍ବଦନ୍ତୀର ଶ୍ରୁତିମଧୁର କୌଣସି ଗାଥା ପ୍ରଚଳିତ ନ ଥାଇପାରେ; ତଥାପି ନାଗାର୍ଜ୍ଜୁନ ସତ୍ୟ, ନାଗାର୍ଜ୍ଜୁନ ଜୀବିତ–ସଶରୀରେ ନ ହେଉନ୍ତୁ, ପୃଥିବୀର ଚିନ୍ତାଧାରାରେ ସେ ଅକ୍ଷତ–ଅବିନାଶୀ ।

 

ଭାରତବର୍ଷରେ ଘୋର ଦୁର୍ଭିକ୍ଷ–କଙ୍କାଳମାଳର ବୀଭତ୍ସ ନୃତ୍ୟ–ଚତୁର୍ଦ୍ଦିଗରେ କ୍ଷୁଧିତର ଆର୍ତ୍ତନାଦ । ସେହି ମର୍ମପୀଡ଼ାରେ ବିଚଳିତ, ବ୍ୟଥିତ ଗୋଟିଏ ତରୁଣର ହୃଦୟ ସେତେବେଳେ ଉନ୍ମତ୍ତ, ଉତ୍‍କ୍ଷିପ୍ତ ହୋଇ ଉଠିଥିଲା ।

 

ଦକ୍ଷିଣ କୋଶଳ ବା ବିଦର୍ଭର ଗୋଟିଏ ବିଚକ୍ଷଣ ପ୍ରତିଭାପନ୍ନ ଶିକ୍ଷାର୍ଥୀ ସେ । ସମାଜରେ ଏହି ଅନାଟନ ଅବ୍ୟବସ୍ଥାର ଆମୂଳ ଉତ୍ପାଟନ କରିବା ନିମନ୍ତେ ଦୃଢ଼ଭାବରେ ପ୍ରତିଜ୍ଞାବଦ୍ଧ ହୋଇ ଗବେଷଣା ଆରମ୍ଭ କଲେ । ଗ୍ରାମେ ଗ୍ରାମେ, ନଗରେ ନଗରେ, ପର୍ବତ କନ୍ଦରରେ, ଘୋର ଅରଣ୍ୟ ମଧ୍ୟରେ, ନିର୍ଜ୍ଜନ ନିକାଞ୍ଚନରେ, ଜନମାନବବହୁଳ କୋଳାହଳମୟ ସ୍ଥାନରେ ମଧ୍ୟ ଚାଲିଲା ସତ୍ୟର ଅନ୍ୱେଷଣ । ଦୁଃଖ ଦାରିଦ୍ର୍ୟର ବିଲୋପ ସାଧନ କରିବାକୁ ହିଁ ହେବ । ଅଭାବ ଓ ଅନଟନକୁ ସମାଜ–ରଚନା ଶାସ୍ତ୍ରରୁ ଉଚ୍ଛନ୍ନ କରି ଦେବାକୁ ହେବ । ଏହି ଅବିଚଳ ସଂକଳ୍ପ ଘେନି ସେ ନାନା ପ୍ରୟୋଗ ଏବଂ ପରୀକ୍ଷା ଆରମ୍ଭ କଲେ । ବହୁ ସିଦ୍ଧ ଏବଂ ସାଧକଙ୍କର ଦ୍ୱାରସ୍ଥ ହେଲେ ।

 

ସେଦିନ ନାଗାର୍ଜ୍ଜୁନଙ୍କର ଆନନ୍ଦର ସୀମା ନାହିଁ—ଯେ କୌଣସି ଧାତବ ପଦାର୍ଥକୁ ସ୍ଵର୍ଣ୍ଣରେ ପରିଣତ କରିବାର ପ୍ରଣାଳୀ ତାଙ୍କୁ ଆଜି ଆଉ ଅବିଦିତ ନୁହେଁ । ଜଣେ ସିଦ୍ଧ ସାଧୁଙ୍କର କୃପାବଳରେ ସେ ଏବେ ଏହି ଅଦ୍ଭୁତ କୌଶଳର ଅଧିକାରୀ । ସେହି ସ୍ଵର୍ଣ୍ଣରାଜିର ସାହାଯ୍ୟରେ ସେ ସମଗ୍ର ଦେଶକୁ ମନୁଷ୍ୟକୃତ ଅନାଟନରୁ ରକ୍ଷାକରି ନିଜେ ଧନ୍ୟ ହୋଇଥିଲେ ଏବଂ ଦେଶବାସୀଙ୍କୁ ମଧ୍ୟ ଧନ୍ୟ କରିଥିଲେ ।

 

ସେହି ନାଗାର୍ଜ୍ଜୁନ—ସେ କେବଳ ଜଣେ ସ୍ଵର୍ଣ୍ଣ-ନିର୍ମାତା ନୁହଁନ୍ତି—ତତ୍କାଳୀନ ଭାରତୀୟ ସଂସ୍କୃତି ଓ ସୃଷ୍ଟିର ଚତୁପାର୍ଶ୍ଵରେ ନିଜର ପ୍ରତିଭା ବିକଶିତ କରି ଅମର ଏବଂ ଅକ୍ଷୟ କୀର୍ତ୍ତି ପୃଥିବୀର ଜ୍ଞାନପୀଠରେ ପ୍ରୋତ୍‍ଥିତ କରି ଯାଇଛନ୍ତି ।

 

ସପ୍ତଦଶ ଶତାବ୍ଦୀର ତିବ୍ଦତୀୟ କୌଣସି ପୁସ୍ତକରୁ ଜଣାଯାଏ, ନାଗାର୍ଜ୍ଜୁନ ମହାବୋଧି ସତ୍ତ୍ଵ ଅବଲୋକିତେଶ୍ଵରଙ୍କର ଆଦେଶରେ ନାଳନ୍ଦା ବିଶ୍ଵଦ୍ୟାଳୟ ମଧ୍ୟରେ ପ୍ରବେଶ କରିଥିଲେ । ସମ୍ଭବତଃ ସେ କୁଶାଣ କନିଷ୍କଙ୍କର ସମସାମୟିକ । ୟାନ୍ ଚ୍ୟାଂଗ୍‍ଙ୍କ ବର୍ଣ୍ଣନାନୁସାରେ ନାଗାର୍ଜ୍ଜୁନଙ୍କର ସ୍ଥାନ ଦେବ, ଅଶ୍ୱଘୋଷ, କୁମାରଲବ୍ଧାଦି ‘ଚାରି ଦିବ୍ୟ ସୂର୍ଯ୍ୟ’ଙ୍କ ମଧ୍ୟରେ ଗଣ୍ୟ । ଚୀନ୍ ଭାଷାର ଗୋଟିଏ ପୁରାତନ ସମାଚାରରୁ ଜଣାଯାଏ ଯେ, ନାଗାର୍ଜ୍ଜୁନଙ୍କର ‘ସାତବାହନ’ ବା ‘ଶାଳୀବାହନ’ ନାମକ ଜନୈକ ରାଜାଙ୍କ ସହିତ ମିତ୍ରତା ଥିଲା ।

 

ନାଗାର୍ଜ୍ଜୁନ କେବଳ ଭାରତୀୟ କୃଷ୍ଟିର ପ୍ରତୀକ ନ ଥିଲେ । ବୌଦ୍ଧଧର୍ମର ବିଚାରଧାରା ଯେତେବେଳେ ନାନା ବାଦ ବିସମ୍ବାଦ ଓ ସାମ୍ପ୍ରଦାୟିକତାରେ ଦୁର୍ବଳ ହୋଇ ପଡ଼ିଥିଲା, ଲୁପ୍ତପ୍ରାୟ ବୌଦ୍ଧଧର୍ମକୁ ପୁନରୁଦ୍ଧାର କରି ବୌଦ୍ଧଧର୍ମର ପ୍ରଚାରକ ଅଥବା ଅବତାର ରୂପେ ନାଗାର୍ଜ୍ଜୁନ ଆବିର୍ଭୂତ ହୋଇଥିଲେ ବୋଲି କୁହାଯାଇ ପାରେ ।

 

ବୌଦ୍ଧଧର୍ମର ଏକ ବଳିଷ୍ଠ ସମ୍ପ୍ରଦାୟ ‘ସର୍ବାସ୍ତବାଦ’ ନାଗାର୍ଜ୍ଜୁନଙ୍କ ଦ୍ଵାରା ପ୍ରବର୍ତ୍ତିତ ହୋଇ ବିସ୍ତାର ଲାଭ କରିଥିଲା । ଏହି ସମ୍ପ୍ରଦାୟର ଗୋଟିଏ ଶାଖା ଗାନ୍ଧାର ଦେଶରେ ଅତ୍ୟନ୍ତ ପ୍ରବଳ ଲୋକପ୍ରିୟତା ଅର୍ଜନ କରି ପାରିଥିଲା । କନିଷ୍କଙ୍କର ସମକାଳୀନ ବୌଦ୍ଧଧର୍ମର ଚତୁର୍ଥ ସଙ୍ଗୀତି ତ୍ରିପିଟିକର “ମହାବିଭାଷା” ନାମକ ଭାଷ୍ୟର ନାମାନୁଯାୟୀ ଏହି ଶାଖାର ନାମକରଣ ହୋଇଥିଲା “ବୈଭାଷିକ” । ଏହି ବୈଭାଷିକ ସମ୍ପ୍ରଦାୟକୁ ଭିତ୍ତିକରି ଯେଉଁ ନୂତନ ବଳଶାଳୀ ବୌଦ୍ଧ ସମ୍ପ୍ରଦାୟ ଗଢ଼ିଉଠିଲା, ଗୁରୁରୂପୀ ନାଗାର୍ଜ୍ଜୁନଙ୍କୁ କେନ୍ଦ୍ର କରି ତାର ପରବର୍ତ୍ତୀ ନାମ ହେଲା ବୁଦ୍ଧଧର୍ମର ଅତି ସୁପରିଚିତ ବିଖ୍ୟାତ ଅଙ୍ଗ “ମହାଯାନ” । ଏହି ନୂତନ ସୂତ୍ର ମହାଯାନ ପନ୍ଥାର ଅନୁଯାୟୀମାନଙ୍କ ଦ୍ଵାରା ଏହାର ଆଦି ପ୍ରବର୍ତ୍ତକ ନାଗାର୍ଜ୍ଜୁନ ଏକ ବୋଧିସତ୍ତ୍ଵ ରୂପରେ ଏବେ ମଧ୍ୟ ପୂଜା ପାଉଛନ୍ତି ।

 

ନାଗାର୍ଜ୍ଜୁନ ବୁଦ୍ଧତ୍ଵପ୍ରାପ୍ତି ନିମନ୍ତେ ତିନୋଟି ମୁଖ୍ୟ ପନ୍ଥା ନିର୍ଦ୍ଦେଶ କରିଯାଇଥିଲେ । ଯଥା–ଅର୍ହତଯାନ, ପଚ୍ଚେକ ବୁଦ୍ଧଯାନ ଓ ସମ୍ମାସ ବା ସମ୍ୟକ୍ ସଂବୁଦ୍ଧଯାନ । ଏହି ଯାନତ୍ରୟମଧ୍ୟରୁ ତୃତୀୟ ବା ଅନ୍ତିମ ଯାନକୁ ପ୍ରାଧାନ୍ୟ ଦେଇ ମହାଯାନ ଆଖ୍ୟାରେ ସୁବିଦିତ କରାଇ ଅନ୍ୟ ଦୁଇ ମାର୍ଗକୁ ନିମ୍ନସ୍ତରର ପନ୍ଥା ‘ହୀନଯାନ’ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ । ସେହି ଦିନଠାରୁ ବୌଦ୍ଧଧର୍ମ ‘ହୀନଯାନ’ ଓ ‘ମହାଯାନ’ ନାମରେ ମୁଖ୍ୟତଃ ଦୁଇ ଭାଗରେ ବିଭାଜିତ ହୋଇଗଲା ।

 

ଏହି ସମ୍ପ୍ରଦାୟର ଜନକରୂପୀ ନାଗାର୍ଜ୍ଜୁନ ବୌଦ୍ଧ ଦର୍ଶନର ଏହି ମହତ୍ତ୍ଵପୂର୍ଣ୍ଣ ଦାର୍ଶନିକ ବିଚାରର ଉଦ୍ଗାତା ମଧ୍ୟ । ନାଗାର୍ଜ୍ଜୁନିକ ଏହି ବିଚାର ବା ସୂତ୍ରର ନା ‘ସର୍ବଂ ଶୂନ୍ୟଂ’ । ଏହାହିଁ ପରବର୍ତ୍ତୀ କାଳରେ ଭାରତୀୟ ଦର୍ଶନ କ୍ଷେତ୍ରରେ ଶୂନ୍ୟବାଦ ବା ମାୟାବାଦ ନାମରେ ଆଖ୍ୟାତ ହେଲା । ନାଗାର୍ଜ୍ଜୁନଙ୍କର ଦାର୍ଶନିକ ବିଚାର ପ୍ରଜ୍ଞାପାରମିତା ସୂତ୍ର, ମାଧ୍ୟମିକ ସୂତ୍ର ଓ ଦ୍ୱାଦଶନିକାୟ ନାମକ ସଂସ୍କୃତ ରଚନାବଳୀରେ ସଂକଳିତ ହୋଇଛି । ପ୍ରଜ୍ଞାପାରମିତା ଅନ୍ୟାନ୍ୟ ଷଟ୍‍ପାରମିତା, ଯଥା–ଦାନପାରମିତା, ଶୀଳପାରମିତା, ଶାନ୍ତିପାରମିତା, ବୀର୍ଯ୍ୟପାରମିତା, ଧ୍ୟାନପାରମିତା, ଅସୀମଜ୍ଞାନ ବା ବୁଦ୍ଧପାରମିତାଠାରୁ ପୃଥକ୍ ବୋଲି କୁହାଯାଏ । ମୂଳ ସଂସ୍କୃତ ଭାଷାରେ ଲିଖିତ ପ୍ରଜ୍ଞାପାରମିତା ଶହେ ପଚିଶ ହଜାରରୁ ଅଧିକ ଶ୍ଳୋକସମ୍ବଳିତ ଏବଂ ଏକବିଂଶତି ପୁସ୍ତକରେ ବିଭାଜିତ । ଏହି ଏକବିଂଶତି ପୁସ୍ତକର ପ୍ରତ୍ୟେକ ଖଣ୍ଡ ଅନ୍ୟୂନ ଏକ ସହସ୍ର ପୃଷ୍ଠାବ୍ୟାପୀ ।

 

ନାଗାର୍ଜ୍ଜୁନ କେବଳ ବୌଦ୍ଧ ନ ଥିଲେ, ସେ ଜଣେ କୁଶଳୀ ତାନ୍ତ୍ରିକ ମଧ୍ୟ ଥିଲେ । ତନ୍ତ୍ରମନ୍ତ୍ରରେ ନାଗାର୍ଜ୍ଜୁନ ଏକ ସିଦ୍ଧପୁରୁଷ ବୋଲି ବିବେଚିତ ହୁଅନ୍ତି । ଜନନ ବିଜ୍ଞାନ ଓ ତନ୍ତ୍ରସମ୍ବନ୍ଧୀୟ ବହୁ ଗ୍ରନ୍ଥର ରଚୟିତା ନାଗାର୍ଜ୍ଜୁନ । କେହି କେହି ନାଗାର୍ଜ୍ଜୁନଙ୍କୁ ଏହି କାରଣରୁ ତାନ୍ତ୍ରିକ ବୌଦ୍ଧଧର୍ମର ପ୍ରବର୍ତ୍ତକ ବୋଲି କହନ୍ତି । କହିବାକୁ ଗଲେ ନାଗାର୍ଜ୍ଜୁନ ହିଁ ତାନ୍ତ୍ରିକ ଓ ବୌଦ୍ଧ ମନ୍ତ୍ରର ଯୋଗସୂତ୍ର ।

 

ନାଗାର୍ଜ୍ଜୁନ କେବଳ ଦାର୍ଶନିକ ନୁହନ୍ତି-ଯୋଗୀ ନୁହନ୍ତି, ଶ୍ରେଷ୍ଠ ବୈଜ୍ଞାନିକ ମଧ୍ୟ ଥିଲେ । ଲୌହଶାସ୍ତ୍ର ଓ ଆଦିଶାସ୍ତ୍ରର ପ୍ରଣେତା ନାଗାର୍ଜ୍ଜୁନ ବିବିଧ ଧାତୁର ରାସାୟନିକ ପ୍ରୟୋଗର ଆବିଷ୍କର୍ତ୍ତା-। ପାଟଳୀପୁତ୍ରସ୍ଥିତ ଶୀଳାଲିପିରେ ତତ୍‍ପ୍ରଣୀତ ଦୁଇଟି ‘ଯୋଗ’ ଆବିଷ୍କୃତ ହୋଇଛି । ପାରଦ ବା ପାରାର ପ୍ରୟୋଗ ଓ ତୀର୍ଯ୍ୟକ ପାତନ ଯନ୍ତ୍ରର ଆବିଷ୍କାରକ ନାଗାର୍ଜ୍ଜୁନ ପୃଥିବୀର ପ୍ରାଚୀନ ବିଜ୍ଞାନକ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନର ଅଧିକାରୀ । ଚିକିତ୍ସାକ୍ଷେତ୍ରରେ ମଧ୍ୟ ନାଗାର୍ଜ୍ଜୁନ ଏକ ବିଜ୍ଞ ଚିକିତ୍ସକ ଥିଲେ । ସୁଶ୍ରୁତ ସଂହିତାର ସମ୍ପାଦକ ସ୍ୱୟଂ ନାଗାର୍ଜ୍ଜୁନ ବୋଲି କେହି କେହି କହିଥାନ୍ତି-। ବୁଦ୍ଧଙ୍କ ପରେ ନାଗାର୍ଜ୍ଜୁନଙ୍କ ସମୟ ପର୍ଯ୍ୟନ୍ତ ଏଭଳି ଏକ ସୁମହାନ୍ ପୁରୁଷ ଭାରତବର୍ଷରେ ଅନ୍ୟ କେହି ଅବତୀର୍ଣ୍ଣ ହୋଇ ନାହାନ୍ତି । କେବଳ ଭାରତ ନୁହେଁ, ତିବ୍ଦତ ତଥା ଚୀନ ଆଦି ଦେଶରେ ମଧ୍ୟ ନବ ଚିନ୍ତା ଓ ନବୀନ ସଂସ୍କୃତିର ରୂପନିର୍ମାଣରେ ତାଙ୍କର ସିଦ୍ଧହସ୍ତ ଅଶେଷ କାର୍ଯ୍ୟ ସାଧନ କରିଯାଇଛି ।

 

‘କଥାସରିତସାଗର’ରୁ ଜଣାଯାଏ, ନାଗାର୍ଜ୍ଜୁନ ଚିରାୟୁ ନାମକ ରାଜାଙ୍କର ପ୍ରଧାନ ମନ୍ତ୍ରୀ ଥିଲେ । ରସାୟନ ବଳରେ ରାଜା ଓ ମନ୍ତ୍ରୀ ଉଭୟେ ଦୀର୍ଘାୟୁ ଲାଭ କରିଥିଲେ । ସେ ତାଙ୍କର ମୃତ ପୁତ୍ରକୁ ପ୍ରାଣଦାନ କରିବାକୁ ଉଦ୍ୟତ ହେଉଥିବାବେଳେ ଦେବତାମାନେ ତାଙ୍କୁ ଏହି ଦୂରୁହ କାର୍ଯ୍ୟରୁ କ୍ଷାନ୍ତ କଲେ । ସେ ରାଜାଙ୍କର ଅତୀବ ପ୍ରିୟପାତ୍ର ଥିଲେ । ନାଗାର୍ଜ୍ଜୁନଙ୍କର ବିୟୋଗ ଘଟିଲେ ରାଜାଙ୍କର ଅକାଳ ମୃତ୍ୟୁ ହେବବୋଲି କେହି କେହି ସମ୍ଭାବନା କରୁଥିବାରୁ ସିଂହାସନ ଲୋଭରେ ରାଜପୁତ୍ର ନାଗାର୍ଜ୍ଜୁନଙ୍କୁ ହତ୍ୟା କରିବାର ଉଦ୍ୟମ କଲେ । କିନ୍ତୁ ରାଜକୁମାର ଜୀବହର ରସାୟନ ପ୍ରୟୋଗ ସୁଦୃଢ଼ ନାଗାର୍ଜ୍ଜୁନଙ୍କ ମସ୍ତକକୁ ଛେଦନ କରିବାରେ ଅସମର୍ଥ ହେଲେ । ଦୁଃଖରେ ଓ ଅବସାଦରେ ନାଗାର୍ଜ୍ଜୁନ ସ୍ୱେଚ୍ଛାମୃତ୍ୟୁ ବରଣ କଲେ । ରାଜାଙ୍କ ପକ୍ଷରେ ଏହି ବିୟୋଗଜନିତ ମର୍ମନ୍ତୁଦ ଯନ୍ତ୍ରଣା ବାସ୍ତବରେ ଅସହ୍ୟ ହୋଇପଡ଼ିଲା । ସେତିକିବେଳେ ଶୂନ୍ୟବାଣୀ ହେଲା, “ରାଜନ୍ ! ନାଗାର୍ଜ୍ଜୁନଙ୍କ ପାଇଁ ଦୁଃଖ ଅକାରଣ । ସେ ଅଶୋଚ୍ୟ । କାରଣ ନାଗାର୍ଜ୍ଜୁନ ଭଗବାନ୍ ବୁଦ୍ଧଙ୍କ ସହିତ ସାଯୁଜ୍ୟ ଲାଭ କରିଛନ୍ତି ।”

 

ନାଗାର୍ଜ୍ଜୁନ ପ୍ରଣୀତ ‘ଅବତମ୍ବଶାକସୂତ୍ର’ରେ ତଦୀୟ ଶିକ୍ଷାର ସାରାଂଶ ବର୍ଣ୍ଣିତ ଅଛି–‘‘ବିଦ୍ୟମାନ ଏକ ଶାଶ୍ୱତ ନିର୍ଯାସ ସୁସଜ୍ଜିତ ଦର୍ପଣ ତୁଲ୍ୟ କମନୀୟ । ଏହା ସମସ୍ତ ସଂଘଟନର ଭିତ୍ତିସ୍ୱରୂପ । ସେହି ଭିତ୍ତି ହିଁ ସନାତନ ଓ ବାସ୍ତବ । ମାତ୍ର ଘଟନାବଳୀ ଅସ୍ଥାୟୀ ଓ ଅବାସ୍ତବ । ଦର୍ପଣ ଯେପରି ପଦାର୍ଥରାଜିର ପ୍ରତିଫଳନରେ ସମର୍ଥ, ଉକ୍ତ ଶାଶ୍ୱତ ନିର୍ଯାସ ସେହିପରି ସମସ୍ତ ଘଟନାକୁ ଆଲିଙ୍ଗନ କରି ରହିଥାଏ । ତନ୍ମଧ୍ୟରେ ସକଳ ପଦାର୍ଥ ବିଦ୍ୟମାନ ଏବଂ ତଦ୍ଦ୍ୱାରା ସେ ସକଳ ପଦାର୍ଥ କାର୍ଯ୍ୟକାରୀ ହୁଅନ୍ତି ।’’

 

ରୁଷିଆର ପ୍ରସିଦ୍ଧ ବିଜ୍ଞାନଅଧ୍ୟାପକ ‘ସେରବସ୍କି’ ନାଗାର୍ଜ୍ଜୁନଙ୍କ ମତକୁ ‘ବ୍ରେଡ଼ଲି’ ଓ ‘ହେଗେଲ’ଙ୍କ ମତ ସହିତ ତୁଳନା କରି ତାଙ୍କୁ ସମଗ୍ର ପୃଥିବୀର ସୁବିଖ୍ୟାତ ଦାର୍ଶନିକମାନଙ୍କ ମଧ୍ୟରେ ଗଣନା କରିଛନ୍ତି ।

★★★

 

ଗଣକ ଗର୍ଗ

 

ଖ୍ରୀଷ୍ଟଜନ୍ମର ଚଉଦ ଶହ ବର୍ଷ ପୂର୍ବେ–ସେହିଦିନଠାରୁ ଆଜି ଭିତରେ ପ୍ରାୟ ସାଢ଼େ ତିନି ହଜାର ବର୍ଷ ଅତୀତ ହୋଇଗଲାଣି–ସରସ୍ଵତୀତଟ ନିକଟସ୍ଥ ସେହି ବୃଦ୍ଧ ଊର୍ଦ୍ଧ୍ୱରେତା ମହର୍ଷି ଗର୍ଗ, ଜ୍ୟୋତିଷୀ ଗର୍ଗ, ଗଣିତାଚାର୍ଯ୍ୟ ଗର୍ଗ, ଭାରତୀୟ ଫଳିତ ଓ ଗଣିତ ଜ୍ୟୋତିଷଶାସ୍ତ୍ରର ଜନକ ଗର୍ଗ ସେଦିନ ଯେଉଁ ଜ୍ଞାନାଲୋକ ବିକିରଣ କରିଗଲେ, ତାହାକୁ ଆଜି ସମଗ୍ର ପୃଥିବୀର ଆଲୋକସ୍ତମ୍ଭ ବୋଲା ଯାଇପାରେ ।

 

ଭାରତ ଅବଶ୍ୟ ଜ୍ୟୋତିଷଶାସ୍ତ୍ରରେ ଅଜ୍ଞ ନ ଥିଲା । ବୈଦିକ ଆର୍ଯ୍ୟଙ୍କର ଯଜ୍ଞୀୟ କର୍ମକାଣ୍ଡ ନିର୍ଦ୍ଦିଷ୍ଟ ଶୁଭ ମୁହୂର୍ତ୍ତରେ ଅନୁଷ୍ଠିତ ହେଉଥିଲା । ଋଗ୍‍ବେଦରେ ତାହାର ଭୁରିଶଃ ପ୍ରମାଣ ରହିଛି । ଆଜିକୁ ଛଅ ହଜାର ବର୍ଷ ପୂର୍ବେ ଏ ଦେଶର ଲୋକେ ସତ୍ୟଦେବ ସୂର୍ଯ୍ୟଙ୍କୁ ଦିବାରାତ୍ରି, ଋତୁସମ୍ବତ୍ସରାଦିର ହେତୁଭୂତ ଆଧାରରୂପେ ପରିଗଣନା କରିଥିଲେ । ସୂର୍ଯ୍ୟରଶ୍ମି ସଂପାତରେ ଚନ୍ଦ୍ରାଲୋକର ପରିପ୍ରକାଶ ସମ୍ବାଦ ସେମାନଙ୍କର ବୃଦ୍ଧିଗମ୍ୟ ଥିଲା । ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ ତଥା ଅୟନଚଳନର ବୃତ୍ତାନ୍ତ ବିଧିବଦ୍ଧଭାବରେ ନିରୀକ୍ଷଣ କରି ଶାରଦ ତଥା ବିଷୁବ ଦିବସର ତାତ୍ପର୍ଯ୍ୟ ସେମାନଙ୍କର ଅଗୋଚର ନ ଥିଲା । ପୃଥିବୀକକ୍ଷର ତିର୍ଯ୍ୟକ୍ ଅବନତି, ପୃଥିବୀର ବୃତ୍ତାକାର ଆକୃତି ଓ ନିରବଲମ୍ବ ଅବସ୍ଥିତ ମଧ୍ୟ ସେମାନଙ୍କୁ ସୁବିଦିତ ଥିଲା ବୋଲି ଜର୍ମାନ୍ ପଣ୍ଡିତ ‘ଲୁଡ୍‍ ବିଗ’ ମତ ଦେଇଛନ୍ତି ।

 

ଯଜୁର୍ବେଦ–ବ୍ରାହ୍ମଣ ଓ ଉପନିଷଦ ଯୁଗରେ ଏହି ଜ୍ୟୋତିଷ ଓ ଗଣିତ କ୍ରମେ ନକ୍ଷତ୍ରବିଦ୍ୟା, ରାଶିବିଦ୍ୟା ଓ ଶୁଳ୍ବ (ରେଖାଗଣିତ) ବିଦ୍ୟାରେ ପରିଗଣିତ ହେଲା । ଏହି ସୂତ୍ରକାଳବେଳକୁ ତାହା ବେଦାଙ୍ଗର ଅନ୍ତର୍ଭୁକ୍ତ ହୋଇଯାଇଥିଲା । ଏହି ବର୍ଦ୍ଧମାନ ଯୁଗର ନକ୍ଷତ୍ରଦର୍ଶୀ ଓ ଗଣକମାନଙ୍କର ସୁଯୋଗ୍ୟ ବଂଶଧର ହିଁ ଗର୍ଗସଂହିତାର ରଚୟିତା ମହର୍ଷି ଗର୍ଗ । ଆଜି ଆମ୍ଭେମାନେ ଯେଉଁ ଭାରତୀୟ ଗଣିତ ଓ ଜ୍ୟୋତିଷଶାସ୍ତ୍ର ଦେଖିବାକୁ ପାଉଁ, ତାହାର କ୍ରମପରିଣାମ ଓ ଆଧୁନିକ ବିକାଶ ଗର୍ଗଙ୍କ ଉତ୍ତର କାଳରେ ଧାରାବାହିକ ଓ ବିଧିବଦ୍ଧଭାବରେ ସମ୍ଭବ ହୋଇଥିଲା । କାଶ୍ମୀରନିବାସୀ ଜ୍ୟୋତିଷାଚାର୍ଯ୍ୟ ଲଗଧ ସମ୍ଭବତଃ ଚଉଦ ଶହ ଖ୍ରୀ: ପୂ: ରେ ତାଙ୍କର ପ୍ରସିଦ୍ଧ ‘ଯାଜୁଶ ଜ୍ୟୋତିଷ ବେଦାଙ୍ଗ’ ପ୍ରଣୟନ କରି ତହିଁରେ ସତାଇଶ ନକ୍ଷତ୍ରର ଅୟନଚଳନ ଓ ସୌର ତଥା ଚାନ୍ଦ୍ର ପଞ୍ଚ ବର୍ଷଚତ୍ରର ସୂଚନା ଦେଇଥିଲେ । ତୈତ୍ତୀରାୟ, କାଠକ ଏବଂ ମୈତ୍ରାୟଣୀ ସଂହିତାରେ ତାହାର ଉଲ୍ଲେଖ ରହିଛି । ଏହି ବିଚାରଧାରା ପରବର୍ତ୍ତୀ କାଳରେ ‘ସୂର୍ଯ୍ୟବିଜ୍ଞପ୍ତି’ ନାମକ ଜୈନଗ୍ରନ୍ଥ ଏବଂ ‘ପୈତାମହ’ ସିଦ୍ଧାନ୍ତରୂପେ ଦେଖା ଦେଇଥିଲା ।

 

ଭାରତୀୟ ଜ୍ୟୋତିଷଶାସ୍ତ୍ରର ଅନ୍ୟ ଏକ ବିପ୍ଳବାତ୍ମକ ଯୁଗ ଆରମ୍ଭ ହୋଇଥିଲା ଖ୍ରୀଷ୍ଟ ଅବ୍ଦର ପ୍ରାରମ୍ଭିକ କାଳରେ ‘ସୂର୍ଯ୍ୟସିଦ୍ଧାନ୍ତ’ ଦ୍ଵାରା । ବରାହମିହିରଙ୍କ ‘ପଞ୍ଚସିଦ୍ଧାନ୍ତିକା’ ରେ ସୌରଙ୍କ ବ୍ୟତୀତ ପୌଲିଶ, ରୋମକ, ବାଶିଷ୍ଠ ଓ ପୈତାମହ ନାମକ ସିଦ୍ଧାନ୍ତର ଉଲ୍ଲେଖ ଅଛି । ତନ୍ମଧ୍ୟରୁ ‘ପୌଲିଶ’ ଓ ‘ରୋମକ’ ନିଃସଂଶୟରେ ବୈଦେଶିକ (ଗ୍ରୀସ୍) ବିଚାରଧାରା ଦ୍ଵାରା ପ୍ରଭାବିତ ।

 

ଭାରତୀୟ ଜ୍ୟୋତିଷଶାସ୍ତ୍ରର ସ୍ଵର୍ଣ୍ଣଯୁଗ ପଞ୍ଚମଠାରୁ ସପ୍ତମ ଶତାବ୍ଦୀ ମଧ୍ୟରେ । ଏହି ସମୟରେ ତିନି ଜଣ ଜ୍ୟୋତିଷଶାସ୍ତ୍ରର ରଥୀ ଆର୍ଯ୍ୟଭଟ୍ଟ, ବରାହମିହିର ଓ ବ୍ରହ୍ମଗୁପ୍ତଙ୍କର ଜନ୍ମ । ଆର୍ଯ୍ୟଭଟ୍ଟ ପାଟଳୀପୁତ୍ରସ୍ଥ କୁସୁମପୁରର ଅଧିବାସୀ ଥିଲେ । ଚାରିଶହ ଛସ୍ତରି ଖ୍ରୀଷ୍ଟାବ୍ଦରେ ତାଙ୍କର ଜନ୍ମ । ଆର୍ଯ୍ୟଭଟ୍ଟଙ୍କୁ ‘ଭାରତର ନ୍ୟୁଟନ୍’ ବୋଲାଯାଏ । କାପର୍ନିକସ୍‍ଙ୍କବହୁ ପୂର୍ବରୁ ଏହି ମହାନ୍ ଜ୍ୟୋତିଷୀ କହିଯାଇଥିଲେ ଯେ, ପୃଥିବୀ ଗୋଲ ଏବଂ ତାହା ନିଜର କକ୍ଷ ଚତୁଃପାର୍ଶ୍ଵରେ ଘୂର୍ଣ୍ଣାୟମାନ । ସେ ଆହୁରି ମଧ୍ୟ କହିଥିଲେ ଯେ, ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ରାହୁ କେତୁର ଗ୍ରାସ ନୁହେଁ–ସୂର୍ଯ୍ୟ ଓ ଚନ୍ଦ୍ରମାର ଅନ୍ତରାଳରେ ତାହା ପୃଥିବୀ କିମ୍ବା ଚନ୍ଦ୍ରମାର ଛାୟା ମାତ୍ର । ଗ୍ରହମାନଙ୍କର ଗତି ସମ୍ବନ୍ଧରେ ଆର୍ଯ୍ୟଭଟ୍ଟଙ୍କର ନୂତନ ଗଣନା ପ୍ରଣାଳୀ ଅଭିନବ । ଆର୍ଯ୍ୟଭଟ୍ଟଙ୍କର କୃତି ‘ଆର୍ଯ୍ୟଭଟ୍ଟୀୟ’ ନାମରେ ପ୍ରସିଦ୍ଧ । ଏହା ‘ଗୀତିକା’, ‘ଗଣିତ’, ‘କାଳକ୍ରିୟା’ ଓ ‘ଗୋଲ’ ଏହି ଚାରି ଖଣ୍ତରେ ବିଭକ୍ତ ।

 

ଆର୍ଯ୍ୟଭାଟ୍ଟଙ୍କ ପରେ ଚତୁର୍ଥ ଶତାବ୍ଦୀରେ ଆବିର୍ଭୂତ ହେଲେ ବରାହମିହିର–ଉଜ୍ଜୟିନୀର ବିଖ୍ୟାତ ଫଳତଜ୍ୟୋତିଷୀ । ବୃହତ୍ସଂହିତା, ବୃହଜ୍ଜାତକାଦି ଫଳିତ ଜାତକଶାସ୍ତ୍ର ଏହାଙ୍କର କୃତି । ଏହାଙ୍କର ସର୍ବପ୍ରସିଦ୍ଧ ଗ୍ରନ୍ଥ ‘ପଞ୍ଚସିଦ୍ଧାନ୍ତିକା’ରେ ସେ ପୂର୍ବବର୍ତ୍ତୀ ପାଞ୍ଚଟି ପ୍ରାଚୀନ ସିଦ୍ଧାନ୍ତର ପରିଚୟ ଦେଇ ଭାରତୀୟ ଜ୍ୟୋତିଷର ଏକ ପରମ୍ପରା ରଖିଦେଇ ଯାଇଛନ୍ତି । ବରାହମିହିରଙ୍କର ତିରୋଧାନ ହେଲା ୫୮୭ ଖ୍ରୀଷ୍ଟାବ୍ଦରେ ।

 

ବରାହମିହିରଙ୍କ ମୃତ୍ୟୁର ଏଗାର ବର୍ଷ ପରେ ପଞ୍ଜାବର ‘ଭିଲ୍ଲିମଲ’ ନାମକ ଗ୍ରାମରେ ସେ ଯୁଗର ତୃତୀୟ ଜ୍ୟୋତିଷରତ୍ନ ବ୍ରହ୍ମସ୍ଫୁଟସିଦ୍ଧାନ୍ତ ଓ ଖଣ୍ଡଖାଣ୍ଡ୍ୟକାର ରଚୟିତା ବ୍ରହ୍ମଗୁପ୍ତଙ୍କର ଜନ୍ମ । ଏହାଙ୍କର ଗଣନାପଦ୍ଧତି ହିଁ ପରବର୍ତ୍ତୀ ଯୁଗରେ ସର୍ବବାଦିସମ୍ମତ ହୋଇ ଗୃହୀତ ହେଲା ।

 

ବ୍ରହ୍ମଗୁପ୍ତଙ୍କର ବହୁ ଉତ୍ତରଧିକାରୀ ଦ୍ଵିତୀୟ ଆର୍ଯ୍ୟଭଟ୍ଟ, ଭଲ୍ଲ, ଭୋଜ ଆଦିଙ୍କ ମଧ୍ୟରୁ ଭାସ୍କରଙ୍କର ନାମ ଉଲ୍ଲେଖଯୋଗ୍ୟ । ଏକାଦଶ ଶତାବ୍ଦୀରେ ଦକ୍ଷିଣଭାରତରେ ସେ ପ୍ରଖ୍ୟାତ ଜ୍ୟୋତିଷୀ ଥିଲେ । ‘ସିଦ୍ଧାନ୍ତ ଶିରୋମଣି’ ଗ୍ରନ୍ଥର ଗ୍ରହଗଣିତ ଓ ଗୋଲ ଏହି ଦୁଇ ଭାଗରେ ଭାସ୍କର ପୁଙ୍ଖାନୁପୁଙ୍ଖରୂପେ ଜ୍ୟୋତିଷଶାସ୍ତ୍ର ଆଲୋଚନା କରି ପଥ ପରିଷ୍କୃତ କରିଦେଇ ଯାଇଛନ୍ତି—ଏହାଙ୍କର ବୀଜଗଣିତ ଉକ୍ତ ବିଷୟକ ସର୍ବଶ୍ରେଷ୍ଠ ଭାରତୀୟ ଗ୍ରନ୍ଥ । ପ୍ରସିଦ୍ଧ ଗାଣିତିକା ଲୀଳାବତୀ ଏହାଙ୍କର ପୁତ୍ରୀ ।

 

ଭାସ୍କରଙ୍କ ପରେ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ଆଉ ସେପରି ମେଧାବୀ ଜ୍ୟୋତିଷୀ ଜନ୍ମଗ୍ରହଣ କରି ନ ଥିଲେ । ଊନବିଂଶ ଶତାବ୍ଦୀରେ ଆମର ଏହି ପୁଣ୍ୟଭୂମି ଉତ୍କଳରେ ସାମନ୍ତ ଚନ୍ଦ୍ରଶେଖରଙ୍କର ଆବିର୍ଭାବ । ତାଙ୍କର ‘ସିଦ୍ଧାନ୍ତ ଦର୍ପଣ’ ପାଶ୍ଚାତ୍ୟ ପଣ୍ଡିତମାନଙ୍କୁ ଚମତ୍କୃତ କରିଦେଇଅଛି ।

★★★

 

ମହାକବି କାଳିଦାସ

 

‘ଆଷାଢ଼ସ୍ୟ ପ୍ରଥମ ଦିବସେ’—ରାମଗିରିର ତୁଙ୍ଗ ଶୈଳଶୃଙ୍ଗ ଉପରେ ପ୍ରୀତିସ୍ନିଗ୍ଧ, ଜନପଦବଧୂଲୋଚନ–ପୀୟମାନ ଶ୍ୟାମଳ ଛଳଛଳ ଚଳନବଘନନୀଳ ଉଦ୍ଦେଶ୍ୟରେ ଏକ ବିରହୀ ତରୁଣର କରୁଣ କାତର ନିବେଦନ ଭିତରେ କିଏ ସେହି ଚିନ୍ମୟ ହୃଦୟବାନ୍ ପରମକାରୁଣିକ ପୁରୁଷ-?

 

ମନ୍ଦାକିନୀର ଶୀତଳ ଶୀକରଧୌତ ଧବଳ ଶିଳାଖଣ୍ଡ ଉପରେ କଠୋର ତପରତା ଅବିରତ–ବ୍ରତଚାରିଣୀ ସତୀ ସାଧ୍ଵୀ ତନ୍ଵିକାର ମାନସପଟରେ କାହାର ଏହି ନିଷ୍ଠାପର ଅଦମ୍ୟ ଆଶାର ପ୍ରେରଣା ?

 

“ବସନେ ପରିଧୂସରେ ବସାନା ନିୟମକ୍ଷାମମୁଖୀ ତୈ ଧୃତୈକବେଣିଃ କରୁଣାର୍ଦ୍ର ବେଶଧାରିଣୀ” ପ୍ରଣୟ–ପ୍ରବଞ୍ଚିତା ଏକ ଋଷିବାଳାର ଏକାନ୍ତ ଧ୍ୟାନ ମଧ୍ୟରେ କାହାର ଏ ସ୍ୱପ୍ନବିଳାସ, କପୋଳକଳ୍ପନା ସ୍ୱର୍ଗର ସିଂହାସନକୁ ସ୍ପର୍ଶ କରିଛି ?

 

ପରଶମଣିତୁଲ୍ୟ କାହାର ଅମର ତୂଳିକାସ୍ପର୍ଶରେ ମର୍ତ୍ତ୍ୟଭୂମି ସ୍ଵର୍ଗରେ ପରିଣତ ହୋଇଛି-? କାହାର ପରିପୂର୍ଣ୍ଣ ହୃଦୟର ଅପରିସୀମ ରସପରିବେଷଣରେ ମର ଏହି ମାନବର କଳେବର ଅମୃତର ସ୍ୱାଦ ଲାଭ କରିଛି ?

 

ହେ ବିରହୀ ଯକ୍ଷ ! ହେ ସତୀଶିରୋମଣି ନଗାଧିରାଜତନୟା ଉମା ! ହେ ତପଶ୍ଚାରିଣୀ ତପସ୍ୱିନୀ ଶକୁନ୍ତଳା ! ତୁମେ ଆଜି କାହାର ମଧୁ ସ୍ପର୍ଶରେ ଭାରତୀୟ କାବ୍ୟଜଗତରେ ଅମରତ୍ୱ ଲାଭ କରିଛ ? ତୁମରି ଅମର କାହାଣୀର ସ୍ତରେ ସ୍ତରେ କାହାର ପ୍ରଣୟୋଜ୍ଜ୍ଵଳ ମହିମାମୟ ଅବସ୍ଥିତି, ଅବିନାଶୀ ଅବିକଳ୍ପ ମୂର୍ତ୍ତି ପରିଗ୍ରହ କରିଛି ?

 

କିଏ ସେହି ସ୍ରଷ୍ଟା, କିଏ ସେହି ବିଧାତା, ସୃଷ୍ଟିର ଗୌରବରେ ହିଁ ଯାହାର ଭୌତିକ ଓ ଆଧ୍ୟାତ୍ମିକ ସ୍ଥିତିର ବିକାଶ ଓ ବିଲୟ ?

 

କାଳିଦାସ ! କାଳିଦାସ !

 

କିଏ ଏହି କାଳିଦାସ ? ‘ପୁରାକବୀନାଂ ଗଣନାପ୍ରସଙ୍ଗେ, କନିଷ୍ଠିକାଧିଷ୍ଠିତ କାଳିଦାସ’ ରୂପେ ଯେ ଜନଗଣହୃଦୟରେ ସତତ ଅଧିଷ୍ଠିତ, ଏ କ’ଣ ସେହି ବିଶ୍ଵକର୍ମା ବିଶ୍ଵସ୍ତହୃଦୟ ଅନର୍ପିତ–ଅର୍ପଣକାରୀ ମହାକବି କାଳିଦାସ ?

 

କିଏ ତୁମେ କାଳିଦାସ ! ଜନଶ୍ରୁତି ଯାହାଙ୍କୁ ଉଜ୍ଜୟିନୀର ଜନବିଶ୍ରୁତ ସମ୍ରାଟ ବୀର ବିକ୍ରମାଦିତ୍ୟଙ୍କର ରାଜସଭା ମଧ୍ୟରେ ନବରତ୍ନଅଗ୍ରଗଣ୍ୟ ଆଖ୍ୟା ଦେଇ କେଉଁ ସୁଦୂର ଅତୀତ ଖ୍ରୀ: ପୂ: ସତାବନ ଅବ୍ଦର ପଶ୍ଚାଭୂମିକୁ ଘେନିଯାଏ—ତୁମେ କ’ଣ ସେହି ପ୍ରସିଦ୍ଧ ବ୍ୟକ୍ତି ? କିମ୍ବା ବିକ୍ରମାଦିତ୍ୟ ନାମଧାରୀ ଗୁପ୍ତରାଜ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କର ସମକାଳୀନ ଚତୁର୍ଦ୍ଦଶ କିମ୍ବା ପଞ୍ଚଦଶ ଖ୍ରୀଷ୍ଟାବ୍ଦର କୌଣସି ଏକ କାଳିଦାସନାମଧାରୀ କାବ୍ୟରଚୟିତାରୂପେ ତୁମର ପ୍ରକାଶ ହୋଇଥିଲା ? ଅଥବା ଷଷ୍ଠ ଶତାବ୍ଦୀର ମାଳବାଧିପତି ଯଶୋଧର୍ମନ୍‍ଙ୍କର ସମସାମୟିକ ସଭାମଣ୍ଡନ ବୟସ୍ୟ କାଳିଦାସ ତୁମର ପ୍ରକୃତ ପରିଚୟ ? ଇତିହାସ ନିଜେ ଅସ୍ଥିର—ଇତିହାସ ପରାଜୟ ସ୍ୱୀକାର କରେ । ସ୍ଥାନ ଓ କାଳ କାଳିଦାସଙ୍କର ଜୀବନକୁ ସ୍ପର୍ଶ କରିପାରି ନାହିଁ । ଏହି ଯଶଶ୍ୱୀ ସମାଧିସ୍ଥ ପୁରୁଷ ସତତ ନିର୍ବିକଳ୍ପ । ହୁଏତ ସୃଷ୍ଟିର ଆଦିମ କାଳରୁ ମାନବ ହୃଦୟର ସର୍ଜନା ସଙ୍ଗେ ସଙ୍ଗେ ତାଙ୍କର ଆବିର୍ଭାବ ଏବଂ ସୃଷ୍ଟିର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ମାନବହୃଦୟର ସତ୍ତା ଓ ମହତ୍ତ୍ଵ ବିଲୟପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ସୃଷ୍ଟିର ପ୍ରଳୟ ମଧ୍ୟରେ ମଧ୍ୟ ସେ ବିରାଜମାନ ହୋଇ ରହିବେ ।

 

ଇତିହାସ ନୁହେଁ, ବିକଳ ଜନସଂଶ୍ରୁତିର ଆବିଳ କଳ୍ପନା ନୀଚଭାବଦୁଷ୍ଟ ଅସମ୍ଭବ ଦନ୍ତକଥା ସୃଷ୍ଟି କରି ମଧ୍ୟ କାଳିଦାସଙ୍କର ମହତ୍ତ୍ୱକୁ ତିଳାର୍ଦ୍ଧେ ଖର୍ବ କରିପାରି ନାହିଁ । ଏହା ହିଁ କାଳିଦାସଙ୍କ ଅବିନାଶୀ ପ୍ରତିଭାର ଯଥାର୍ଥ ପରିଚୟ ।

 

ସେଦିନ ଗୋଟିଏ ଗୋପାଳ ବାଳକ ନିବିଡ଼ ଅରଣ୍ୟ ମଧ୍ୟରେ ଆରୂଢ଼ ଏକ ବୃକ୍ଷଶାଖାକୁ ତୀକ୍ଷ୍ଣ ଅସ୍ତ୍ରଦ୍ଵାରା ଛିନ୍ନ କରିବାକୁ ଉଦ୍ୟତ । କୌଣସି ଏକ ବିଦୁଷୀ ରାଜକନ୍ୟାଦ୍ଵାରା ପରାଜିତ ପଣ୍ଡିତବର୍ଗ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏହି ଅବିବେକ ବଜ୍ରମୁର୍ଖ ଯୁବକକୁ ଗୋଟିଏ ଅସାଧାରଣ ମୌନୀ ପଣ୍ଡିତ ବୋଲ ଘୋଷଣା କରି ରାଜସଭାରେ ଉପସ୍ଥିତ କରାଇଥିଲେ ଏବଂ ରାଜକୁମାସୀଙ୍କୁ ଛଳନା ଓ ପ୍ରତାରଣା ବଳରେ ବିଡ଼ମ୍ବିତ କରି ପୂର୍ବକୃତ ପ୍ରତିଜ୍ଞା ଅନୁସାରେ ବିବାହ ନିମନ୍ତେ ବାଧ୍ୟ କରିଥିଲେ । ତୁମେ କ’ଣ ସେହି କାଳଦାସ ? ସେ ସାମାନ୍ୟ ଉଷ୍ଟ୍ର ଶବ୍ଦ ଉଚ୍ଚାରଣ କରି ନ ପାରି ଲଜ୍ଜିତ ଓ ଅପମାନିତ ହୋଇ ନବପରିଣୀତା ରାଜକନ୍ୟାଙ୍କୁ ମଧୁଶଯ୍ୟାଗୃହରେ ପରିତ୍ୟାଗ କରି ପଳାୟନ କରିଥିଲେ ଏବଂ ବହୁଦିନ କଠୋର ସାଧନାର ପରିଣାମରେ ଏକଦା କୁଣ୍ଠିତ ବୁଦ୍ଧି ସମ୍ପନ୍ନ ଯେଉଁ ଯୁବକ ଦେବୀକୃପାଦିଷ୍ଟ ସିଦ୍ଧ କବିରୂପେ ପ୍ରକଟିତ ହୋଇଥିଲେ–ମେଘଦୂତ, କୁମାରସମ୍ଭବ, ଶକୁନ୍ତଳାଦି ମହାକାବ୍ୟର ରଚୟିତା ତୁମେ କ’ଣ ସେହି କାଳିଦାସ ?

 

ଅବିଶ୍ଵାସ୍ୟ ଜନଶ୍ରୁତି ଓ କେତେବେଳେ ଏହି ମହାନ୍ ବ୍ୟକ୍ତିଙ୍କୁ ଦଣ୍ଡିନ୍ ଓ ଭବଭୂତିଙ୍କର ସମକାଳୀନ ସାବ୍ୟସ୍ତ କରି ତାଙ୍କର ଶ୍ରେଷ୍ଠତା ସୂଚାଇଦେଲଛି, କେତେବେଳେ ଅବା ନବରତ୍ନଙ୍କ ମଧ୍ୟରେ ତାହାଙ୍କୁ ଶ୍ରେଷ୍ଠ ରତ୍ନ ଗଣନା କରି ଭୋଜରାଜସଭାମଣ୍ଡଳରେ ମଣ୍ଡିତ ଅଳଙ୍କାରରୂପେ ସ୍ପର୍ଦ୍ଧିତ ଆସନ ଦେଇଛି । କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ, ନିର୍ମମ କିମ୍ବଦନ୍ତୀ ଏହି ସୁମହାନ୍ ସିଦ୍ଧ ପୁରୁଷଙ୍କୁ ସିଂହଳଦେଶୀୟ କୌଣସି ଏକ ବାରାଙ୍ଗନା ହସ୍ତରେ ମୃତ୍ୟୁଦଣ୍ଡ ବିଧାନ କରି ଭାରତୀୟ ବାଙୁୟକୁ ଚିରକଳଙ୍କିତ କରି ମଧ୍ୟ ସନ୍ତୁଷ୍ଟି ଲାଭ କରିପାରି ନାହିଁ ।

 

କାଳିଦାସଙ୍କର ଲିଖିତ ଜୀବନୀ ଆଜି ନ ଥାଇପାରେ । ଇତିହାସରେ କୌଣସି ବିକୃତ ବିବୃତି ନ ଥିବା ହଁ ବରଂ ଶ୍ରେୟସ୍କର । କାଳଦାସଙ୍କର ସ୍ମୃତିସ୍ତମ୍ଭ କୌଣସି ଭୌତିକ କଳାରେ ତୋଳା ଯିବାର ଆବଶ୍ୟକତା ନ ରହବା ହିଁ ଉଚିତ । କାରଣ ତାଙ୍କର ଅଭିଜ୍ଞାନଶାକୁନ୍ତଳମ୍, ବିକ୍ରମୋବଂଶୀ, ମାଳବକାଗ୍ନିମିତ୍ର ଆଦି ନାଟକ, ମେଘଦୃତ ଓ ଋତୁସଂହାର ସଦୃଶ କାବ୍ୟ, କୁମାରସମ୍ଭବ ଓ ରଘୁବଂଶ ସଦୃଶ ମହାକାବ୍ୟ ହିଁ ତାଙ୍କର ଜୀବନୀ, ତାଙ୍କର ଇତିବୃତ୍ତ ଏବଂ ତାଙ୍କର ଶ୍ରେଷ୍ଠ ସ୍ମୃତି ପ୍ରସ୍ଥାପନା । ଏହି ରଚନାଗୁଡ଼ିକରେ କାବ୍ୟଲକ୍ଷଣ, କଥାଶୈଳୀ ଆଦିର ବୈଶିଷ୍ଟ୍ୟଦ୍ଵାରା ସେ ତାଙ୍କ ମହତ୍ତ୍ୱର ଯଥେଷ୍ଟ ପରିଚୟ ଦେଇ ଯାଇଛନ୍ତି । କେବଳ ସଂସ୍କୃତ ସାହିତ୍ୟରେ ନୁହେଁ, ସମଗ୍ର ବିଶ୍ଵସାହିତ୍ୟରେ କାଳିଦାସଙ୍କର ଅମର କୃତି ତାର ନିଜସ୍ଵ ସ୍ଥାନ ନିର୍ଦ୍ଦିଷ୍ଟ କରି ରଖିପାରିଛି । ବିଖ୍ୟାତ କବି ଗେଟେ ଶକୁନ୍ତଳା ସମ୍ବନ୍ଧରେ କହିଥିଲେ—

 

“ମାନବାତ୍ମାକୁ ଉଲ୍ଲସିତ, ମୁଗ୍ଧ ଓ ଚିରତୃପ୍ତିକାରୀ ନବବର୍ଷାଗମର ସୂଚକ ବସନ୍ତପୁଷ୍ପ କିମ୍ବା ବର୍ଷଶେଷର ପରିପକ୍ୱ ରସାଳ ଫଳ ଅଥବା ଉଭୟବିଧ ସମାହାରକୁ କ’ଣ ଗୋଟିଏ ନାମରେ ଅଭିହିତ କରିବା ସମ୍ଭବ ? ପୃଥିବୀ ଓ ସ୍ଵର୍ଗ ଉଭୟ ସ୍ଥାନପାଇଁ ଏକାର୍ଥବୋଧକ ଗୋଟିଏ ସଂଯୁକ୍ତ ନାମର କ’ଣ ଆବଶ୍ୟକତା ନାହଁ ? ଯଦି ତାର ଆବଶ୍ୟକତା ଥାଏ ଏବଂ ଯଦି ତାହା ସମ୍ଭବ ହୁଏ, ତେବେ ମୁଁ କହିବି ସେ ନାମ ହେଉଛି ଶକୁନ୍ତଳା ।”

 

କିରାତାର୍ଜୁନ–ରଚୟିତା ଭାରବି, ଦଶକୁମାର-ଚରିତ ଲେଖନ ଦଣ୍ଡିନ୍, କାଦମ୍ବରୀ ଓ ହର୍ଷଚରିତର ଗ୍ରନ୍ଥାକାର ବାଣଭଟ୍ଟ ଆଦି କାଳିଦାସଙ୍କ ପଦାନୁସାରୀ ଥିଲେ ବୋଲି କହିଲେ କାଳିଦାସଙ୍କର ପ୍ରକୃତ ପ୍ରଶସ୍ତି ଅତି ସଂକୀର୍ଣ୍ଣ ହୋଇଯିବ । କାଳିଦାସ ପ୍ରକୃତରେ ସଂସ୍କୃତ ସାହିତ୍ୟରେ ଅପରକଳ୍ପନୀୟ ନବପ୍ରାଣର ସଂଚାର କରିଥିଲେ ।

★★★

 

Unknown

ଆଚାର୍ଯ୍ୟ ଶଙ୍କର

 

ଭାରତୀୟ ଜୀବନରେ ସେତେବେଳେ ଘୋର ସଂକଟକାଳ । ଜୀବନଦର୍ଶନର ବହୁମୁଖୀ ପ୍ରସାର ମନୁଷ୍ୟକୁ ସଂଶୟ-ତମସରେ ଆଚ୍ଛନ୍ନ କରି ରଖିଛି । ଏକ ଦିଗରେ ବୌଦ୍ଧ ଉଦ୍ଭଟ ପଣ୍ଡିତମାନେ ଭାରତର ସୀମା ଅତିକ୍ରମ କରି ତିବ୍ଦତ ଓ ଚୀନରେ ମଧ୍ୟ ବୌଦ୍ଧମତ ପ୍ରତିପାଦନ ଓ ସ୍ପଷ୍ଟୀକରଣ କରୁଅଛନ୍ତି । ଅନ୍ୟ ଦିଗରେ ପୁନର୍ଜାଗରିତ ବୈଦିକ ଧର୍ମର ପୁରାତନ କର୍ମକାଣ୍ଡପ୍ରତି ଲୋକମନରେ ପୁନର୍ବିଶ୍ଵାସ ଫେରାଇ ଆଣିବାପାଇଁ ସଦାସର୍ବଦା ଚେଷ୍ଟିତ ମୀମାଂସକବୃନ୍ଦ ତଥା ବୌଦ୍ଧଧର୍ମର ଦାର୍ଶନିକ ଯୁକ୍ତିଜାଲ ଓ ତତ୍ତ୍ୱବାଦକୁ ତର୍କଦ୍ୱାରା ଖଣ୍ଡନ କରିବାରେ ସତତ ପ୍ରୟାସୀ ନୈୟାୟିକଗଣ ।

 

ଏହି ସନ୍ଧିକ୍ଷଣରେ ପୁନରାୟ ଧର୍ମସଂସ୍ଥାପନାର୍ଥ ଆବିର୍ଭୂତ ହେଲେ ଯୁଗାବତାର ଶଙ୍କର ।

 

ମୀମାଂସକ କୁମାରିଲଭଟ ଆଉ ନାହାନ୍ତି–ଉତ୍ତରଭାରତରେ ବୌଦ୍ଧଧର୍ମର ପ୍ରତ୍ୟେକ ଅନୁଷ୍ଠାନକୁ ଉନ୍ମୁଳ କରିବାର ବିଜୟ–ଗୌରବ ଲାଭ ସମୟରେ ସେ ସ୍ୱୟଂ ନିଜ ନିକଟରେ ପରାଜୟ ସ୍ୱୀକାର କରି ଜ୍ୱଳନ୍ତ ଅଗ୍ନିକୁଣ୍ଡରେ ଆତ୍ମବିସର୍ଜନ ଦେଇ ପ୍ରାଯଶ୍ଚିତ୍ତ କରି ସାରିଥିଲେ ।

 

ସେହି କୁମାରିଲ ଶିଷ୍ୟ ମିଥିଳାର ମହାନ୍ ମୀମାଂସକ ପଣ୍ଡିତପ୍ରବର ପ୍ରବୀଣ ମଣ୍ଡନ ମିଶ୍ର ଏକ ପକ୍ଷରେ, ଅନ୍ୟ ପକ୍ଷରେ ସଦ୍ୟୋଜାତ ଶୁଶ୍ରୁବିଶିଷ୍ଟ ଦୀପ୍ତାବୟବ ଜଣେ ତରୁଣ ସିଦ୍ଧ ସାଧୁ ସନ୍ନ୍ୟାସୀ । ତର୍କର ବିରାମ ନାହିଁ । ପ୍ରତ୍ୟେକେ ପ୍ରତ୍ୟେକର ଯୁକ୍ତି ଓ ବିଚାରକୁ ଖଣ୍ଡନ କରିବାରେ ଅଲୌକିକ କୌଶଳ ପ୍ରୟୋଗ କରୁଛନ୍ତି । ମଧ୍ୟଭାଗରେ ବିଚାରିକା ରୂପେ ଉପବିଷ୍ଟ ପଣ୍ଡିତ ମଣ୍ଡନଙ୍କର ବିଦୁଷୀ ପତ୍ନୀ ଦେବୀ ଭାରତୀ । ଉଭୟଙ୍କ ମଧ୍ୟରେ ସର୍ତ୍ତ ନିର୍ଦ୍ଦିଷ୍ଟ ରହିଛି–ଯଦି ପଣ୍ଡିତ ମଣ୍ଡନ ପରାଜିତ ହୁଅନ୍ତି, ତେବେ ସେ ବାଧ୍ୟ ହୋଇ ସନ୍ନ୍ୟାସ ଅବଲମ୍ବନ କରିବେ ଏବଂ ଯଦି ନବାଗତ ସନ୍ନ୍ୟାସୀ ମଣ୍ଡନଙ୍କ ନିକଟରେ ପରାଜୟ ସ୍ୱୀକାର କରନ୍ତି, ତେବେ ତାଙ୍କୁ ସନ୍ନ୍ୟାସ ପରିବର୍ତ୍ତରେ ଗୃହସ୍ଥାଶ୍ରମରେ ପ୍ରବେଶ କରିବାକୁ ହେବ ।

 

ଦିନ ଦିନ ଧରି ତର୍କ ଚାଲିଲା । କେହି କାହାରିକୁ ପରାଜିତ କରିବାର ସୂଚନା ମଧ୍ୟ ମିଳିଲା ନାହିଁ । ପରିଶେଷରେ ପଣ୍ଡିତ–ପତ୍ନୀ ଭାରତୀ ସାରସିଦ୍ଧାନ୍ତ ଘୋଷଣା କଲେ, “କାମଶାସ୍ତ୍ରରେ ଅଭିଜ୍ଞତା ବିଷୟ ବିଚାରକୁ ନ ଆଣିଲେ ଆଗନ୍ତୁକ ସନ୍ନ୍ୟାସୀଙ୍କ ଆସନ ଉଚ୍ଚରେ ।” କଥିତ ଅଛି, ଏହି ବିଦ୍ୟା ସମ୍ବନ୍ଧରେ ସମ୍ୟକ୍ ଜ୍ଞାନ ଲାଭ କରିବାପାଇଁ ସେହି ଯୁବକ ସନ୍ନ୍ୟାସୀଙ୍କୁ କାୟାନ୍ତର ଗ୍ରହଣ କରିବାକୁ ପଡ଼ିଥିଲା । କୌଣସି ମୃତ ରାଜାଙ୍କ କାୟାରେ ପ୍ରବେଶ କରିବା ପରେ ସ୍ୱ–ରକ୍ଷିତ ଶରୀରରେ ପୁନଃ ପ୍ରବେଶ କରି ସେ ଯେତେବେଳେ ପୁନରାୟ ପଣ୍ଡିତ ଓ ପଣ୍ଡିତ–ପତ୍ନୀଙ୍କର ସମ୍ମୁଖରେ ଉପସ୍ଥିତ ହେଲେ, ପଣ୍ଡିତ–ପତ୍ନୀ ନିର୍ବିବାଦରେ ସନ୍ନ୍ୟାସୀଙ୍କର ଶ୍ରେଷ୍ଠତ୍ୱ ସ୍ୱୀକାର କରିବାକୁ ବାଧ୍ୟ ହେଲେ । ପତି, ପତ୍ନୀ ଉଭୟେ ସନ୍ନ୍ୟାସୀଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ ।

 

କିଏ ଏହି ନବୀନ ସନ୍ନ୍ୟାସୀ ?

 

ସେଦିନ ମଣ୍ଡନ ପଣ୍ଡିତଙ୍କ ଗୁରୁ କୁମାରିଲଙ୍କୁ ଅଗ୍ନି ପ୍ରବେଶରୂପକ କଠିନ ପ୍ରାୟଶ୍ଚିତ୍ତରୁ ନିବର୍ତ୍ତାଇବାପାଇଁ ବହୁ ଚେଷ୍ଟା କରି ଏହି ସନ୍ନ୍ୟାସୀ ବିଫଳମନୋରଥ ହୋଇଥିଲେ । ସନ୍ନ୍ୟାସୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗୁରୁ କୁମାରିଲ ଏ ପ୍ରକାର କଠିନ ପ୍ରାଯଶ୍ଚିତ୍ତର ଦୁଇଟି ମୁଖ୍ୟ କାରଣ କହିଥିଲେ–ପ୍ରଥମତଃ ବୌଦ୍ଧ ଦୁରଭିସନ୍ଧି ଓ ବୌଦ୍ଧମାନଙ୍କର ଗୁପ୍ତ ଦୁର୍ବଳତା ସମ୍ବନ୍ଧରେ ଚକ୍ଷୁଷ ଜ୍ଞାନ ଲାଭ କରିବାପାଇଁ ଛଦ୍ମବେଶରେ ଜନୈକ ବୌଦ୍ଧ ଗୁରୁଙ୍କଠାରୁ ତାଙ୍କର ଶିକ୍ଷାପ୍ରାପ୍ତି ପରେ ଗୁରୁଙ୍କ ପ୍ରତି ବିଶ୍ଵାସଘାତକତା କରିଥିବାରୁ ଏବଂ ଦ୍ଵିତୀୟତଃ ବେଦକୁ ସ୍ୱୟମ୍ଭୁ ଓ ସ୍ୱତଃପ୍ରକାଶ ଗ୍ରନ୍ଥରୂପେ ପ୍ରତିପାଦିତ କରିବାକୁ ଯାଇ ପ୍ରକାରାନ୍ତରେ ଈଶ୍ୱରଙ୍କୁ ଅସ୍ଵୀକାର କରିଥିବା ଅପରାଧ ହେତୁ ସେ ଅତିଶୟ ସନ୍ତପ୍ତ ହୋଇ ଅଗ୍ନିରେ ପ୍ରବେଶ କରିଥିଲେ । ମାତ୍ର ସନ୍ନ୍ୟାସୀଙ୍କ ପକ୍ଷରେ ତାଙ୍କୁ ଆତ୍ମହତ୍ୟାରୂପକ ଏହି କଠୋର ପ୍ରାୟଶ୍ଚିତ୍ତବିଧାନରୁ ନିବର୍ତ୍ତାଇବା ସମ୍ଭବ ହୋଇ ନ ଥିଲା ।

 

କୁମାରିଲ ଅଗ୍ନି ମଧ୍ୟକୁ ପ୍ରବେଶ କଲେ—ସନ୍ନ୍ୟାସୀ ବିଫଳମନୋରଥ ହୋଇ ସ୍ଵସ୍ଥାନକୁ ଫେରି ଆସିଥିଲେ ।

 

ଏ ସେହି ସନ୍ନ୍ୟାସୀ ।

 

ଗୋଟି ଗୋଟି ହୋଇ ଦ୍ୱାଦଶ ଶତାବ୍ଦୀ କାଳ–ବକ୍ଷରେ ଲୀନ ହୋଇଗଲାଣି । ଦକ୍ଷିଣ–ଭାରତର ମାଲବାର ଅଞ୍ଚଳସ୍ଥ ଆନନ୍ଦଗିରିଙ୍କ ମତରେ ଚିଦଂବରମ୍, କାହାରି କାହାରି ମତରେ କାଲଡ଼ି ଗ୍ରାମରେ ଗୋଟିଏ ନାମ୍ବୁଦ୍ରୀ ବ୍ରାହ୍ମଣ କୁଳରେ ତାଙ୍କର ଜନ୍ମ । ପିତାମହ ବିଦ୍ୟାଧର ବା ବିଦ୍ୟାଧିରାଜ ସ୍ଥାନୀୟ ସୁପ୍ରସିଦ୍ଧ ଶିବ ମନ୍ଦିରର ସୁଦକ୍ଷ ଅଧ୍ୟକ୍ଷ ଥିଲେ । ପିତାଙ୍କର ନାମ ଥିଲା ଶିବଗୁରୁ । ପୁତ୍ରର ଉପନୟନ ସଂସ୍କାର ପରେ ପରେ ପିତା ଶିବଗୁରୁଙ୍କର ମୃତ୍ୟୁ ହେଲା ।

 

କିନ୍ତୁ ସେ ବିପର୍ଯ୍ୟୟ ଶିଶୁପୁତ୍ରକୁ ବିଦ୍ୟାବିମୁଖ କରିପାରି ନ ଥିଲା । ମାତ୍ର ଆଠ ବର୍ଷ ବୟଃକ୍ରମରେ ହିଁ ଏହି ଅସାଧାରଣ ଧୀସଂପନ୍ନ ବାଳକ ବେଦ ଓ ବେଦାଙ୍ଗାଦିରେ ପୂର୍ଣ୍ଣ ପାରଙ୍ଗମତା ଲାଭ କରି କଠିନ ଦାର୍ଶନିକ ସମସ୍ୟାର ସମାଧାନ ଦିଗରେ ଚେଷ୍ଟିତ ହେଲେ । ସେତେବେଳେ କେହି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା ଯେ, ତାଙ୍କର ଏହି ମହତ୍ କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ମାତ୍ର ଚତୁର୍ବିଂଶ ବର୍ଷ ବାକି ରହିଥିଲା ।

 

ବିଦ୍ୟାଶେଷରେ ଉଠିଲା ଯୁବକଙ୍କର ବିବାହ ପ୍ରଶ୍ନ । ବିଧବା ମାତା ଏକମାତ୍ର କୁଳପ୍ରଦୀପ ପୁତ୍ରସନ୍ତାନର ବିବାହନିମନ୍ତେ ବ୍ୟାକୁଳ; କିନ୍ତୁ ପିତୃହୀନ କୋମଳମତି ବାଳକ ସଂସାର ବନ୍ଧନରେ ଆବଦ୍ଧ ହେବାକୁ ଚାହାନ୍ତି ନାହିଁ । ଜନନୀର ସ୍ନେହଶୀଳ ହୃଦୟ ଏବଂ ଯୁବକର ତାପସବ୍ରତାନୁକୂଳ ମାନସ ମଧ୍ୟରେ ଲାଗିଲା ସଂଘର୍ଷ । ହଠାତ୍ ଦିନେ ସ୍ନାନରତ ପୁତ୍ର ଚିତ୍କାର କରି ଉଠିଲା “ମା ! ମା ! ମୋତେ ରକ୍ଷା କର । ଗୋଟିଏ ଜଳଜନ୍ତୁର କବଳରୁ ମୋତେ ଉଦ୍ଧାର କର ।”

 

ମାତା ନିରୁପାୟ ହୋଇ ଚିତ୍କାର କରୁଛନ୍ତି, ନିରୁଦ୍‍ବିଗ୍ନ ପୁତ୍ର ଉପାୟର ସୂଚନା ଦେଇ କହୁଛନ୍ତି—‘‘ମାତଃ ! ମୋତେ ସନ୍ନ୍ୟାସୀ କରିଦିଅ । ଏ ସଂକଳ୍ପ ନ କଲେ ଚିରଦିନପାଇଁ ମୋତେ ଏହି ଜଳରାଶି ମଧ୍ୟରେ ନିମଜ୍ଜିତ ହେବାର ଦୁର୍ଭାଗ୍ୟ ବରଣ କରିନେବାକୁ ହେବ ।”

 

ଜଳଜନ୍ତୁରୂପୀ ବିଷୟବାସନା ସନ୍ନ୍ୟାସୀବ୍ରତୀ ପୁତ୍ର ଶଙ୍କରଙ୍କୁ ଆଉ ସଂସାର ସାଗର ମଧ୍ୟରେ ନିମଗ୍ନ କରି ପାରିଲା ନାହିଁ । ମାତାଙ୍କ ଅନୁମତିକ୍ରମେ ସେ ସନ୍ନ୍ୟାସବ୍ରତ ଗ୍ରହଣ କଲେ । ନର୍ମଦାତଟ ନିକଟସ୍ଥ ସନ୍ନ୍ୟାସୀ ଆଶ୍ରମରେ ଆଚାର୍ଯ୍ୟ ଗୋବିନ୍ଦପାଦଙ୍କଠାରୁ ଦୀକ୍ଷା ଗ୍ରହଣ କରି ତାଙ୍କର ଆଦେଶକ୍ରମେ ପରିବ୍ରାଜକରୂପେ ସେ ଭାରତୀୟ ଚିନ୍ତାଧାରାରେ ଏକ ଅଦ୍ଭୁତପୂର୍ବ ବିପ୍ଳବ ସୃଷ୍ଟି କରିବାପାଇଁ ସମଗ୍ର ଦେଶର କୋଣେ କୋଣେ ଭ୍ରମଣ କରିବାକୁ ଲାଗିଲେ । ବୌଦ୍ଧ, ଜୈନ, ବୈଦିକ–କର୍ମକାଣ୍ଡୀ, ଶାକ୍ତ, ପାଶୁପତ, ଭୈରବ, ଗାଣପତ୍ୟ ଓ କାପାଳିକାଦି ପଣ୍ଡିତବର୍ଗଙ୍କର ସମ୍ମୁଖୀନ ହୋଇ ସେମାନଙ୍କୁ ଅକାଟ୍ୟ ଯୁକ୍ତି ଓ ତର୍କବାଣୀ ବଳରେ ପରାସ୍ତ କରି ଅପ୍ରତିଦ୍ଵନ୍ଦ୍ଵୀ ପଣ୍ଡିତରୁପେ ପରିଗଣିତ ହେଲେ । ଚତୁର୍ଦ୍ଦିଗରେ ସନ୍ନ୍ୟାସୀଙ୍କର ବିଜୟବାର୍ତ୍ତା ବିଘୋଷିତ ହେବାକୁ ଲାଗିଲା । ନାନାଦେଶର ଅଗଣିତ ଶିଷ୍ୟ ସାଗ୍ରହରେ ସନ୍ନ୍ୟାସୀଙ୍କର ଶରଣାପନ୍ନ ହେଲେ । ଦେଶର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତଯାଏ ଧ୍ଵନିତ ହେବାକୁ ଲାଗିଲା ସନ୍ନ୍ୟାସୀଙ୍କର ମଧୁମୟ ରଚନା—

 

“ଭଜ ଗୋବିନ୍ଦଂ ସ୍ମର ଗୋବିନ୍ଦଂ ଗୋବିନ୍ଦଂ ଭଜ ମୂଢ଼ମତେ” ।

 

ସନ୍ନ୍ୟାସୀ ସେତେବେଳେ କାଶୀବାସୀ । କାଶୀରାଜ ଓ ଶିଷ୍ୟପ୍ରଶିଷ୍ୟମାନଙ୍କର ବିସ୍ମୟ ଉଦ୍ରେକ କରି ଏବଂ ରାଜକୀୟ ସଂରକ୍ଷଣ ତଥା ଭକ୍ତ ପରିଜନମାନଙ୍କର ସେବା ସଂଭୋଗକୁ ଉପେକ୍ଷା କରି ସନ୍ନ୍ୟାସୀ ହଠାତ୍ ଦିନେ ଆରମ୍ଭ କଲେ ଐତିହାସିକ ଦିଗ୍‍ବିଜୟ ! ବେଦ ଓ ଉପନିଷଦର ବିସ୍ମୃତ ଜ୍ଞାନରତ୍ନକୋଷକୁ ସମଗ୍ର ଭାରତ ସମକ୍ଷରେ ପୁନରୁଦ୍‍ଘାଟିତ କରିଦେବାପାଇଁ ସନ୍ନ୍ୟାସୀ ଶଙ୍କରଙ୍କର ସେହି ବିଜୟଯାତ୍ରା ଐତିହାସିକ ଦିଗ୍‍ବିଜୟ ବାସ୍ତବ ପକ୍ଷରେ ଏକ ଅଘଟନଘଟନ ମଧ୍ୟରେ ପରିଗଣିତ ।

 

ସନ୍ନ୍ୟାସୀ ଶଙ୍କର—ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କର ଭାରତବର୍ଷକୁ ଦାନ ବୁଦ୍ଧାତୀକାଳରୁ ତଦବଧି ସମୟ ପର୍ଯ୍ୟନ୍ତ ଅଦ୍ୱିତୀୟ । ଏହା ନବମ ଶତାବ୍ଦୀର କଥା ।

 

ଆଚାର୍ଯ୍ୟ ଶଙ୍କର ବ୍ରାହ୍ମଣ୍ୟ ଧର୍ମର ପୁନଃ ପ୍ରତିଷ୍ଠା କରି ସମଗ୍ର ଭାରତଖଣ୍ଡର ଚତୁଃପାର୍ଶ୍ୱରେ ଚାରୋଟି ବିଜୟସ୍ତମ୍ଭସ୍ୱରୂପ ଚାରି ମଠ ପ୍ରତିଷ୍ଠିତ କରିଥିଲେ । ପୁରୀର ଗୋବର୍ଦ୍ଧନ ମଠ, ଦ୍ୱାରକାର ସାରଦା ମଠ, ବଦ୍ରିନାଥରେ ଯୋକ୍ଷୀ ମଠ ଏବଂ ଦକ୍ଷିଣରେ ଶୃଙ୍ଗେରୀ ମଠ ସେହି ସମୟରୁ ଅଦ୍ୟାବଧି ଶଙ୍କରଙ୍କ ଦିଗ୍‍ବିଜୟର ସ୍ମୃତିସ୍ତମ୍ଭରୂପେ ବିଦ୍ୟମାନ ।

 

ମାତ୍ର ଏହି ଶଙ୍କରାଚାର୍ଯ୍ୟ, ଯାହାଙ୍କର ଅଦ୍ଵୈତବାଦ ବା ବେଦାନ୍ତତତ୍ତ୍ୱ ସର୍ବାଧିକ ଗୂଢ଼ ଏବଂ ଗହନ ଭାରତୀୟ ଦର୍ଶନରୂପେ ବିବେଚିତ, ଯାହାଙ୍କର ମନ୍ଦ୍ରବାଣୀ ‘ତତ୍ତ୍ୱମସି’, ‘ଅହଂ ବ୍ରହ୍ମାସି’, ‘ଶିବୋହଂ, ଶିବୋହଂ’ ଆଦି ମନ୍ତ୍ରବାକ୍ୟ ମନୁଷ୍ୟପ୍ରାଣରେ ଏକ ଅପୂର୍ବ ଆଶା ଓ ଉତ୍ସାହ ସଂଚାର କରିଛି, ଯାହାଙ୍କର ଜୀବ ଓ ଜଗତର ନାମ ରୂପାତ୍ମକ, ମିଥ୍ୟା–ପ୍ରତୀକକାରିଣୀ ମାୟା ଓ ଅବିଦ୍ୟା ସତ୍ତାହୀନ ଏବଂ ଉପାଧିରହିତ ଏକ ନିର୍ଗୁଣ ନିର୍ବିଶେଷ ବ୍ରହ୍ମର ଏକମାତ୍ର ସତ୍ତା ହିଁ ସର୍ବଦା ବର୍ତ୍ତମାନ ଏହି ନୂତନ ଆଲୋକ–ଉଦ୍ଭାସୀ ଏକ ନୂତନ ଧର୍ମବାଦ ଏ ଦେଶ ଆଗରେ ନବାଦର୍ଶ ଉପସ୍ଥାପିତ କରିଛି, ସେହି ଯୁଗାବତାର ଦିଗ୍‍ବିଜୟୀ ଅଦ୍ଵିତୀୟ ପଣ୍ଡିତଙ୍କୁ ଯେପରିଭାବରେ ନିଷ୍ଠୁର ଅନ୍ଧ ସମାଜ ରୋଷକକ୍ଷାୟିତ ନେତ୍ରରେ ଘୃଣ୍ୟ ବ୍ୟବହାର କରିଥିଲା, ତାହା ଏକ ମର୍ମନ୍ତୁଦ କାହାଣୀ ।

 

ବୃଦ୍ଧା ମାତା ଦେହ ତ୍ୟାଗ କରିଛନ୍ତି । ସନ୍ନ୍ୟାସୀ ଶଙ୍କର ମୁଖାଗ୍ନି ଦେଇ ଶ୍ରାଦ୍ଧକ୍ରିୟା ସଂପନ୍ନ କରିବାକୁ ଉଦ୍ୟତ; ସମାଜ ନିର୍ଦ୍ଦେଶ ଦେଲା–ସନ୍ନ୍ୟାସୀ ପକ୍ଷରେ ଏହା ଅନନୁମୋଦ୍ୟ । ମାତ୍ର ବୀର ଶଙ୍କର ସମାଜର ଏହି ଅନ୍ୟାୟ ବିରୋଧରେ ହସ୍ତ ଉତ୍ତୋଳନ କରି ନିଜର କର୍ତ୍ତବ୍ୟକାର୍ଯ୍ୟ ସମାଧାନ କରିଥିଲେ । ସ୍ୱୟଂ ଅଙ୍ଗନ ମଧ୍ୟରେ ସାମାନ୍ୟ କାଷ୍ଠଖଣ୍ଡ ସଂଗ୍ରହ କରି ମାତୃଶବ ସଂସ୍କାର କରିଥିଲେ । ଫଳରେ ସମାଜ ଶଙ୍କରଙ୍କୁ ବର୍ଜନ କରିଥିଲା ।

 

ଆଠଶହ ଅଠେଇଶ ଖ୍ରୀଷ୍ଟାବ୍ଦ । ଶଙ୍କରଙ୍କୁ ମାତ୍ର ସେତେବେଳେ ବତିଶ ବର୍ଷ ବୟସ—କାହାରି କାହାରି ମତରେ ଅଠଚାଳିଶ ବର୍ଷ ହେବ । କେଦାରନାଥର ନିଃସଙ୍ଗ ନିର୍ମମ ବାତାବରଣ–ମହିମାମୟ କୈଳାସର ଶାନ୍ତ ପରିବେଶ ମଧ୍ୟରେ ଲୋକକଥିତ ଶିବାବତାର ଶଙ୍କରାଚାର୍ଯ୍ୟଙ୍କର ମହାପ୍ରୟାଣ ହେଲା ।

 

ଏହି ଅଳ୍ପାୟୁ ଘେନି ଆଚାର୍ଯ୍ୟ ଶଙ୍କର ଯେଉଁ ଯୁଗ ପରିବର୍ତ୍ତନ କରିଗଲେ, ତାହା ବାସ୍ତବିକ ବିସ୍ମୟକର । ପଣ୍ଡିତମାନେ ଯଥାର୍ଥରେ କହନ୍ତି—‘ଶଙ୍କର ଶଙ୍କରବତ୍, ଅର୍ଥାତ୍ ଶଙ୍କର ଅଦ୍ଵିତୀୟ ।’

★★★

 

ମହାମନା ରାମାନୁଜ

 

ମନୁଷ୍ୟ ତାର ବୁଦ୍ଧି ଦ୍ୱାରା ନିଚ୍ଛକ ଜ୍ଞାନଯୋଗ ବଳରେ ଈଶ୍ୱର ଉପଲବ୍ଧିର ପ୍ରୟାସ କ୍ରମେ ଏପରି ଏକ ସୀମାନ୍ତରେ ଆସି ପ୍ରବେଶ କରିଥିଲା, ଯାହାର ଅତିକ୍ରମଣ କଳ୍ପନା ରକ୍ତମାଂସର ନିଗଡ଼ ମଧ୍ୟରେ ସନ୍ନିବେଷ୍ଟିତ ମସ୍ତକ ପକ୍ଷରେ ହୁଏ ତ ଅସମ୍ଭବ ହୋଇପଡ଼ିଲା । ଭଗବାନ ଓ ମନୁଷ୍ୟକୁ ସମାସନରେ ଆସୀନ କରି ଅଥବା ମନୁଷ୍ୟକୁ ମାୟା ଏବଂ ଭଗବାନଙ୍କୁ ହିଁ ଏକମାତ୍ର ସତ୍ୟ ବୋଲି ବିବେଚନା କରି ଏକ ଅଗାଧ କଳ୍ପନାର ସମୁଦ୍ର ଭିତରେ ଅବଗାହନ କରିବାର ସଂକେତ ଦେଇ ଆଚାର୍ଯ୍ୟ ଶଙ୍କର ଭାରତୀୟ ପଟ୍ଟଭୂମିକାରୁ ସେତେବେଳକୁ ଅପସରି ଯାଇଥିଲେ । ତାହାପରେ ? ମନୁଷ୍ୟ ଆପଣାକୁ ପ୍ରଶ୍ନ କଲା—‘‘ଭଗବାନ୍ ଓ ମନୁଷ୍ୟର ଏକତ୍ୱ ସମ୍ଭାବନାରେ କଣ ମନୁଷ୍ୟର ଚରମ ଲକ୍ଷ୍ୟ ଲାଭ ସମ୍ଭବ ? ମନୁଷ୍ୟ କେବଳ କଣ ବୁଦ୍ଧି-ସର୍ବସ୍ୱ ଓ ଜ୍ଞାନ ସର୍ବସ୍ୱ ? ସେଦିନ ମନୁଷ୍ୟ ବୋଧହୁଏ ଅନୁଭବ କଲା ଯେ, ବୁଦ୍ଧି ଦ୍ୱାରା ଏକ ଅତୀନ୍ଦ୍ରିୟ ବସ୍ତୁର ଉପଲବ୍ଧି ଅଥବା ଆପଣାକୁ ମିଥ୍ୟା ପ୍ରମାଣ କରିବା ସଙ୍ଗେସଙ୍ଗେ ଏକ ନିର୍ଗୁଣ ନିରାକାର ବସ୍ତୁର ସାଯୁଜ୍ୟ, ସାମୀପ୍ୟ ଓ ସାଲୋକ୍ୟ ଅନୁଭବ ନିତାନ୍ତ ନିଷ୍ଠୁରତା ଏବଂ ଈଶ୍ୱରଦତ୍ତ ଏକ ଅପୂର୍ବ ଅମୂଲ୍ୟ ନିଧିର ଅନ୍ୟାୟ ଉପେକ୍ଷା ବ୍ୟତୀତ ଅନ୍ୟ କିଛି ନୁହେଁ । ସେହି ଅନୁପମ ରତ୍ନ ହିଁ-ମନୁଷର ହୃଦୟ ।

 

ସାଧାରଣ ମନୁଷ୍ୟ, ଏହି ମାଟିର ମନୁଷ୍ୟ, ଯାହାର ରକ୍ତ ଶ୍ରମ–ଝାଳରେ ପରିଣତ ହୋଇ ଶୋଷକ ଓ ଶୋଷିତ ନିର୍ବିଶେଷରେ ସମଗ୍ର ମନୁଷ୍ୟ ଜାତିକୁ ଜୀବିତ କରି ରଖିଛି, ଜ୍ଞାନଗମ୍ୟ ଏକ ନିରାକାର ପରମବ୍ରହ୍ମ ପରମେଶ୍ଵରଙ୍କ ଉପଲବ୍ଧି ନିମନ୍ତେ ଆବଶ୍ୟକ ସାଧ୍ୟ ସାଧନା, ଯାଗ ଯଜ୍ଞ, ଯୋଗ ଯୋଜନା ତାପକ୍ଷରେ ଏହି ଯୁଗରେ ଏକାବେଳକେ ଅସମ୍ଭବ । ସେ ମଧ୍ୟ ପ୍ରଶ୍ନ କଲା, “ଏ ଭଗବତ୍‍ପ୍ରାପ୍ତିରେ ମୋର କଣ ଲେଶମାତ୍ର ଅଧିକାର ନାହିଁ ?” ଯେଉଁମାନେ ଅଧ୍ୟୟନ ଓ ଅଧ୍ୟବସାୟ ଫଳରେ ବୁଦ୍ଧିକୁ ସୂକ୍ଷ୍ମ ଓ ତୀକ୍ଷ୍ଣ କରିବାର ସୁଯୋଗ ଓ ସୁବିଧା ସମାଜରୁ ଅପହରଣ କରି ନେଇଛନ୍ତି, ମହାମହିମ ତତ୍ତ୍ୱନିଚୟକୁ ଅନୁଭବ କରିବାର ଯଥେଷ୍ଟ ଅବସର ଓ ଅବକାଶ ପାଉଛନ୍ତି–ଈଶ୍ୱର କଣ କେବଳ ସେହି ପଣ୍ଡିତବର୍ଗଙ୍କର କେବଳ ଅଧିକାର ମଧ୍ୟରେ ଆବଦ୍ଧ ? ମୁର୍ଖ ବା ସାଧାରଣ ଶିକ୍ଷାପ୍ରାପ୍ତ ମାଟିର ମଣିଷ କଣ ଈଶ୍ୱରଙ୍କ ନିକଟରେ ତାହାର ଆସନ ଦାବୀ କରିପାରେନାହିଁ ?

 

ବାସ୍ତବରେ ସେ ଯୁଗର ସାଧାରଣ ମାନବ ଶଙ୍କରଙ୍କ ନିର୍ଦ୍ଦିଷ୍ଟ ଈଶ୍ୱରଙ୍କୁ ଭୟ-ବିହ୍ଵଳ ବିସ୍ମିତ ନେତ୍ରରେ ଚାହିଁବାକୁ ଲାଗିଲା । ଭଗବାନ ବୁଦ୍ଧଙ୍କର ଈଶ୍ୱର ସମ୍ବନ୍ଧୀୟ ନୀରବତା ଅନୁକ୍ରମରେ ଆଚାର୍ଯ୍ୟ ଶଙ୍କରଙ୍କର ନିରାକାର ବ୍ରହ୍ମ ଉପାସନା ତାଙ୍କୁ ଯଥାର୍ଥରେ ପ୍ରଚ୍ଛନ୍ନ ବୁଦ୍ଧ ଆଖ୍ୟା ଦେଇ ସାଧାରଣ ମନୁଷ୍ୟ ପୁଣି ଥରେ ସେହି ପ୍ରଶ୍ନବାଚୀ ସମ୍ମୁଖରେ ଦଣ୍ଡାୟମାନ ହୋଇ ରହିଲା । କିମଧିକଂ ଅତଃ ପରଃ ? ଏହାପରେ ଆଉ କଣ ଅଛି ?ମହାଭାରତର ଅର୍ଜ୍ଜୁନ ସଦୃଶ ବିଶ୍ଵରୂପୀ ଭଗବାନଙ୍କୁ ସେ ମଧ୍ୟ ସେଦିନ ପ୍ରାର୍ଥନା କରିଥିଲା–ତେନେବ ରୂପେଣ ଚତୁର୍ଭୁଜେନ, ସହସ୍ରବାହୁ ଭବ ବିଶ୍ୱମୂର୍ତ୍ତେ !

 

ଜୀବ ଏବଂ ବ୍ରହ୍ମର ଐକ୍ୟ ପ୍ରତିପାଦିତ ହେଲେ, ସଗୁଣ ମାନବ-ହୃଦୟ ନିର୍ଗୁଣ ଈଶ୍ୱର ପ୍ରତି ଭକ୍ତି ଅର୍ଘ୍ୟ ଅର୍ପଣ କରିବାର ଅବକାଶ କାହିଁ ? ଅବତାରବାଦର ବା ଆବଶ୍ୟକତା କେଉଁଠି ?

 

ସେଥିପାଇଁ ମନୁଷ୍ୟହୃଦୟ ବିଦ୍ରୋହ କରି ଉଠିଲା । ଶଙ୍କରଙ୍କର ଜନ୍ମଭୂମି ଦକ୍ଷିଣଭାରତରେ ହିଁ ମାୟାବାଦକୁ ଅତିକ୍ରମ କରି ଊର୍ଦ୍ଧ୍ଵ ତରଭୂମିକୁ ଅଧିରୋହଣ କରିବା ନିମନ୍ତେ ପଣ୍ଡିତମାନେ ଯତ୍ନଶୀଳ ହେଲେ । ନାମ୍ମାଲଦାର ପ୍ରଭୃତି ଦ୍ଵାଦଶ ଆଲବାର ବୈଷ୍ଣବ ଭକ୍ତ, ଯାମୁନାଚାର୍ଯ୍ୟ ଆଦି ଆଚାର୍ଯ୍ୟବୃନ୍ଦ ଏହାର ପରିଣାମରେ ଜୀବ ଏବଂ ବ୍ରହ୍ମର ଅଦ୍ବୈତ ତତ୍ତ୍ୱକୁ ଏକ ପ୍ରକାର ଅବହେଳା କରି ଏକ ନୂତନ ବିଶିଷ୍ଟାଦ୍ଵୈତବାଦ ପ୍ରତିଷ୍ଠା କଲେ । ସେହି ଭିତ୍ତି ଉପରେ ହିଁ ଏକ ପ୍ରକାଣ୍ଡ ସୌଧ ନିର୍ମାଣ କଲେ ଯାମୁନାଚାର୍ଯ୍ୟଙ୍କର ଗୋଟିଏ ପ୍ରପୌତ୍ରୀଙ୍କ ଗର୍ଭଜାତ ଶ୍ରୀ ରାମାନୁଜ ।

 

ବେଦାନ୍ତସୂତ୍ର ଓ ଗୀତାର ମହତ୍ତ୍ୱପୂର୍ଣ୍ଣ ଭାଷ୍ୟ “ଶ୍ରୀଭାଷ୍ୟ”ର ରଚୟିତା ରାମାନୁଜ ନାମ୍ମାଲବ୍‍ବାର କୃତ ପ୍ରସିଦ୍ଧ ‘ତିରୁବୋଇମୋଲୀ’ ବୈଷ୍ଣବ ଗ୍ରନ୍ଥର ପ୍ରାମାଣିକ ଟୀକାକାର ଶ୍ରୀରାମାନୁଜ ଜନ୍ମଗ୍ରହଣ କରିଥିଲେ ଦଶଶହ ସତର ଖ୍ରୀଷ୍ଟାବ୍ଦରେ । ବାଲ୍ୟବସ୍ଥାରେ ପିତୃବିୟୋଗ ଘଟିବା କାରଣରୁ ଯାଦବ-ପ୍ରକାଶନାମକ ଜଣେ ବେଦାନ୍ତୀଙ୍କଠାରୁ ସେ ପ୍ରାଥମିକ ଶିକ୍ଷା ଲାଭକଲେ-। ତତ୍ପରେ ଯାମୁନାଚାର୍ଯ୍ୟ ବା ଆଲବଦାରଙ୍କ ଶିଷ୍ୟ ପେରିୟାନାମ୍ବୀଙ୍କୁ ଗୁରୁ କରି ସେ ଦୀକ୍ଷା ନେବାର ଅଳ୍ପଦିନ ପରେ ଗାର୍ହସ୍ଥ୍ୟ ଜୀବନ ପ୍ରତି ବୀତଶ୍ରଦ୍ଧ ହୋଇ ସନ୍ନ୍ୟାସ ଗ୍ରହଣ କଲେ । ସେହି ସମୟରେ ହିଁ ଶ୍ରୀରଙ୍ଗଠାରେ ସେ ଯାମୁନାଚାର୍ଯ୍ୟଙ୍କର ଗାଦୀ ପ୍ରାପ୍ତ ହୋଇ ଆଚାର୍ଯ୍ୟ ଉପାଧି-ଭୂଷିତ ହେଲେ ଏବଂ ସେହିଠାରେ ହିଁ ସେ ବେଦାନ୍ତସାର, ବେଦାନ୍ତଦୀପ, ବେଦାନ୍ତସଂଗ୍ରହ ତଥା ଶ୍ରୀଭାଷ୍ୟ ଆଦି ଗ୍ରନ୍ଥ ରଚନା କରିଥିଲେ ।

 

ମହାପୁରୁଷମାନଙ୍କ ପ୍ରତି ତାତ୍କାଳିକ ସମାଜ ଓ ଶାସକବର୍ଗଙ୍କର ଅତ୍ୟାଚାର ଏକ ନିତ୍ୟପ୍ରବୃତ୍ତ ଐତିହାସିକ ଘଟଣା । ରାମାନୁଜ ତହିଁର ବ୍ୟତିକ୍ରମ ନ ଥିଲେ । ସେତେବେଳେ ଚୋଳାଧିପତି ଦୁର୍ଦ୍ଦାନ୍ତଶାସକ ତାଙ୍କର ଲୋକପ୍ରିୟତାକୁ ସହ୍ୟ କରି ନ ପାରି ବହୁ ତାଡ଼ନା ଓ ନିର୍ଯ୍ୟାତନା କରିବାରୁ ସେ ଶ୍ରୀରଙ୍ଗରୁ ପଳାଇ ଯାଇ କାବେରୀତଟସ୍ଥ ଶାଳୀଗ୍ରାମଠାରେ ଦ୍ଵାଦଶ ବର୍ଷ ଅବଧି ଆଶ୍ରମବାସ କଲେ । ସେହିଠାରେ ସେ ନୋଲୁକୋଟସ୍ଥ ସୁପ୍ରସିଦ୍ଧ ମନ୍ଦିର ନିର୍ମାଣ କରି ତନ୍ମଧ୍ୟରେ ସୁନ୍ଦର କମନୀୟ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ ଏବଂ ହରିଜନମାନଙ୍କ ପ୍ରବେଶର ବିହିତ ବ୍ୟବସ୍ଥା ମଧ୍ୟ କରିଥିଲେ । ତା’ପରେ କେତେକ ବର୍ଷ ସେ ଦେଶେ ଦେଶେ ନାମ ପ୍ରଚାର କରି ଏଗାରଶହ ସଇଁତ୍ରିଶ ଖ୍ରୀଷ୍ଟାବ୍ଦରେ ଅପ୍ରକଟ ହୋଇଗଲେ ।

 

ରାମାନୁଜ ପ୍ରକୃତ ପକ୍ଷରେ କହିବାକୁ ଗଲେ, ଶଙ୍କରଙ୍କ ଅଦ୍ୱୈତବାଦର ବିରୋଧ କରିନାହାନ୍ତି । ବରଂ ସେ ଶଙ୍କରଙ୍କର ଦାର୍ଶନିକ ଅଦ୍ଵୈତବାଦସହ ପ୍ରେମଭକ୍ତିସଂବଳିତ ଭାଗବତଧର୍ମର ସଂଯୋଗ ସ୍ଥାପନ କରିଗଲେ । ତାଙ୍କ ମତରେ ଜୀବାତ୍ମା, ଜଗତ ଓ ବ୍ରହ୍ମ ମୂଳତଃ ଏକ; କିନ୍ତୁ ବସ୍ତୁତଃ କାର୍ଯ୍ୟକାରକରୂପରେ ପ୍ରତ୍ୟେକ ପ୍ରତ୍ୟେକଠାରୁ ଭିନ୍ନ ଏବଂ ବିଶିଷ୍ଟ ଗୁଣସଂପନ୍ନ-। ରାମାନୁଜଙ୍କର ଏହି ମତକୁ ସେଥିପାଇଁ ବିଶିଷ୍ଟା–ଦ୍ଵୈତବାଦ ବୋଲି କୁହାଯାଏ । ରାମାନୁଜ ଜ୍ଞାନ ଓ କର୍ମକୁ ଭକ୍ତିର ଉପାଦାନ ବୋଲି କହି ନିଃସଂଶୟ ଭାବରେ ବ୍ୟକ୍ତ କଲେ ଯେ, ଭକ୍ତି ଅର୍ଥାତ୍ ହୃଦୟର ତରୁଣ ଅନୁଭୂତି ହିଁ ଈଶ୍ୱର ସାକ୍ଷାତ୍କାରର ସର୍ବୋତ୍କୃଷ୍ଟ ପନ୍ଥା ।

★★★

 

ମହାତ୍ମା ମଧ୍ୱାଚାର୍ଯ୍ୟ

 

ସେ ଆଜି ଅବତାରରୂପେ ଗଣ୍ୟ ନୁହନ୍ତୁ, ଏକ ବିରାଟ ଧର୍ମ-ସଂପ୍ରଦାୟର ପ୍ରବର୍ତ୍ତକରୂପେ ତାଙ୍କର ବିଶେଷ ପରିଚୟ ଆଜି ଜଗତ ସମକ୍ଷରେ କେହି ଉପସ୍ଥାପିତ ନ କରୁ, କିନ୍ତୁ ତାଙ୍କର ଅଭିନବ ଦୃଷ୍ଟିକୋଣ, ହୃଦୟାନୁଭୂତିର ଅପୂର୍ବ ଭଙ୍ଗୀ ଭାରତୀୟ ବିଶିଷ୍ଟ ପୁରୁଷ କପିଳ, ଗୌତମ, କଣାଦ, ପତଞ୍ଜଳିଙ୍କ ନାମ ସହିତ ଶଙ୍କର, ରାମାନୁଜ, ବଲ୍ଲଭଙ୍କର ଆଧ୍ୟାତ୍ମିକବାଦ ସହିତ ଅଚ୍ଛେଦ୍ୟ ଏବଂ ଅଭେଦ୍ୟ ଭାବରେ ତାଙ୍କୁ ଚିରଦିନ ସଂଶ୍ଳିଷ୍ଟ କରି ରଖିଥିବ । ବାଳକ ବାସୁଦେବ ପୂର୍ଣ୍ଣପ୍ରଜ୍ଞ ‘ଆନନ୍ଦ ତୀର୍ଥ’ ରୂପରେ ପ୍ରକଟିତ ହେବାର ଏକ ମନୋହର ଆଖ୍ୟାୟିକା ମଧ୍ୟରେ ମଧ୍ଵଙ୍କର ଉଜ୍ଜ୍ୱଳମୟ ଜୀବନୀ ସ୍ୱଚ୍ଛନ୍ଦଭାବରେ ଆଧାରିତ ।

 

ରାମାନୁଜ, ନିମ୍ବାର୍କ ଓ ବଲ୍ଲଭାଦି ଆଚାର୍ଯ୍ୟମାନେ ଶଙ୍କରଙ୍କର ଅଦ୍ଵୈତବାଦର ବିରୋଧ କରିଥିଲେ ସତ୍ୟ, କିନ୍ତୁ ତାର ପୂର୍ଣ୍ଣ ଖଣ୍ଡନ ନ କରି ସେମାନେ ଏକ ପ୍ରକାର ସନ୍ଧି ସ୍ଥାପନ କରିଯାଇଥିଲେ ।

 

କିନ୍ତୁ ମଧ୍ଵ ସଂପୂର୍ଣ୍ଣତଃ ଶଙ୍କର ମତକୁ ମିଥ୍ୟା ପ୍ରମାଣିତ କରି ବିଶୁଦ୍ଧାଦ୍ଵୈତବାଦ ନାମରେ ଏକ ସ୍ଵତନ୍ତ୍ର ଦାର୍ଶନିକ ବିଚାରଧାରା ସର୍ବ-ସାଧାରଣଙ୍କ ଆଗରେ ଉପସ୍ଥାପିତ କଲେ । ତାଙ୍କ ମତରେ ବ୍ରହ୍ମ, ଜୀବ ଓ ଜଗତର ଐକ୍ୟ ଅସମ୍ଭବ । ଏକଦିଗରେ ଅଦ୍ଵିତୀୟ ଚେତନ ବ୍ରହ୍ମ–ଅନ୍ୟ ଦିଗରେ ଅସ୍ୱତନ୍ତ୍ର ଜଡ଼ ପ୍ରକୃତି ଓ ପରତନ୍ତ୍ର ଜୀବ–ପ୍ରତ୍ୟେକର ସ୍ଵତନ୍ତ୍ର ସତ୍ତା ଯଥାର୍ଥ । ବିଭେଦ ଅସତ୍ୟ ନୁହେଁ–ନିତ୍ୟ ସନାତନ ।

 

ମାନ୍ଦ୍ରାଜ ପ୍ରଦେଶର ପଶ୍ଚିମ ଭାଗରେ ଉଦୀପୀ ନାମକ ସ୍ଥାନ ସମୀପସ୍ଥ ଗୋଟିଏ ଗ୍ରାମରେ ଏଗାରଶହ ଅଠର, କାହାରି ମତରେ ଏଗାର ଶହ ଅନେଶ୍ୱତ ବା ବାରଶହ ଅଠତିରିଶ ଖ୍ରୀଷ୍ଟାବ୍ଦରେ ବାସୁଦେବଙ୍କ ଜନ୍ମ । ଅତି ଅଳ୍ପ ସମୟ ମଧ୍ୟରେ ବାସୁଦେବଙ୍କର ଅମିତ ପ୍ରତିଭା ବିକଶିତ ହୋଇଥିଲା । ବାସୁଦେବଙ୍କର ଶରୀର ମଧ୍ୟ ବାଳକ ଅବସ୍ଥାରୁ ହୃଷ୍ଟପୁଷ୍ଟ ଏବଂ ବଳିଷ୍ଠ ଥିଲା । ପଚିଶ ବର୍ଷ ବୟସରେ ସେ ସଂସାରବିରାଗୀ ହୋଇ ଉଦୀପୀର ଅଦ୍ଵୈତବାଦୀ ବେଦାନ୍ତୀ ଅଚ୍ୟୁତ ପ୍ରେକ୍ଷଙ୍କଠାରୁ ଦୀକ୍ଷା ଗ୍ରହଣ କଲେ । ସେହିଠାରେ ମଧ୍ୟ ଶ୍ରୁତିର ଏକ ନୂଆ ଅର୍ଥକରି ସେ ଆପଣାର ଅଦ୍ଵୈତବାଦ ପ୍ରଚାର କରିଥିଲେ । ବାସୁଦେବ ପୂର୍ଣ୍ଣପ୍ରଜ୍ଞ ନାମରେ ଚତୁର୍ଦ୍ଦିଗରେ ବିଖ୍ୟାତ ହେବାକୁ ଲାଗିଲେ । ତାଙ୍କ ପାଣ୍ଡିତ୍ୟରେ ମୁଗ୍ଧ ହୋଇ ତାଙ୍କର ଗୁରୁ ତାଙ୍କୁ ଭକ୍ତମଠର ସର୍ବଶ୍ରେଷ୍ଠ ପଦ ପ୍ରଦାନ କରିଥିଲେ । ଏହାପରେ ତାଙ୍କ ଜୀବନର ଏକ ନବୀନ ଅଧ୍ୟାୟ ଆରମ୍ଭ ହେଲା ଏବଂ ‘ପୂର୍ଣ୍ଣପ୍ରଜ୍ଞ’ ବର୍ତ୍ତମାନ ‘ଆନନ୍ଦ ତୀର୍ଥ’ ନାମରେ ବିଦିତ ହେଲେ ।

 

ତତ୍ପରେ ସେ ଦକ୍ଷିଣ ଭାରତରେ ତୀର୍ଥସ୍ଥାନମାନ ଭ୍ରମଣ କରି ଶଙ୍କରଙ୍କର ଅଦ୍ଵୈତବାଦ ପରବର୍ତ୍ତୀ ନବଚିନ୍ତନର ପ୍ରଚାର ଆରମ୍ଭ କଲେ । ଶଙ୍ଗେରୀ ମଠର ତତ୍କାଳୀନ ଆଚାର୍ଯ୍ୟଙ୍କ ସହିତ ମଧ୍ଵଙ୍କର ସାକ୍ଷାତ୍ ହୋଇଥିଲା । ତୀର୍ଥାଟନରୁ ଫେରି ସେ ନିଜର ଦ୍ଵୈତବାଦ ଦୃଷ୍ଟି–କୋଣରୁ ନୂତନ ଗୀତାଭାଷ୍ୟ ଲେଖିଲେ । ସେହି ସମୟରେ ସେ ବେଦାନ୍ତ ସୂତ୍ରର ଯେଉଁ ମନୋଜ୍ଞ ଭାଷ୍ୟ ରଚନା କଲେ ତାହାର ପରିସମାପ୍ତି ଓ ପ୍ରଚାର ହେଲା ତାଙ୍କର ଉତ୍ତରଭାରତ ଯାତ୍ରା କାଳରେ—କାଶୀଠାରେ ।

 

ହରଦ୍ୱାରରେ ପହଞ୍ଚିବା ମାତ୍ରେ ବହୁଦିନ ନିରାହାରଜନିତ କ୍ଷୀଣ ତନୁ, ମୌନବ୍ରତଧାରୀ ମହାତ୍ମା ମଧ୍ଵ ଗଭୀର ଚିନ୍ତାମଗ୍ନ ହୋଇ ପଡ଼ିଲେ । ତତ୍ପରେ ସେ ଏକାକୀ ବଦ୍ରିକା ଆଶ୍ରମରେ ବହୁଦିନ ବାସ କରିବା ପରେ ସିଦ୍ଧି ଲାଭ କରି ତାଙ୍କର ଦ୍ଵୈତବାଦୀ ସିଦ୍ଧାନ୍ତକୁ ଅତି ଦୃଢ଼ ଭାଷାରେ ପ୍ରଚାର କରିଥିଲେ । ଦକ୍ଷିଣ ପ୍ରତ୍ୟାବର୍ତ୍ତନ ପରେ ସେ ସର୍ବପ୍ରଥମେ ସ୍ଵୀୟ ଗୁରୁଙ୍କୁହିଁ ସ୍ୱଧର୍ମରେ ଦୀକ୍ଷିତ କରିଥିଲେ । ତତ୍ପରେ ସେ ଉଦୀପୀରେ ଗୋଟିଏ କୃଷ୍ଣ ମନ୍ଦିର ସ୍ଥାପନ କରି ସେବାପୂଜାର ବିଧାନ କଲେ । ଅବଶେଷରେ ଏହି ସ୍ଥାନ ମଧ୍ୱାଚାର୍ଯ୍ୟଙ୍କ ଅନୁଯାୟୀମାନଙ୍କର ତୀର୍ଥ ଭୂମିରୂପେ ପରିଗଣିତ ହେଲା ।

 

ମଧ୍ୱଙ୍କର ବୈଷ୍ଣବ ମତବାଦର ପ୍ରଚାର, ପ୍ରସାର ଏବଂ ପ୍ରଭାବ ବୃଦ୍ଧି ସଙ୍ଗେ ସଙ୍ଗେ ଅଦ୍ଵୈତବାଦୀ ଶୃଙ୍ଗେରୀ ମଠର ଅଧିକାରୀ ମାନଙ୍କ ସହିତ ଅବାଞ୍ଛିତ ବାଦାନୁବାଦ ଚାଲିଲା । ମଠାଧୀଶମାନେ ଆଶ୍ରମ ଆକ୍ରମଣ କରି ବଳପୂର୍ବକ ମଧ୍ୱଙ୍କର ଗ୍ରନ୍ଥମାନ ଅପହରଣ କରିନେଲେ । ପରେ ଚାଲୁକ୍ୟ ରାଜାଙ୍କର ସହାୟତାରେ ବହୁ କଷ୍ଟରେ ତାହାର ପୁନରୁଦ୍ଧାର ହେଲା । ଏ ପ୍ରକାର ବାଦାନୁବାଦ ଫଳରେ ମଧ୍ୱଙ୍କର ମତ ପ୍ରଚାର ବାଧାପ୍ରାପ୍ତ ହୋଇଥିଲା ।

 

ଏହି ସମୟରେ ଗୋଟିଏ ପୁଣ୍ୟ ପ୍ରଭାତରେ ସାଗରସ୍ନାନ ଉଦ୍ଦେଶ୍ୟରେ ମଧ୍ଵାଚାର୍ଯ୍ୟ ଆଶ୍ରମ ବହିର୍ଦ୍ଦେଶକୁ ଯାଇ ଆଉ ପୁନରାଗମନ କରି ନାହାନ୍ତି । ସେତେବେଳକୁ ମଧ୍ଵଙ୍କର ବୟସ ଅଣାଅଶୀ ବର୍ଷ ।

 

ମଧ୍ୱଙ୍କର ସମ୍ପ୍ରଦାୟ ପ୍ରଥମେ ବ୍ରହ୍ମ ସମ୍ପ୍ରଦାୟ ନାମରେ ପ୍ରଖ୍ୟାତ ଥିଲା । ବ୍ରହ୍ମପୁତ୍ର ଓ ଗୀତାର ଭାଷ୍ୟ ଛଡ଼ା ଉପନିଷଦର ମଧ୍ୟ ସେ ମହତ୍ଵପୂର୍ଣ୍ଣ ଭାଷ୍ୟ ରଚନା କରିଥିଲେ । ମଧ୍ୱଙ୍କର ବିଶିଷ୍ଟାଦ୍ଵୈତବାଦର ମୂଳନୀତି ପାଞ୍ଚୋଟି ଭେଦ ଉପରେ ପ୍ରତିଷ୍ଠିତ । ଯଥା–ବ୍ରହ୍ମ ଓ ଜଡ଼ ପ୍ରକୃତିର ଭେଦ, ଜୀବ ଓ ଜଡ଼ ପ୍ରଭୃତିର ଭେଦ, ଜୀବ ଓ ଜୀବ ମଧ୍ୟରେ ଭେଦ ଏବଂ ଏକ ଜଡ଼ପିଣ୍ଡ ଓ ଅନ୍ୟ ଜଡ଼ପିଣ୍ଡ ମଧ୍ୟରେ ଭେଦ । ସେ ବଡ଼ ବୁଦ୍ଧିମତ୍ତାର ସହିତ ଆପଣାର ଦ୍ଵୈତମତକୁ ପ୍ରତିପାଦିତ କରିବାପାଇଁ ପ୍ରାଚୀନ ସାଂଖ୍ୟ ଓ ବୈଶେଷିକ ମତାବଳୀର ଚାତୁର୍ଯ୍ୟ ପୂର୍ଣ୍ଣ ପ୍ରୟୋଗ କରିଛନ୍ତି—ଯାହା ଫଳରେ ଦ୍ଵୈତବାଦ ଆଜି ଭାରତୀୟ ଦର୍ଶନରେ ଏକା ବେଳକେ ନୂତନଧାରା ନ ହୋଇ ଏକ ପୁରାତନ ପରମ୍ପରା ଉପରେ ପ୍ରତିଷ୍ଠିତ ବୋଲି ସର୍ବବାଦୀସମ୍ମତ ।

★★★

 

ମାର୍ଗଦର୍ଶୀ ବଲ୍ଲଭ

 

ସମଗ୍ର ଭାରତକୁ ଦକ୍ଷିଣଭାରତର ଏକ ସୁମହତ୍ ଦାନ–ଆଚାର୍ଯ୍ୟ ବଲ୍ଲଭ ।

 

ଭକ୍ତି ରସରେ ଯେତେବେଳେ ଦକ୍ଷିଣଭାରତ ଆପ୍ଳୁତ, ଉତ୍ତର ଭାରତରେ ତାର ଆଭାସ ମାତ୍ର ଜଣାପଡ଼ିଛି; ଯୁଗ ଯେତେବେଳ କଠିନ କର୍ମକାଣ୍ଡ ଓ ବିଧିମାର୍ଗର ଆବରଣକୁ ତ୍ୟାଗକରି ଏକ ସରଳ ନିରାଡ଼ମ୍ବର ଭଗବତ୍ ଭକ୍ତି ଲାଳସାରେ ଲାଳସୀ ହୋଇ ଉଠିଛି—ଯୁଗୋଚିତ ପ୍ରେମଭକ୍ତି ପ୍ରଚାରକ ସନ୍ୟାସୀ ମାନଙ୍କର ଯେତେବଳେ ଅଭ୍ୟୁଦୟକାଳ, ଠିକ୍ ସେହି ସମୟରେ ଗୋଟିଏ ତୈଲାଙ୍ଗ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଆଚାର୍ଯ୍ୟ ବଲ୍ଲଭ ।

 

କିନ୍ତୁ ଜନ୍ମସ୍ଥାନ ଥିଲା ତାଙ୍କର ଉତ୍ତର ଭାରତ କାଶୀ ନିକଟସ୍ଥ କୌଣସି ଏକ ପୁଣ୍ୟ ପୀଠ । ପିତା ଲକ୍ଷ୍ମଣ ଭଟ୍ଟ ଦକ୍ଷିଣରୁ ଆସି ଏହି ସ୍ଥାନରେ ଅଧୀବାସ କରିଥିଲେ । ସେ ଥିଲେ ବିଷ୍ଣୁ ସ୍ଵାମୀଙ୍କ ପ୍ରବର୍ତ୍ତିତ ରୁଦ୍ର ସଂପ୍ରଦାୟଭୁକ୍ତ ଏକ ନୈଷ୍ଠିକ ବ୍ରାହ୍ମଣ ।

 

ଚଉଦ ଶହ ତେସ୍ତରୀ ଖ୍ରୀଷ୍ଟାବ୍ଦ । ହଠାତ୍ କାଶୀରେ ହିନ୍ଦୁ ଓ ମୁସମାନ ସନ୍ୟାସୀମାନଙ୍କ ମଧ୍ୟରେ ଆରମ୍ଭ ହେଲା ତୁମୁଳ ସଂଘର୍ଷ । ସେତିକିବେଳେ ଲକ୍ଷ୍ମଣ କାଶୀ ପରିତ୍ୟାଗ କରି ପଳାଇଯିବାକୁ ବାଧ୍ୟ ହେଲେ । ସେହି ପଳାୟନପଥରେ ଚମ୍ପାରଣ ନାମକ ନିବିଡ଼ ଅରଣ୍ୟ ମଧ୍ୟରେ ସହଗାମିନୀ ପତ୍ନୀଙ୍କ ଉଦରରେ ବଲ୍ଲଭଙ୍କର ଜନ୍ମ । କେହି କେହି କହନ୍ତି ଲକ୍ଷ୍ମଣ ଭଟ୍ଟ ଶିଶୁ ମାର୍ଗ ଦର୍ଶୀବଲ୍ଲଭବଲ୍ଲଭଙ୍କୁ ସେହି ଜଙ୍ଗଲ ମଧ୍ୟରେ ପରିତ୍ୟକ୍ତ ହୋଇ ପଡ଼ିଥିବା ଅବସ୍ଥାରେ ଆରହଣ କରି ଆଣିଥିଲେ । ବଲ୍ଲଭଙ୍କର ମାତ୍ର ଏକାଦଶ ବର୍ଷ ବୟସରେ ଲକ୍ଷ୍ମଣ ଇହକାଳ ସାଙ୍ଗ କରନ୍ତି । ସେତେବେଳକୁ ଲକ୍ଷ୍ମଣ କାଶୀ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ ଏବଂ ବଲ୍ଲଭଙ୍କର ଶିକ୍ଷାଭାର ନାରାୟଣ ଭଟ୍ଟ ନାମକ ଜଣେ ପଣ୍ଡିତଙ୍କ ଉପରେ ନ୍ୟସ୍ତ ଥିଲା ।

 

ଯୁବକ ଅବସ୍ଥାରେ ହିଁ ବଲ୍ଲଭ ବେଦ, ଉପନିଷଦ ଆଦିରେ ବିଶେଷ ପାରଙ୍ଗମ ହୋଇ ଉଠିଲେ । ପିତାଙ୍କର ରୁଦ୍ର ସଂପ୍ରଦାୟବାଦୀ ବିଚାରର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲେ ହେଁ ନିମ୍ବାର୍କଙ୍କର ରାଧାକୃଷ୍ଣ ଉପାସନା ସମ୍ଵନ୍ଧୀ ଭକ୍ତିଧାରା ତାଙ୍କୁ ସମଧିକ ଆକର୍ଷଣ କଲା । ଫଳତଃ ଶଙ୍କରଙ୍କର ମାୟାବାଦ ସହିତ ତାଙ୍କର ସ୍ୱାଭିମତର ସମନ୍ୱୟ ସେ କରି ପାରି ନ ଥିଲେ । କାଳକ୍ରମେ ବଲ୍ଲଭ ତାଙ୍କର ନୂତନ ଉଦ୍ଭାବିତ “ସୁଦ୍ଧାଦ୍ଵୈତ ମତବାଦ” ପ୍ରଚାର କରି କହିଲେ, “ମାୟାର କଳ୍ପନା ପରିତ୍ୟାଗ କରି ମଧ୍ୟ ବ୍ରହ୍ମର ଅଦ୍ଵୈତତା ସ୍ଵତଃସିଦ୍ଧ । କିନ୍ତୁ ଏହି ଅଦ୍ଵୈତ ବ୍ରହ୍ମ କାର୍ଯ୍ୟ ଓ କାରଣ ଭେଦରେ ଦ୍ଵୈତ ରୂପରେ ସୁବ୍ୟକ୍ତ–ଉଭୟେ ସତ୍ୟ ଏବଂ ଏକ । ତାହା ବିଶୁଦ୍ଧ; ମାୟା ଉପରେ ତାହାର ନିର୍ଭରଶୀଳତା ଏକ ଅଳୀକ କଳ୍ପନା ।”

 

ତାଙ୍କ ମତରେ ଏ ସମଗ୍ର ଦୃଶ୍ୟମାନ ଜଗତ୍ ସେହି ଅଦ୍ୱୈତ ବ୍ରହ୍ମଙ୍କର ଆତ୍ମ ବିକାଶ ମାତ୍ର । ସେହି ଲୀଳାମୟଙ୍କର ଅଘଟନଘଟନପଟ୍ଟୀୟସୀ ଲୀଳାର ଅଂଶ ସ୍ୱରୁପୀ ଏହି ଜୀବର ପ୍ରକାଶ ତାଙ୍କ ବ୍ୟତିରେକେ ଅନ୍ୟ କାହାଦ୍ଵାରା ପ୍ରକଟିତ ହୋଇ ନ ପାରେ ।

 

ବଲ୍ଲଭ ତେଣୁ ଇଶ୍ୱରଙ୍କର ଏହି ସଗୁଣ ରୂପକୁ ଶଙ୍କରଙ୍କ ଭାଷାରେ ମାୟା ବୋଲି ନ କହି ସତ୍ୟ ଏବଂ ଯଥାର୍ଥ ବୋଲି ପ୍ରତିପାଦିତ କଲେ । ସେ ସେହି ପରମଚେତନଶୀଳ, ଇଚ୍ଛାମୟ, ଲୀଳାବିଳାସୀ ସଗୁଣ ଓ ନିର୍ଗୁଣ ବ୍ରହ୍ମରୂପେ ଈଶ୍ୱରଙ୍କ ସଚ୍ଚିଦାନନ୍ଦମୟପୂର୍ଣ୍ଣ ପୁରୁଷୋତ୍ତମ ବା ଶ୍ରୀକୃଷ୍ଣ ନାମରେ ଅଭିହିତ କଲେ ଏବଂ ସେହି ରସୋତ୍ତୀର୍ଣ୍ଣ ନିତ୍ୟଲୀଳା ମଧ୍ୟରେ ପ୍ରବେଶାଧିକାର ଲାଭ କରିବା ହିଁ ଜୀବର ପରମ କଲ୍ୟାଣମୟ ପଦ ଓ ଚରମ ଗତି ବୋଲି ସେ ଧାରଣା ଦେଇଥିଲେ । ସେହି ସଦ୍‍ଗତିର ପ୍ରାପ୍ତି ନିମନ୍ତେ ଯେଉଁ ଉପାସନା ପଦ୍ଧତିର କ୍ରମ ସେ ଦର୍ଶାଇଥିଲେ ତାହା ‘ପୁଷ୍ଟି ମାର୍ଗ ନାମରେ ସୁବିଦିତ ।

 

ବଲ୍ଲଭ ସ୍ଥାନେ ସ୍ଥାନେ ଭ୍ରମଣ କରି ତାଙ୍କର ଏହି ଅଭିନବ ମତ ପ୍ରଚାର କରିଥିଲେ । ପରିଶେଷରେ ଦାକ୍ଷିଣାତ୍ୟରେ ମଧ୍ୟ ପ୍ରବେଶ କରିବାରୁ ବିଜୟନଗର ରାଜ–ଦରବାରରେ ଶୈବ ସଂପ୍ରଦାୟର ଭକ୍ତମାନଙ୍କ ସହିତ ତାଙ୍କର ତର୍କ ଓ ବାଦାନୁବାଦ ହେଲା । ବଲ୍ଲଭ ଜୟୀ ହେଲେ ଏବଂ ବୈଷ୍ଣବମାନେ ତାଙ୍କୁ ଆଚାର୍ଯ୍ୟ ରୂପେ ଗ୍ରହଣ କରିବାକୁ ବାଧ୍ୟ ହେଲେ । ଦାକ୍ଷିଣାତ୍ୟରୁ ଫେରି ବଲ୍ଲଭଚାର୍ଯ୍ୟ ତାଙ୍କ ପୁଷ୍ଟି ମାର୍ଗର ଏକ ସ୍ଥାୟୀ ଅନୁଷ୍ଠାନ ବା ଗାଦି ସ୍ଥାପନା କରିଥିଲେ । ବଲ୍ଲଭଙ୍କର ପ୍ରୟାଣ ପରେ ତାଙ୍କ ପୁତ୍ର ସେହି ଗାଦି ଆରୋହଣ କଲେ ଏବଂ ସେହି ପରମ୍ପରା ଅଦ୍ୟାବଧି ପ୍ରଚଳିତ ରହିଛି ।

 

ଶ୍ରୀ ବଲ୍ଲଭାଚାର୍ଯ୍ୟ ‘ପ୍ରସ୍ଥାନକ୍ରୟୀ’ ଅର୍ଥାତ୍ ଶ୍ରୀମଦ୍‍ଭଗବତ୍‍ଗୀତା ବ୍ରହ୍ମସୂତ୍ର ଓ ଉପନିଷଦର ନୂତନ ଟୀକା ସମ୍ପାଦକ କରିଥିଲେ । ସଙ୍ଗେ ସଙ୍ଗେ ସେ ତାଙ୍କ ଧର୍ମର ମୂଳଗ୍ରନ୍ଥ ରୂପେ ଗୃହୀତ ଶ୍ରୀମଦଦ୍ଭାଗବତର ମଧ୍ୟ ନୂତନ ଭାଷ୍ୟ ପ୍ରସ୍ତୁତ କରିବାରେ ଅବହେଳା କରି ନାହାନ୍ତି । ତାଙ୍କ ପ୍ରଣୀତ ଗ୍ରନ୍ଥମାନଙ୍କ ମଧ୍ୟରେ ଦେବାନ୍ତସୂତ୍ରର ଅଣୁଭାଷା, ଶ୍ରୀମଦ୍‍ଭଗବତର ସୁବୋଧିନୀଟୀକା ଓ ତତ୍ତ୍ଵଦୀପ ପ୍ରଧାନ ।

★★★

 

ନାମାନନ୍ଦୀ ରାମାନନ୍ଦ

 

ସେତେବେଳେ ସମାଜର ଏକ ଘୋର ସନ୍ଧିକ୍ଷଣ । ସାମାଜିକ ଅନ୍ୟାୟ, ଅବ୍ୟବସ୍ଥା ଓ ଦୁର୍ବ୍ୟବହାରର ପ୍ରତିକ୍ରିୟାରୂପୀ ତୁଷାନଳ କୁହୁଳି ଉଠୁଛି, ହିନ୍ଦୁ ସମାଜକୁ ଭସ୍ମସାତ୍ କରି ଧୂଳିରେ ମିଶାଇ ଦେବାପାଇଁ । ଜାତିଭେଦର କୁଠାରାଘାତରେ ସମାଜ ଆହତ ପଙ୍ଗୁତୁଲ୍ୟ ହୋଇ ପଡ଼ିରହିଛି-। ସମାଜର ପରିପୋଷକ, ସମାଜର ପାଳୟିତା ଶ୍ରମକାରୀ ଶ୍ରମିକଶ୍ରେଣୀ ନୀଚ, ଘୃଣିତ, ନିମ୍ନସ୍ତରର ଇତରପ୍ରାଣୀ ଶ୍ଵାନଶ୍ଵାପଦଠାରୁ ମଧ୍ୟ ତୁଚ୍ଛ ବିବେଚିତ ହେଉଛି, ଉଚ୍ଚ ଜାତିର ଦୁରଭିସନ୍ଧି ଫଳରେ-। ଶ୍ରମିକକୁ ବଂଶପରମ୍ପରାହୀନ ପ୍ରତିପନ୍ନ କରି ଶ୍ରମଅପହାରୀ ଦଳ ଚିରଦିନ ଉଚ୍ଚ ଆସନରେ ବସି ଅଧିକାରୀ ହେବାର ଷଡ଼ଯନ୍ତ୍ର କରି ଯେଉଁ ସ୍ପୃଶ୍ୟ ଅସ୍ପୃଶ୍ୟ ଜାତି ଅଜାତିର ଭେଦ ଓ ବଦ୍‍ଜାତି ସୃଷ୍ଟି କଲେ ତାହା ହିଁ ବ୍ରହ୍ମଅଭିଶାପ ତୁଲ୍ୟ ସମାଜର ବୃହତ୍ତର ଅଂଶକୁ ଜଡ଼, ସ୍ପନ୍ଦନହୀନ କରି ଥୋଇଦେଲା ।

 

ଏହି ଭେଦବୁଦ୍ଧିର କୁପରିଣାମସ୍ୱରୂପ ସାମାଜିକ ସମାନତାର ପକ୍ଷପାତୀ ଇସଲାମ ଧର୍ମର ଧ୍ଵଜା ଧରି ଏ ଦେଶକୁ ଅଧିକାର କଲେ ଏକ ରାଜନୀତିକ ଲୁଟେରୁ–ଡକାଏତ ଆତତାୟୀ ଦଳ । ସେହିମାନଙ୍କର ଶାସନ ତଳେ ପିଷ୍ଟ ଜନମାନସ ପରାଜୟ ଏବଂ ନୈରାଶ୍ୟର ଗ୍ଳାନିରେ ଅସ୍ଥିର ଏବଂ ଅଚେତନ । କ୍ଵଚିତ୍ ତାନ୍ତ୍ରିକସିଦ୍ଧ ସାଧକମାନଙ୍କର ସନ୍ଦିଗ୍ଧବାର୍ତ୍ତା ଓ ଅସାଧ୍ୟ ସାଧନାକ୍ରମ ନିର୍ଯାତିତ ନିଷ୍ପେଷିତ ଜନତା ମଧ୍ୟରେ ଲୋକପ୍ରିୟ ହୋଇ ପାରୁନାହିଁ । ଶଙ୍କର ଏବଂ ତତ୍ପରବର୍ତ୍ତୀ ଆଚାର୍ଯ୍ୟମାନଙ୍କର ବୌଦ୍ଧିକ ସିଦ୍ଧାନ୍ତକୁ ଗ୍ରହଣ କରି ପାରିବାର ଶକ୍ତି ମଧ୍ୟ ଜନସାଧାରଣଙ୍କର ନ ଥିଲା । ବରଂ ମୁସଲମାନ ସୁଫମାନଙ୍କର ପ୍ରାଣଉନ୍ମାଦକାରୀ ସୁଲଳିତ ଭକ୍ତିଗାଥା ଇସଲାମ୍‍ଧର୍ମ ପ୍ରତି ସହଜ ଆକର୍ଷଣ ଆଣି ଶ୍ରଦ୍ଧାବର୍ଦ୍ଧନ କରିବାରେ ସୁସମର୍ଥ ବୋଧ ହେଉଥାଏ ।

 

ଏତିକିବେଳେ ଏହି ସନ୍ଧିକ୍ଷଣରେ ଏ ଜାତିର ଘନତମସାଚ୍ଛନ୍ନ ନିରନ୍ଧ୍ର ନିଶୀଥର ଜଡ଼ତା ବିଦୂରିତ କରି ଯିଏ ନବୀନ ଉଷାର ଆଲୋକ ବିକିରଣ କରିଥିଲେ—ସମାଜର ନୀଚ, ଦଳିତ, ପତିତ ପ୍ରାଣରେ ନୂତନ ଆଶାର ସଞ୍ଚାର କରି, ସେହି ଅପ୍ରତିହତ ବୀର ସନ୍ଥଯୁଗର ପ୍ରବର୍ତ୍ତକ ରାମାନନ୍ଦ ବାସ୍ତବରେ ଜାତୀୟ ଜୀବନରେ ଏକ ଅଦ୍ୟମ ଉତ୍ସ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦକ୍ଷିଣର ପୂର୍ବବର୍ତ୍ତୀ ଆଚାର୍ଯ୍ୟମାନେ ଅବଶ୍ୟ ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିଯାଇଥିଲେ । କିନ୍ତୁ ରାମାନନ୍ଦ ହିଁ ସେହି କର୍ଷିତ କେଦାରରେ ବୀଜ ବପନ କରି ଅତି ଅଳ୍ପ ସମୟ ମଧ୍ୟରେ ଗୋଟିଏ ସୁମନୋହର ଉଦ୍ୟାନ ଉଭା କରିପାରିଥିଲେ ।

 

ଉତ୍ତର ଭାରତର କୌଣସି ଅନାମଧେୟ ଜନପଦରେ ରାମାନନ୍ଦଙ୍କର ଜନ୍ମ–ଗୋଟିଏ କାନ୍ୟକୁବ‌୍‍ଜ ବ୍ରାହ୍ମଣ ପରିବାର ମଧ୍ୟରେ । ରାମାନୁଜଙ୍କର ବାଲ୍ୟ ନାମ ରାମଦତ୍ତ ଥିଲା । ମାତ୍ର ବାରବର୍ଷ ବୟସରେ ସେ ଉଚ୍ଚଶିକ୍ଷା ଲାଭ ନିମନ୍ତେ ବିଦ୍ୟାନଗରୀ କାଶୀ—ବାରାଣସୀ ଯାତ୍ରା କଲେ । ସେଠାରେ ସେ ଜଣେ ଅଦ୍ଵୈତବାଦୀ ସ୍ମାର୍ତ୍ତ ଗୁରୁଙ୍କ ନିକଟରେ ଦର୍ଶନ ଅଧ୍ୟୟନ କରିବାକୁ ଲାଗିଲେ । ସେହି ସମୟରେ ରାମାନୁଜ ମତବାଦୀ ପ୍ରସିଦ୍ଧ ଶ୍ରୀସମ୍ପ୍ରଦାୟର ଜଣେ ମହାପୁରୁଷ ଆଚାର୍ଯ୍ୟ ରାଘବାନନ୍ଦଙ୍କ ସହିତ ତାଙ୍କର ସାକ୍ଷାତ ହୁଏ । ରାଘବାନନ୍ଦ ହିଁ ତାଙ୍କୁ ପ୍ରଥମେ ବିଷ୍ଣମନ୍ତ୍ରରେ ଦୀକ୍ଷିତ କରି ବୈଷ୍ଣବ କରାଇଥିଲେ । ରାମଦତ୍ତ ତଦନୁବର୍ତ୍ତୀ କାଳରେ ରାମାନନ୍ଦ ନାମରେ ପରିଚିତ ହେଲେ ।

 

ବହୁଦିନ ଏକନିଷ୍ଠ ଭାବରେ ଗୁରୁଚରଣାଶ୍ରିତ ହୋଇ ଶ୍ରୀଗୁରୁ ସେବାରେ ସତତ ନିଜକୁ ନିୟୋଜିତ କରି ଗୁରୁ ଆଦେଶକ୍ରମେ ସେ ଭାରତ ପରିଭ୍ରମଣରେ ଅଗ୍ରସର ହେବାକୁ ଲାଗିଲେ । ଦେଶେ ଦେଶେ ସେ ବୈଷ୍ଣବ ଧର୍ମ ପ୍ରଚାର କରି ସ୍ୱସ୍ଥାନକୁ ଫେରିଆସିବା ମାତ୍ରେ ଗୋଟାଏ ଅପ୍ରତ୍ୟାଶିତ, ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା । ରାମାନନ୍ଦଙ୍କର ବିସ୍ମୟର ସୀମା ରହିଲା ନାହିଁ । ନିଜ ସଂପ୍ରଦାୟ ମଧ୍ୟରେ ତାଙ୍କର ପ୍ରବେଶ ନିଷିଦ୍ଧ—ସେ ଏକପ୍ରକାର ଅସ୍ପୃଶ୍ୟ—ଅଶୁଚି । କାରଣ ସେ ଜାତି ବର୍ଣ୍ଣ ନିର୍ବିଶେଷରେ ହରିନାମ ପ୍ରଚାର କରିଛନ୍ତି । ଏହା ସମାଜଦ୍ରୋହିତା–ସମାଜ ଗର୍ହିତ କାର୍ଯ୍ୟ ବୋଲି ବିବେଚିତ ହେଲା ।

 

ସଂପ୍ରଦାୟ ଆଦେଶ କଲା—ରାମାନନ୍ଦ, ପ୍ରାୟଶ୍ଚିତ କର !

 

ରାମାନନ୍ଦ ଅସ୍ଵୀକାର କଲେ ଏହି ଅନ୍ୟାୟ ଆଦେଶକୁ ପାଳନ କରିବ ପାଇଁ ।

 

“ରାମାନନ୍ଦ, ଏ ନିଷ୍ପତ୍ତିର ପୁନର୍ବିଚାର କର ।” ସଂପ୍ରଦାୟର ଏହା ପୁନରାୟ ଅନୁଜ୍ଞା–ଆଜ୍ଞା-!

 

କାରଣ ଗୁରୁ ରାଘବଙ୍କ ତିରୋଭାବ ପରେ ଶ୍ରୀସଂପ୍ରଦାୟର ନେତୃତ୍ଵ ନେବା ନିମନ୍ତେ ଯୋଗ୍ୟତର ବ୍ୟକ୍ତି ଅନୁଷ୍ଠାନ ଅନ୍ତର୍ଭୁକ୍ତ କେହି ନ ଥିଲେ । ସୁତରାଂ ପ୍ରାୟଶ୍ଚିତ୍ତ ଅର୍ଥ ଶ୍ରୀସଂପ୍ରଦାୟର ଶ୍ରେଷ୍ଠାଚାର୍ଯ୍ୟ ପଦ ଏବଂ ସଙ୍ଗେ ସଙ୍ଗେ ସତ୍ୟ, ନ୍ୟାୟ ସୁତରାଂ ଧର୍ମର ବଳିଦାନ ।

 

ରାମାନନ୍ଦ ଦ୍ଵିଧା କରି ନାହାନ୍ତି—ଚିନ୍ତା କରି ନାହାନ୍ତି–ଶୋଚନାର ଅବକାଶ ନ ଥିଲା । ଖଣ୍ଡିଏ ମାତ୍ର ଦଣ୍ଡ ଓ କମଣ୍ତଳୁ ଧରି ସେ ସଂପ୍ରଦାୟ ତ୍ୟାଗ କରି ଚାଲିଗଲେ ।

 

ଗଙ୍ଗାକୂଳ । କାଶୀର ପଞ୍ଚଗଙ୍ଗାଘାଟ ନିକଟସ୍ଥ ଗୋଟିଏ କ୍ଷୁଦ୍ର କୁଟୀର । ପୁରାତନପନ୍ଥୀ ରୁଢ଼ରାଢ଼ ଭକ୍ତମାନଙ୍କର କେନ୍ଦ୍ରସ୍ଥଳ କାଶୀର ଏହି ଘାଟ । ଅହରହ ଯାତ୍ରୀ ଯାତାୟାତ । ସେହି କୁଟୀର ମଧ୍ୟରୁ ସେଦିନ ଯୁଗାନ୍ତକାରୀ ନବଯୁଗଉନ୍ମୋଷୀ ଏକ ଉଦାତ୍ତ ସ୍ଵର ବଜ୍ରନିର୍ଘୋଷରେ ଆକାଶର ସ୍ତରେ ସ୍ତରେ ତରଙ୍ଗ ସୃଷ୍ଟି କଲା...

 

ଜାତି ପତି କିଏ ପଚାରେ

ହରିଜନ ସେହି ହରିର ଭଜନ । ହରି କଥା ଯେହୁ ବିଚାରେ

ଜା’ତି ପାତି ପୁଚ୍ଛୈ ନହୀଁ କୋଇ,

ଯୋ ହରି କୋ ଭଜୈ ସୋ ହରି କୋ ହୋଇ ।

 

କୁଟୀର ମଧ୍ୟରେ ରାମାନନ୍ଦ ଆସନ ଉପରେ ସମାସୀନ । ଶତ ଶତ ଶିଷ୍ୟ ପରିବେଷ୍ଟିତ ରାନାନୁଜ ନିର୍ଭୀକ, ନିର୍ଦ୍ୱନ୍ଦ୍ୱ, ନିଃଶଙ୍କ ଭାବରେ ପ୍ରଚାର କରୁଛନ୍ତି—ହରିଙ୍କ ନିକଟରେ ଭେଦାଭେଦ ନାହିଁ—ପାପୀ ହେଉ, ତାପୀ ହେଉ, ଧନୀ ହେଉ, ନିର୍ଧନ ହେଉ ଯେ ହରି ଭଜନ କରିବ, ହରି ତାହାର ଏବଂ ସେ ହରିଙ୍କର ।

 

ଚାହୁଁ ଚାହୁଁ ଏକ ନୂତନ ସଂପ୍ରଦାୟ ଗଢ଼ି ଉଠିଲା । ଆଜି ମଧ୍ୟ ଏ ସଂପ୍ରଦାୟ ଭାରତବର୍ଷରେ ଅତି ସୁପ୍ରସିଦ୍ଧ–ରାମାନନ୍ଦଙ୍କର ରାମାଓତ ସଂପ୍ରଦାୟ ।

 

ରାମାନନ୍ଦଙ୍କର ଏହି ରାମାଓତ ସଂପ୍ରଦାୟର ପରିକଳ୍ପନାରେ ମଧ୍ୟ ନୂତନତା ଏବଂ ସତ୍ୟର ନୂତନ ପ୍ରକାଶ । ଏ ସଂପ୍ରଦାୟ ଜନସମ୍ରାଜ ସହିତ ସଂଶ୍ଳିଷ୍ଟ ନ ଥାଇ ମଧ୍ୟ ସମାଜରେ ଗୋଟିଏ ଚମତ୍କାର ବିପ୍ଳବ ସୃଷ୍ଟି କରି ପାରିଲା । ଏହା କେବଳ ରାମାନନ୍ଦଙ୍କ ଧର୍ମପ୍ରଚାରର ପ୍ରଭାବ ହେତୁ ହିଁ ସମ୍ଭବ ହେଲା । ଏହି ବିପ୍ଳବ ଫଳରେ ଧର୍ମ ଏବଂ ଉପାସନା କ୍ଷେତ୍ରରେ ସମାଜର ପ୍ରତ୍ୟେକ ସ୍ତରର ଲୋକଙ୍କୁ ପ୍ରତି କ୍ଷେତ୍ରରେ ସମାନ ଆସନ ନିର୍ଦ୍ଦିଷ୍ଟ କରିଦିଆଗଲା । ରାମାନୁଜଙ୍କ ଧର୍ମ ତାଙ୍କ ପୂର୍ବଜମାନଙ୍କଠାରୁ ଅଧିକ ଉଦାର ଥିଲା ।

 

ରାମାନନ୍ଦଙ୍କର ଏହି ପରିବ୍ୟାପ୍ତ ସାମାଜିକ ବିପ୍ଳବର ସାଥୀ ବା ଶିଷ୍ୟ ଅସଂଖ୍ୟ; ମାତ୍ର ମୁଖ୍ୟ ଦ୍ୱାଦଶ ସତୀର୍ଥମାନଙ୍କ ମଧ୍ୟରୁ ଅଧିକାଂଶ ତଥାକଥିତ ନୀତ ଜାତି ଉପଜାତ ଥିଲେ ।

 

ରୈ ଦାସ ବା ରବି ଦାସ ଥିଲେ ଜାତିରେ ହାଡ଼ି; କବୀର ଜୁଲାହ ବା ମୁସଲମାନ ଜଳଅସ୍ପୃଶ୍ୟ ତନ୍ତୀ । ଧନ୍ନା ଥିଲେ ଜାଠ କୃଷକ-ମୁଣ୍ତି ଚଷା, ସେନା ଭଣ୍ଡାରୀ ଓ ପୀପା ରଜପୁତ୍ ଜାତିର ଲୋକ । ଏମାନଙ୍କ ଛଡ଼ା ଭବାନନ୍ଦ, ସୁଖାନନ୍ଦ, ସୁରାସୁରାନନ୍ଦ, ପରମାନନ୍ଦ, ମହାନନ୍ଦ ଓ ଶ୍ରୀ ଆନନ୍ଦ ପ୍ରଭୃତି ପ୍ରଧାନ ପଟ୍ଟଶିଷ୍ୟବୃନ୍ଦ ରାମାନନ୍ଦଙ୍କର ଏହି ଭେଦାଭେଦରହିତ ଉଦାରଭାବ ଧର୍ମର ବଳୁଳ ପ୍ରଚାର କରିଥିଲେ ।

 

ନିଜ ସଂପ୍ରଦାୟଭୁକ୍ତ ଶିଷ୍ୟଙ୍କ ଛଡ଼ା ବହୁ ବିଶିଷ୍ଟି ବୈଷ୍ଣବ ରାମାନନ୍ଦଙ୍କର ଧର୍ମବାଣୀ ପ୍ରଚାର କରି ନିଜକୁ ଗୌରବାନ୍ୱିତ ମନେ କରୁଥିଲେ । ଫଳରେ ସମଗ୍ର ଭାରତ ଓତଃପ୍ରୋତ ଭାବରେ ଭକ୍ତିରସାପ୍ଳୁତ ହୋଇଗଲା ଏବଂ ଏହି ସମୟରୁ ହିଁ ଭାରତୀୟ ଧାର୍ମିକ ଜୀବନରେ ଭକ୍ତି–ଯୁଗର ପ୍ରବର୍ତ୍ତନ ଆରମ୍ଭ ହୋଇଥିଲା ।

 

ଏମାନଙ୍କ ଛଡ଼ା ଅନ୍ୟାନ୍ୟ ବହୁ ବିଶିଷ୍ଟ ମହିମାମୟ ମହାତ୍ମା ପୁରୁଷଙ୍କର ନାମ ଏ ଦେଶ ଯୁଗ ଯୁଗ ସ୍ମରଣ କରିବ । ଏହି ମହାପୁରୁଷମାନଙ୍କର ଆବିର୍ଭାବ ନିମନ୍ତେ ରାମାନନ୍ଦ ହିଁ ମୁଖ୍ୟତଃ ଦାୟୀ ବୋଲି କହିବା ଯଥାର୍ଥ । ମହାରାଷ୍ଟ୍ରର ଜ୍ଞାନେଶ୍ଵର, ନାମଦେବ, ଏକନାଥ, ତୁକାନାଥ ଓ ଶିବାଜୀଗୁରୁ ରାମଦାସ, ଗୁଜରାଟର ନରସୀ ମେହତାଙ୍କ ଭଳି ସାଧୁ ଓ ସନ୍ଥ ଭାରତକୁ ରାମାନନ୍ଦଙ୍କର ମହନୀୟ ଦାନ । ରାମାନନ୍ଦ କେବଳ ମହତ୍‍ବାଣୀ ପ୍ରଚାର କରି ନ ଥିଲେ—ସେହି ବାଣୀର ମୂର୍ତ୍ତି ବିଗ୍ରହମାନ ସୃଷ୍ଟି କରିବାରେ ସେ ଯେପରି କୁଶଳତା ଦେଖାଇ ଥିଲେ ସେପରି ସୃଷ୍ଟି କଳା ଅନ୍ୟ କ୍ୱଚିତ୍ ମହାତ୍ମାଙ୍କଠାରେ ଦେଖାଯାଇଛି ।

 

ଏହି ମହାପୁରୁଷମାନଙ୍କର ଚିତ୍ତ ମୁକୁର ସଦୃଶ ହୋଇ ରାମାନନ୍ଦଙ୍କର ଯେଉଁ ପ୍ରତିଛବି ତହିଁରେ ପ୍ରତିଫଳନ କରିଥିଲା ବିଶ୍ୱବାସୀ ତାହାର ଆଦର୍ଶ ଦର୍ଶନ କଲେ—ଜ୍ଞନେଶ୍ୱରଙ୍କ କୃତ ଗୀତାର ‘ଜ୍ଞାନେଶ୍ୱରୀ’ ଟୀକାରେ ଶିଖଙ୍କ ଗ୍ରନ୍ଥସାହେବରେ ଆଭରିତ କବିର ଓ ନାମଦେବକୃତ ପଦାବଳିରେ ଏବଂ ତୁକାରାମଙ୍କର ଅଭଙ୍ଗ ନାମକ ରାମାୟଣରେ ।

★★★

 

ଧର୍ମବୀର କବିର

 

କବିର ହିନ୍ଦୁ ନା ମୁସଲମାନ ?

 

ଏ ପ୍ରଶ୍ନର ଉତ୍ତର ଦେବ କିଏ ? ଏ ପ୍ରଶ୍ନ ନୁହେଁ; ଏକ ସମସ୍ୟା । ଏ ସମସ୍ୟା ସମାଧାନ କରିବ କିଏ ?

 

ଗୋଟିଏ ଯୁବକ । ନାମ ନିରା । କେହି କେହି ଡାକୁଥିଲେ ନୁରା ବୋଲି । ସଙ୍ଗରେ ତାହାର ନବବିବାହିତା ପତ୍ନୀ ନିମା । ଲଜ୍ଜାବନତା, ସୁଶୀଳା, ଶାନ୍ତା ଓ କାନ୍ତା । ଫୁଲପିତା ଭାର ଘେନି ପିତ୍ରାଳୟରୁ ବାହୁଡ଼ି ଯାଉଛି ଶ୍ଵଶୁର ଗୃହକୁ–ସ୍ଵାମୀ ସୁହାଗିନୀ ହୋଇ ।

 

କାଶୀ ନଗରୀର ଗୋଟିଏ ନିର୍ଜ୍ଜନ ଅଞ୍ଚଳ ପଥ—ଗମନ ପାର୍ଶ୍ଵଦେଶରେ ଗୋଟିଏ ପୁଷ୍କରିଣୀ । ପୁଷ୍କରିଣୀଟି ‘ଲହରତାରା’ ନାମରେ ଅଭିହିତ । ବଟଛାୟା-ବିମଣ୍ଡିତ ମଣ୍ଡପ ନିକଟସ୍ଥ ତଟ ସମୀପରେ ଅଜ୍ଞାତ କୁଳଶୀଳ ଗୋଟିଏ ପରିତ୍ୟକ୍ତ ଶିଶୁର ଘନଘନ କ୍ରନ୍ଦନ ସ୍ୱନ ତେବେ କଣ ଏହି ପ୍ରଶ୍ନର ଉତ୍ତର ଦେବ ? ଏହି ଜଟିଳ ସମସ୍ୟା ସମାଧାନ କରି ପାରିବ ?

 

ମୁସଲମାନ ତନ୍ତୀ ଜୁଲାହ୍ ନିରା ଜାଣି ନ ଥିଲା ସେଦିନ ଏହି ଅରକ୍ଷ ଅକିଞ୍ଚନ ଯେଉଁ ଶିଶୁଟିକୁ ଦୟାପରବଶ ହୋଇ ସେ ପ୍ରତିପାଳନ କରିବାକୁ ଘେନିଯାଉଛି ଏବଂ ଯାହାକୁ ତାହାର ନବପରିଣିତା ପତ୍ନୀ ଅପତ୍ୟ ସ୍ନେହରେ ଅଶେଷ ଆଦର ଏବଂ ଚୁମ୍ବନଦାନ କରୁଛି, ସେ କେବଳ ତାହାରି ସୀମାବଦ୍ଧ ଗୃହାଙ୍ଗନର ନୁହେଁ–ସମଗ୍ର ଭାରତବର୍ଷର ମୁଖ ଉଜ୍ଜ୍ୱଳ କରିବ ଏହି ପ୍ରଶ୍ନର ଉତ୍ତର ଦେଇ ।

 

ସେଦିନର ସେହି ଈଶ୍ୱରଦତ୍ତ ଶିଶୁପୁତ୍ରଟି ହିନ୍ଦୁ-ମୁସଲମାନ ଉଭୟଙ୍କ ଦାବୀର ଦୁର୍ଲଭ ନିଧି କବିର !

 

ଆଜକୁ ସାଢ଼େ ଚାରିଶହ ବର୍ଷ ତଳର କଥା । ସେଦିନ ମଧ୍ୟ ଏହି ଜଟିଳ ପ୍ରଶ୍ନ ଆସି ସମାଜ ସମ୍ମୁଖରେ ଉପସ୍ଥିତ ହୋଇଥିଲା । ସତ୍ୟ ଏବଂ ଧର୍ମରେ ପ୍ରକୃତ ଦାବୀ କାହାର ? ହିନ୍ଦୁର ନା ମୁସଲମାନର ?

 

ସନାତନ ହିନ୍ଦୁ ଧର୍ମ ଏବଂ ଏକେଶ୍ୱର ଇସଲାମ ଧର୍ମ ମଧ୍ୟରେ ହେଲା ତୁମୁଳ ସଂଘର୍ଷ । ଏକ ସ୍ଥାନରେ, ଏକ ମାଟିରେ, ଏକ ପାଣିପବନରେ ଏବଂ ଏକ ଦେଶ ଏହି ଭାରତବର୍ଷରେ ଉଭୟ ଧର୍ମ ପରସ୍ପର ନିକଟ ନିକଟରେ ରହି ତିଷ୍ଠି ପାରିବା କଣ ଏକାବେଳେ ଅସମ୍ଭବ ? ଏ ଦୁଇ ଧର୍ମ କଣ ଏପରି ଭାବରେ ପରସ୍ପର ବିରୋଧୀ ଏବଂ ବିବଦମାନ ଯେ ଏକର ସମୃଦ୍ଧିରେ ଅନ୍ୟର ବିଲୋପ ବ୍ୟତିରେକେ ଗତ୍ୟନ୍ତର ନାହିଁ ? ସାମ୍ୟ ଓ ସମନ୍ଵୟର ପୁଣ୍ୟଭୂମି ଏହି ଭାରତବର୍ଷରେ ସେଦିନ ପୁଣିଥରେ ଏହି ସମସ୍ୟା ଭାରତୀୟ ପ୍ରାଣକୁ ଆନ୍ଦୋଳିତ କରିଥିଲା ।

 

ସେତିକିବେଳେ, ସେହି ଦୁର୍ଦ୍ଦିନରେ ଏ ଅନ୍ୟାୟ ଅବାଞ୍ଛନୀୟ ସଂଘର୍ଷର ମନ୍ଥନ ମଧ୍ୟରୁ ଅମୃତୋପମ ମୂର୍ତ୍ତି ଆବିର୍ଭୂତ ହୋଇଥିଲେ ମୁସଲମାନ ଜୁଲାହ ନିରା ଓ ନିମାଙ୍କର ପାଳିତ ପୁତ୍ର ମାନିକପୁରସ୍ଥ ଉଜୀର ପୀରଙ୍କ ଶାଶିର୍ଦ ରାମାନନ୍ଦଙ୍କର ପରମଭକ୍ତ ପରମଶିଷ୍ୟ ରାମୋପାସକ ରାମତାରକ ମନ୍ତ୍ରଧ୍ୟାୟୀ ମହାତ୍ମା କବିର ।

 

ଏହି କବିର ଦିନେ ମତାନ୍ଧ ହିନ୍ଦୁ ଓ ମୁସଲମାନ ଭାରତବାସୀଙ୍କୁ ବଜ୍ର ଗମ୍ଭୀର କଣ୍ଠରେ କହିଥିଲେ, “ହିନ୍ଦୁ ଏବଂ ମୁସଲମାନ ବାହ୍ୟତଃ ଶତ ପାର୍ଥକ୍ୟ ସତ୍ଵେ ଅଭ୍ୟନ୍ତରରେ ଅଭେଦ୍ୟ ଏବଂ ଏକ ।” ସେହି ଦରିଦ୍ର ମୁସଲମାନ ତନ୍ତୁବାୟର ଅନ୍ନପାଳିତ ପୁତ୍ର କବିର, ଦାରିଦ୍ର୍ୟର ଅପରାଧରେ ଶିକ୍ଷାଲାଭର ସୌଭାଗ୍ୟରୁ ବଞ୍ଚିତ ସମାଜର ଦଳିତ ଜାତି ସକ୍ତାନ କବିର, କିଏ ଜାଣିଥିଲା ଦିନେ ଭାରତବର୍ଷର ଆଧ୍ୟାତ୍ମିକ ଜଗତି ଉପରେ ଏପରି ଏକ ସ୍ପର୍ଦ୍ଧିତ ଆସନ ଲାଭ କରିବେ; ଯାହା ଫଳରେ ହିନ୍ଦୁ ଓ ମୁସଲମାନ୍ ଉଭୟ ସଂପ୍ରଦାୟଭୁକ୍ତ ବ୍ୟକ୍ତି ତାଙ୍କର ଚରଣତୀର୍ଥର ସମୀପବର୍ତ୍ତୀ ହୋଇ ଧର୍ମର ଅନ୍ଧ ଭେଦଭାବକୁ ଭୁଲି ଏକ ସ୍ଵରରେ ସମ୍ବୋଧନ କରିବେ । କବିର ହିନ୍ଦୁ ଓ ମୁସଲମାନ୍ ଉଭୟଙ୍କର ଗୁରୁ ଓ ଆଚାର୍ଯ୍ୟ !

 

ଶାସ୍ତ୍ରଜ୍ଞାନ କଥା ଦୂରେ ଥାଉ—ସାମାନ୍ୟ ଅକ୍ଷର ପରିଚୟ ମଧ୍ୟ ପାଇବାର ସୁଯୋଗ ଘଟି ନ ଥିଲା କବିରଙ୍କର । ତଥାପି ଜ୍ଞାନର ଯେଉଁ ସର୍ବୋଚ୍ଚ କୋଟିରେ ସେ ସ୍ୱୀୟ ଅଧିକାର ସାବ୍ୟସ୍ତ କରି ଏ ଦେଶରେ ଆଧ୍ୟାତ୍ମିକ ପରମ୍ପରାରେ ଅମୂଲ୍ୟ ସାହିତ୍ୟ ସୃଷ୍ଟି କରି ଯାଇଛନ୍ତି ତାହା କ୍ୱଚିତ୍ କ୍ଷଣଜନ୍ମାଙ୍କ ଭାଗ୍ୟରେ ଘଟିଥାଏ ।

 

ସେ ମୂର୍ଖ ହୋଇ ମଧ୍ୟ ପଣ୍ଡିତ । ବୈଷ୍ଣବ ପରିଧାନ ବା ଭେକ ଧାରଣ ନ କରି ମଧ୍ୟ ପରମ ବୈଷ୍ଣବ । ଭାଷା ଓ ବର୍ଣ୍ଣଜ୍ଞାନରହିତ ହୋଇ ମଧ୍ୟ କ୍ରାନ୍ତିଦ୍ରଷ୍ଟା କବି—ବହୁ ଅସମ୍ଭବ ମଧ୍ୟରେ ସେ ସମ୍ଭାବ୍ୟ ବର୍ତ୍ତମାନ ସଦୃଶ ଏକ ଅଦ୍ଭୁତ ଏବଂ ନିରାଟ ସତ୍ୟକାର ।

 

ଦଳିତ ସର୍ବହରା କୋଳରେ ପ୍ରତିପାଳିତ ହୋଇ ସେ ସମାଜର ଶୋଷକବର୍ଗଙ୍କ ବିରୋଧରେ ଯେଉଁ ଦୁର୍ଦ୍ଦମ ମସ୍ତକ ଉତ୍ତୋଳନ କରିଥିଲେ ତାହା କସ୍ମିନ୍ କାଳେ ହିଂସା ପ୍ରଣୋଦିତ ହୋଇ ନ ଥିଲା । ତାଙ୍କର ନାନା ସମାଲୋଚନାମୂଳକ କଟୁକ୍ତି କେବଳ ଉଚ୍ଚ ଆତ୍ମାଭିମାନୀ ଶୋଷକ ନିଷ୍ଟୁର ଗୋଷ୍ଟିକୁ ଚୈତନ୍ୟ ଆଣିଦେବାପାଇଁ ରଚିତ ହୋଇଥିଲା । ଉଚ୍ଚ ଗୋଷ୍ଟିର ପୃଷ୍ଠ–ପୋଷକ ପଣ୍ଡିତମାନଙ୍କର ଭଣ୍ଡାମି ପ୍ରତି ତାଙ୍କର ଭୟଙ୍କର ଅଶ୍ରଦ୍ଧା ଥିଲେ ମଧ୍ୟ ଉଭୟ ହିନ୍ଦୁ ଓ ଇସଲାମର ଅନ୍ଧ ସମାଜ ଏବଂ ସମାଜର ହର୍ତ୍ତାକର୍ତ୍ତା ବିଧାତା ମୁଲାହ୍ ମୌଲବୀ, ବ୍ରାହ୍ମଣ ଓ ପଣ୍ଡିତମାନଙ୍କର ବହୁ ଅତ୍ୟାଚାର ତାଙ୍କୁ ସହ୍ୟ କରିବାକୁ ହୋଇଥିଲେ ମଧ୍ୟ କବିର ଶାନ୍ତ ଚିତ୍ତରେ ସେ ସମସ୍ତଙ୍କୁ ବରଣ କରି ନେଇଥିଲେ ଏବଂ ସମସ୍ତଙ୍କୁ କ୍ଷମାଦୁଷ୍ଟିରେ ନିରୀକ୍ଷଣ କରି ସମସ୍ତଙ୍କ ପ୍ରତି ଏକ ମମତାପୂର୍ଣ୍ଣ ସତ୍ୟ ଆଦର୍ଶର ଅମୃତଧାରା ଉତ୍ସାରିତ କରି ଯାଇଥିଲେ ।

 

କବିତା ଏକ ରହସ୍ୟପୂର୍ଣ୍ଣ ବ୍ୟକ୍ତି । ତାଙ୍କର ପ୍ରକୃତ ପନ୍ଥା ସାଧାରଣ ମନୁଷ୍ୟର ସହଜ ବୋଧଗମ୍ୟ ନୁହେଁ । ସେ ପରମ ରାମଭକ୍ତ ଥାଇ ମଧ୍ୟ ନିର୍ଗୁଣ ବ୍ରହ୍ମ ଉପାସନା କରୁଥିବା । ସମ୍ଭବତଃ କବିଙ୍କର ଶ୍ରୀରାମ, ଏକଦା ଅଯୋଧ୍ୟାର ରାଜା ରାମଚନ୍ଦ୍ର ନୁହନ୍ତି । କବିଙ୍କର ରାମ ନିର୍ଗୁଣ ବ୍ରହ୍ମର ପ୍ରତୀକ ପ୍ରଣାରାମ, ରାମତାରକ ମନ୍ତ୍ରର ସାକ୍ଷତ୍ ପରମବ୍ରହ୍ମ । ଉଭୟ ବେଦ, ବେଦାନ୍ତ–ପୁରାଣ–ଉପନିଷଦ, ଯୋଗ ଓ ଭକ୍ତି ସହିତ ସେ ଇସଲାମ୍ ଓ ସୁଫି ଧର୍ମର ସାର ସଂଗ୍ରହ କରି ଏକ ମହନୀୟ ସମନ୍ଵୟରେ ସେ ତାଙ୍କର ସିଦ୍ଧାନ୍ତକୁ ପ୍ରତିଷ୍ଠିତ କରିଥିଲେ । କବିର ଚରିତ ଆଲେଖ୍ୟର ଶ୍ରେଷ୍ଠଗ୍ରନ୍ଥ ‘ଦିଜକ’ ‘ରମୈନୀ’, ‘ସବଦ’ ( ଶବ୍ଦ) ବା ‘ ସାକ୍ଷୀ ‘ ଏହି ତିନି ଭାଗରେ ବିଭକ୍ତ । କବିର ମଠ କିମ୍ଵା ସଂପ୍ରଦାୟ ପ୍ରତିଷ୍ଠାର କଳ୍ପନା ମଧ୍ୟ କରି ନ ଥିଲେ । ତଥାପି ଭାରତୀୟ ଚରିତ୍ର ମଧ୍ୟରେ ସେ ଯେଉଁ ସୁଦୁଢ଼ ଅନୁଷ୍ଠାନର ଶୃଙ୍ଖଳା ସୃଷ୍ଟି କରି ଯାଇଛନ୍ତି ତାହାର ଆଦର୍ଶ ଏ ଜାତିକୁ ନାନା ସ୍ଖଳନରୁ ରକ୍ଷା କରିବାରେ ସମର୍ଥ ହୋଇଛି ।

 

ସେ ଗୃହସ୍ଥ ଥାଇ ମଧ୍ୟ କଠୋର ସନ୍ନ୍ୟାସ ଧର୍ମ ଆଚରଣ ଦ୍ଵାରା ଶିକ୍ଷା ଦେଇଯାଇଛନ୍ତି–ସେ ସମାଜରେ ଥାଇ ମଧ୍ୟ ଏକ ଉଦ୍ଧତ ସଂସ୍କାରକରୂପେ, ଦାମ୍ୱିକ ନ୍ୟାୟପରାୟଣତାର ପରାକାଷ୍ଠା ଦେଖାଇ ଯାଇଛନ୍ତି । ସେ ସ୍ଵୟଂ ଏକ ପ୍ରସିଦ୍ଧ ସିଦ୍ଧ ଗୁରୁ ଥାଇ ମଧ୍ୟ ଧର୍ମଧୂଜୀ ଭଣ୍ଡମାନଙ୍କର ଅନ୍ତ୍ୟେଷ୍ଟକ୍ରିୟା ସମ୍ପୂର୍ଣ୍ଣ କରି ଯାଇଛନ୍ତି ବୋଲି କହିଲେ ଅନ୍ୟାୟ ହେବନାହିଁ । ଏ ସମାଜକୁ ଅନ୍ଧକୂପ–ରୁପୀ ଅନ୍ଧବିଶ୍ଵାସରୁ ଉଦ୍ଧାର କରିବାପାଇଁ ତାଙ୍କର ଦୁର୍ଦ୍ଦାନ୍ତ ପ୍ରଚେଷ୍ଟା ନିକଟରେ ଭାରତବାସୀ ଚିରଦିନ ମସ୍ତକ ଅବନତ କରି ତାହାଙ୍କୁ ଶତବାର ପ୍ରଣିପାତ କରି ମଧ୍ୟ ତୃପ୍ତିଲାଭ କରି ପାରିବ ନାହିଁ ।

 

କବିରଙ୍କର ଅନ୍ତିମ ଅବସ୍ଥା ଅତି ଅମୃତମୟ ରମଣୀୟ ଗାଥାକାରରେ ଏ ଦେଶର ହିନ୍ଦୁ ମୁସଲମାନ ଉଭୟ ସଂପ୍ରଦୟର ମୁଖେ ମୁଖେ ପ୍ରଚଳିତ । ହିନ୍ଦୁ–ମୁସଲମାନ୍ ଏକତାର ଚରମ ଶିକ୍ଷା କବିର ଯେପରି ଭାବରେ ତାଙ୍କର ଶରୀର ଉତ୍ସର୍ଗର ମହୋତ୍ସର୍ଗ ମଧ୍ୟରେ ଦାନ କରିଗଲେ ତାହା ବାସ୍ତବିକ୍ ଏକ ଅନୁପମ ଆଖ୍ୟାୟିକା ।

 

ସମ୍ଭବତଃ ପନ୍ଦର ଶହ ସତର ଖ୍ରୀଷ୍ଟାବ୍ଦ—କାଶୀ ଧାମରୁ ସେ ମଗହର ନାମକ ସ୍ଥାନଙ୍କୁ ପ୍ରସ୍ଥାନ କରିଛନ୍ତି–ହିନ୍ଦୁ ଓ ମୁସଲମାନ ଉଭୟ ଶ୍ରେଣୀର ଶିଷ୍ୟଙ୍କ ଆଗରେ ରାମ ଓ ରହିମଙ୍କର ଅଭେଦୟ ପ୍ରମାଣ କରି ଉଭୟଙ୍କର ଗୁଣ କୀର୍ତ୍ତନ କରୁ କରୁ ପରମେଶ୍ଵରଙ୍କର ଚରମ ଧାମକୁ ଯାତ୍ରା ଆରମ୍ଭ କଲେ । ଦୃଷ୍ଟାନ୍ତ ରହିତ ଗୋଟାଏ ଅତି ମହନୀୟ ଜୀବନର ଶ୍ରେଷ୍ଟାଙ୍କର ପଟ୍ଟପତନ ହେଲା !

 

ହିନ୍ଦୁ ଓ ମୁସଲମାନ ଉଭୟ ସଂପ୍ରଦାୟ ଉଭୟଙ୍କ ଧର୍ମାନୁମୋଦିତ ଶ୍ରାଦ୍ଧକ୍ରିୟା ସମାପନ କରିବା ପାଇଁ ପରସ୍ପର ମଧ୍ୟରେ କନ୍ଦଳ ସୃଷ୍ଟି କଲେ । କବିଙ୍କର ସେହି ଚିନ୍ମୟ ଶରୀର ଉପରେ ଉଭୟ ଶ୍ରେଣୀୟ ଭକ୍ତଙ୍କର ଦାବୀ ଯଥାର୍ଥ ଏବଂ ଗ୍ରାହ୍ୟ ।

 

କବିରଙ୍କର ଜନ୍ମକାଳରେ ତାଙ୍କର ପାଳୟିତା ଓ ପାଳୟିତ୍ରୀ ଯେଉଁ ପ୍ରଶ୍ନ ପରସ୍ପରକୁ ପଚାରିଥିଲେ, ଦେହ ଅବସାନ କାଳରେ ମଧ୍ୟ କବିରଙ୍କର ଶିଷ୍ୟ ପ୍ରଶିଷ୍ୟ ବୃନ୍ଦ ସେହି ପ୍ରଶ୍ନ ଉତ୍ଥାପନ କଲେ—କବିର ହିନ୍ଦୁ ନା ମୁସଲମାନ ?

 

ଉଭୟ ସଂପ୍ରଦାୟର ବିସ୍ମୟ ମଧ୍ୟରେ ଅତି ଆକସ୍ମିକ ଭାବରେ ଦେଖାଗଲା କବିଙ୍କର ଅବୟବ ଅନ୍ତର୍ହିତ ହୋଇଯାଇଛି ଏବଂ ଉଭୟ ସଂପ୍ରଦାୟଙ୍କର ଦାବୀ ସାବ୍ୟସ୍ତ କରି ସେହି ସ୍ଥାନରେ ଉଭୟଙ୍କ ନିମନ୍ତେ ଦୁଇଟି ସଦ୍ୟ ପ୍ରସ୍ଫୁଟିତ ସତେଜ ପୁଷ୍ପ ବିଦ୍ୟମାନ୍ ।

 

ସେହି ପୁଷ୍ପ ଦୁଇଟିକୁ ନିଜ ନିଜ ମଧ୍ୟରେ ବଣ୍ଟନ କରି ହିନ୍ଦୁ ଓ ମୁସଲମାନ ଉଭୟେ ପରସ୍ପରର ଧର୍ମଗତ ଅନୁସାରେ କବିରଙ୍କର ଶେଷକ୍ରିୟା ସମାପନ କରିଥିଲେ ।

 

ସନାତନ ହିନ୍ଦୁ ଧର୍ମ ଏବଂ ନିରାକାର ଇସଲାମ୍ ଧର୍ମର ଏକତ୍ର ସମାବେଶଜନିତ ଭାରତୀୟ ଜୀବନରେ ଯେଉଁ ସଂଘର୍ଷର ସୂତ୍ରପାତ ଦେଖା ଦେଇଥିଲା ତାହାର ଏହିଭଳି ଏକ ସୂକ୍ଷ୍ମ ଏବଂ କବିତ୍ଵପୂର୍ଣ୍ଣ ସମାଧାନ କରି କବିର ଚିରଦିନ ନିମନ୍ତେ ଭାରତୀୟ ହୃଦୟ–ରାଜ୍ୟରେ ଅଧିରୂଢ଼ ହୋଇ ରହିଗଲେ ।

★★★

 

ସିଦ୍ଧମୁନି ସାରଳା ଦାସ

 

ମନୁଷ୍ୟ ତାର ବିକାଶପଥରେ ବହୁ ଅସାଧ୍ୟ ସାଧନାର ପରିଣାମ ସ୍ୱରୂପ ଯେଉଁ ମହାମାନବତ୍ଵ ପ୍ରାପ୍ତ ହୁଏ ତାହାର ତିନୋଟି ଧାରା ପ୍ରସିଦ୍ଧ । କେହି କେହି ଉଚ୍ଚତମ ଆସନାରୂଢ଼ ଈଶ୍ଵରକୋଟିର ପୁରୁଷ ଲୋକ ସଂଗ୍ରହ ଓ ଲୋକ କଲ୍ୟାଣ ନିମନ୍ତେ ପୃଥିବୀ ପୃଷ୍ଠରେ ଅବତରଣ କରିଥାନ୍ତି; ଏମାନେ ଜନ୍ମସିଦ୍ଧ ଅବତାର । କେହି କେହି ସ୍ଵୀୟ ସାଧନା, ପ୍ରଗାଢ଼ ଅଧ୍ୟବସାୟ ବଳରେ ସିଦ୍ଧି ଲାଭ କରି ସାଧାରଣ ମନୁଷ୍ୟକୁ ପ୍ରେରଣା, ଉତ୍ସାହ ଏବଂ ଉଦ୍ଦୀପନା ଦେଇଥାନ୍ତି,—ଏମାନେ ତପଃସିଦ୍ଧ ମହାତ୍ମା । ଆଉ କେତେକ ଗୁରୁ ବା ଈଶ୍ଵର କୃପା ବଳରେ ମହାମାନବତ୍ଵ, ତପସିଦ୍ଧି ଏପରିକି ଅବତାରୋପମ ସମସ୍ତ ଶକ୍ତିର ଅଧିକାରୀ ହୋଇଥାନ୍ତି । ସିଦ୍ଧମୁନି ସାରଳା ଦାସ ଶୋଷୋକ୍ତ ପର୍ଯ୍ୟାୟଭୁକ୍ତ କୃପାସିଦ୍ଧ ପୁରୁଷ ।

 

ଈଶ୍ୱର ରାଜ୍ୟରେ ଉଚ୍ଚନୀଚ ଭେଦ ଏକ ସାମାଜିକ ଅପପ୍ରଥା—ଧନୀନିର୍ଧନ, ଜାତି ଅଜାତି, ମୂର୍ଖମତିମାନ୍ ସମସ୍ତେ ଯେ ଏକ ଈଶ୍ଵରଙ୍କ ସନ୍ତାନ ଏ ସତ୍ୟକୁ ଦୃଷ୍ଟାନ୍ତ ସହକାରେ ପ୍ରମାଣ କରିବାର ଦାୟିତ୍ଵ ବହନ କରି ଯେପରି ଏହି ଉତ୍କଳର ଏକ କ୍ଷୁଦ୍ର ପଲ୍ଲୀରେ—ତାହା ଆଧୁନିକ ଝଙ୍କଡ଼ ହେଉ ବା ଚନ୍ଦ୍ରଭାଗା ନିକଟସ୍ଥ କୌଣସି ‘ଝଙ୍କେରପୁର’ ହେଉ—ତାହା ପଞ୍ଚଦଶ ଶତାବ୍ଦୀର ଆଦ୍ୟଭାଗ ହେଉ ଅଥବା ନବମ–ଦଶମ ଶତାବ୍ଦୀର ସନ୍ଧିକ୍ଷଣରେ ହେଉ–ଗୋଟିଏ ଶୂଦ୍ର କୁଳରେ କ୍ଷୀଣସ୍ମୃତି ଓ କ୍ଷୀଣମେଧା ଘେନି ବହୁ ସହୋଦର ସହୋଦରାଙ୍କ ଆଦର ଆନନ୍ଦ ମଧ୍ୟରେ ଜନ୍ମଗ୍ରହଣ କରିଥିଲେ ଶିଶୁ ସିଦ୍ଧେଶ୍ୱର । ସତେ ଯେପରି ଦେବୀ ସାରଳାଙ୍କ କୃପାସିଦ୍ଧ ମୁନି ହେବାପାଇଁ ପୂର୍ବ ନିର୍ଦ୍ଦିଷ୍ଟ କ୍ରମେ ତାଙ୍କର ନାମ ସିଦ୍ଧେଶ୍ଵର ହୋଇଥିଲା ।

 

ଭାଇଭଉଣୀମାନଙ୍କ ମଧ୍ୟରେ ଜ୍ଞାନ ବିଦ୍ୟାବୁଦ୍ଧିରେ ହୀନ ବିବେଚିତ ସିଦ୍ଧେଶ୍ଵର ଅତ୍ୟନ୍ତ କ୍ଷୁବ୍ଧ ହୋଇ ଦେବୀ ସାରଳାଙ୍କ ଶରଣାପନ୍ନ ହେଲେ । ସାରଳାଙ୍କ ପ୍ରସାଦ ବଳରେ ସେ ପ୍ରାକୃତ ବା ମାତୃଭାଷାରେ ମହାଭାରତର ପୁନଃସଂକଳନ ଆରମ୍ଭ କଲେ ।

 

ଏହା ଅବଶ୍ୟ ଗୋଟାଏ ଅଘଟନ ଘଟନା । ତଥାପି ସାରଳା ଦାସ ନିଜେ ସ୍ଵୀକାର କରିଛନ୍ତି ତାଙ୍କରି ନିଜ ଭାଷାରେ–“ମୂର୍ଖ ମୁହିଁ ଅପଣ୍ଡିତ ଶାସ୍ତ୍ର ହିଁ ନ ଜାଣେ ।” ମୋର ବୁଦ୍ଧି, ଧ୍ୟାନ, ଜ୍ଞାନ,ଯୋଗ, ଲୟକିଛି ହେଲେ ନାହିଁ । ଗ୍ରନ୍ଥଭେଦ କରିବାକୁ ଅବା ଶକ୍ତି କାହୁଁ ଆସିବ ! ମୁଁ ଜନ୍ମରୁ ମୂର୍ଖ–ବିଦ୍ୟାହୀନ—ଜପମନ୍ତ୍ର ଜାଣେ ନାହିଁ—ପଣ୍ଡିତଙ୍କ ସଙ୍ଗେ ବସି ସମାଧି ସାଧି ନାହିଁ । ବିପ୍ର ଗୋଷ୍ଠୀରେ ନ ବସି କୁସ୍ଥାନରେ ବସିଛି । ମୁଁ ଅଯଶୀ, ଅକର୍ମା, ଅକ୍ଷରହୀନ–ସନ୍ଧି ବ୍ୟୁତ୍ପତ୍ତି ମୋତେ ଅଗୋଚର । କେବଳ ସାରଳାଙ୍କ କୃପାରେ ଅଦୃଷ୍ଟି କି ଦୃଷ୍ଟି କରାଇଲି । ପଦରଚନାରେ ମୋର ପ୍ରତିଜ୍ଞା ବା ପ୍ରଶଂସା ନାହିଁ । ସାରଳାଙ୍କ ଆଜ୍ଞାରେ ମାତ୍ର ଲେଖୁଛି ।

 

ହୁଏତ ଏହା ସାରଳାଙ୍କ ଦୈନ୍ୟୋକ୍ତି ହୋଇପାରେ । ତଥାପି ସେକାଳରେ ଶୂଦ୍ରମାନଙ୍କର ଶାସ୍ତ୍ରଜ୍ଞାନ ଲାଭ କରିବା ଯେପରି କଠିନ ଥିଲା, ଜାତିରେ ଚଷା ଶୂଦ୍ର ସାରଳାଦାସ ଯେ ଜଣେ ବ୍ୟତିକ୍ରମ ବ୍ୟକ୍ତି ରୂପେ ସାରଳା ମହାଭାରତ ସଦୃଶ ପ୍ରକାଣ୍ଡ ମହାକାବ୍ୟ ରଚନା କରିବାର ଶକ୍ତି ଧାରଣ କରିବା ପୂର୍ବରୁ ଅଗାଧ ପାଣ୍ଡିତ୍ୟର ଅଧିକାରୀ ହୋଇ ପାରିଥିଲେ ଏହା ମଧ୍ୟ ଅଳ୍ପ ଅଯୁକ୍ତିକର ମନେ ହୁଏ ନାହିଁ ।

 

ପୁଣି କେବଳ ପାଣ୍ଡିତ୍ୟ ଦ୍ଵାରା ଯେ ମହାକାବ୍ୟ ରଚନା ସମ୍ଭବ, ଏକଥା କହିବା ମଧ୍ୟ ନିରର୍ଥକ । ତେଣୁ ଦେବୀ କୃପାବଳରେ ହେଉ ନ ହେଉ ଶ୍ରୀ ସିଦ୍ଧେଶ୍ଵର ବା ସାରଳାକୃପା-ପ୍ରାପ୍ତ ସାରଳା ଦାସ ଯେ ଉତ୍କଳ ଇତିହାସରେ ଜଣେ ଅସାଧାରଣ ପୁରୁଷ ଏ କଥା କେହି ଅସ୍ୱୀକାର କରିପାରିବେ ନାହିଁ ।

 

ବ୍ୟାସକୃତ ମହାଭାରତ ସମଗ୍ର ଭାରତର ମହାଭାରତ ହୋଇପାରେ; ମାତ୍ର ଏହା ଏପରି ଆଦର୍ଶାନୁରଞ୍ଜିତ ଯେ ସାଧାରଣ ଧାରଣର ବହିର୍ଭୂତ ଏହାର ପ୍ରତ୍ୟେକ ଚରିତ୍ର ଅତି ବାସ୍ତବ ବା କିୟଦଂଶରେ ଅତି ଅବାସ୍ତବ ମନେ ହୁଏ । ମାତ୍ର ସାରଳାକୃତ ଓଡ଼ିଆ ମହାଭାରତ, ଖାଣ୍ଟି ଓଡ଼ିଶା ଦେଶର ପାଣିପବନରେ, ଓଡ଼ିଶା ମାଟିରେ ପରିପୁଷ୍ଟ ସ୍ତ୍ରୀ ପୁରୁଷଙ୍କର ସହଜ ସରଳ ପ୍ରାକୃତିକ ଜୀବନ କିପରି ଆଦର୍ଶର ପୁଟରେ ବିମଣ୍ଡିତ ଓ ସୌଷ୍ଠବମୟ ତାହାରି ଅବିକୃତ ଚିତ୍ରଣରେ ପରିପୂର୍ଣ୍ଣ ।

 

ସାରଳା ଦାସଙ୍କ ପୂର୍ବରୁ ଓଡ଼ିଶାର ପାଶ୍ୱବର୍ତ୍ତୀ କୌଣସି ପ୍ରାକୃତ ଭାଷାରେ ଏଡ଼େବଡ଼ ବିରାଟ ଗ୍ରନ୍ଥ ରଚିତ ହୋଇନାହିଁ । ତେଣୁ ସାରଳା ମହାଭାରତ ପ୍ରସିଦ୍ଧି ଓ ପ୍ରଚଳନ ବଙ୍ଗଦେଶରେ ମଧ୍ୟ ପରିବ୍ୟାପ୍ତ ହୋଇଥିଲା ଏବଂ ସାରଳା । ପରବର୍ତ୍ତୀ କାଶୀରାମ ଦାସ ତାଙ୍କର ‘ମହାଭାରତର କଥା ଅମୃତ ସମାନ’ ସାରଳା ଦାସଙ୍କ ଗ୍ରନ୍ଥର ଅନୁସରଣରେ ହିଁ ରଚନା କରିଥିଲେ ।

 

ମହାଭାରତ ବ୍ୟତୀତ ଚଣ୍ଡୀପୁରାଣ ଓ ବିଲଙ୍କା ରାମାୟଣ ସାରଳାକୃତ ଅନ୍ୟ ଦୁଇଟି ପ୍ରଧାନ ଗ୍ରନ୍ଥ । ଚଣ୍ଡୀପୁରାଣ ସଂସ୍କୃତ ଶ୍ରୀଚଣ୍ଡୀର ଅନୁସାରୀ ମାତ୍ର, ପୂର୍ଣ୍ଣ ଅନୁବାଦ ନୁହେଁ । ବିଲଙ୍କା ରାମାୟଣ ଶ୍ରୀସାରଳା ଦାସଙ୍କର ସମ୍ପୂର୍ଣ୍ଣ କପୋଳ–କଳ୍ପିତ । ଏହି ଉପାଖ୍ୟାନ ଭାରତର ମାତୃଜାତିକି ଯେପରି ସର୍ବୋଚ୍ଚ ସ୍ଥାନ ଦେଇଛି, ସେପରି ଆଦର୍ଶ ସମସାମୟିକ କୌଣସି ଗ୍ରନ୍ଥରେ ଦୃଷ୍ଟିଗୋଚର ହୁଏନାହିଁ ।

 

ଚନ୍ଦ୍ର ଭାଗାରେ ତିଳ ସପ୍ତମୀ ଯାତ୍ରା । ଏ ଦିନ ଏବେ ବି ଓଡ଼ିଶାର ସ୍ଥାନେ ସ୍ଥାନେ ମୁନିମେଳା ହୁଏ । ବହୁ ଲୋକ ଏକତ୍ର ହୋଇ ପୂଜା ଆରାଧନା କରନ୍ତି । ଏହା ହିଁ ଏ ଦେଶ ପାଇଁ, ଏ ଦେଶ ହିତାଥେ ଜୀବନଧାରଣ କରିଥିବା ଜଣେ ସିଦ୍ଧ ମହାପୁରୁଷଙ୍କ ପ୍ରତି ଜାତିର ଶ୍ରାଦ୍ଧ ଅର୍ପଣ ।

 

ସାରଳା ଦାସଙ୍କ ସମାଧି ଉପରେ ବିରାଟ ଗୋଟାଏ ଜଟା ଗଛ କେବେ ଜନ୍ମି ପୁଣି କାଳଗର୍ଭରେ ଲୀନ ହୋଇ ଗଲାଣି । ମାତ୍ର ଶୂଦ୍ରମୁନି ସାରଳା ଏବେ ମଧ୍ୟ ଏ ଜାତିର ବହୁ ଦଳିତ ପତିତଙ୍କର ଆଶା ଓ ଭରସାର ସ୍ଥଳ–ମୁନିଗୋସାଇଁ—ଏ ଜାତିର ସାହିତ୍ୟ-ସୌଧର ଭିତ୍ତି ପ୍ରତିଷ୍ଠାତା ।

 

ସାରଳାଙ୍କ ମହାଭାରତ ବହୁ ଶତାବ୍ଦୀ ପୂର୍ବେ ଦାଣ୍ଡିବୃତ୍ତରେ ଲିଖିତ ହୋଇଥିଲା । ଏଥିରୁ ପ୍ରମାଣିତ ହୁଏ ଯେ ଆଧୁନିକ କବିତାର ମୁକ୍ତଛନ୍ଦ ପାଶ୍ଚାତ୍ୟ କବିତାର ଅନୁକରଣ ନୁହେଁ—ଏହା ଆମରି ପରମ୍ପରା ମାତ୍ର ।

★★★

 

ଶ୍ରୀଚୈତନ୍ୟ

 

ମନୁଷ୍ୟର ବୁଦ୍ଧି ବାଧ୍ୟହୋଇ ପରାଜୟ ସ୍ଵୀକାର କରେ । ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ଅତିପାତିକ ବ୍ୟତିକ୍ରମ ଦେଖାଯାଏ । କାର୍ଯ୍ୟ ଓ କାରଣର ସୁତ୍ର ଧରି ମନୁଷ୍ୟ ଯେଉଁ ନ୍ୟାୟ ଆଦର୍ଶ ବାଢ଼େ, ନାନା ଜଟିଳ ପ୍ରଶ୍ନବାଚୀର ପଶ୍ଚାତ୍ ଦେଶରେ ତାହା ବହୁ ଦୋଦୁଲ୍ୟମାନ ସନ୍ଦେହର ରୂପ ଧାରଣ କରେ ।

 

କାହିଁକି ଏହି ପରାଜୟ ମନୋଭାବ—ଏ ବୈପ୍ଳବିକ ଚିନ୍ତା ? ଏ ସନ୍ଦିଗ୍ଧ ମାନସର ହେତୁ କଣ ହୋଇପାରେ ? —କିଏ ଏହାର ଉତ୍ତର ଦେବ ?

 

ଏ ଉତ୍ତର–ଦାୟିତ୍ଵ ଯାହାର ହେଉ, ମନୁଷ୍ୟ ଏହାର ଯଥାଯଥ ସମାଧାନରେ କ୍ଷମ ହେଉ ନ ହେଉ, ଏହାହିଁ ସଭ୍ୟ ଓ ବାସ୍ତବ ଅଭିଜ୍ଞତା ।

 

ଅସମ୍ଭବ ସମ୍ଭବ ହୁଏ—ଅନିୟମ ନିୟମ ହୁଏ—ଅସ୍ଵାଭାବିକ ସ୍ୱାଭାବିକତାରେ ପରିଣତ ହୁଏ ।

 

ଜଣେ ସନ୍ନ୍ୟାସୀ ? କିଏ ଏହି ସନ୍ନ୍ୟାସୀ ଗୈରିକ ବସନ, ମୁଣ୍ଡିତ ମସ୍ତକ, ଭଗ୍ନଦଣ୍ଡକମଣ୍ଡଳୁମଣ୍ଡିତ ପରିବ୍ରାଜକ ତୀର୍ଥାଟକ ପୁରୀ ଧାମରୁ ବୃନ୍ଦାବନ ପଥରେ ଅଗ୍ରସର ହେଉଛନ୍ତି । ସେବକୈକ ବ୍ୟତିରେକ ଏକେଶ୍ଵର ଭାବରେ ଝାଡ଼ଖଣ୍ଡ ଘନ ଅରଣ୍ୟ ପଥ ମଧ୍ୟରେ ନିରବଧି ‘ହରି ହରି’ ନାମର ସ୍ଫୂର୍ତ୍ତି ହେଉଛି । ଏ କି ଆଶ୍ଚର୍ଯ୍ୟ କଥା ! ସେଇ ସ୍ଵରର ତାଳେ ତାଳେ ହସ୍ତୀ, ବ୍ୟାଘ୍ର, ଭଲ୍ଲୁକ, କୁରଙ୍ଗ, ସର୍ପଶ୍ୱାପଦାଦି ସମସ୍ତେ ନର୍ତ୍ତନରତ ଏବଂ ପ୍ରତ୍ୟେକର ମୁଖରେ ସ୍ଵାଭାବିକ ରବ ପରିବର୍ତ୍ତେ ସତେ ଯେପରି ହରିହରି ଧ୍ଵନି ଧ୍ଵନିତ ହୋଇ ଉଠୁଛି । ଏ କି ଅଭିନବ ଅଭିନୟ ?

 

ଏହି ସୁନ୍ଦର, ସୁଠାମ ପୁରୁଷ, ଆଜାନୁଲମ୍ବିତ ବାହୁ, ବିସ୍ତୀର୍ଣ୍ଣ ଲଲାଟ ପଟଳରେ ଉଜ୍ଜ୍ୱଳ ହରି ତିଳକ, ନୀଳ–ଶୈଳ–ନିବାସୀ ଚକାଡ଼ୋଳା ଜଗନ୍ନାଥଙ୍କୁ ଚାହିଁ ପ୍ରେମ ଗଦ୍‍ଗଦ୍‍ କଣ୍ଠରେ ସେଦିନ ଗାଉଥିଲେ—

 

‘ଜଗନ୍ନାଥ ସ୍ଵାମୀ ନୟନ–ପଥଗାମୀ ଭବତୁ ମେ ।’

 

ପୁରୁଷ ହୋଇ ମଧ୍ୟ ପୁରୁଷାଭିମାନଶୂନ୍ୟ କିଏ ଏହି ଦେବତାତ୍ମା—ଜଗନ୍ନାଥଙ୍କୁ ସ୍ଵାମି, ସ୍ଵାମି, ସ୍ଵାମି ! ସମ୍ବୋଧନ କରି ଭାବରେ ଗଦ୍‍ଗ୍‍ଦ—ମହାଭାବରେ ବିଭୋର—ସଂଜ୍ଞାହୀନ । ଏ କି ଲୀଳାବୈଚିତ୍ର୍ୟ ?

 

କାଶୀ ମିଶ୍ରଙ୍କ ଗୃହ । ଗମ୍ଭୀର । ଆଧୁନିକ ରାଧାକାନ୍ତ ମଠସ୍ଥ କ୍ଷୁଦ୍ର ଗୋଟିଏ ପ୍ରକୋଷ୍ଠ ମଧ୍ୟରେ ଅନ୍ତରଙ୍ଗ ତିନୋଟି ସାଧକଙ୍କୁ ଘେନି କୃଷ୍ଣଗୁଣ କୀର୍ତ୍ତନ କରୁ କରୁ ନିତ୍ୟ ବିରହ ମଧ୍ୟରେ ଏ କି ନିତ୍ୟ ମିଳନର ସୁଖାସ୍ଵାଦ ? ଏ କି ବିପରୀତ ରୀତି ?

 

ବେଶୀ ଦିନର ନୁହେଁ, ମାତ୍ର ପାଞ୍ଚଶତ ବର୍ଷ ଅତିକ୍ରମ କରିଛି କି ନାହିଁ—ଚଉଦଶହ ପଞ୍ଚାଅଶୀ ଖ୍ରୀଷ୍ଟାଦ୍ଦର କଥା । ସେଦିନ ପୂର୍ଣ୍ଣମୀ ତିଥି । ରାହୁଗ୍ରସ୍ଥ ଫାଲଗୁନୀ ଚନ୍ଦ୍ରିକା ଆକାଶରେ, ଜଳେ ସ୍ଥଳେ, ସ୍ଥାବର ଜଙ୍ଗମରେ ଲୀଳାୟିତ । ଗୋଟିଏ ନିମ୍ବ ବୃକ୍ଷ ମୂଳରେ ଶ୍ରୀ ଶଚୀନନ୍ଦନ ନଦିଆ ପୁରନ୍ଦର, ସୁରନରମୁନି-ମନମୋହନଧାମ ଗୌରାଙ୍ଗ ‘ନିମାଇଁ’ଙ୍କର ଜନ୍ମ । ବସନ୍ତର ଆବାହନରେ ସତେ ଯେପରି ଋତୁରାଜ ସଶରୀରେ ରୂପ ପରିଗ୍ରହ କରିଛନ୍ତି ।

 

ସେଦିନର ସେହି ନିମ୍ବବୃକ୍ଷ ମୂଳସ୍ଥ ବାଳକ ‘ନିମାଇଁ’ କେବଳ ନିଦିଆ ନବଦ୍ଵୀପରେ ନୁହେଁ—ସମଗ୍ର ଭାରତର ଜଣେ ପ୍ରସିଦ୍ଧ ନ୍ୟାୟବାଚସ୍ପତି—ଦର୍ଶନଜ୍ଞ ପଣ୍ଡିତ ରୂପେ ପରିଗଣିତ ହୋଇଛନ୍ତି । ମାତ୍ର ମାତା ଶଚୀଦେବୀଙ୍କ ଚକ୍ଷୁରେ ଶୈଶବରୁ ପିତୃହୀନ ଏହି ବାଳକ, ବୈରାଗୀ ଜ୍ୟେଷ୍ଠ ଭ୍ରାତା ବିଶ୍ଵରୂପ ବିରହରେ ବିଧୂର ‘ବିଶ୍ଵମ୍ଭର’ ଅଦ୍ଭୁତ ଐଶୀଶକ୍ତିସମ୍ପନ୍ନ ଯୁବକ ସାମାନ୍ୟ ମାନବ ବ୍ୟତୀତ ଅନ୍ୟ କିଛି ନୁହେଁ ।

 

ମାତ୍ର କେତେ ବର୍ଷ ପୂର୍ବରୁ ସ୍ଵର୍ଗତ ପିତା ଜଗନ୍ନାଥ ମିଶ୍ର ଆସାମସ୍ଥ ଶ୍ରୀହଟ୍ଟରୁ ଯାଇ ବଙ୍ଗର ଶାସ୍ତ୍ରୀୟ ପୀଠସ୍ଥଳୀ ନବଦ୍ଵୀପକୁ ହିଁ ବାସଭୂମି ମନୋନୀତ କରିଥିଲେ । ସତୀ, ସାଧ୍ୱୀ, ପତିବ୍ରତା, ବାଳକ ବିଶ୍ଵମ୍ବରର ଜନନୀ ଶଚୀଦେବୀଙ୍କ ମାନସପଟରେ ଅତୀତର ସେହି ସ୍ମୃତି ପଲକ ମାତ୍ରକେ ଖେଳିଯାଏ । ବହୁ ପୂର୍ବରୁ ତାଙ୍କର ଭକ୍ତିଭାଜନ ଉତ୍କଳର ଯଜ୍ଞପୀଠ ଯାଜପୁରରୁ ଯାଇ ଶ୍ରୀହଟ୍ଟରେ ବାସ କରିବାର ଆଖ୍ୟାୟିକା ତାଙ୍କର ଅଦ୍ୟାପି ବିସ୍ମୃତ ହୋଇ ନାହିଁ । ଏହିପରି ଗୋଟିଏ ଦରିଦ୍ର ବ୍ରାହ୍ମଣର ବଂଶଧର ବାଳକ ବିଶ୍ଵମ୍ବର ଯେ ଦିନେ ସମଗ୍ର ମାନବ ଜାତିକୁ ପ୍ରେମଭକ୍ତି ଦାନ କରି ବିଶ୍ଵ ଇତିହାସରେ ଏକ ଅକ୍ଷୟ କୀର୍ତ୍ତିର ସୌଧ ତୋଳି ଦେଇଯିବେ ଏ କଥା ତାଙ୍କର କଳ୍ପନାର ଅତୀତ ଥିଲା । ତେଣୁ ପୁତ୍ର ନିମାଇଁକୁ ସେ ବାରମ୍ବାର ଦୁଇବାର ଗୃହସ୍ଥାଶ୍ରମରେ ଆବଦ୍ଧ କରି ନିଶ୍ଚିନ୍ତରେ କାଳଯାପନ କରୁଥିଲେ ।

 

କିନ୍ତୁ ଉଦୟାଚଳର ଊର୍ଦ୍ଧ୍ଵଗାମୀ ସୂର୍ଯ୍ୟକୁ ଚିରକାଳ ମେଘପଟଳ ଦ୍ୱାରା ଆବୃତ କରି ରଖିବା ଅସମ୍ଭବ । ସଂସାରର ମୋହମାୟାରୂପୀ ଘନ ତମସାରେ ବିଶ୍ଵମ୍ଭରଙ୍କୁ ଆଚ୍ଛନ୍ନ କରି ରଖିବା ଏକ ଦୁଃସାଧ୍ୟ ସାଧନା । ଦିବଂଗତ ପରମାରାଧ୍ୟ ପିତୃଦେବଙ୍କର ଶ୍ରାଦ୍ଧକ୍ରିୟା ସମ୍ପନ୍ନ କରିବା ଉପଲକ୍ଷ୍ୟରେ ଯୁବକ ବିଶ୍ଵମ୍ବର ଯାଇଛନ୍ତି ଶୋକସନ୍ତପ୍ତ ଅସ୍ଥିର ହୃଦୟ ଘେନି ଭକ୍ତ ଗୟାସୁରର ପୀଠସ୍ଥଳୀ ଗୟାଧାମକୁ । ଗୋଟିଏ ପୁଣ୍ୟାହ, ପୁଣ୍ୟ ତିଥିରେ ସେହି ଧର୍ମପୀଠ ଗୟାତୀର୍ଥରେ—ଯେଉଁଠି ହିନ୍ଦୁର ଅଟଳ ବିଶ୍ଵାସ ସ୍ଵର୍ଗ ଏବଂ ମର୍ତ୍ତ୍ୟ ମଧ୍ୟରେ ସାନ୍ନିଧ୍ୟ ଏବଂ ସମ୍ୱନ୍ଧ ପ୍ରତିଷ୍ଠା କରିଛି, ଯେଉଁଠି ସମସ୍ତ ଏସିଆଖଣ୍ଡର ଆଲୋକ ସ୍ତମ୍ଭ ଶାକ୍ୟସିଂହ ଗୌତମ ଦିନେ ଜୀବନର ସତ୍ୟ ସନ୍ଧାନ କରି କଠିନ ତପଶ୍ଚରଣ ଫଳରେ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ, ସେଇଠି ସେଇ ସ୍ଥାନରେ ପିତୃପୁରୁଷମାନଙ୍କର ଉଦ୍ଦେଶ୍ୟରେ ପିଣ୍ଡାର୍ପଣ କରୁ କରୁ ବିଶ୍ଵମ୍ଭରଙ୍କର ମୋହାବରଣ ଉନ୍ମୋଚିତ ହୋଇଗଲା । ଭାବର ଏ କି ଅପୂର୍ବ ପରିବର୍ତ୍ତନ ? ଜ୍ଞାନର ଏ କି ଅପୂର୍ବ ଉଦୟ ?

 

ସେହିଦିନ, ସେହି ଶୁଭ ମୁହୂର୍ତ୍ତରେ ବିଶ୍ଵମ୍ଭରଙ୍କ ହୃଦୟରେ ନୁହ—ସମଗ୍ର ବିଶ୍ଵର ଆଚ୍ଛନ୍ନ ତମସା ବିଦୁରିତ ହୋଇ ଆଲୋକର ପ୍ରଥମ ଉଦ୍‍ଗମ ହେଲା । ମରଣଶୀଳ ମର ମାନବ ଅମୃତର ସନ୍ଧାନ ଲାଭ କଲା ।

 

ସେହିଠାରେ—ସେହି ଗୟାପୀଠରେ ଗୌରାଙ୍ଗ ବିଶ୍ଵମ୍ଭର, ନଦିୟାର ନିମାଇଁ ପଣ୍ଡିତ ମୁଷ୍ଟିମେୟ ତଣ୍ଡୁଳରେ କେବଳ ସନ୍ତୁଷ୍ଟ ପିତୃକୁଳକୁ ପିଣ୍ଡଦାନ କରି ନ ଥିଲେ—ସେହିଦିନ; ସେହି ପୀଠରେ ସଦ୍‍ବଂଶଜ ବ୍ରାହ୍ମଣ ସନ୍ତାନ, ଦିଗ୍‍ବିଜୟୀ ନୈୟାୟିକ ତାର୍କିକମାନଙ୍କର ଶୁଷ୍କ ନୀରସ ପୁରାଣ ବ୍ୟାଖ୍ୟାରେ ଅତୃପ୍ତ ନିମାଇଁ ପଣ୍ଡିତ ଜାତି, କୁଳ, ବିଦ୍ୟା, ବୁଦ୍ଧି, ରୂପ, ଲାବଣ୍ୟ ସକଳ ଅଭିମାନ ଏବଂ ସକଳ ଅହଂକାରରେ ଜଳାଞ୍ଜଳି ଦେଇ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ—ପିତ୍ରାଶିଷ, ଦେବାଶିଷ ବଳରେ ବଳୀୟାନ ଗୌରାଙ୍ଗ ଗୋଟିଏ ସ୍ଵଚ୍ଛ, ସରଳ, ନିର୍ମଳ ଐଶ୍ଵରିକ ପ୍ରେମରେ ଉଦ୍ଭାସିତ, ଆଧ୍ୟାତ୍ମିକ ଆନନ୍ଦରେ ଉଚ୍ଛ୍ଵସିତ ପବିତ୍ର ହୃଦୟ ଘେନି ।

 

ବିଶ୍ଵମ୍ଭର ଆଜି ଅମର ଧନରେ ଧନୀ । ଅହରହ ମୁଖରୁ କୃଷ୍ଣ ନାମ ନିର୍ଗତ ହେଉଛି । ଯେପରି ବହୁଦିନର କେଉଁ ଅପୂର୍ବ ଅପହୃତ ନିଧି, ପାଶୋରା ଅମୂଲ୍ୟ ରତ୍ନରାଜି ସୌଭାଗ୍ୟକ୍ରମେ ଦିବ୍ୟଲୋକରୁ କିଏ ଆସି ତାଙ୍କ ହସ୍ତରେ ଅର୍ପଣ କରି ଯାଇଛି । ତାହାରି ବଳରେ ବଳୀୟାନ ହୋଇ ବିଶ୍ଵମ୍ଭର ଆଜି ଚୈତନ୍ୟ ।

 

ମନୁଷ୍ୟର ପ୍ରକୃତ ଚେତନା ବୃଦ୍ଧିର ବିକାଶ ବଳରେ ଜାଗ୍ରତ ହୁଏ ନାହଁ । ବୁଦ୍ଧିର ଔତ୍କର୍ଷ, ପ୍ରାଖର୍ଯ୍ୟ, ବୁଦ୍ଧିର ବ୍ୟାୟାମ ଏବଂ ତୀକ୍ଷ୍ଣତା ଦ୍ଵାରା ଅନ୍ତରାତ୍ମାର ଅଭିବୃଦ୍ଧି କଦାପି ସମ୍ଭବ ନୁହେଁ । ହୃଦୟର ସ୍ଫୁର୍ତ୍ତି, ଭାବର ପ୍ରଚୋଦନା ହିଁ ମନୁଷ୍ୟକୁ ଭାବଗ୍ରାହୀ, ଭାବାବିଷ୍ଟ କରି ସୁଖମୟ ଅତିନ୍ଦ୍ରିୟ ରାଜ୍ୟକୁ ବରଣ କରି ଘେନିଯାଏ ।

 

କି ସୁସମୟରେ ସାକ୍ଷାତ ହେଲା ତାଙ୍କର ମଧୁମତାବଲମ୍ବୀ ମହାପୁରୁଷ ମାଧବ ପୁରୀଙ୍କ ସହିତ । ତାଙ୍କର ଆତ୍ମଦର୍ଶନ ଦ୍ଵାରା ପିତୃ ପ୍ରେମରେ ଉନ୍ମତ୍ତ ବିଶ୍ଵମ୍ଭର ଆଜି କେବଳ ଚେତନାସାର ଏକ ଚୈତନ୍ୟମୟ ପିଣ୍ଡ–ବାହ୍ୟ ଶରୀର ସତେ ଯେପରି ଏକ ଚିନ୍ମୟ ଜ୍ୟୋତିରେ ଜ୍ୟୋତିର୍ମୟ ହୋଇଯାଇଛି ।

 

ଦିବା, ରାତ୍ରି, ଶୟନେ, ସ୍ଵପନେ, ଧ୍ୟାନଧାରଣାରେ ଶ୍ରୀଚୈତନ୍ୟଙ୍କ ରସନା ସରତ କୃଷ୍ଣନାମ ରଚନାରେ ରତ କୃଷ୍ଣ ଭାବରେ ସଦାସର୍ବଦା ଆତ୍ମହରା ଓ ଆତ୍ମବିହ୍ଵଳ । ଶ୍ରୀକୃଷ୍ଣ ଗୁଣ କୀର୍ତ୍ତନ ଓ ଗୁଣ ଚିନ୍ତନ, ଶ୍ରୀକୃଷ୍ଣ ସେବନ ଓ ବନ୍ଦନ କ୍ରମରେ କେତେବେଳେ ସଂଜ୍ଞା ଶୂନ୍ୟ ହୋଇ ପଡ଼ୁଛନ୍ତି, କେତେବେଳେ ଅବା ପ୍ରିୟତମ, ପ୍ରାଣାଭିରାମ ଶ୍ରୀକୃଷ୍ଣ ବିରହରେ—ବିରହ ବିଧୂର ଅଶେଷ ଦଶାଧିଗ୍ରସ୍ତା ବୃନ୍ଦାବନ ବିପିନ ବିହାରିଣୀ ଭକ୍ତିମତୀ ଶ୍ରୀମତୀଙ୍କ ପରି ଶୋକ ଓ ସନ୍ତାପରେ ବିଦଗ୍ଧ–ପ୍ରାଣ ହା କୃଷ୍ଣ ! ହା କୃଷ୍ଣ ବୋଲି ଚତୁର୍ଦ୍ଦିଗରେ ଉନ୍ମତ୍ତ ଉତ୍‍କ୍ଷିପ୍ତ ପ୍ରାୟ ଭ୍ରମଣ କରୁଛନ୍ତି ।

 

ସାରା ଭାରତରୁ ବିଦ୍ୟାର୍ଥୀ ନବଦ୍ଵୀପରେ ନିମାଇଁ ପଣ୍ଡିତଙ୍କ ଦ୍ଵାରସ୍ଥ ହୋଇଛନ୍ତି ଶାସ୍ତ୍ରାଧ୍ୟୟନ ଉଦ୍ଦେଶ୍ୟରେ । ମାତ୍ର ନିମାଇଁ ପଣ୍ଡିତଙ୍କର ଏ କି ବ୍ୟାଖ୍ୟା । ସକଳ ଶ୍ଳୋକ, ସକଳ ଶବ୍ଦର ମର୍ମ–ବ୍ୟାଖ୍ୟା, ସରଳାର୍ଥ, ଭାବାର୍ଥ କେବଳ କୃଷ୍ଣ–କୃଷ୍ଣ–କୃଷ୍ଣ ।

 

ନିମାଇଁ ପଣ୍ଡିତ କଣ ଉନ୍ମାଦଗ୍ରସ୍ତ ?

 

ହଁ, ଉନ୍ମାଦଗ୍ରସ୍ତ–ବାତପ୍ରପୀଡ଼ିତ—ବାୟୁବିକାର ଜନିତ ଉନ୍ମାଦ ସେ । ମାତ୍ର ତାର ଚିକିତ୍ସା ଔଷଧରେ ଆଉ ସମ୍ଭବ ନୁହେଁ । କେବଳ ନାମ ପ୍ରଚାରରେ ହିଁ ତାର ଶାନ୍ତି–ତାର ଉପଶମ ।

 

ଆଉ ଉନ୍ମାଦ ନୁହେଁ—ସେହି ଉନ୍ମାଦନାରେ “କଳୌ ନାସ୍ତୈବ ନାସ୍ତୈବ ନାସ୍ତୈବ ଗତିରନ୍ୟଥା” ସେହି “ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳଂ”ର ସଂକୀର୍ତ୍ତନରେ ନବଦ୍ଵୀପର ନରନାରୀ, ପଶୁପକ୍ଷୀ, କୀଟପତଙ୍ଗ, ପଥପ୍ରାନ୍ତର, ତରୁଲତା, ନ ଦୀଜଳ, ସ୍ଥାବରଜଙ୍ଗମ ଧନ୍ୟ ହୋଇଗଲେ । ସେହି ଉନ୍ମାଦନାରେ ସେଦିନ ହିନ୍ଦୁ ମୁସଲମାନ ଭକ୍ତି ଦେଇ ଉପଲବ୍ଧି କରିବାପାଇଁ ବ୍ୟାକୁଳ ହୋଇ ପଡ଼ିଲେ । ଶ୍ରୀକୃଷ୍ଣ, ଚୈତନ୍ୟ ସଦୟ ହୋଇ ସାର୍ବଭୌମଙ୍କୁ ଉଦ୍ଧାର କରି ଶିକ୍ଷାରୂପେ ଗ୍ରହଣ କରିନେଲେ । ପରେ ପରେ ସମ୍ରାଟ ସ୍ଵୟଂ ପ୍ରତାପରୁଦ୍ର ମଧ୍ୟ ଶ୍ରୀକୃଷ୍ଣ ଚୈତନ୍ୟଙ୍କର ଶରଣାପନ୍ନ ହେଲେ । ସମଗ୍ର ଉତ୍କଳ ହରିନାମରେ, ଶ୍ରୀକୃଷ୍ଣ ସଂକୀର୍ତ୍ତନରେ ପ୍ଳାବିତ ହୋଇଗଲା ।

 

ଭକ୍ତିଧର୍ମର ଚରମସିଦ୍ଧାନ୍ତ ମଧୁରଭାବର ପ୍ରଚାର ପାଇଁ ତେଣେ ଅପେକ୍ଷା କରି ବସିଥିଲେ ରୂପ ଓ ସନାତନ ଶ୍ରୀ ବୃନ୍ଦାବନରେ । ଶ୍ରୀକୃଷ୍ଣ ଲୀଳାଭୂମି ବୃନ୍ଦାବନର କେଳି ସ୍ଥାନମାନ ଆବିଷ୍କାର କରି ସେ ବୈଷ୍ଣବ ତଥା ସମଗ୍ର ସନାତନଧର୍ମର ଅଶେଷ ଇଷ୍ଟସାଧନ କରିଛନ୍ତି ।

 

ଶ୍ରୀକୃଷ୍ଣଚୈତନ୍ୟ ଦୀର୍ଘ ଅଠର ବର୍ଷକାଳ ନୀଳାଚଳରେ ରହି ରାୟରାମାନନ୍ଦଙ୍କ ଦ୍ଵାରା ପ୍ରେମଭକ୍ତିର ସାରତତ୍ତ୍ଵ ପ୍ରଚାର କରି ଶ୍ରୀକୃଷ୍ଣଙ୍କର ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କରି ଦିନେ ଅଦ୍ଭୁତ ଭାବରେ ଅନ୍ତର୍ଦ୍ଧାନ ହୋଇଗଲେ ।

 

କେହି କେହି କହନ୍ତି, ଭାବବିହ୍ୱଳ ଅବସ୍ଥାରେ ସେ ସମୁଦ୍ର ପ୍ରବେଶ କରି ଆଉ ପ୍ରତ୍ୟାବର୍ତ୍ତନ କରି ନାହାନ୍ତି । କିଏ ବା କହେ—ଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ ଦର୍ଶନକୁ ଯାଇ ସେ ସେହି ଜଗନ୍ନାଥଙ୍କ ଅଂଗରେ ଲୀନ ହୋଇଗଲେ । ଅନ୍ୟମାନେ କହନ୍ତି–ତୋଟା ଗୋପୀନାଥଙ୍କ ଜାନୁଦେଶରେ ତାଙ୍କର ଲୀନ ହେବାର ସଂକେତ ରହିଛି । ଅଧୁନା ଆବିଷ୍କୃତ ଏକ ତାଳପତ୍ର ଗ୍ରନ୍ଥରୁ ପ୍ରକାଶ ଯେ, ରାଜା ପ୍ରତାପରୁଦ୍ର ଓ ଭକ୍ତଗଣଙ୍କ ସମକ୍ଷରେ ସେ କେତେକ ଉପଦେଶ ଦେବା ଅବସ୍ଥାରେ ଅନ୍ତର୍ହିତ ହୋଇଗଲେ । ଭକ୍ତମାନଙ୍କ ମତରେ ଏ ପ୍ରତ୍ୟେକଟି ଆଖ୍ୟାୟିକା ଲୀଳାମୟ ସାକ୍ଷାତ୍ ଭଗବାନଙ୍କ ପକ୍ଷରେ ସମ୍ଭବ । ଯିଏ ଯେଉଁ ଭାବରେ ଦେଖିଛି; ତାହା ହିଁ ସତ୍ୟ । ତେଣୁ ଏ କିମ୍ୱଦନ୍ତୀ ମଧ୍ୟରେ କୌଣସିଟି ଅସତ୍ୟ ନୁହେଁ ।

 

ଶ୍ରୀଚୈତନ୍ୟ ଭାରତର ବହୁ ସନ୍ଥସାଧୁଙ୍କ ପରି ନିଜ ସଂପ୍ରଦାୟ ସୃଷ୍ଟି କରି ଅନୁଯାୟୀମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ଧର୍ମଗ୍ରନ୍ଥ ରଚନାଦ୍ଵାରା ମାର୍ଗ ନିର୍ଣ୍ଣୟ କରି ଯାଇନାହାନ୍ତି । କାରଣ ପ୍ରେମଭକ୍ତି କୌଣସି ବିଧିବିଧାନର ଅପେକ୍ଷା ରଖେ ନାହିଁ । ଏହା ସତତ ବିକାଶ ଉନ୍ମୁଖୀ । ତେଣୁ ଏହା ଶାସ୍ତ୍ରୀୟ ବନ୍ଧନ ମଧ୍ୟରେ ଆବଦ୍ଧ ନୁହେଁ ।

 

ଚୈତନ୍ୟଙ୍କ ଭଜନମାର୍ଗ ବା ଭକ୍ତିସିଦ୍ଧାନ୍ତ କେବଳ ଧର୍ମ ଦିଗରୁ ନୁହେଁ–ଉପରୋକ୍ତ କାରଣରୁ ବିଗତ ପାଞ୍ଚଶହ ବର୍ଷକାଳ ଏ ଦେଶରେ ସାହିତ୍ୟ ଓ ସଂସ୍କୃତିକୁ ଉତ୍ତରୋତ୍ତର ଅଭିବୃଦ୍ଧି କରି ଆସିଛି । ପୃଥିବୀରେ କୌଣସି ସାହିତ୍ୟିକ ଯୁଗ ଏତେଦିନ ଜନପ୍ରାଣକୁ ଅଭିଭୂତ କରି ରଖିବା ଇତିହାସରେ ବିରଳ ।

 

ଏବେ ମଧ୍ୟ ଚୈତନ୍ୟ ପ୍ରଚାରିତ ପ୍ରେମଭକ୍ତି ହିଁ ସର୍ବଦେଶୀୟ ସାହିତ୍ୟରେ ବିଭିନ୍ନ ରୂପରେ ରୂପାୟିତ । ଶ୍ରୀକୃଷ୍ଣ ଚୈତନ୍ୟଙ୍କୁ ପ୍ରଶ୍ନ କଲେ—ଜୀବମାତ୍ରେ ସାକ୍ଷାତ୍ ବ୍ରହ୍ମ–ଈଶ୍ୱର । ତୁମ୍ଭେ ସ୍ଵୟଂ ଈଶ୍ୱର ହୋଇ ପୁଣି କେଉଁ ଈଶ୍ୱର ନିମନ୍ତେ ଉନ୍ମତ୍ତ, ଅସ୍ଥିର ?

 

ସେଦିନ ଶ୍ରୀକୃଷ୍ଣ ଚୈତନ୍ୟ ଚିତ୍କାର କରି ଉଠିଥିଲେ—ଅସମ୍ଭବ ! ଅସମ୍ଭବ ! ଜୀବ ଓ ଆତ୍ମା ଏକ ହୋଇ ମଧ୍ୟ ଅନେକ–ଅଚିନ୍ତ୍ୟ ଅଗମ୍ୟ ସେ ଭେଦ–ଅବୋଧ୍ୟ ଅଗ୍ରାହ୍ୟ ସେ ଅଭେଦ । ଉଭୟ ସମ୍ଭବ ହେଲେ ହେଁ ଏ ବିରହ—ଏ ମିଳନ—ଏ ନିତ୍ୟ ବିରହରେ ନିତ୍ୟ ମିଳନର ସୁଖ । ଏ ଅଶ୍ରୁ, ପୁଲକ, କମ୍ପ ଓ ସ୍ତମ୍ଭନ—ଏ ଆନନ୍ଦ ଓ ଆହ୍ଲାଦକୁ ଉପେକ୍ଷା କରି ଜୀବ କେଉଁ ସ୍ଵାର୍ଥରେ ସାମୀପ୍ୟ, ସାଯୁଜ୍ୟ, ସାଲୋକ୍ୟ, ଆଦି ଶୁଷ୍କ ଷଡ଼ୈଶ୍ଵର୍ଯ୍ୟ, ଷଟମୁକ୍ତି ବା କୈବଲ୍ୟ ପାଇଁ ଲାଳାୟିତ ହେବ ।

 

ଶ୍ରୀକୃଷ୍ଣଚୈତନ୍ୟ ଇଶ୍ଵରତ୍ଵ ଚାହାନ୍ତି ନାହିଁ—ନିର୍ବାଣ କାମନା କରନ୍ତି ନାହିଁ । ସେ ସେବ୍ୟ ଶ୍ରୀକୃଷ୍ଣଙ୍କର ସୁଖ ସଂପାଦନ ପାଇଁ ପୁନରପି ‘ଜନମଂ, ପୁନରପିମରଣଂ, ପୁନରପି ଜନନୀଜଠରେ ଶୟନଂ’ ଶତ ଶତ, ସହସ୍ର ସହସ୍ର ବାର ପାଇଁ ସ୍ଵାଗତ କରିବାକୁ ପ୍ରସ୍ତୁତ—ଯୁଗ ଯୁଗ ଧରି ନରକଭୋଗ କରିବାକୁ ମଧ୍ୟ ଆଗ୍ରହୀ ।

 

ଶ୍ରୀକୃଷ୍ଣ ଚୈତନ୍ୟଙ୍କର ଏହି ମହାଭାବ, ଏହି ତ୍ୟାଗ–ଧର୍ମ ଏହି ପ୍ରେମଭକ୍ତି ନିକଟରେ ସାର୍ବଭୌମଙ୍କର ବୁଦ୍ଧି ପରାଜୟ ମାନିଲା । ବୁଦ୍ଧିର ଅଗମ୍ୟ, ଚିନ୍ତାର ଅମାପ ଇଶ୍ଵରଙ୍କୁ ହୃଦୟର ଭାବ ଏବଂ ସ୍ପୃଶ୍ୟ, ଅସ୍ପୃଶ୍ୟ, ଉଚ୍ଚନୀଚ, ଜାତିଅଜାତି, ବ୍ରାହ୍ମଣଚଣ୍ଡାଳ ସମସ୍ତେ ଏହି ପ୍ରେମବିହ୍ଵଳ ହୃଦୟକୁ ହୃଦୟରେ ଜଡ଼ାଇ ଅଶେଷ ଅଶ୍ଳେଷରେ ସଂସାର ବନ୍ଧନ ଛିନ୍ନ କରି ନିତ୍ୟଧାମର ଆଲୋକ ପ୍ରାପ୍ତ ହୋଇଥିଲେ ।

 

ରାଧା ରାଧା କୃଷ୍ଣ କୃଷ୍ଣ, ରାଧେରାଧେ କୃଷ୍ଣ କୃଷ୍ଣ ନାମରେ ଗଗନ ପବନ ମୁଖରିତ ହେବାକୁ ଲାଗିଲା । ଶଚୀନନ୍ଦନ ଜଗନ୍ନାଥ ମିଶ୍ରଙ୍କର ସନ୍ତାନ ଆଉ ବିଶ୍ୱମ୍ଭର ନିମାଇଁ ପଣ୍ଡିତ ନୁହନ୍ତି-। ସେ ଯେପରି ରାଧା ଅଙ୍ଗ-ସଙ୍ଗ ଲଭି ନବଘନ ଶ୍ୟାମଙ୍କର ଗୌରାଙ୍ଗ ରୂପ ବିଗ୍ରହ !

 

ବୃନ୍ଦାବନ ଲୀଳା ଆଜି ନଦୀୟା ଲୀଳାରେ ପରିଣତ ହୋଇଛି । ନିତ୍ୟାନନ୍ଦ, ଅହୈତ, ଗଦାଧର ଓ ଶ୍ରୀବାସାଜୀ ପଞ୍ଚତତ୍ତ୍ଵ, ଷଡ଼ଚକ୍ରବର୍ତ୍ତୀ, ଅଷ୍ଟକବିରାଜ, ଚୌଷଠୀମହନ୍ତ ଆଦି ଗୌରପରିକର ବୃନ୍ଦ ସଙ୍ଗେ ଘେନି କୈରନ ରାଧା ପ୍ରେମା–ରାଧାର ପ୍ରେମ କିପରି, ତାର ମାଧୁରୀ କିପରି ଓ ରାଧା କିପରି ସେହି ମାଧୁରୀ ପାନରେ ବିଭୋର–ଏହି ତିନି ବାଞ୍ଛା ପୂର୍ତ୍ତି ନିମନ୍ତେ ବ୍ରଜେନ୍ଦ୍ର ନନ୍ଦନ ଆଜି ଗୌରାଙ୍ଗ ରୂପରେ ନଦୀୟା ବିହାର କରୁଛନ୍ତି ।

 

ତଥାପି ୠଣ ପରିଶୋଧ ସମ୍ଭବ ହେଲା ନାହିଁ । ଦ୍ୱାପରରେ ଶ୍ରୀରାଧାଙ୍କର ପ୍ରେମଋଣ ପରିଶୋଧ କାମନାରେ ଏହି ପ୍ରେମାବତାର ପ୍ରେମୋନ୍ନତ୍ତ ପୁରୁଷ ଗୃହସଂସାର ତ୍ୟାଗ କରି ବୃଦ୍ଧା ମାତା, ଓ ଯୁବତୀ ପତ୍ନୀ ଲକ୍ଷ୍ମୀ ପ୍ରିୟାର ସ୍ନେହ ମମତାକୁ ଉପେକ୍ଷ୍ୟା କରି ସନ୍ୟାସ ଗ୍ରହଣ କଲେ । ଶୂନ୍ୟରୁ ଶବ୍ଦ ହେଲା–ଚୈତନ୍ୟ ସାକ୍ଷାତ୍ ଶ୍ରୀକୃଷ୍ଣ । ତେଣୁ ତାଙ୍କର ସନ୍ୟାସ ନାମକରଣ ଶ୍ରୀକୃଷ୍ଣଚୈତନ୍ୟ ।

 

ପ୍ରେମୋନ୍ନାଦନା, କୃଷ୍ଣବିରହ, ରାଧାପ୍ରେମପ୍ରାପ୍ତି ଲାଳସା ଦିନୁଦିନୁ ବୃଦ୍ଧି ପାଇବାରେ ଲାଗିଲା । ଭାବଭୋଳା ପ୍ରେମୋନ୍ନତ୍ତ ଶ୍ରୀକୃଷ୍ଣଚୈତନ୍ୟ କଳିର ଯୁଗାବତାର ନଦୀୟାରେ ପାଷଣ୍ଡ ଉଦ୍ଧାର କରି ଚାଲିଲେ କୃଷ୍ଣରୂପୀ ଭଗବାନ ଜଗନ୍ନାଥଙ୍କର ନିତ୍ୟଧାମ ଶ୍ରୀକ୍ଷେତ୍ର ଅଭିମୁଖରେ ।

 

ଏ କି ଭାବାବେଶ—ଏ କି ଅଲୌକିକ ଦୃଶ୍ୟ । ଜଗନ୍ନାଥ ଦର୍ଶନ ମାତ୍ରେ ଶ୍ରୀକୃଷ୍ଣଚୈତନ୍ୟଙ୍କର ସର୍ବାଙ୍ଗରେ କମ୍ପଅଶ୍ରୁ ପୁଲକାଦି ଅଷ୍ଟସାତ୍ତ୍ଵିକ ବିକାର–ଚୈତନ୍ୟ ଏକାବେଳକେ ଚୈତନ୍ୟହୀନ । ପାଦଦେଶର ନିମ୍ନ ଭୂମିଉପରେ ଶାୟିତ ଶକ୍ତଶିଳା ମଧ୍ୟ ଏହି ଭାବମୟ ଚିନ୍ମୟ ଅବୟନ ସ୍ପର୍ଶରେ ବିଗଳିତ ହୋଇଗଲା । ତାହାର ସ୍ମାରକ ଅଦ୍ୟାବଧି ଶ୍ରୀମନ୍ଦିରରେ ବିରାଜିତ–ଏହି ପାଞ୍ଚଶତ ବର୍ଷାଧିକ କାଳ ପରେ ମଧ୍ୟ !

★★★

 

ଅତିବଡ଼ି ଜଗନ୍ନାଥ ଦାସ

 

ଶ୍ରୀ ବଇକୁଣ୍ଠ ନିତ୍ୟସ୍ଥାନ

ଶ୍ରୀ ରାଧାକୃଷ୍ଣ ଏକାସନ

।।

ରସଆନନ୍ଦେ ସୁଖେ ଥିଲେ

ସ୍ନେହରେ ମୁଖକୁ ଚାହିଁଲେ

।।

ଅମୃତ ପ୍ରାୟ ରାଧା ମୁଖ

ଦେଖି ପାଇଲେ କୃଷ୍ଣ ସୁଖ

।।

ସେ ହାସ୍ୟ ମଧୁରେ ଅମୃତ

ତହୁଁ ଚୈତନ୍ୟ ହେଲେ ଜାତ

।।

ଏକତ୍ଵଭାବେ ଯେଣୁ ଦୁଇ

ରାଧା ହସିଲେ କୃଷ୍ଣେ ଚାହିଁ

।।

ସେ ହାସୁ ଜନ୍ମିଲେ ତୁରିତ

ଯେ ଅତିବଡ଼ି ଜଗନ୍ନାଥ

।।

 

(ଜଗନ୍ନାଥ ଚରିତାମୃତ)

 

ଏହା କେବଳ ଆଖ୍ୟାୟିକା ନୁହେଁ । ବିଗତ ପଞ୍ଚଶତ ବର୍ଷାଧିକ କାଳରେ ଏ ଦେଶର ବହୁ ଭାଗ୍ୟବିପର୍ଯ୍ୟୟ ମଧ୍ୟରେ ଏହି ଅର୍ଦ୍ଧମୃତ ଜାତି ମୁଖରେ ଦୁଃଖରେ ଚୈତନ୍ୟ, ପତନରେ ପରାଜୟରେ ଯଦି କେହି ଆନନ୍ଦର ଉତ୍ସ ସଞ୍ଜୀବିତ କରି ରଖିଥାଏ ତେବେ ସେ ଏହି ଦୁଇ ମହାପୁରୁଷ ଏକାଧାରରେ—ଏକାଗ୍ରଭାବରେ—ଶ୍ରୀକୃଷ୍ଣଚୈତନ୍ୟ ଓ ଅତିବଡ଼ି ଜଗନ୍ନାଥ ଦାସ ।

 

ଶ୍ରୀକୃଷ୍ଣଚୈତନ୍ୟ ଓ ଅତିବଡ଼ି କେବଳ ଆଖ୍ୟାୟିକା ସୂତ୍ରରେ ଏକ ନୁହନ୍ତି । ବାସ୍ତବ କ୍ଷେତ୍ରରେ ମଧ୍ୟ ଏ ଦୁହେଁ ଜଗନ୍ନାଥ ପୀଠର ମାହାତ୍ମ୍ୟକୁ ଜଗତ୍ ସମକ୍ଷରେ ଯେପରି ପ୍ରତିଷ୍ଠିତ କରିଯାଇଛନ୍ତି ଅନ୍ୟ କୌଣସି ଯୋଗଜନ୍ମା ଦ୍ଵାରା ତାହା କେବେହେଲେ ସମ୍ଭବ ହୋଇ ନାହିଁ ।

 

ପୁରାଣ ପାରାୟଣ କାଳରେ ଅଶ୍ରୁସିକ୍ତ ଭାବଗଦ୍‍ଗଦ୍‍ ଜଗନ୍ନାଥଙ୍କୁ ଦର୍ଶନମାତ୍ରେ ଶ୍ରୀଚୈତନ୍ୟ ଯେ ଜଗନ୍ନାଥଙ୍କ ସହ ଅପୂର୍ବ ମିଳନ ଛନ୍ଦରେ ତିନିଦିନ ତିନି ରାତ୍ରି ଚୈତନ୍ୟଶୂନ୍ୟ ହୋଇ ରହିଗଲେ, ଏଥିପାଇଁ ନୁହେଁ–ବିପ୍ର ଜଗନ୍ନାଥ ଶ୍ରୀଚୈତନ୍ୟଙ୍କ ସେବାରେ ନିଜକୁ ନିୟୋଜିତ କରି ଆନନ୍ଦାତିଶଯ୍ୟରେ ଆତ୍ମହରା ହେଉଥିଲେ, ଏଥିପାଇଁ ନୁହେଁ–ଶ୍ରୀଚୈତନ୍ୟ ବିପ୍ର ଜଗନ୍ନାଥଙ୍କର ପ୍ରେମଭକ୍ତିରେ ମୁଗ୍ଧ ହୋଇ ତାଙ୍କୁ ଜଗନ୍ନାଥଙ୍କ ସଙ୍ଗୀ ଏବଂ ନିଜ ଅଙ୍ଗର ଅଂଶ ବୋଲି କହିବା ସଙ୍ଗେ ସଙ୍ଗେ ‘ଅତିବଡ଼ି’ ଉପାଧିରେ ଭୂଷିତ କରିଥିଲେ, ଏଥିପାଇଁ ନୁହେଁ–ଗୌଡ଼ଦେଶୀୟ ଗୌର ଭକ୍ତବୃନ୍ଦ ଅବହେଳିତ ମନେ କରି ଶ୍ରୀକ୍ଷେତ୍ର ତ୍ୟାଗ କରିବାରୁ ଅତିବଡ଼ିଙ୍କ ସହ ଶ୍ରୀଚୈତନ୍ୟ ଯାଜପୁର ପର୍ଯ୍ୟନ୍ତ ଯାଇ ସେମାନଙ୍କ ସତ୍କାର କରିଥିବା କାରଣରୁ ମଧ୍ୟ ନୁହେଁ—ଅତିବଡ଼ି ଜଗନ୍ନାଥ ଏବଂ ଶ୍ରୀକୃଷ୍ଣଚୈତନ୍ୟଙ୍କର ଅଭେଦତ୍ଵ ସାଧ୍ୟ–ସାଧନ–ସେବ୍ୟସେବକ ବିଧିରେ ପ୍ରତିପାଦିତ ।

 

ଯେଉଁମାନେ ବୈଷ୍ଣବ ଧର୍ମକୁ ଓଡ଼ିଆ ଗୌଡ଼ୀୟା ଭେଦରେ ଦୁଇ ବିଭିନ୍ନ ଶାଖା ବୋଲି ଉଚ୍ଚବାଚ ପ୍ରୟୋଗ କରନ୍ତି ସେମାନେ ଭୁଲିଯାନ୍ତି ଯେ ପ୍ରେମଭକ୍ତି ସାଧ୍ୟ ଏବଂ ଜ୍ଞାନ କେବଳ ସାଧନ–ପ୍ରେମଭକ୍ତି ଉପେୟ–ଜ୍ଞାନ ଉପାୟ ମାତ୍ର । ତେଣୁ ଶ୍ରୀମଦ୍‍ଭାଗବତରେ ଅତିବଡ଼ି ନିଜେ ଲେଖି ଯାଇଛନ୍ତି—

 

ମୁଁ ଯାକୁ ହୁଅଇ ସଦୟ । ଜ୍ଞାନ ତା ହୃଦୟେ ଉଦୟ ।

 

ବସ୍ତୁତଃ ଗୌଡ଼ୀୟ ବୈଷ୍ଣବ ଧର୍ମ ଏବଂ ଓଡ଼ିଆ ବୈଷ୍ଣବ ଧର୍ମରେ କୌଣସି ପାର୍ଥକ୍ୟ ଯଦି କେହି କେବେ ଦର୍ଶାଇ ଥାଏ ତେବେ ସେ ଏହି ଜ୍ଞାନମିଶ୍ରା ଓ ଶୁଦ୍ଧି ଭକ୍ତିର ଭେଦ ବୁଦ୍ଧିରେ ହିଁ କରିଛି । ଏହାକୁ ସ୍ୱୀକାର କଲେ ମଧ୍ୟ ଯେ କୌଣସି ନିରପେକ୍ଷ ଇତିହାସକାର ନିଶ୍ଚୟ ସ୍ଵୀକାର କରିବ ଯେ ତଥାକଥିତ ଶୁଦ୍ଧିଭକ୍ତିର ଉଦ୍‍ଗାତା ଅନ୍ୟ ଜଣେ ଓଡ଼ିଆ ରାୟ ରାମାନନ୍ଦ । ଶ୍ରୀଚୈତନ୍ୟ ଚରିତାମୃତରେ ଭକ୍ତିତତ୍ତ୍ଵସାର ବ୍ୟାଖ୍ୟାନ କରିଛନ୍ତି ନିଜେ ରାୟ ରାମାନନ୍ଦ ମହାପ୍ରଭୁ ଚୈତନ୍ୟଚନ୍ଦ୍ରଙ୍କ ପ୍ରଶ୍ନର ଉତ୍ତର ସୂତ୍ରରେ ।

 

ନବଧା ଭକ୍ତିର ଶ୍ରେଷ୍ଠ ଅଂଶ—ଗୁଣ କୀର୍ତ୍ତନର ପରାକାଷ୍ଠା ଉଭୟେ ଚୈତନ୍ୟ ଓ ଜଗନ୍ନାଥ ଦାସ ଦେଖାଇ ଯାଇଛନ୍ତି—ଦୈନନ୍ଦିନ ଆଚରଣରେ । ମାତା ପଦ୍ମାବତୀଙ୍କର ସଂସ୍କୃତରେ ପ୍ରବେଶ ଅକ୍ଷମତା ହେତୁ ଭାଗବତ ଶ୍ରବଣର ପିପାସା ପରିତୃପ୍ତି ମାନସରେ ସୁଯୋଗ୍ୟସୁତ ବିପ୍ର ଜଗନ୍ନାଥ ଭାଷାପ୍ରାକୃତରେ ଯେଉଁ ସୁଲଳିତ ପଦ୍ୟାବଳି ରଚନା କରିଗଲେ ତାହା ବାସ୍ତବରେ ସମଗ୍ର ଜାତି ଉଦ୍ଦେଶ୍ୟରେ ଉତ୍ସୃଷ୍ଟ । ଚୈତନ୍ୟଙ୍କ ପ୍ରଚାରିତ ଉଚ୍ଚସ୍ଵରରେ ନାମ ସଂକୀର୍ତ୍ତନ ଏବଂ ବିପ୍ର ଜଗନ୍ନାଥଙ୍କର ଶ୍ରୀମଦ୍‍ଭାଗବତ ଓଡ଼ିଆ ଜୀବନର କେବଳ ଆଧ୍ୟାତ୍ମିକ ଦିଗ ନୁହେଁ, ପର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସକଳ କ୍ଷେତ୍ରରେ, ସକଳ କର୍ମରେ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଏବେ ମଧ୍ୟ ରହିଛି ।

 

ଭାଦ୍ର ମାସ ଶୁକ୍ଳପକ୍ଷ ରାଧାଷ୍ଟମୀ । ଉତ୍କଳର ଗୋଟିଏ ବ୍ରାହ୍ମଣ ଶାସନରେ ପିତା ପୁରାଣପଣ୍ଡା ଭଗବାନ ଦାସଙ୍କର ସ୍ୱପତ୍ନୀଙ୍କର ସମ୍ଭବତଃ ପ୍ରଥମ ଗର୍ଭରେ ‘ସର୍ବ ଶରୀର ମଧ୍ୟେ ସାର ଦୁର୍ଲଭ ନରକଳେବର’ ଧରି ଜାତ ନବକୁମାର ହିଁ ଉତ୍କଳର ବ୍ୟାସ ଭାଗବତକାର ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ—ବାଲ୍ୟକାଳରୁ ବେଦଉପନିଷଦାଦି ନାନାଶାସ୍ତ୍ରରେ ପାରଙ୍ଗମ ହୋଇ ‘ଲୀଳାବିଧୃତ କଳେବର’ ଦେବ ମାନବେ ଅଗୋଚର, ନୀଳାଚଳବିହାରୀଙ୍କ ଆରାଧନାରେ ନିଜକୁ ନିୟୋଜିତ କରି ସଂସାର ପ୍ରପଞ୍ଚରୁ ନିଜକୁ ସ୍ଵତନ୍ତ୍ର ରଖି ‘ଆତ୍ମାକୁଶଳେ ସର୍ବ ସିଦ୍ଧି’ ଲାଭ କରିଥିଲେ-

 

ଏହି ଜଗନ୍ନାଥ ଦାସ ମୁକ୍ତିମଣ୍ଡପ ଓ ଷୋଳଶାସନର ବ୍ରାହ୍ମଣଙ୍କ ଦ୍ଵାରା ଯେପରି ସମ୍ମାନିତ ହୋଇଥିଲେ ରାଜା ପ୍ରତାପରୁଦ୍ରଙ୍କ ଦ୍ଵାରା ତତୋଽଧିକ । ପରିଶେଷରେ ମହାରାଣୀଙ୍କର ଦୀକ୍ଷାଗୁରୁ ମଧ୍ୟ ଅତିବଡ଼ି ଜଗନ୍ନାଥ ହିଁ ହୋଇଥିଲେ । ରାଜା ମହାରାଣୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ପୁର ମଧ୍ୟରେ ବିପ୍ର ଜଗନ୍ନାଥଙ୍କ ବାସସ୍ଥାନ ନିର୍ଦ୍ଦେଶ କରିଥିଲେ । ଅଳ୍ପ କେତେଦିନ ମାତ୍ର ଆଧୁନିକ ନାମକରଣାନୁସାରେ ଏହି ଓଡ଼ିଆ ମଠରେ ବାସ କରି ନିର୍ଜନ ଭଜନ ନିମନ୍ତେ—ଅଶେଷ ସୁଖାଳୟ ସୀମା ମହିମାମୟ ଆଶ୍ରମ ସାତଲହଡ଼ୀ ମଠ ନାମରେ ଖ୍ୟାତ ଭଜନ କୁଟୀରେ ବାସ କରିବାକୁ ଲାଗିଲେ ।

 

ଗୋସ୍ୱାମୀ ଶ୍ରୀ ଚୈତନ୍ୟଙ୍କ ପରି ନିଜକୁ ଗୋପୀ ଭାବରେ ଭାବାନ୍ଵିତ କରି ଶ୍ରୀକୃଷ୍ଣ ସେବା କରୁଥିବାରୁ ତାଙ୍କର ଦୁଇଜଣ ଅଲୌକିକ ପରିଚାରିକା ଥିଲେ ବୋଲି ପ୍ରବାଦ ଅଛି । ଏଥିପାଇଁ ରାଜା ପ୍ରତାପରୁଦ୍ର ଦାସଙ୍କୁ ପରୀକ୍ଷା ମଧ୍ୟ କରିଥିଲେ । ପରିଶେଷରେ ପ୍ରମାଣିତ ହେଲା ଯେ ପରିଚାରିକା ଦ୍ୱୟ ସାମାନ୍ୟ ନାରୀ ନୁହନ୍ତି–ସେମାନେ ଚିନ୍ମୟ ଶରୀର ଧାରିଣୀ ଶ୍ରୀରାଧାଙ୍କର ପ୍ରିୟ ନର୍ମ ସଖୀ । ତେଣୁ ଭଗବାନଙ୍କ ମତରେ ଶ୍ରୀଚୈତନ୍ୟ ଶ୍ରୀକୃଷ୍ଣାବତାର ଏବଂ ବିପ୍ର ଜଗନ୍ନାଥ ଶ୍ରୀକୃଷ୍ଣଙ୍କର ହ୍ଲାଦିନୀ ଶକ୍ତି—ସାକ୍ଷାତ୍ ଶ୍ରୀରାଧା ।

 

ଅତି ଅଦ୍ଭୁତ କଥା ଯେ ଉଭୟେ ଶୁଦ୍ରମୁନି ସାରଳାଦାସ ଏବଂ ବିପ୍ର ଜଗନ୍ନାଥ ଦାସ ପୃଥିବୀରୁ ମହାପ୍ରୟାଣ କରିବା ନିମନ୍ତେ ଗୋଟିଏ ଯୋଗତିଥି ବାଛି ନେଇଥିଲେ ।

 

ତତୋଽଧିକ ବିସ୍ମୟକର ବିଷୟ—ବିପ୍ର ଜଗନ୍ନାଥଙ୍କର ତିରୋଭାବ ସଂବନ୍ଧରେ ଲୋକଶ୍ରୁତି ଅବିକଳ ଚୈତନ୍ୟ ଦେବଙ୍କ ତିରୋଭାବ ଆଖ୍ୟାୟିକାର ଅନୁରୂପ ।

 

ସାରଳାଦାସଙ୍କ ଦାଣ୍ଡୀ ମହାଭାରତଠାରୁ ବିପ୍ର ଜଗନ୍ନାଥଙ୍କ ଶ୍ରୀମତ୍ ଭାଗବତ ଅଧିକ ସୁଲଳିତ–ଛନ୍ଦୋବଦ୍ଧ—ସୁଶୃଙ୍ଖଳ ଏବଂ ଏଥିରେ ମୂଳଗ୍ରନ୍ଥଠାରୁ ବିଚ୍ୟୁତି ନଗଣ୍ୟ ।

 

ଏହି ଦୁଇ ମହାପୁରୁଷ ଓଡ଼ିଆ ସାହିତ୍ୟର ପ୍ରାଣଦାତା କହିଲେ ଅତ୍ୟୁକ୍ତି ହେବ ନାହିଁ, ସାମାନ୍ୟ ମାତ୍ରାରେ ମଧ୍ୟ ।

 

ଅତିବଡ଼ିଙ୍କର ଆବିର୍ଭାବ ୧୪୯୦ ଏବଂ ତିରୋଭାବ ୧୫୫୦ ଖ୍ରୀଷ୍ଟାବ୍ଦ ବୋଲି ଅନୁମିତ ।

★★★

 

ଗୁରୁ ନାନକ

 

ଇସଲାମ୍ର ପ୍ରେରଣା ନୁହେ—ଇସଲାମୀୟ ବିଜୟରେ ମଦାନ୍ଧ, ମତାନ୍ଧ ବିପଥଗାମୀ ଗୋଟିଏ ଲୁଣ୍ଠନକାରୀ ଯାଯାବରଦଳ ଭାରତ ଅଧିକାର କରି ଅନ୍ୟାୟ ଏବଂ ଅତ୍ୟାଚାରର ଏକ କାଳିମାକ୍ତ ଇତିହାସ ଲେଖା ଆରମ୍ଭିଛନ୍ତି ଏକଦିଗରେ—ପୈଗମ୍ବର ମହମ୍ମଦଙ୍କ ପବିତ୍ର ମଜହବତରେ କଳଙ୍କ ଲେପନ କରି ।

 

ଅନ୍ୟଦିଗରେ ସନାତନ ଧର୍ମମାର୍ଗରୁ ବିଚ୍ୟୁତ ଭାରତର ଶାସକଗୋଷ୍ଠୀ ପରସ୍ପର ମଧ୍ୟରେ ପ୍ରତିସ୍ପର୍ଦ୍ଧାର ଆବରଣ ତଳେ ନିଜର ଯାବତୀୟ ଦୁର୍ବଳତାକୁ ଗୋପନ କରିବାର ବୃଥା ଚେଷ୍ଟାରେ ବଞ୍ଚିରହିବାର ଛଳନା ମାତ୍ର କରୁଛି—ଏଇ ଭାରତ ଭୂମିରେ ।

 

ସେତିକିବେଳେ ଆକ୍ରାମକ ମୁସଲମାନ ଏବଂ ଆକ୍ରାନ୍ତ ହିନ୍ଦୁମାନଙ୍କ କେନ୍ଦ୍ରସ୍ଥଳରେ ବୀରତ୍ଵ ଏବଂ ସାହସର ସହିତ ଉଭା ହୋଇ ଯିଏ ସମନ୍ଵୟର ମହାବାଣୀ—ସତ୍ୟ ଓ ଧର୍ମର ଅବିନାଶୀ ବାର୍ତ୍ତା ବଜ୍ରନିର୍ଘୋଷରେ ଶୁଣାଇଥିଲେ–ପଞ୍ଚନଦୀର ଅବବାହିକା ଭୂମିଉପରେ—ସେହି ତେଜୀୟାନ ଶିଖଧର୍ମର ପ୍ରବର୍ତ୍ତକ ଗୁରୁ ନାନକ ଭାରତୀୟ ଜୀବନ ପ୍ରବାହରେ ସେଦିନ ଯେପରି ଭାବରେ ଶକ୍ତିଶାଳୀ, ସ୍ୱଚ୍ଛ ଏବଂ ବେଗବାନ୍ ଗତିଶୀଳ ଲୋହିତ ରକ୍ତକଣାର ସଞ୍ଚାର କରିଗଲେ ତାହା ଇତିହାସରେ ଅବିସ୍ମରଣୀୟ ।

 

ଆଜି ସେ ଶିଖମାନଙ୍କର ପବିତ୍ରତମ ତୀର୍ଥସ୍ଥଳ–ନନକାନ ସାହେବ ! ସେଦିନ–ଆଜିକି ପାଞ୍ଚଶହବର୍ଷ ତଳେ ୧୪୬୯ ମସିହାରେ ଗୋଟିଏ କ୍ଷୁଦ୍ରପଲ୍ଲୀ—ଗ୍ରାମଟିର ନାମ ଥିଲା ତିଳବନ୍ଦୀ । ସେହି ତିଳବନ୍ଦୀ ଗ୍ରାମରେ ବାସ କରୁଥିଲେ ପୁଣ୍ୟଶ୍ଳୋକ କାଳୁବେଦୀ । ସେହି ଗ୍ରାମରେ କାଳୁବେଦୀଙ୍କର ଗୋଟିଏ ପୁତ୍ର—ବଡ଼ ବିଚକ୍ଷଣ, ଅତି ବୁଦ୍ଧିମାନ୍, ସାହସୀ, ସୁନ୍ଦର–ବିଦ୍ୟାଶିକ୍ଷା ନାମମାତ୍ର–ତଥାପି ଅତି ଅଳ୍ପ ବୟସରେ ମଧ୍ୟ ମହାଜ୍ଞାନୀ ବିଦ୍ୱାନମାନଙ୍କ ସମକକ୍ଷ ଉଚ୍ଚାଙ୍ଗ ଆଲୋଚନା ଓ ତତ୍ତ୍ଵଭାଷଣରେ ପାରଙ୍ଗମ—ସର୍ବଦା ସତ୍ସଙ୍ଗ ଓ ସାଧୁସନ୍ଥମାନଙ୍କ ମେଳମେଳାପରେ ଆଗ୍ରହୀ, ଜନସଂସଦରେ ଅରତି—ନିର୍ଜନ ସ୍ଥାନରେ ମନନଚିନ୍ତନରେ ବ୍ୟାପୃତ ।

 

ସାଧାରଣ ଗୃହସ୍ଥ ଭାବରେ ଜୀବନର ଆରମ୍ଭ । ମାତ୍ର ପନ୍ଦର ଷୋଳବର୍ଷ ବୟସରେ ସଂସାରରେ ପ୍ରବେଶ କରନ୍ତି । କତିପୟ ବର୍ଷ ଗତେ ଦୁଇଟି ପୁତ୍ର ସନ୍ତାନ ମଧ୍ୟ ଜାତ ହେଲେ—ଶ୍ରୀଚଳ ଓ ଲଖମୀ ଦାସ । କିନ୍ତୁ ମାୟାର ଛାୟା ମଧ୍ୟ ତାଙ୍କ କାୟା ସ୍ପର୍ଶ କରିପାରିଲା ନାହିଁ । ସେ ସର୍ବଦା ସ୍ଵଭାବସୁଲଭ ସନ୍ଥସେବାରେ ନିଜକୁ ନିୟୋଜିତ ରଖି ନିଜର ଉପାର୍ଜନ ବ୍ୟୟ କରି ଦିଅନ୍ତି-

 

ନାନଙ୍କ ବୈରାଗ୍ୟରେ ପିତା ବିଚଳିତ ହୋଇ ପୁତ୍ରକୁ ସଂସାରମୁଖୀ କରିବାପାଇଁ ନାନା କୌଶଳ କଲେ । ବ୍ୟବସାୟ ଓ ବାଣିଜ୍ୟର ଭାର ଦେଇ ବିଷୟ–ଆସକ୍ତି ଉଦ୍ରେକ କରାଇବାର ଶତଚେଷ୍ଟା ହେଲା । ଜଲନ୍ଦର ଜିଲାର ଦୁଅବଠାରେ ସୁଲତାନପୁର ଗ୍ରାମରେ ନାନକଙ୍କର ଭଗିନୀ ନାନକୀଙ୍କ ତତ୍ତ୍ଵାବଧାନରେ ରହି ସେ ନବାବ ଦୌଲତଖାଁଙ୍କ ଦୋକାନରେ ଚାକିରି ଆରମ୍ଭ କଲେ । ବହୁ ଅର୍ଥାଗମ ହେଲା । ମାତ୍ର ପିତାଙ୍କର ଉଦ୍ଦେଶ୍ୟ ସାଧିତ ହୋଇ ପାରିଲା ନାହିଁ । ଉପାର୍ଜିତ ଧନ କେବଳ ସାଧୁସନ୍ଥମାନଙ୍କର ସେବାପରିଚର୍ଯ୍ୟାରେ ଅଧିକରୁ ଅଧିକ ବ୍ୟୟିତ ହେବାକୁ ଲାଗିଲା ।

 

ଏହାର ପ୍ରତ୍ୟାଶିତ ପରିମାଣରେ ବ୍ୟତିକ୍ରମ ଦେଖାଯାଇ ନ ଥିଲା । ପରିଶେଷରେ ନାନକ ସାହେବ ଅସାର ସଂସାର ତ୍ୟାଗ କରି ଉଦାତ୍ତ ସ୍ୱରରେ ହରିଭକ୍ତି ପ୍ରଚାର କଲେ ।

 

ମନେହେଲା ସତେ ଅବା ଏ ପ୍ରଚାର ପ୍ରଭାବରେ ଅନ୍ଧକାର ଯୁଗର ବକ୍ଷ ବିଦୀର୍ଣ୍ଣ ହୋଇ ନବଯୁଗର ଉଷାଲୋକରେ ଚତୁର୍ଦ୍ଦିଗ ଉଦ୍ଭାସିତ ହୋଇଯିବ ! ବାସ୍ତବରେ ଅତ୍ୟାଚାରୀ ମୁସଲମାନ ବାଦଶାହଙ୍କ ଅତ୍ୟାଚାର ଓ ଆଧିପତ୍ୟ ଏବଂ ଅନ୍ୟଦିଗରେ ଦଳିତଦୁର୍ବଳ ହିନ୍ଦୁ ଜାତିର ଘୃଣ୍ୟ ଆତ୍ମସମର୍ପଣର ଉତ୍ତର ଦେଇ ସେ ଯେଉଁ ନବୀନ ଆହ୍ୱାନ ଜାତି ଓ ଦେଶ ଆଗରେ ଉତ୍ଥାପନ କଲେ, ତାହା ପ୍ରଥମତଃ ପୂର୍ଣ୍ଣଭାବରେ ଧାର୍ମିକ ଅବବୋଧ ହେଲେ ହେଁ, ପରବର୍ତ୍ତିକାଳରେ ଶିଖଗୁରୁ ପରମ୍ପରାକ୍ରମେ ଅନ୍ୟାୟର ଏକ ଓଜସ୍ଵଜ ଓ ତେଜସ୍କର ରାଜନୈତିକ ଅବରୋଧର ରୂପ ନେଇଥିଲା, ଯାହାଫଳରେ ଭାରତରେ ନବପ୍ରାଣ ସଞ୍ଚରିତ ହୋଇ ଭାରତର ଅମରତ୍ୱ ହିଁ କାଳକାଳକୁ ପ୍ରତିପାଦିତ ହୋଇଗଲା ।

 

ନାନକ ବର୍ତ୍ତମାନ ଗୁରୁନାନକ । ବାସ୍ତବରେ ହିଁ ସେ ଶିଖମାନଙ୍କର ଆଦିଗୁରୁ ଏବଂ ପ୍ରତ୍ୟେକ ଆଧୁନିକ ଭାରତୀୟର ଉପାସ୍ୟ ।

 

ନାନକ ହିନ୍ଦୁ ଓ ମୁସଲମାନଙ୍କୁ ସମଚକ୍ଷୁରେ ଦେଖୁଥିଲେ । ଉଭୟ ଧର୍ମପ୍ରତି ସମପରିମାଣରେ ଶ୍ରଦ୍ଧାବାନ ଥିଲେ । ସେ ଯେପରି କାଶୀଧାମରେ ମହାତ୍ମା କବିରଙ୍କ ସହ ଜ୍ଞାନଚର୍ଚ୍ଚାରେ ବିଭୋର ରହିଥିଲେ, ସେହିପରି ମକ‌୍‍କା ମଦିନାରେ ହଜ୍ କରି ହାଜିତ୍ୱରେ ମଧ୍ୟ ଆନନ୍ଦ ପାଇଥିଲେ ।

 

ଗୁରୁନାନକ ନିର୍ଗୁଣ ବ୍ରହ୍ମର ଉପାସକ । ଜାତି ଅଜାତି ଭେଦ, ମୂର୍ତ୍ତି ବା ପ୍ରତୀକପୂଜା କିମ୍ବା ଧାର୍ମିକ ବାହ୍ୟାଡ଼ମ୍ବରରୁ ସେ ମୁକ୍ତ ଥିଲେ । ସେ ମାନବୀୟ ସମ୍ବେଦନା ଓ କରୁଣାର ହିଁ ମୂର୍ତ୍ତିମନ୍ତ ଆଧାର ଥିଲେ ।

 

ଗୁରୁନାନକ ତାଙ୍କର ଅନୁଯାୟୀମାନଙ୍କ ନିମନ୍ତେ ଯେଉଁ ଧର୍ମପୁସ୍ତକ ରଚନା କରି ଯାଇଛନ୍ତି ତାହାହିଁ ସୁବିଖ୍ୟାତ ଗ୍ରନ୍ଥସାହେବ ।

 

୧୫୩୮ ଖ୍ରୀଷ୍ଟାବ୍ଦରେ ଜଳନ୍ଧର ଦୁଆବର କର୍ତ୍ତାରପୁର ଗ୍ରାମରେ ମହାତ୍ମା ନାନକ ଏ ସଂସାରରେ ଶେଷମୁହୂର୍ତ୍ତ ଯାପନ କରି ଶାନ୍ତିମୟ ଧାମରେ ପ୍ରବେଶ କଲେ । କିନ୍ତୁ ସେ ଭାରତବର୍ଷକୁ ଏକ ବୀର ବଳିଷ୍ଠ ଶିଖ ସଂପ୍ରଦାୟ ଦାନକରି ଭାରତର ନୈତିକ ତଥା ରାଜନୈତିକ ଜୀବନର ଯେପରି ସୁରକ୍ଷା କରିଯାଇଛନ୍ତି ତାହା ଅନ୍ୟ କେଉଁ ମହାପୁରୁଷଙ୍କ ପକ୍ଷରେ ସମ୍ଭବ ହୋଇ ନାହିଁ ।

★★★

 

Unknown

ସନ୍ଥ ସୂର ଦାସ

 

ଶ୍ରୀକୃଷ୍ଣଙ୍କର ଲୀଳାଭୂମି ବୃନ୍ଦାବନବନସ୍ଥ କେଳିକୁଞ୍ଜମଞ୍ଜୁଳ କାଳିନ୍ଦୀର ତଟଭୂମି । କିଏ ଏହି ସୁନ୍ଦର, ସୁଗଠ, କମନୀୟ ଅଙ୍ଗକାନ୍ତିବିଶିଷ୍ଟ ନବୀନ ଯୁବ ସନ୍ନ୍ୟାସୀ—ଯାହାର ଅସାଧାରଣ ବ୍ୟକ୍ତିତ୍ଵରେ ଆକୃଷ୍ଟ, ଆକର୍ଷିତ ହୋଇ ଦଳଦଳ ନରନାରୀ ଦୂର ଦୂରାନ୍ତରରୁ ଆକୁଳ ଆଗ୍ରହରେ ଧାଇଁଛନ୍ତି ଶ୍ରୀଚରଣକମଳୋପରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାପାଇଁ ?

 

କବିସୁଲଭ ଦୁର୍ଲଭ ହୃଦୟ ଘେନି ସନ୍ନ୍ୟାସୀଙ୍କ ପ୍ରାଣରେ ଉଜ୍ଜଳ ଆନନ୍ଦ । ସେ ଆନନ୍ଦ କିନ୍ତୁ ପରମାନନ୍ଦ ନ ହୋଇପାରେ । ସେ ଉଚ୍ଛ୍ୱାସ ହୁଏ ତ ଶାଶ୍ଵତ ନୁହେଁ । ସନ୍ନ୍ୟାସୀ ପ୍ରଥମରେ ସ୍ଵୀୟ ଦୁର୍ବଳ ଚିତ୍ତର ସଂକେତ ପାଇ ପାରି ନଥିଲେ । ଅଧ୍ୟାତ୍ମସାଧକ ପୁଣି ଥରେ ରୂପ ଓ ସୌନ୍ଦର୍ଯ୍ୟ ଆଗରେ ବିଚଳିତ ହୋଇଗଲେ । ଜୀବନର ମହାର୍ଘ ଅଭିଜ୍ଞତାର ପରିଣାମରେ ବହୁବର୍ଷର ସାଧନା ଓ ସିଦ୍ଧି କ୍ଷଣକପାଇଁ ସ୍ମୃତିପଟରୁ ଅପସାରିତ ହୋଇଗଲା । ଗୋଟିଏ ସୁନ୍ଦରୀ ଯୁବତୀର ରୂପ ଲାବଣ୍ୟ ନିକଟରେ ନିଜର ସର୍ବସ୍ଵ—ବହୁକଷ୍ଟ ଆହରିତ ଗୁପ୍ତନିଧିକି ସେ ସେଦିନ ଜଳାଞ୍ଜଳି ଦେବାପାଇଁ ବ୍ୟାକୁଳ ହୋଇ ଉଠିଲେ । ଯେ କାମିନୀ କାଞ୍ଚନର ବିଷମୟ ପରିଣାମରେ ଜର୍ଜରିତ ହୋଇ ସଂସାର ତ୍ୟାଗ କରି ସନ୍ନ୍ୟାସ ଧର୍ମରେ ଶାନ୍ତି ଓ ପରମାନନ୍ଦର ସନ୍ଧାନ ପାଇ ପାରିଥିଲେ ତାଙ୍କ ପକ୍ଷରେ ଏ ବିଚ୍ୟୁତି—ଏ ସ୍ଖଳନ ବାସ୍ତବିକ ବ୍ୟକ୍ତି ପକ୍ଷରେ ନୁହେଁ, ସମଗ୍ର ସଂସାର ଆଗରେ ନୈରାଶ୍ୟ ଘନଘଟାର ସୂଚନା ଦେଉଥିଲା । କିନ୍ତୁ ବିଧିର ବିଧାନ ବିଚିତ୍ର । ମହତ୍ କୃପା ବା ଈଶ୍ୱରାନୁଗ୍ରହ ବଳରେ ହଠାତ୍ ସନ୍ନ୍ୟାସୀ ସ୍ଵପ୍ନୋତ୍ଥିତବତ୍ ପ୍ରକମ୍ପିତ ହୋଇ ଉଠିଲେ । ଆକାଶରୁ ଦଣ୍ଡମାତ୍ରକେ ମେଘଖଣ୍ଡ ଅପସାରିତ ହୋଇଗଲା । ଉଦିତ ଭାସ୍କରବତ୍ ଅନ୍ତର୍ଦ୍ଦେଶରେ ବୈରାଗ୍ୟର ଦୀପ୍ତି ଭାସ୍ୱତ ହୋଇ ଉଠିଲା ।

 

କାହାର ଏହି ବିଶ୍ୱାସଘାତକତା—କାହାର ଏହି ପ୍ରବଞ୍ଚନା ? ଯୁବତୀର ରକ୍ତାଧର–ରମ୍ୟ ଜ୍ୟୋତି ନୟନର–ସ୍ଵର୍ଣ୍ଣଘନସମବଷ ଚାରୁ ପଦ୍ମାନନ ? କିମ୍ବା ନିଜର ପ୍ରତାରଣାପ୍ରବଣ ବିମୂଢ଼ ଚିତ୍ତର ରସଗ୍ରାହୀଇନ୍ଦ୍ରିୟ ଏହି ଚକ୍ଷୁ ?

 

ଯୁବତୀ ନିକଟରେ ପ୍ରଣୟ ପ୍ରାର୍ଥନା କରିବାକୁ ଯାଇ ସେଦିନ ସେହି ସନ୍ନ୍ୟାସୀ ତାହାର ଗଭାଖଚିତ ରତ୍ନାଳଂକାରର କଣ୍ଟକ ହିଁ ଭିକ୍ଷା କରିଥିଲେ । ସୁନ୍ଦରୀର ବିସ୍ମୟାତିଶଯ୍ୟରେ ମଧ୍ୟ ସନ୍ନ୍ୟାସୀ ସେହି କଣ୍ଟକ ଦ୍ଵାରା ହିଁ ନିଜର ପାପୀ ଚକ୍ଷୁ ଦ୍ଵୟକୁ ଚିରଦିନ ନିମନ୍ତେ ବିଦାୟ ଦେଇଥିଲେ-

 

ରୂପର ଉପାସକ ଆଜି ଅନ୍ଧ । ବିଳାସୀ କବି ଆଜି ସାଧକ । ସାଧକ ସନ୍ନ୍ୟାସୀ ଆଜି ଉପାସକ, ଭାବୁକ, ଭକ୍ତ । ସେ ଆଜି ବାହ୍ୟ ଜ୍ଞାନେନ୍ଦ୍ରିୟରହିତ ସତ୍ୟ; ମାତ୍ର ତାହାରି ମୂଲ୍ୟରେ ସେ ଯେଉଁ ଅନ୍ତର୍ଦୃଷ୍ଟି ଲାଭ କଲେ ତାହାର ଉପଲବ୍ଧି ପରିଦୃଶ୍ୟମାନ ଜଗତର ରମ୍ୟ ଓ କାମ୍ୟ ପ୍ରତିଚ୍ଛବି ଆଜି ଭାରତର ପ୍ରତି ରସଗ୍ରାହୀ ଭକ୍ତ ଭାବୁକ ହୃଦୟରେ ପ୍ରତିଫଳିତ । ଜ୍ଞାନଚକ୍ଷୁର ବିନିମୟରେ ଏହି ପ୍ରଜ୍ଞାଚକ୍ଷୁର ଦର୍ଶନ ତାଙ୍କର ଅନୁଭବକୁ ଅମୂଲ୍ୟ ରତ୍ନରେ ବିମଣ୍ଡିତ କରିଦେଲା । ତାହାର ନିଦର୍ଶନ ‘ସୂରସାଗର’ର ଅମୂଲ୍ୟ ପଦାବଳି ।

 

୧୪୮୪ ଖ୍ରୀଷ୍ଟାବ୍ଦ । ନଗରୀରାଣୀ ଦିଲ୍ଲୀ ନିକଟବର୍ତ୍ତୀ ସୋହୀ ଗ୍ରାମ । ସୂର ଦାସ ସେହି ଜନପଦକୁ ଧନ୍ୟ କରି ଜନ୍ମଗ୍ରହଣ କରିଥିଲେ ।

 

ଅବଶ୍ୟ ଗୋସାଇଁ ଗୋକୁଳନାଥ ତାଙ୍କର ‘ଚୌରାଶୀ ବୈଷ୍ଣବଙ୍କବାର୍ତ୍ତା’ ଗ୍ରନ୍ଥରେ ସୂର ଦାସଙ୍କ ଜନ୍ମସ୍ଥଳୀ ଆଗ୍ରା ଓ ମଥୁରା ମଧ୍ୟସ୍ଥ ରାଜପଥ ସର୍ମପବର୍ତ୍ତୀ ରୁନକଥା ନାମକ ଏକ ଗ୍ରାମରେ ସେ ଜନ୍ମଲାଭ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି । ସେହି ବର୍ଣ୍ଣନାନୁସାରେ ମହାତ୍ମା ସୂର ଦାସ ଥିଲେ ବର୍ଣ୍ଣରେ ସାରସ୍ଵତ ବ୍ରାହ୍ମଣ । ମହାକବି ଚନ୍ଦବରଦାଈଙ୍କର ଭାଟ ବଂଶରେ ସୂର ଦାସଙ୍କ ଜନ୍ମ ବୋଲି କେହି କେହି କହନ୍ତି ମଧ୍ୟ । ଭକ୍ତମାଳା ଗ୍ରନ୍ଥାନୁସାରେ ସୂର ଦାସ ଜନ୍ମାନ୍ଧ ଥିଲେ । ମାତ୍ର ତାଙ୍କ ରଚନାରେ ଜ୍ୟୋତି, ରୂପ, ରଙ୍ଗର ଚମତ୍କାର ସଜୀବ ବର୍ଣ୍ଣନା କୌଣସି ଜନ୍ମାନ୍ଧ ପକ୍ଷରେ ସମ୍ଭବ ବୋଲି ମନେହୁଏ ନାହିଁ ।

 

ବୈରାଗ୍ୟ ପରେ ସୁର ଦାସ ମଥୁରା ଏବଂ ଆଗ୍ରା ମଧ୍ୟବର୍ତ୍ତୀ ଯମୁନା ତଟସ୍ଥ ଗଉଘାଟ ନାମକ ସ୍ଥାନରେ ବାସ କରିବାକୁ ଲାଗିଲେ । ସେହିଠାରେ ବଲ୍ଲଭାଚାର୍ଯ୍ୟଙ୍କ ସହିତ ତାଙ୍କର ଭେଟ ହେଲା । ବଲ୍ଲଭ ସୂର ଦାସଙ୍କର ଲଳିତ ସ୍ୱର ଶୁଣି ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳାପ୍ରସଙ୍ଗ ବର୍ଣ୍ଣନା କରିବାକୁ ଆଦେଶ କଲେ । ସୁରଦାସ ବଲ୍ଲଭଙ୍କଠାରୁ ଦୀକ୍ଷା ନେଇ ପୁଷ୍ଟିମାର୍ଗ ଅନ୍ତର୍ଭୁକ୍ତ ହେଲେ ଏବଂ ତାହାଙ୍କଠାରୁ ସଦୁପଦେଶ ଗ୍ରହଣ କଲେ । ସେହିଦିନ ଠାରୁ କୃଷ୍ଣ ଚରିତ, କୃଷ୍ଣ ଲୀଳା ପ୍ରତି ସେ ଅସାଧାରଣ ଭାବରେ ଅନୁରକ୍ତ ହୋଇ ପଡ଼ିଲେ । ବ୍ରଜ ଭାଷାରେ ତାଙ୍କର ଏହି କୃଷ୍ଣଲୀଳାମୃତ ସାର ପଦାବଳିହିଁ ‘ସୁର ସାଗର’ ।

 

ବଲ୍ଲଭଙ୍କ ଉତ୍ତରାଧିକାରୀ ବିଟୁଳନାଥ ପୁଷ୍ଟି ସଂପ୍ରଦାୟର ସର୍ବଶ୍ରେଷ୍ଠ ଅଷ୍ଟ କାବ୍ୟକାରଙ୍କୁ ‘ଅଷ୍ଟଛାପ’ ଆଖ୍ୟା ଦେଇ ସୁରଦାସଙ୍କୁ ସେମାନଙ୍କର ଅଗ୍ରଗଣ୍ୟ ବୋଲି କହିଛନ୍ତି । ସୁରଦାସଙ୍କ ସଙ୍ଗୀତ ସଖ୍ୟଭାବ–ପ୍ରଧାନ । ସଖା ଭାବରେ ହିଁ ସେ କୃଷ୍ଣ ଭକ୍ତି ଲାଭ କରିଥିଲେ । ତଦତିରିକ୍ତ ବାତ୍ସଲ୍ୟରସ ସୁରଦାସଙ୍କ ବର୍ଣ୍ଣନାରେ ଅତି ଅମୂଲ୍ୟ ରୂପ ଧାରଣ କରିଛି । ସୁର ସଙ୍ଗୀତ ଏବେ ମଧ୍ୟ ଉତ୍ତର ଭାରତର ଘରେ ଘରେ ଲୋକଗାଥା ହୋଇ ରହିଛି ।

 

ଗୋକୁଳର ପାରତସାଳି ନାମକ ସ୍ଥାନରେ ଦିନେ ସୁରଦାସଙ୍କର ମଧୁର ସଙ୍ଗୀତ ଗୁଞ୍ଜରି ଉଠିଲା—

 

“ଅବ୍ ମୈଁ ନାଚ୍ୟୋଁ ବହୁତ ଗୋପାଲ ।”

 

ସେତେବେଳକୁ ତାଙ୍କର ବୟସ ଅଶୀ ବର୍ଷ । ସୁରଦାସଙ୍କ ଲଜ୍ଜା ରକ୍ଷାକାରୀ, ‘ରାଧେ ରାଧେ ଶ୍ରୀବର ପ୍ୟାରୋ ଶ୍ରୀବୃଷଭାନୁ ଦୁଲାରୀ’ ତାଙ୍କର ନିତ୍ୟଧାମକୁ ସ୍ନେହପାଳିତ ଭକ୍ତ ସୁରଦାସଙ୍କୁ କୋଳ କରି ଘେନିଗଲେ । ୧୫୬୪ ଖ୍ରୀଷ୍ଟାବ୍ଦ ।

★★★

 

ଗୋସ୍ଵାମୀ ତୁଳସୀ ଦାସ

 

ପ୍ରେମାପ୍ଲୁତ ପୁଣ୍ୟଭୂମି ଯମୁନା ପୁଳୀନର କେଉଁ ଏକ ନିଭୃତ ନିଳୟରେ ସେ ଜନ୍ମଲାଭ କରିଥିଲେ ।

ସ୍ଵର୍ଣ୍ଣଦୀସ୍ୱରୂପିଣୀ ସରଯୂର ତଟତୀର୍ଥରେ ତାଙ୍କ ସାଧନାର ସାର୍ଥକ କୃତି “ରାମ ଚରିତ ମାନସ”ର ସୁପ୍ରକଟ ହୋଇଥିଲା ।

ଜ୍ଞାନ–ତୀର୍ଥ ଗଙ୍ଗାର ଗଭୀର ପ୍ରଜ୍ଞା ବାରିରେ ଅବଗାହନ କରି ସେ ଜ୍ଞାନାନନ୍ଦର ଚରମ ସୀମାରେ ପରମହଂସତ୍ଵ ପ୍ରାପ୍ତ ହୋଇଥିଲେ ଅଖଣ୍ଡ ଆନନ୍ଦମୟ ନିର୍ବିକଳ୍ପ ସମାଧି ମଧ୍ୟରେ ।

ସେ ସିଦ୍ଧପୂତଃ ଅବୟବର ଅବସାନ ହୋଇଛି । ଅବଶେଷ ରହିଛି କେବଳ ତାଙ୍କର ସାବଲୀଳ ରସମୟସୃଷ୍ଟି–ସର୍ବ କାଳରେ, ସର୍ବ ଯୁଗରେ ସେହି ଅକ୍ଷୟ ଗୀତାବଳୀ–“ରାମଚରିଚ ମାନସ” ।

ସନ୍ଥ ତୁଳସୀ ଦାସ, ଗୋସ୍ୱାମୀ ତୁଳସୀ ଦାସ “ତୁଳସୀ ପର ପ୍ରଭୁ କିର୍ପା କରିୟେ—ଭକତି ଦାନ ଦେହୁଁ ଆଜ” ଗାଇ ଗାଇ ବୁଲୁଛନ୍ତି କିନ୍ତୁ ସେ କେବଳ ଭକ୍ତ ନୁହନ୍ତି, କର୍ମୀ ଏବଂ ଜ୍ଞାନୀ ଭାବରେ ଈଶ୍ୱର ଦର୍ଶନ–ଲାଭ ହିଁ ତାଙ୍କର ଆଧ୍ୟାତ୍ମିକ ସାଧନା ।

ଯେତେବେଳେ ଭାରତର ଅଧ୍ୟାତ୍ମ ସାଧନା କ୍ଷେତ୍ରରେ ଜ୍ଞାନ, କର୍ମ ଓ ଭକ୍ତି ମଧ୍ୟରେ ସଂଘର୍ଷର ସୂତ୍ରପାତ ହୁଏ—ଏହି ପନ୍ଥା କ୍ରୟରୁ କିଏ ଶ୍ରେୟ ଏବଂ ଶ୍ରେଷ୍ଠ ତାହା ନିରୂପଣ କରିବା ନିମନ୍ତେ ଯେତେବେଳେ ହିନ୍ଦୁ ସମାଜରେ ମତାନ୍ଧତାର ଚରମ ବିକୃତି ଦେଖାଦିଏ, ଠିକ୍ ସେହି ସମୟରେ—ସେହି ଘଡ଼ିସନ୍ଧି ବେଳରେ ତୁଳସୀଙ୍କର ‘ରାମ ଚରିତ ମାନସ’ ରୂପକ ସୁରଚନା ଏବଂ ଶ୍ରେଷ୍ଠ ସୂଚନାର ପ୍ରକାଶ ।

ତୁଳସୀ ଦାସ ନିର୍ଦ୍ଦେଶ ଦେଲେ—କର୍ମ, ଜ୍ଞାନ ଓ ଭକ୍ତି ଏହି ମାର୍ଗ ତ୍ରୟର ସଂଘର୍ଷରେ ନୁହେଁ, ସମନ୍ଵୟରେ ହିଁ ପ୍ରକୃତ ମାନବିକତାର ବିକାଶ । ତୁଳସୀ କର୍ମ, ଜ୍ଞାନ ଓ ଭକ୍ତିର ତ୍ରିବେଣୀ ସଙ୍ଗମରେ ଭାରତର ଏହି ପୁଣ୍ୟତୀର୍ଥର ପୂତ ପୟୋଧିରେ ଭାରତୀୟ ନରନାରୀଙ୍କୁ ମହାସ୍ନାନ, ମହାଭିଷେକର ସୁଯୋଗ ଦେଇ, ଏ ଦେଶର ପୁଣ୍ୟ ଭୂମି ନାମକୁ ସାର୍ଥକ କରିଛନ୍ତି ।

ପନ୍ଦରଶହ ବତିଶ ଖ୍ରୀଷ୍ଟାବ୍ଦରେ ବାନ୍ଦାଜିଲ୍ଲା ଅନ୍ତର୍ଗତ ରାଜାପୁର ନାମକ ଗ୍ରାମରେ ଜଣେ ସରଯୁପାରୀୟ ବ୍ରାହ୍ମଣ କୁଳରେ ତୁଳସୀଙ୍କର ଜନ୍ମ । ଅଭୁକ୍ତ ମୂଳା ନକ୍ଷତ୍ରରେ ଜନ୍ମ ହୋଇଥିବାରୁ ଅନିଷ୍ଟର ଆଶଙ୍କା କରି ପିତା ଆତ୍ମାରାମ ଓ ମାତା ତୁଳସୀ ପୁତ୍ରକୁ ବର୍ଜନ କରିଥିଲେ ବୋଲି କିମ୍ବଦନ୍ତୀ କହେ । ଅରକ୍ଷ ଅନାଥ ହୋଇ ଇତସ୍ତତଃ ଭ୍ରମଣ କରୁଥିବାବେଳେ ଦୈବାତ୍ ଦିନେ ବହୁ ଜନ୍ମର ପୁଣ୍ୟଫଳ ସ୍ୱରୂପ ମହାତ୍ମା ନରହରି ଦାସଙ୍କ ସହିତ ତାଙ୍କର ସାକ୍ଷାତ୍ ହେଲା । ତୁଳସୀ ଦାସ ମହାତ୍ମାଙ୍କ ସହିତ କାଶୀ ଯାତ୍ରା କଲେ । ସେହିଠାରେ ହିଁ ସେ ଶେଷ ସନାତନ ନାମକ ଜଣେ ମହାପୁରୁଷଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ଗୁରୁଙ୍କ ନିକଟରେ ସେ ବେଦ, ପୁରୁଣାଦି ଅଧ୍ୟୟନ କରି ଅଗାଧ ପାଣ୍ଡିତ୍ୟ ଲାଭ କଲେ ।

ଗୁରୁ ଆଶ୍ରମରୁ ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ତାଙ୍କର ବୟସ ମାତ୍ର ପନ୍ଦର ବର୍ଷ ହୋଇଥିଲା । ଏହି ଅର୍ବାଚୀନ ଅବସ୍ଥାରେ ତାଙ୍କର ବିଦ୍ୟାଚର୍ଚ୍ଚାର ଗଭୀରତାରେ ମୁଗ୍ଧ ହୋଇ ଦୀନବଂଧୁ ପାଠକ ନାମକ ଜନୈକ ବିଦ୍ୱାନ ବ୍ରାହ୍ମଣ ତାଙ୍କର ସ୍ଵୀୟା କନ୍ୟା ରତ୍ନାବଳୀକୁ ତୁଳସୀ ଦାସଙ୍କ ହାତରେ ଅର୍ପଣ କରିଦେଲେ ।

 

ପତ୍ନୀ ରତ୍ନାବଳୀ ଅତି ସୁନ୍ଦରୀ ଯୁବତୀ ଓ ପତିବ୍ରତା ପତ୍ନୀ ଥିଲେ । ତାଙ୍କର ରୂପ ଓ ଗୁଣରେ ମୁଗ୍ଧ ହୋଇ ତୁଳସୀ ଦାସ କାମିନୀର କ୍ରୀତଦାସ ତୁଲ୍ୟ ହୋଇ ଆକଣ୍ଠ ବିଷୟ ଭୋଗ କରିବାକୁ ଲାଗିଲେ । ମୁହୂର୍ତ୍ତକ ପାଇଁ ମଧ୍ୟ ସେ ପତ୍ନୀ ବିଚ୍ଛେଦ ସହ୍ୟ କରିବାକୁ ଅକ୍ଷମ । ଏକଦା ପିତୃଗୃହଗତା ରତ୍ନାବଳୀର ବିରହରେ ବିଧୁର ହୋଇ ଅନାୟତ୍ତ କ୍ଷିପ୍ତମନା ତୁଳସୀଦାସ ବନ୍ୟାସ୍ଫୀତା ଯମୁନାକୁ ଅନାୟାସରେ ଅତିକ୍ରମ କରି ନିଶାର୍ଦ୍ଧ ସମୟରେ ପତ୍ନୀ ନିକଟରେ ପ୍ରବେଶ କଲେ । ତୁଳସୀଙ୍କର ଏହି ମୋହଗ୍ରସ୍ତ ମାନସ ପ୍ରତି ଧିକ୍କାର କରି ରତ୍ନାବଳୀ ସେଦିନ ନାନାକଟୁକ୍ତି ପ୍ରୟୋଗ କରିଥିଲେ । ସେହି ଅପମାନ, ସେହି ଭର୍ତ୍ସନାର ଆଘାତ ହିଁ ତୁଳସୀଙ୍କର ଜୀବନରେ ତୁମୁଳ ପରିବର୍ତ୍ତନ ନିମନ୍ତେ ଦାୟୀ । ସେହି ମୁହୂର୍ତ୍ତରେ ସେ ଶ୍ୱଶୁରାଳୟ ପରିତ୍ୟାଗ କଲେ; କିନ୍ତୁ ପୁନରାୟ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରି ନାହାନ୍ତି । ବିଂଶ ବର୍ଷାଧିକ କାଳ ତୀର୍ଥାଟନ ସମୟରେ ସମ୍ଭବତଃ ପନ୍ଦରଶହ ଚଉସ୍ତରୀ ଖ୍ରୀଷ୍ଟାବ୍ଦରେ ଆପଣାର ଉପାସ୍ୟ ପ୍ରଭୁ ପ୍ରିୟ ରାମଚନ୍ଦ୍ରଙ୍କର ଜନ୍ମଭୂମି ଅଯୋଧ୍ୟାରେ ସେ ତାଙ୍କର ସର୍ବଶ୍ରେଷ୍ଠ ରଚନା ‘ରାମଚରିତ ମାନସ’ ପ୍ରଣୟନ କରିଥିଲେ । ଏତଦ୍‍ବ୍ୟତୀତ ଦୋହାବଳୀ, କବିତାବଳୀ, ଗୀତାବଳୀ, ବିନୟ ପତ୍ରିକା ଓ ରାମାଜ୍ଞା ପ୍ରଭୃତି ଗ୍ରନ୍ଥ ମଧ୍ୟ ସେ ରଚନା କରିଯାଇଛନ୍ତି; କିନ୍ତୁ ରାମଚରିତମାନସ ଭଳି ଅନ୍ୟ କୌଣସି ଗ୍ରନ୍ଥ ବିଶେଷ ଲୋକପ୍ରିୟ ହୋଇ ପାରିନାହିଁ ।

 

ରାମଚରିତମାନସ ବାଲ୍ମୀକିକୃତ ରାମାୟଣର ଅନୁକୃତ ନୁହେଁ । ଏହାର ମୌଳିକତା ଏବଂ ଅସାଧାରଣ କବିତ୍ୱ ଯୋଗୁଁ ଏହା କେବଳ ଗୋଟିଏ ଧର୍ମଗ୍ରନ୍ଥ ରୂପେ ଆଦୃତ ହୋଇନାହିଁ—ଭାରତୀୟ କାବ୍ୟଜଗତରେ ମଧ୍ୟ ଏହାର ସ୍ଥାନ ବହୁ ଉଚ୍ଚରେ ନିର୍ଦ୍ଦିଷ୍ଟ ହୋଇଅଛି ।

★★★

 

ରାଜରାଣୀ ମୀରା

 

ଐତିହାସିକ ରାଜସ୍ଥାନ । ନବପ୍ରତିଷ୍ଠିତ ମେଡ଼ତା ରାଜ୍ୟାନ୍ତର୍ଗତ ରାଠୋର ଅଧିପତି ପରମ ବୈଷ୍ଣବ ଦୁଦାଜୀ ଜୀବିତାବସ୍ଥାରେ । ଦିନେ ସୁପ୍ରଭାତରେ ଜଣେ ପୁଣ୍ୟବନ୍ତ ସାଧୁ ଦୁଦାଜୀଙ୍କର ଆତିଥ୍ୟ ଗ୍ରହଣ କରନ୍ତି । ସାଧୁଙ୍କର ସମ୍ପତ୍ତି—ଅତି ସୁନ୍ଦର, ମନୋହର, ତ୍ରିଭଙ୍ଗ ଭଙ୍ଗୀରେ ଉଭା ମଣିମୟ ବିଗ୍ରହ—ଗୋଟିଏ କୃଷ୍ଣ ମୂର୍ତ୍ତି—ପ୍ରାଣବନ୍ତ ପ୍ରତିମା ପ୍ରାୟ ପ୍ରତିଭାତ ହେଉଛନ୍ତି ।

 

ମୀରା—ଦୁଦାଜୀଙ୍କ ପୂତ୍ର ନରସିଂହଙ୍କର କନ୍ୟା ମୀରା ସେହି ପ୍ରତିମୂର୍ତ୍ତିର ସନ୍ଦର୍ଶନରେ ହଠାତ୍ ଭାବବିହ୍ଵଳ ହୋଇ ପଡ଼ିଲା । କେଜାଣି କେଉଁ କାରଣବଶତଃ ହୃଦୟ ତାର ଘନ ଘନ ମଥିତ ହେବାକୁ ଲାଗିଲା ।

 

ସତେ ଯେପରି ଏ ମୂର୍ତ୍ତି, ମୂର୍ତ୍ତି ନୁହେଁ—ଏକ ମୂର୍ତ୍ତିମନ୍ତ ପୁରୁଷ । ଯେପରି କେତେ ଦିନର, କେତେ ଜନ୍ମର ପରିଚୟ । ମୁହୂର୍ତ୍ତ ମାତ୍ର ସେହି ମୂର୍ତ୍ତିଠାରୁ ବିଚ୍ଛିନ୍ନ ହୋଇ ମୀରା ସ୍ଥିର ହୋଇ ରହି ପାରିଲା ନାହିଁ । ମୀରାର ଏହି ଅସାଧାରଣ ଭାବଭକ୍ତି ସନ୍ଦର୍ଶନ କରି ଚମତ୍କୃତ ସାଧୁ ବାଧ୍ୟ ହୋଇ ମୀରା ହସ୍ତରେ ସେହି କମନୀୟ ସୁକାନ୍ତ କୃଷ୍ଣ ମୂର୍ତ୍ତିକୁ ସମର୍ପଣ କରି ସ୍ଵସ୍ଥାନକୁ ପ୍ରସ୍ଥାନ କଲେ ।

 

ସେହି ମୂର୍ତ୍ତି—ସେହି ପ୍ରାଣପ୍ରତିମ ପ୍ରତିମା ବାଳିକା ମୀରା ପକ୍ଷରେ ବିଧିଦତ୍ତ କୋଟିନିଧି ହୋଇ ଉଠିଲା । ଶୟନେ—ସ୍ଵପନେ—ଜାଗରଣରେ ସେହି ମୂର୍ତ୍ତି ମୀରାର ନୟନ ପିତୁଳି ହୋଇଗଲେ । ଚପଳମତି ବାଳିକାର କ୍ରୀଡ଼ନକ ଆସନରେ ବସି ସତେ ଯେପରି ସେହି କୃଷ୍ଣ ପ୍ରତିମା ବ୍ରଜର ମଧୁମୟ ଲୀଳା ଭୋଗ କରୁଥିଲେ । ମୀରା ଅତି ଯତ୍ନରେ, ସନ୍ତର୍ପଣରେ ଏବଂ ଅଶେଷ ସାବଧାନତାର ସହିତ ନିଜର ସୁସଜ୍ଜିତ ପେଟିକା ମଧ୍ୟରେ ପ୍ରତିମାଟିକୁ ସୁରକ୍ଷିତ କରି ପିତାମହଙ୍କର ଇଷ୍ଟପୂଜାବିଧି ଅନୁକରଣରେ ସେବା ପୂଜା କରୁଥାନ୍ତି—ପ୍ରତିନିତ୍ୟ । ବାହାରେ ପ୍ରତିମାରେ ପୂଜା, ଅନ୍ତରରେ ପ୍ରୀତିପନ୍ନ ପ୍ରଭୁର ଆରାଧନା । ସେ ପୂଜାର ନୈବେଦ୍ୟ, ସେ ପୂଜାର ଉପଚାର, ଅର୍ଚ୍ଚନା–ଗୋଟିଏ ନିରୀହା ବାଳିକାର ଐକାନ୍ତିକ ଶ୍ରଦ୍ଧା–ରାଜକୁମାରୀ ମୀରାଙ୍କର । ରାଜପ୍ରାସାଦର ଅଗ୍ର ଦେଶରେ ବାଦ୍ୟ ଟମକର ଯମକ ମଧ୍ୟରେ ଗୋଟିଏ ବିରାଟ ବରଯାତ୍ରୀର ସାଡ଼ମ୍ବର ଶୋଭା–ଯାତ୍ରା ଦର୍ଶନ କରି ସୁକୁମାରୀ କୁମାରୀ ମୀରା ମାତାଙ୍କୁ ପ୍ରଶ୍ନ କରିଥିଲେ–”ମା ! ମୋ ପାଇଁ କଣ ଏହିପରି ବରଯାତ୍ରୀ ଦଳ ଆସିବେ ? ମୋର ବିବାହ କାହା ସହିତରେ ହେବ କହି ପାରିବ ?” ମାତା ଏହି ସରଳା ବାଳିକାର ଅସମ୍ଭବ ପ୍ରଶ୍ନର କୌତୁକପୂର୍ଣ୍ଣ ଉତ୍ତର ଦେଇଥିଲେ ସେଦିନ “ଏହି ଗିରିଧାରୀ ଗୋପାଳଙ୍କ ସହିତ ।”

 

ମୀରାର ସେହି ପ୍ରାଣର ପିତୁଳା ସହିତ ? ଆନନ୍ଦର ସୀମା ନାହିଁ ଆଜି ମୀରାର ଅନ୍ତର ଭିତରେ ! ଯେପରି ଶତ ଜନ୍ମର ସ୍ଵପ୍ନ ଆଜି ତାହାର ସଫଳ ହୋଇଛି । ସେହିଦିନ, ସେହି ଶୁଭ ମୁହୂର୍ତ୍ତରେ ସତେ ଯେପରି ରାଜମାତା ସେହି ଗିରିଧର ନାଗରଙ୍କର କରକମଳରେ ରାଜ କନ୍ୟାର ସମର୍ପଣ ବିଧି ସମାପନ କରିଦେଲେ !

 

ଦିନେ ଯେଉଁ କ୍ରୀଡ଼ାନକ କ୍ରୀଡ଼ାର ସାମଗ୍ରୀ ଥିଲା, ସେ ଆଜି ରସୋତ୍କୀର୍ଣ୍ଣ ସାଧନାର ସାଧ୍ୟ ବସ୍ତୁରେ ପରିଣତ ହୋଇଛି । ମୀରାର ଅଟଳ ପ୍ରତିଜ୍ଞା—ସେହି ପ୍ରତିମାରୂପୀ ଭଗବାନ ଗିରିଧାରୀ ବ୍ୟତିରେକେ ତାର ଗତ୍ୟନ୍ତର ନାହିଁ ପତ୍ୟନ୍ତର ନାହିଁ ।

 

କିନ୍ତୁ ହାୟ ! ପରିଶେଷରେ କଠୋର ଲୌକିକତାର ଅର୍ଗଳ ମଧ୍ୟରେ ମୀରାଙ୍କୁ ମସ୍ତକ ଅବନତ କରିବାକୁ ପଡ଼ିଥିଲା । ମୀରା ସାଂସାରିକ ଜୀବନ ଆରମ୍ଭ କଲେ–ଶିଶୋଦିୟ ରାଜବଂଶଜ ପ୍ରଦୀପ ମହାରାଣୀ ସାଙ୍ଗଙ୍କର ଜ୍ୟେଷ୍ଠ ପୁତ୍ର ଭୋଜରାଜଙ୍କ ସହିତ । କାଳକ୍ରମେ ସେ ପୁଣି ଚିତୋରର ମହାରାଣୀ ପଦରେ ଭୂଷିତା ହେଲେ ।

 

ସେହି ଚିତୋରର ମହାରାଣୀ–ମୀରା ରାଜସିଂହାସନର ଅତୁଳ ବୈଭବ ମଧ୍ୟରେ ମଧ୍ୟ ପ୍ରାଣାଧିକ, ଜୀବନର ଜୀବନ—ଅଶେଷ ଗୁଣାଧାମ ଗିରିଧାରୀ ଲାଲଙ୍କୁ ଲବମାତ୍ର ଭୁଲି ପାରି ନ ଥିଲେ । ବାଲ୍ୟକାଳର ସେହି ପ୍ରତିଜ୍ଞା ଯୌବନରେ ମଧ୍ୟ ସେ ଅକ୍ଷରେ ଅକ୍ଷରେ ପ୍ରତିପାଳନ କରିଥିଲେ ଏବଂ ସଂସାରରେ ଥାଇ ମଧ୍ୟ ସଂସାର ପ୍ରତି ସତତ ଉଦାସୀନ ଭାବରେ କାଳ ଯାପନ କରୁଥିଲେ ।

 

ଜୀବନରେ ଏ କି ଭୀଷଣ ସଂଘର୍ଷ ? “ଯାକେ ଶିରମେ ମୌର ମୁକୁଟ—ମୋରି ପତି ଶୋଇ” ଏ କଣ ମୀରାଙ୍କର ଅନ୍ତରରେ ବାଣୀ ନୁହେଁ ? ଏ ପଦ ଉଚ୍ଚାରଣ କଲା ପରେ ଅନ୍ୟ ସ୍ୱାମୀର କଳ୍ପନା କଣ ସମ୍ଭବ ? ମୀରା ତେବେ ଅସତୀ–ମୀରା ତେବେ ଦୁଶ୍ଚରିତା–ମୀରା କଳଙ୍କିନୀ–କୁଳଟା ?

 

ମୀରା ବ୍ୟାକୁଳ, ବ୍ୟଥିତ ଚିତ୍ତରେ ଭୋଜରାଜାଙ୍କ ପଦସ୍ପର୍ଶ କରି ସ୍ପଷ୍ଟ ଏବଂ ବିନୀତ ନିବେଦନ କଲେ, “ରାଜନ ! ମୁଁ ସେହି ଗୋପାଳଗିରଧର କୃଷ୍ଣଙ୍କ ଶ୍ରୀଚରଣ ତଳେ ବହୁ ପୂର୍ବରୁ ଜୀବନ ଅର୍ପଣ କରି ସାରିଛି । ମୋତେ କ୍ଷମା କରନ୍ତୁ ମହାରାଜ !”

 

ମୀରା ଉନ୍ମତ୍ତ—ଉତ୍କ୍ଷିପ୍ତ ପାଗଳ । ମୀରାର ବ୍ୟବହାରରେ ଚିତୋରର ମୁର୍ଖଜନତା କ୍ଷୁବ୍ଧ ହୋଇ ଉଠିଲା । ଚିତୋରର ରାଣା ଭୋଜରାଜଙ୍କର ଶତଚେଷ୍ଟା ସତ୍ଵେ ସଂସାର ପ୍ରତି ରାଜରାଣୀ ମୀରାଙ୍କର ସାମାନ୍ୟ ମାତ୍ର ଅନୁରାଗ ଜନ୍ମି ନ ଥିଲା । ତଥାପି ମୀରା ଗିରିଧର ନାଗରଙ୍କର ଲୀଳାରସ ପାନ ଛଡ଼ା ଅନ୍ୟ କୌଣସି ସାଂସାରିକ ବାସନାରେ ରୁଚି ବା ଲାଳସାର ସରସ ଉପାଦାନ ପାଇ ପାରିଲେ ନାହିଁ ।

 

କ୍ରମେ କ୍ରମେ ମୀରାଙ୍କର ଏହି କୃଷ୍ଣପ୍ରେମ, କୃଷ୍ଣାନୁରାଗ, କୃଷ୍ଣଚିନ୍ତନ, କୃଷ୍ଣସ୍ମରଣ, କୃଷ୍ଣଅର୍ଚ୍ଚନା, କୃଷ୍ଣେ ମଲ୍ୟାପଣ, କୃଷ୍ଣବନ୍ଦନାଦି ଅତ୍ୟନ୍ତ ପ୍ରବଳ ହୋଇ ଉଠିଲା । ସେହି ରମଣୀୟ ମଣିମୟ ବିଗ୍ରହ, ଆଜି ସତେ ଯେପରି ମୀରାର ପୂଜାର୍ଚ୍ଚନା ଲାଳସାରେ ଜୀବନ୍ତ ହୋଇ ଉଠିଛନ୍ତି । ଯେଉଁ ପ୍ରତିମାର ସୁଗଠ ଅବୟବ ମୀରାର କେତେ ଜନ୍ମର ଚିହ୍ନା ଚିହ୍ନା ପରି ଲାଗୁଥିଲା ଆଜି ତାର ଦର୍ଶନ, ସ୍ମରଣ ମାତ୍ରକେ ମୀରାର କଣ୍ଠଭରା ହୃଦୟର ଅଦମ୍ୟ ରାଗିଣୀ ବାଜି ଉଠୁଚି–“ମୋର ଜନମ ଜନମର ସାଥୀ ।” ସେହି ସଙ୍ଗୀତର ସ୍ୱର ଲହରୀରେ ସ୍ଵର ମିଶାଇ ମୀରା ଉନ୍ନତ୍ତ ପ୍ରାୟ ଅହରହ ଗାଇ ବୁଲୁଛନ୍ତି–‘‘ମେରେ ତ ଗିରିଧର ଗୋପାଲ–ଦୁସରା ନ କୋଇ ।”

 

ରାଜପ୍ରାସାଦର କୋଣେ କୋଣେ, ଅଙ୍ଗନେ ଅଙ୍ଗନେ, ଗୃହ ଅଭ୍ଯନ୍ତରରେ, ଚତୁଃପାର୍ଶ୍ୱରେ ସେହି ଆନନ୍ଦ କଲ୍ଲୋଳ ମୁଖରିତ ହୋଇ ଉଠିଲା; କିନ୍ତୁ ଶୈବ ରାଜପୁରୁଷମାନଙ୍କର ‘ଏକ ଲିଙ୍ଗ୍ଜୀ ଜୟ’ ଧ୍ଵନି ସେହି ହୃଦୟସ୍ପର୍ଶୀ ସ୍ଵର ସହିତ ବିଲୀନ ହୋଇଗଲା ।

 

ମୀରାଙ୍କର ଏହି ହରିନାମ ସଂକୀର୍ତ୍ତନରେ ରାଜପୁରୁଷମାନେ ବ୍ୟଥିତ ଦେଲେ । ମୀରା–ରାଜରାଣୀ ମୀରା ‘ଲୋକଲାଜ’ କୁ ଉପେକ୍ଷା କରି ସତତ ‘ସାଧୁସଙ୍ଗରେ’ ରହିବା ଦ୍ୱାରାରାଜବଂଶ ପ୍ରତି ଘୋର ଅପମାନ ଏବଂ ଅବମାନନା ହେଲା । ଫଳରେ ମୀରାଙ୍କୁ ହତ୍ୟା କରିବା ପାଇଁ ନାନା ଷଡ଼ଯନ୍ତ୍ର ଚାଲିଲା ।

 

କିନ୍ତୁ ପ୍ରବାଦ ଅଛି–ମୀରା ବାରମ୍ଵାର ମୃତ୍ୟୁକୁ ପରାଭୂତ କରି ଜୀବନର ପ୍ରତ୍ୟେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶୁଦ୍ଧ ସୁବର୍ଣ୍ଣ ସଦୃଶ ପ୍ରତିଭାତ ହୋଇଥିଲେ । ସତେ ଯେପରି ସେହି ଶୀଳାମୂର୍ତ୍ତି ଗିରିଧର ନାଗର ଭକ୍ତର ପରିତ୍ରାଣ ପାଇଁ ବାରମ୍ବାର ଜୀବନ୍ତ ରୂପ ଧାରଣ କରି ଅଲୌକିକ ଲୀଳା ପ୍ରକଟ କରିଥିଲେ ।

 

ଏହି ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଗଲା । ମୀରାଙ୍କର ଲୌକିକ ସ୍ୱାମୀ ଇହଧାମ ତ୍ୟାଗ କରି ଚାଲିଗଲେ । ଲୋକାୟିତରେ ମୀରା ବର୍ତ୍ତମାନ ସ୍ୱାମୀହୀନା ବିଧବା । ଏହି ଦୁର୍ଭାଗ୍ୟ ନିମନ୍ତେ ଅସହିଷ୍ଣୁ ସମାଜ ମୀରାଙ୍କୁ ହିଁ ଦାୟୀ କରି ନାନା ବିଦ୍ରୁପ, ଉର୍ତ୍ସନା ଓ ଦଣ୍ଡ ଦେବାକୁ ପଶ୍ଚାତ୍ପଦ ହେଲା ନାହିଁ । ବିଶେଷତଃ ଆପଣା ଦେବରଙ୍କର ଗଞ୍ଜଣା ମୀରାଙ୍କୁ ଅସହ୍ୟ ବୋଧ ହେଲା ।

 

ଈଶ୍ଵର ଇଚ୍ଛା ହିଁ ସର୍ବଥା ବଳବତ୍ତର । ସଂସାରର ଏହି ତାଡ଼ନା ଫଳରେ ମୀରାଙ୍କର ବନ୍ଧନ ରଜ୍ଜୁ ସ୍ଵତଃ ଛିନ୍ନ ହୋଇଗଲା । ଏଥର ସେ ମୁକ୍ତା, ସ୍ୱାଧୀନା ହୋଇ ଶ୍ରୀ ଗୋପାଳଙ୍କର ମନ୍ଦିର ମଣ୍ଡପରେ ନୃତ୍ୟ, ଗୀତ, କୀର୍ତ୍ତନ ଆରମ୍ଭ କରିଦେଲେ ।

 

ରାଜପରିବାରର ବ୍ୟବହାରରେ କ୍ଷୁବ୍ଧ୍‍ ହୋଇ ନିରୁପାୟା ମୀରା ସେଦିନ ଯାଇ ଗୋସ୍ୱାମୀ ତୁଳସୀଦାସଙ୍କର ଶରଣାପନ୍ନ ହେଲେ–ଉପଦେଶ ଭିକ୍ଷା କରି ।

 

ତୁଳସୀଦାସ ଉତ୍ତର ଦେଇଥିଲେ–

 

ଯାକେ ପ୍ରିୟନ ରାମ ବୈଦେହୀ,

ଛୋଡ଼ିଏ ତାକୁ କୋଟି ବୈରୀସମ ଯଦ୍ୟପି ପରମ ସନହୀ ।

 

ମୀରାଙ୍କର ସନ୍ଦେହ ଦୂର ହୋଇଗଲା । ସେ ଚିରଦିନ ନିମନ୍ତେ ଚିତୋର ବର୍ଜ୍ଜନ କରି ଚାଲି ଆସିଲେ । କେତେଦିନ ତୀର୍ଥ ପର୍ଯ୍ୟଟନ କରି ପରିଶେଷରେ ସେ ପରମ ପତି ଶ୍ରୀ ଶ୍ରୀକୃଷ୍ଣଙ୍କର ଲୀଳାଭୂମି ଶ୍ରୀବୃନ୍ଦାବନ ଧାମରେ ବାସ କରିବାକୁ ଲାଗିଲେ ।

 

ସେ ଏକ ଆଦର୍ଶ ଦର୍ଶନ ଉପାଖ୍ୟାନ । ପରମ ବୈଷ୍ଣବ ଜୀବ ଗୋସ୍ଵାମୀଙ୍କର ଭଜନ କୁଟୀର । କୁଟୀର ପ୍ରାଙ୍ଗଣରେ ନାରୀର ଛାୟାପାତ ମଧ୍ୟ ନିଷିଦ୍ଧ । ସେହି ସ୍ଥାନରେ ରାଜରାଣୀ ମୀରା ଗୋସ୍ଵାମୀଙ୍କର ସାକ୍ଷାତ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରେରଣ କଲେ । ଜୀବ ଗୋସ୍ଵାମୀଙ୍କର ଉତ୍ତର ଆସିଲା–“ଆଶ୍ରମ ମଧ୍ୟରେ ନାରୀ ପ୍ରବେଶାଧିକାର ନାସ୍ତି ।”

 

ମୀରା ପୁନରାୟ ଜୀବ ଗୋସ୍ଵାମୀଙ୍କ ନିକଟକୁ ସମ୍ବାଦ ଦେଲେ, “ମୁଁ ଜାଣି ନ ଥିଲି ଗୋସ୍ଵାମୀ ! ଏକମାତ୍ର ପୁରୁଷ ଗିରିଧାରୀଙ୍କର ବୃନ୍ଦାବନରେ ଅନ୍ୟ ଜଣେ କେହି ପ୍ରତିଦ୍ବନ୍ଦ୍ଵୀ ଅଛନ୍ତି । ମୋତେ କ୍ଷମା କରିବେ ।”

 

ସେଦିନ ପଣ୍ଡିତ ପ୍ରବର ବୈଷ୍ଣବାଗ୍ରଗଣ୍ୟ ଜୀବ ଗୋସ୍ୱାମୀ ପାଦ ଗୋଟିଏ ନାରୀ ନିକଟରେ ପରାଜିତ ହୋଇ ଲଜ୍ଜିତ ହେଲେ । ବୃନ୍ଦାବନ ଲୀଳା ସମାପନ କରି ରାଜରାଣୀ ମୀରା ଧୀରେ ଧୀରେ ଶ୍ରୀକୃଷ୍ଣଙ୍କର ଅନ୍ୟତମ ଲୀଳାଭୂମି ଦ୍ୱାରକାଭିମୁଖରେ ଯାତ୍ରାକଲେ । ଶ୍ରୀକୃଷ୍ଣଙ୍କ ଶେଷ ଜୀବନର ଅଶେଷ ଲୀଳା ଯେଉଁ ପୁଣ୍ୟଭୂମିର ପ୍ରତି ରଜରେଣୁକୁ ମହାତୀର୍ଥରେ ପରିଣତ କରିଛି—ରାଜରାଣୀ ମୀରାଙ୍କର ସେହି ପୁଣ୍ୟପୀଠରେ କୃଷ୍ଣ ପ୍ରାପ୍ତି ହେଲା–ପ୍ରାୟ ଷୋଳଶହ ତେଇଶ ଖ୍ରୀଷ୍ଟାବ୍ଦରେ ।

 

ମୀରାଙ୍କର ଭକ୍ତି ଓ ପ୍ରେମର ସାଧନା ବାସ୍ତବିକ ମାନବ ଶରୀରରେ ଦୁର୍ଲଭ । କୃଷ୍ଣବିରହିଣୀ ମୀରା ଚୈତନ୍ୟଙ୍କର ବିରହବିଧୁର ଦରଦୀ ହୃଦୟର କରୁଣ ରାଗ ଧରି ଯେପରି ଭାବମୟ ସଙ୍ଗୀତ ମୂର୍ଚ୍ଛନାରେ ଭାରତର ଧାର୍ମିକ ଜଗତକୁ ସନ୍ମାର୍ଗ–ମୁଖୀ କରିଯାଇଛନ୍ତି ତାହାର ଦୃଷ୍ଟାନ୍ତ, ଅନ୍ୟତ୍ର ବିରଳ ।

★★★

 

ଶାହନଶାହେ ଆକବର

 

ଭାରତର ଇତିହାସ—ତତ୍କାଳୀନ ଭାରତର ରାଜନୈତିକ ଇତିହାସ ସ୍ଵର୍ଣ୍ଣାକ୍ଷରରେ ରଞ୍ଜିତ ଭାରତର ଇତିହାସ ହିଁ ତାର ସାକ୍ଷୀ ।

 

ଦିଲ୍ଲୀଶ୍ଵରୋ ବା ଜଗଦ୍ଦୀଶ୍ଵରୋବା ଶାହନଶାହେ ହୁମାୟୁନଙ୍କର ଆଜି ଏ କି ଅବସ୍ଥା ? ଶତ୍ରୁ ଶେରସାହଙ୍କ ଦ୍ଵାରା ପରାଜିତ ହୁମାୟୁନ, ଗୃହହୀନ ଯାଯାବର ଭାବରେ ଆଜି ଦ୍ଵାରେ ଦ୍ଵାରେ ଆଶ୍ରୟପ୍ରାର୍ଥୀ । ସଙ୍ଗରେ ସ୍ଵୟଂ ଦିଲ୍ଲୀର ସାମ୍ରାଜ୍ଞୀ । ଏହି ଦୁସ୍ଥ ବିପନ୍ନ ଅବସ୍ଥାରେ ମଧ୍ୟ ଆଶ୍ରୟ ଅଲଭ୍ୟ ହୋଇ ପଡ଼ିଲା । ଯେଉଁ ବୀର ରାଜପୁତ୍ ଜାତି ଶରଣାଗତ ଶତ୍ରୁକୁ ମଧ୍ୟ ଆଶ୍ରୟ ଦେବାରେ କେବେ କୁଣ୍ଠା ପ୍ରକାଶ କରିନାହିଁ ସେଠାରେ ମଧ୍ୟ ହୁମାୟୁନଙ୍କ ପାଇଁ କୁତ୍ରାପି ଅବାରିତ ଦ୍ଵାର ପ୍ରାପ୍ତ ହେଲା ନାହିଁ । ଅନନ୍ୟୋପାୟ ହୁମାୟୁନ ସପରିବାରେ ନିଦ୍ରାହାର–ପରିହାର କ୍ଲିଷ୍ଟ ଦୁର୍ବଳ ପାଦ କ୍ଷେପଣ କରି ଦୁର୍ଗମ ମରୁଭୂମିର ବହୁଦୂର ପଥ ଅତିକ୍ରମାନ୍ତେ ପରିଶେଷରେ ଅମରକୋଟରେ ପ୍ରବେଶ କଲେ । ଦୁଃଖ ଓ ଦୈନ୍ୟର ଏହି ଦୁର୍ଦ୍ଦିନ ମଧ୍ୟରେ ନୈରାଶ୍ୟର ଘନ ତମସ୍ରାକୁ ଅପସାରିତ କରି ସେଦିନ ମୋଗଲ ଶାସନ କାଳର ସର୍ବଶ୍ରେଷ୍ଠ ଶାସକ ଶାହାଜାଦା ଆକବରଙ୍କର ଜନ୍ମ—ପନ୍ଦରଶହ ବୟାଳିଶ ଖ୍ରୀଷ୍ଟାବ୍ଦରେ ।

 

ଏ ସେହି ଆକବର–ସେଦିନ ଏକ ଆଶ୍ରୟପ୍ରାର୍ଥୀର ଅଶେଷ ଦୁର୍ଭାଗ୍ୟ ମଧ୍ୟରେ ପଥ ପାର୍ଶ୍ଵରେ ଯାହାଙ୍କର ଜନ୍ମ ହୋଇଥିଲା—ମାତ୍ର କେତେବର୍ଷ ପରେ ଅତ୍ୟନ୍ତ ତରୁଣ ଅବସ୍ଥାରେ ପାରସ୍ୟର ସାହାଯ୍ୟକ୍ରମେ ପିତା ହୁମାୟୁନ ଯେତେବେଳେ କାବୁଲ, କାନ୍ଦାହାର ଏବଂ ପଞ୍ଜାବ ପୁନର୍ଜୟ କଲେ, ସେତେବେଳେ ବୀର ଦର୍ପରେ ପଞ୍ଜାବର ଶାସନକର୍ତ୍ତା ନିଯୁକ୍ତ ହୋଇ ଯେଉଁ ଶାସନ ଦୃଢ଼ତା ଏବଂ ବୁଦ୍ଧି ବିଚକ୍ଷଣତା ପ୍ରଦର୍ଶନ କଲେ ତାହା ତାଙ୍କର ପିତା ଓ ପରିବାରବର୍ଗ ତଥା ରାଜପରିଷଦମାନଙ୍କୁ ଚମତ୍କୃତ କରିଥିଲା ।

 

ସିକନ୍ଦରସୁରଙ୍କୁ ପରାସ୍ତ କରି ଦିଲ୍ଲୀ ଓ ଆଗ୍ରା ଜୟ କରିବା ପରେ ହୁମାୟୁନଙ୍କର ଆକସ୍ମିକ ମୃତ୍ୟୁ ହେଲା । ସେତେବେଳେ ବାଳକ ଆକବରଙ୍କୁ ମାତ୍ର ତେରବର୍ଷ । ପନ୍ଦରଶହ ଛପନ ଖ୍ରୀଷ୍ଟାବ୍ଦର କଥା–ସେହି ଆକବର ସେଦିନ ବିଶ୍ୱସ୍ତ ମନ୍ତ୍ରୀ ବୈରାମଙ୍କର ସାହାଯ୍ୟରେ କୌଶଳ ଏବଂ ତୀକ୍ଷ୍ଣ ବିଚାର ବୁଦ୍ଧି ବଳରେ ଭାରତରେ ମୋଗଲ ସାମ୍ରାଜ୍ୟର ପୁନଃ ପ୍ରତିଷ୍ଠା କଲେ; କିନ୍ତୁ ଆକବରଙ୍କର ଏହି ଶକ୍ତି ଓ ସାମର୍ଥ୍ୟ ନିମନ୍ତେ ଆକବରଙ୍କର ନାମ ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଅଙ୍କିତ ହୋଇ ନାହିଁ—ଭାରତ ଇତିହାସ ଆକବରଙ୍କର ପରିଚୟ ମୋଗଲ ବୋଲି ଦେଇନାହିଁ କିମ୍ବା ସେ ମୁସଲମାନ ବୋଲି କହିନାହିଁ,–ବାଦଶାହ ବିଜେତା ବୋଲି ଗୌରବ ଦେଇନାହିଁ,–ଆକବରଙ୍କର ପୂର୍ବପୁରୁଷ ଦେଶାନ୍ତରରୁ ଆସିଥିଲେହେଁ ଆକବର ଏହି ଭାରତର ଜଳବାୟୁ ଏବଂ ଭାରତଭୂମିରୁ ହିଁ ଉପଜାତ ଜଣେ ଭାରତୀୟ ଶାସକରୂପେ ରାମଚନ୍ଦ୍ର, ଅଶୋକ, ଖାରବେଳଙ୍କ ସମାସନ ଅଧିରୁଢ଼ ବିଚକ୍ଷଣ ଶାସକ ବୋଲି ଭାରତର ଇତିହାସ ଆକବରଙ୍କ ଗୁଣ କୀର୍ତ୍ତନ ଉତ୍ସାହର ସହିତ କରିପାରେ । ଭାରତରେ ମୋଗଲ ସାମ୍ରାଜ୍ୟ ବିସ୍ତାର କରିବାର ଦୁରଭିସନ୍ଧି ନ ରଖି ଏ ଦେଶର ବିଭିନ୍ନ ଭାଷା, ବିଭିନ୍ନ ଶାସକ ଓ ବିଭିନ୍ନ ଶାସନବିଧାନ ସତ୍ଵେ ଏକ ଅଖଣ୍ଡ କୃଷ୍ଟି, ଅଚ୍ଛିନ୍ନ ପରମ୍ପରା ଏବଂ ନିର୍ଦ୍ୱନ୍ଦ୍ୱଜାତୀୟତାରେ ସମଗ୍ର ଭାରତର ହୃତ୍ପିଣ୍ଡ ଯେ ସ୍ପନ୍ଦିତ–ଏହି ସୁମହତ୍ ଉପଲବ୍ଧିର ଉଦାରତାଯୋଗୁ ଇତିହାସରେ ଆକବରଙ୍କର ମୁଦ୍ରାଙ୍କିତ ହେଉ ନ ହେଉ–ଆକବରଙ୍କ ପୂର୍ବବର୍ତ୍ତୀ ମୁସଲମାନ ଶାସକମାନଙ୍କର ଧର୍ମମତ ପ୍ରତି ଅସହିଷ୍ଣୁତା ଲୋପକରି ଜିଜିୟାକର ଭାରରୁ ମୁସଲମାନ–ଇତର ପନ୍ଥୀମାନଙ୍କୁ ମୁକ୍ତି ଦେଇ ହିନ୍ଦୁର ଗୌରବ ଓ ସଂସ୍କୃତିର ରକ୍ଷାକାରୀ ରାଜପୁତ୍ମାନଙ୍କ ସହିତ ପରମମୈତ୍ରୀ, ଏପରିକି ବୈବାହିକ ସୂତ୍ରରେ ଆବଦ୍ଧ ହୋଇଥିଲେ ବୋଲି ଭାରତୀୟ ଇତିବୃତ୍ତିରେ ତାଙ୍କ କୀର୍ତ୍ତି ଆଦୃତ ହେବ କି ନାହିଁ କିଏ କହିବ ?—ଅତୀତର ଦୁଃଶାସନ ଫଳରେ ଶାସକ ଓ ଶାସିତ ମଧ୍ୟରେ ଯେଉଁ ଦୁର୍ଭେଦ୍ୟ ପ୍ରାଚୀର ଗଢ଼ି ଉଠିଥିଲା ତାହାର ମୂଳ ଉତ୍ପାଟନ କରିବା ଉଦ୍ଦେଶ୍ୟରେ ସେ ଶାସନ ପଦ୍ଧତିରେ ଯେଉଁ ପରିବର୍ତ୍ତନ ସମ୍ଭବ କରିଥିଲେ ସେଥିପାଇଁ ମଧ୍ୟ ଇତିହାସ ତାଙ୍କୁ ହୁଏତ ସେପରି ସ୍ମରଣ କରିବ ନାହିଁ; ମାତ୍ର ଆକବର ଭାରତ ଇତିହାସର ଏକ ଅନୁପମ ନାୟକରୂପେ ଚିରଦିନ ପରିଗଣିତ ହେବେ ଯେହେତୁ ସେ ଫତେପୁରସିକ୍ରିର ସୁପ୍ରସିଦ୍ଧ ଇବାଦତ୍ଖାନାରେ ବସି ହିନ୍ଦୁ, ଇସଲାମ, ଖ୍ରୀଷ୍ଟ, ପାର୍ସି, ଜିନ୍, ବୁଦ୍ଧାଦି ନାନା ଧର୍ମର ପଣ୍ଡିତ ଶାସ୍ତ୍ରବିତ୍ମାନଙ୍କ ସହିତ ବର୍ଷ ବର୍ଷ ତକ ସମାଲୋଚନା ପରେ ସର୍ବଧର୍ମ ସମନ୍ଵୟର ବୀଜମନ୍ତ୍ର ଆବିଷ୍କାର କରି ଧର୍ମର ମୂଳନୀତି ସତ୍ୟ, ଅହିଂସା ଓ ସହିଷ୍ଣତାକୁ ସାର୍ବଭୌମ ସିଦ୍ଧାନ୍ତରୂପେ ‘ଦିନ୍ ଇଲାହୀ’ ନାମକ ଯେଉଁ ନବମାର୍ଗର ଦିଗ୍‍ଦର୍ଶନ କରିଯାଇଛନ୍ତି ।

 

ଅବଶ୍ୟ ସେହିସବୁ ଧର୍ମର ମୂଢ଼ ରୁଢ଼ିବାଦୀ ଧର୍ମାନ୍ଧମାନଙ୍କର ବିରୋଧହେତୁ ଆକବରଙ୍କର ଉଦ୍ୟମ ଫଳପ୍ରସୂ ହୋଇ ନ ଥିଲା । ମାତ୍ର ଆକବରଙ୍କର ମହତ୍ତ୍ୱ ଏବଂ ସାଧୁ କାର୍ଯ୍ୟର ଯଥାର୍ଥତା ଆଜି ମଧ୍ୟ ଭାରତର ଗୁଣୀଗଣ ଅନୁଭବ କରୁଛନ୍ତି ।

 

ଆକବରଙ୍କ ଶାସନର ମୂଳନୀତି ଥିଲା—ଶାନ୍ତି । ତାଙ୍କ ଶାସନକାଳର ମହତ୍ତ୍ୱପୂର୍ଣ୍ଣ ଆଲେଖ୍ୟ ଆଇନ ଆକବରୀରେ ଲିଖିତ ଅଛି—“ସୁଲେହକୁଲ୍”—ଅର୍ଥାତ୍ ସମସ୍ତଙ୍କର ଶାନ୍ତି ହେଉ-

 

ଆକବର ହିଁ ଆଧୁନିକ କାଳରେ ଧର୍ମ ଓ ରାଜନୀତିର ମୂଳ ସୂତ୍ର ଏକ ବୋଲି ସପ୍ରମାଣ ସିଦ୍ଧାନ୍ତ ସର୍ବପ୍ରଥମେ ଏ ଦେଶକୁ ଦେଇଯାଇଛନ୍ତି ବୋଲି ନିଃସନ୍ଦେହରେ କୁହାଯାଇପାରେ ।

★★★

 

ରାଣା ପ୍ରତାପ

 

ଏ କି ଅଟଳ ପ୍ରତିଜ୍ଞା !

 

“ଯେତେଦିନ ପର୍ଯ୍ୟନ୍ତ ଚିତୋରର ପୁନରୁଦ୍ଧାର ନ ହୋଇଛି—ଯେତେଦିନ ପର୍ଯ୍ୟନ୍ତ ମାତୃଭୂମିର ଲଲାଟପଟରୁ ପିତୃଦତ୍ତ କଳଙ୍କକାଳିମା ଅପସାରିତ ନ ହୋଇଛି—ସେତେଦିନ ପର୍ଯ୍ୟନ୍ତ ଗୃହ ପ୍ରବେଶ ନିଷିଦ୍ଧ—ତୂଳିତଳ୍ପରେ ଶୟନ ନିଷିଦ୍ଧ—ସ୍ୱର୍ଣ୍ଣ କିମ୍ଵା ରୌପ୍ୟ ନିର୍ମିତ ପାତ୍ରରେ ଆହାର ମଧ୍ୟ ନିଷିଦ୍ଧ ।”

 

ଏ କି ଭୀଷ୍ମ—ପ୍ରତିଜ୍ଞା !

 

ମାତ୍ର ଅକ୍ଷରେ ଅକ୍ଷରେ ଏହି ପ୍ରତିଜ୍ଞା ପାଳନ କରିଥିଲେ ରାଣା ପ୍ରତାପ । ଆକବର ଚିତୋର ଆକ୍ରମଣ କଲାବେଳେ ପିତା ଉଦୟ ସିଂହ, ଜୟମଲ୍ଲଏବଂ ପୁତ୍ତାଙ୍କ ହସ୍ତରେ ଦୁର୍ଗରକ୍ଷାର ଭାର ନ୍ୟସ୍ତ କରି ଭୀରୁ ଭଳି ପ୍ରାଣଭୟରେ ଆରାବଳିର ପର୍ବତମାଳା ମଧ୍ୟରେ ଆତ୍ମଗୋପନ କରିବାର ଦୁରପନେୟ କଳଙ୍କ ପ୍ରତାପଙ୍କ ହୃଦୟରେ ଶେଳସମ ବିଦ୍ଧ କରିଥିଲା । ପ୍ରତାପଙ୍କ ନିଜ ଭାଷାରେ ବ୍ୟକ୍ତ କରିବାକୁ ଗଲେ ସ୍ପଷ୍ଟ ବୁଝାପଡ଼ିବ ଯେ ଉଦୟ ସିଂହ ଯଦି ମାତୃଗର୍ଭରୁ ଭୂମିଷ୍ଠ ହୋଇ ନ ଥାନ୍ତେ ଅଥବା ସାଙ୍ଗା ଓ ପ୍ରତାପଙ୍କ ମଧ୍ୟରେ ଅନ୍ୟ କୌଣସି ଶାସକ ଯଦି ଇତିହାସର ପଟ୍ଟଭୂମିରେ ନାମାଙ୍କନ କରି ନ ଥାନ୍ତେ ତେବେ ରାଜସ୍ଥାନ ଉପରେ ତୁର୍କମାନେ ଲୋଲୁପଦୃଷ୍ଟି ନିକ୍ଷେପ କରିବାପାଇଁ ଅବକାଶ ହିଁ ପାଇ ନ ଥାନ୍ତେ ।

 

ଚିତୋର ରକ୍ଷା କରିବାକୁ ଯାଇ ଦୁଇ ବୀର ସେନାପତି ଜୟମଲ୍ଲ ଓ ପୁତ୍ତାଙ୍କର ଅଦୃଷ୍ଟପୂର୍ବ, ଅଲୌକିକ ବୀରତ୍ଵ ପ୍ରଦର୍ଶନ ଓ ରଣାଙ୍ଗନରେ ପ୍ରାଣପାତ କରିବା ସତ୍ତ୍ଵେ ଏବଂ ଅନନ୍ତର ଉଦୟ ସିଂହ ଉଦୟପୁର ନାମକ ନବ–ରାଜ୍ୟ ପ୍ରତିଷ୍ଠା କରି ମଧ୍ୟ ସେହି ଦୁର୍ବଳ ପଳାୟନର କଳଙ୍କରେଖା ରାଜପୁତ ଜାତିର ଇତିହାସରୁ ବିଦୁରିତ ହୋଇ ପାରି ନ ଥିଲା । ତାହାର ଶେଷରେଖା ବିମୁଞ୍ଚିତ ହେଲା ରାଣା ପ୍ରତାପଙ୍କର ଅପରିସୀମ ଧୈର୍ଯ୍ୟ, ସାହସ, ତ୍ୟାଗ ଓ ବୀରତ୍ଵ ବଳରେ ।

 

୧୭୫୬ ଖ୍ରୀଷ୍ଟାବ୍ଦରେ ପିତୃବୈରୀ ଆକବରଙ୍କ ସୈନ୍ଯସହ ମହାରଣା ପ୍ରତାପଙ୍କର ଭେଟ ହେଲା ହଳଦୀଘାଟଠାରେ । ପ୍ରବଳ ପରାକ୍ରାନ୍ତ ଦିଲ୍ଲୀଶ୍ଵର ମୋଗଲ ସମ୍ରାଟଙ୍କର ସଂଖ୍ୟାଧିକ ଅଶ୍ଵ-ଗଜାରୋହୀ ତଥା ପଦାତିକ ବାହିନୀର ଖରସ୍ରୋତ ସମ୍ମୁଖରେ ପ୍ରତାପୀ ପ୍ରତାପଙ୍କ ସୈନ୍ୟ ସତେ ଯେପରି ବାଲିବନ୍ଧସଦୃଶ; କିନ୍ତୁ ପ୍ରତାପଙ୍କ ପ୍ରତାପରେ ଏକମାତ୍ର ମନ୍ତ୍ରପ୍ରତାପଙ୍କ ହୃଦୟର ଏକମାତ୍ର ଦମ୍ଭ ସ୍ତମ୍ଭ—ଜନ୍ମଭୂମିର ମୁକ୍ତି ପାଇଁ ଅଦମ୍ୟ ଆକାଙ୍କ୍ଷା ଏବଂ ରାଜପୁତ୍ ଜାତିର ଅଭିମାନ ତଥା ରାଜପୁତାନାର ସ୍ଵାଧୀନତା ନିମନ୍ତେ ଅସୀମ ଉନ୍ମାଦନା ।

 

ହଳଦୀଘାଟର ଏହି ଐତିହାସିକ ସମର କାହାକୁ ବିଜେତାର ଗୌରବ କିମ୍ଵା ବିଜିତର ଅପମାନ ଦେବାକୁ ଯେପରି ପଶ୍ଚାତ୍ପଦ ହେଲା । ପ୍ରଥମେ ମନେ ହେଲା ଜୟ–ଲକ୍ଷ୍ମୀ ମୋଗଲ ପକ୍ଷ ହିଁ ଆଶ୍ରୟ କରିବେ । ଅବଶେଷରେ ପ୍ରତାପ ମୋଗଲ ସୈନ୍ୟସାଗର ମଧ୍ୟରେ ଆତ୍ମବିସର୍ଜନ ବୀରର ଯଥାଯୋଗ୍ୟ ସମ୍ମାନ ଲାଭ ଆଶାରେ ସମରପ୍ରାଙ୍ଗଣର କେନ୍ଦ୍ରସ୍ଥଳରେ ଥାଇ ସ୍ଵୟଂ ସୈନ୍ୟ ପରିଚାଳନା କଲେ ।

 

ଭାଗ୍ୟର କି ବିଡ଼ମ୍ବନା ! ଅକସ୍ମାତ୍ ଏ କି ଅଘଟଣ ! ଚିରବିଶ୍ୱାସୀ ଚୈତକର ଆଜି ଏ କି ଆଚରଣ ! ରଣାଙ୍ଗନରୁ ଦ୍ରୁତଗତିରେ ପଳାୟନ କରୁଛି ରାଣା ପ୍ରତାପଙ୍କର ବିଶ୍ଵସ୍ତ ଅଶ୍ଵ ଚୈତକ ପୃଷ୍ଠଭଙ୍ଗ ଦେଇ । ରାଣା ବିଚଳିତ–ବିବ୍ରତ । ତାଙ୍କର ସାଧ୍ୟ ନ ଥିଲା ସେ ରଶ୍ମି ସଂଯତ କରି ଚୈତକକୁ ଅଧିକକ୍ଷଣ ଯୁଦ୍ଧଭୂମିରେ ଚାଳନା କରି ରଖିବେ । ଆଜି ଭୃତ୍ୟର ପ୍ରତାପ ଯେପରି ପ୍ରଭୁର ପ୍ରତାପଠାରୁ ବହୁଗୁଣରେ ଗରୀୟାନ୍ !

 

ମାତ୍ର ଚୈତକ ବିଶ୍ୱାସଘାତୀ ନଥିଲା । ସାରା ଜୀବନ ସେ ଯେଉଁ ପ୍ରଭୁର ଆଜ୍ଞା ପାଳନ କରି ସଂପଦରେ ବିପଦରେ କାୟାର ଛାୟାତୁଲ୍ୟ ପ୍ରତାପଙ୍କର ଶରୀର ରକ୍ଷାକରି ଆସିଛି, ନିଜର ସୁଖସ୍ୱାଚ୍ଛନ୍ଦ୍ୟ ପ୍ରତି ଲେଶମାତ୍ର ଭ୍ରୂକ୍ଷେପ ନ କରି ସେହି ଚୈତକ ଆଜି ମନୁଷ୍ୟର ସମ୍ଭାବନାତିରିକ୍ତ ଗୋଟାଏ ବିଚକ୍ଷଣ ଦିବ୍ୟ ଇକ୍ଷଣରେ, ଅନାଗତ ମାତ୍ର ନିଶ୍ଚିତ ଆଶଙ୍କା ମୁଖରୁ ପ୍ରତାପଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନରେ ପହୁଞ୍ଚାଇ ଦେବାପାଇଁ ଏକ ନିଃଶ୍ୱାସରେ ସାଧ୍ୟାତୀତ ବେଗ ଘେନି ପଳାୟନ କଲା ।

 

କିନ୍ତୁ ଏ କଅଣ ? ଏ କି ବିଷମ ପରୀକ୍ଷା ! ବିପଦର ଏ ଘନଘନ କଷାଘାତ କାହିଁକି ?

 

ଚୈତକ ! ଚୈତକ ! –ରାଣା ପ୍ରତାପ ପଥ ମଧ୍ୟରେ ଭୂପତିତ ଚୈତକକୁ ବାରମ୍ବାର ସଂବୋଧନ କରୁଛନ୍ତି—ସତେ ଯେପରି ପିତାର ଆକୁଳ ଆହ୍ଵାନ–ପୁତ୍ରର କର୍ଣ୍ଣ କୁହରରେ ପ୍ରବେଶ କରିପାରୁ ନାହିଁ !

 

ଆହତ ଏବଂ କ୍ଳାନ୍ତ ଚୈତକର ନୟନରୁ ଦୁଇଟି ଅଶ୍ରୁ ଧାର ବହିଗଲା । ସେ ଚିରବିଦାୟ ନେଇଛି, ପ୍ରଭୁ ତାର ନିରାପଦରେ ।

 

ଏହା ଚୈତକର ପ୍ରୟାଣ ନୁହେଁ—ଚିତୋରର ପ୍ରାଣପ୍ରତିଷ୍ଠା । ଏହି ଶୁଭମୁହୂର୍ତ୍ତଠାରୁ ଆରମ୍ଭ ହେଲା ମୋଗଲ ଓ ରାଜପୁତ ଜାତି ମଧ୍ୟରେ ପ୍ରକୃତ ସମର–ବୀରତ୍ୱମୟ ରଣରଙ୍ଗ । ଆକବର ବାରମ୍ୱାର ପ୍ରତାପଙ୍କ ସୈନ୍ୟକୁ ଧ୍ଵସ୍ତବିଧ୍ଵସ୍ତ କରି ନିଶ୍ଚିହ୍ନ ନିର୍ମୂଳ କରିଦେବା ମାନସରେ ବଳିଷ୍ଠ ସୈନ୍ୟବାହିନୀ ପ୍ରେରଣ କରିବାକୁ ଲାଗିଲେ । ମାତ୍ର ଅରଣ୍ୟ–ପରିବେଷ୍ଟିତ ପର୍ବତକନ୍ଦରରୁ ବାହାରି ପ୍ରତାପଙ୍କର ଦୁଃସାହସୀ ରଣରଙ୍କ ରାଜପୁତବାହିନୀ ମୋଗଲଶକ୍ତିକୁ ଅସ୍ତବ୍ୟସ୍ତ କରିଦେବାରେ କେବେହେଲେ ବିଫଳ ହୋଇ ନାହାନ୍ତି ।

 

କ୍ରମେ ବିରାଟ ମୋଗଲ ସେନା ହିଁ କ୍ଳାନ୍ତ ଅବସନ୍ନ ହୋଇ ପଡ଼ିଲେ । ସ୍ଵୟଂ ମୋଗଲ ସମ୍ରାଟ ପ୍ରସାଦ–ବିଳାସୀ ଆକବର ମଧ୍ୟ କ୍ଳାନ୍ତି ଓ ଅବସାଦ ଅନୁଭବ କଲେ । ମାତ୍ର ନିବିଡ଼ ଅରଣ୍ୟମଣ୍ଡିତ ପର୍ବତମାଳାର କଣ୍ଟକ–କଙ୍କରମୟ ଭୂମି ଉପରେ ଯାହାର ଆଶ୍ରୟ ଏବଂ ଶଯ୍ୟା, କେତେବେଳେ ଅନଶନ, କେତେବେଳେ ବା ଅର୍ଦ୍ଧାନଶନରେ ଯାହାର ଜୀବନଯାତ୍ରା ନିର୍ବାହିତ—ଯିଏ ନିଜର ରାଜମୁକୁଟ ପ୍ରାପ୍ତି ପାଇଁ ନୁହେଁ—ଜନ୍ମଭୂମିର ମୁକ୍ତି ପାଇଁ ପ୍ରାଣପାତ କରିବାର ପଣ ଗ୍ରହଣ କରିଥାଏ—ତାର କ୍ଳାନ୍ତି କାହିଁ—ଅବସାଦ କାହିଁ ?

 

ଧୀରେ ଧୀରେ, ଅଲକ୍ଷିତ ଭାବେ କ୍ରମାନ୍ୱୟରେ ପ୍ରତାପ ହୃତ୍ ରାଜ୍ୟର ଅଧିକାଂଶ ଅଞ୍ଚଳ ଜୟ କରି ସ୍ଵରାଷ୍ଟ୍ର ପ୍ରତିଷ୍ଠା କଲେ । ଆଜୀବନ ଦେଶ ଓ ଦେଶର ସମ୍ମାନକୁ ଉନ୍ନତ ଉଚ୍ଚ ଶିଖରୀ ଉପରେ ପୋଥିତ କରିବା ପାଇଁ ଅକ୍ଳାନ୍ତ ଅସାଧ୍ୟ ସାଧନା କରି, ସପରିବାର ଅପରିସୀମ ଦୁଃଖ ଓ ଯନ୍ତ୍ରଣା ଭୋଗକରି ଅବଶେଷରେ ସେ ପ୍ରାଣର ପ୍ରାଣ, ଜୀବନର ଜୀବନ ଜନ୍ମଭୂମି ରାଜସ୍ଥାନରୁ ଚିର ବିଦାୟ ଘେନି ଚାଲିଗଲେ ଅପ୍ରତ୍ୟାଶିତ ଭାବରେ—ଅକାଳରେ—୧୫୯୭ ଖ୍ରୀଷ୍ଟାବ୍ଦରେ ।

 

ରାଣା ପ୍ରତାପଙ୍କର ନାମ ଆଜି ଦେଶପ୍ରେମୀ, ସ୍ଵରାଜ୍ୟକାମୀ ପ୍ରତ୍ୟେକ ଦେଶବାସୀର ମନ୍ତ୍ର । ସେ କେବଳ ରାଜସ୍ଥାନର ଗର୍ବ ନୁହନ୍ତି, ଚିତୋର, ମେବାର, ଶିଶୋଦିଆ ରାଜବଂଶର ମର୍ଯ୍ୟାଦାରକ୍ଷୀ ନ ଥିଲେ, ଯେଉଁ ରାଜପୁତ ଜାତି ପରାଜୟ ଅପମାନଠାରୁ ମୃତ୍ୟୁକୁ ଶ୍ରେୟ ମନେକରେ, ଯେଉଁ ରାଜପୁତ ରମଣୀ ଶତ୍ରୁ ହସ୍ତରେ ଆତ୍ମସମର୍ପଣ କରିବାଠାରୁ ଜହରଜ୍ଵଳନରେ ଶରୀର ଆହୁତି ଦେବାକୁ ସୌଭାଗ୍ୟ ମନେ କରେ, ସେହି ରାଜପୁତ ଜାତିର ମଉଡ଼ମଣି ମହାରାଣା ପ୍ରତାପ ଆଜି ସମଗ୍ର ଭାରତର ପୂଜ୍ୟ, ନମସ୍ୟ, ଚିରସ୍ମରଣୀୟ ।

★★★

 

ସୁର-ସମ୍ରାଟ୍ ତାନସେନ

 

ସ୍ୱର ନୁହେଁ—ନାଦବ୍ରହ୍ମ—ସ୍ୱର, ନାଦ ହିଁ ସ୍ୱୟଂ ଭଗବାନ । ଅନାଦି ଅନନ୍ତ । ସେଥିପାଇଁ ଉପାସ୍ୟ ସ୍ୱରର ସେବା ଏକ ଅସାଧ୍ୟ ସାଧନା । ସ୍ୱରସାଧକ, ସ୍ୱରସିଦ୍ଧ ପୁରୁଷ ପରମଯୋଗୀ ।

 

ଭାରତର ବହୁ ସ୍ୱରସାଧକ, ନାଦବ୍ରହ୍ମର ଉପାସକ, ଯୋଗୀ ସେତେବେଳକୁ ପ୍ରାଗୈତିହାସିକ ଯୁଗର ଅନ୍ଧକାର ମଧ୍ୟରେ ବିଲୁପ୍ତ । ଅବଶେଷ ମାତ୍ର ଗୋଟାଏ ପରମ୍ପରା । ବୈଦିକ ଯୁଗର ସାମଗାନ ସେହି ସ୍ୱରସାଧନାର ବୀଜମନ୍ତ୍ର । ସେହି ବୀଜମନ୍ତ୍ରରୁ କେତେବେଳେ କିପରି କ୍ରମରେ ବିଖ୍ୟାତ ‘ଧ୍ରୁ ପଦ’ ଶ୍ରେଣୀୟ ରାଗସମ୍ବଳିତ ସ୍ୱର–ବିଜ୍ଞାନ ଆବିଷ୍କୃତ ହେଲା, ଇତିହାସ ତାହା ଲିପିବଦ୍ଧ କରିନାହିଁ—ପୁରାଣରେ ତାର ଉଲ୍ଲେଖ ମଧ୍ୟ ନାହିଁ । ମାତ୍ର ସେହି ଅମର ବୈଖରୀ ନିଜେ ନିଜର ଅସ୍ତିତ୍ୱ—ନିଜେ ନିଜର ଇତିବୃତ୍ତ ଆବୃତ୍ତି କରିବାରେ କେବେ ଅବହେଳା କରିନାହିଁ ଏ ଦେଶରେ ।

 

କିନ୍ତୁ ଘୋର ଦୁର୍ଭାଗ୍ୟବଶତଃ ସେହି ସ୍ୱର ବିଜ୍ଞାନ ସାଧକମାନଙ୍କ ଅଭାବରୁ ଯେତେବେଳେ ଲୁପ୍ତପ୍ରାୟ ହୋଇ ଆସିଲା, ସେତେବେଳେ ଭଗୀରଥ ଗଙ୍ଗା ଅବତରଣ କଲାପରି ସ୍ୱରସ୍ରୋତରେ ଯେଉଁ ଯୋଗୀ ଭାରତବର୍ଷକୁ ତନ୍ମୟ କରି ଦେଇଥିଲେ ସେହି ସୁଧୀ ସୁଧୀର, ସୁକଣ୍ଠ, ତାନଧ୍ୟାନୀ ତାନସେନ ଆକବରଙ୍କ ରାଜସଭାର ସର୍ବଶ୍ରେଷ୍ଠ ସୁଗାୟକ ତାନସେନ—ବିଗତ ଏକହଜାର ବର୍ଷରୁ ତଦବଧି ଯାହାଙ୍କର ସମକକ୍ଷ କେହି ଜନ୍ମଲାଭ କରି ନାହାନ୍ତି ବୋଲି ଆବୁଲଫାଜଲଙ୍କ ଆଇନ ଆକବରୀରେ ବର୍ଣ୍ଣିତ ଅଛି—ସେହି ତାନସେନଙ୍କର ଜୀବନୀ ଆଜି ଅନ୍ଧକାର ଗର୍ଭରେ । ତଦୁପରି ଆଲୋକ ସଂପାତର କୌଣସି ଉପାୟ ନାହିଁ । ଗୋଟାଏ ଅମୃତମୟ ଲଳିତ ସ୍ୱରର ଝଙ୍କାର ପରି ସେ ସୁଦୂର ଗଗନରେ ଯେପରି ତରଙ୍ଗାୟିତା ହୋଇ ମିଶିଯାଇଛନ୍ତି ।

 

ଜନଶ୍ରୁତିରୁ ମାତ୍ର ଜଣାଯାଏ ଷୋଡ଼ଶ ଶତାବ୍ଦୀରେ ତାଙ୍କର ଆବିର୍ଭାବ ଜନ୍ମସ୍ଥାନ ଗ୍ୱାଲିଅର । ପିତାଙ୍କର ନାମ ଥିଲା ମକରେନ୍ଦ୍ର ପାଣ୍ଡେୟ । ବୃନ୍ଦାବନରେ ଏକ ପ୍ରସିଦ୍ଧ ସାଧକ ହରିଦାସ ସ୍ୱାମୀଙ୍କଠାରୁ ସେ ସର୍ବ ପ୍ରଥମେ ସ୍ୱରଜ୍ଞାନ ଲାଭ କରିଥିଲେ ।

 

ସେହି ସାଧନ ଅବସ୍ଥାରେ ହିଁ ସେ ପଠାଣ ବାଦଶାହ ଶେରସାହଙ୍କ ପୁତ୍ର ଦୌଲତ ଖାଁଙ୍କ ନିକଟରେ ଅବସ୍ଥାନ କରୁଥିବାର ଜଣାଯାଏ । ଦୌଲତଖାଁଙ୍କ ମୃତ୍ୟୁ ପରେ ରୀବାଁ ଅଧିପତି ରାମଚନ୍ଦ୍ର ସିଂହ ବଘେଲେଙ୍କ ନିକଟକୁ ଚାଲିଯାଇଥିଲେ । ଆକବର ସେହିଠାରୁ ତାଙ୍କୁ ଆବିଷ୍କାର କରି ଆପଣାର ଦରବାରକୁ ବିମଣ୍ଡିତ କରିଥିଲେ—ପନ୍ଦରଶହ ବାଷଠି ଖ୍ରୀଷ୍ଟାବ୍ଦରେ । ଏହି ସମୟରୁ ହିଁ ଗାୟକରତ୍ନ ତାନସେନଙ୍କର ସୁଖ୍ୟାତି ସମନ୍ୱିତ ଦିବ୍ୟଜୀବନର ଅୟମାରମ୍ଭ । ଗୋଟିଏ ନୈଷ୍ଠିକ ବ୍ରାହ୍ମଣକୁଳରେ ଜନ୍ମ ଗ୍ରହଣ କରି ବୈଷ୍ଣବପ୍ରବର ହରିଦାସଙ୍କଠାରୁ ସ୍ୱର ଶିକ୍ଷା ଏବଂ ନାଦ ଦୀକ୍ଷା ପ୍ରାପ୍ତ ହୋଇ, ଏହି ସ୍ୱରଧର୍ମୀ ନିଷ୍ଠାବାନ୍ ପୁରୁଷ ଗୋଟିଏ ମୁସଲମାନ ତରୁଣୀ ପ୍ରେମରେ ବଶୀଭୂତ ହେବା କାରଣରୁ ହେଉ ଅଥବା ବିଖ୍ୟାତ ମୁସଲମାନ୍ ସଙ୍ଗୀତଜ୍ଞ ଶେଖ୍ ଗୌସଙ୍କ ଘନିଷ୍ଠ ସଂପର୍କରେ ଆସିଥିବା ସମୟରେ ମହମ୍ମଦ ଗୌସ ତାନସେନଙ୍କର ଜିହ୍ଵାରେ ନିଜ ଜିହ୍ଵା ସ୍ପର୍ଶ କରି ତାନସେନଙ୍କୁ ସଙ୍ଗୀତ କଳାନୈପୁଣ୍ୟ ଦାନ କରିବା ପରେ ତାନସେନ ମୁସଲମାନ ଧର୍ମ ଗ୍ରହଣ କରିଥାନ୍ତୁ ଅବା ନ ଥାନ୍ତୁ ଏହା କଠୋର ସତ୍ୟ ଯେ ତାନସେନଙ୍କର ସ୍ୱର ଏବଂ ତାନର ଅପୂର୍ବ ସମାବେଶ ତାଙ୍କର ସଙ୍ଗୀତ ଏବଂ ସଙ୍ଗୀତର ନୈସର୍ଗିକ ଉପଚାର କୌଣସି ଧର୍ମ ବା ଧର୍ମାଚରଣର ଗଣ୍ଡି ମଧ୍ୟରେ ଆବଦ୍ଧ ରହିବା ଅସମ୍ଭବ ।

 

ସ୍ୱରର କୌଣସି ଧର୍ମ ନାହିଁ । ସ୍ୱର ସ୍ୱୟଂ ଧର୍ମରୂପୀ ଭଗବାନ । ସେ ଧର୍ମ ଧାରଣା ଅଥବା ଅବଧାରଣାର ବହିର୍ଭୂତ । ସେ ସାକ୍ଷାତ୍ ନାଦବ୍ରହ୍ମ । ତାନସେନ ହିନ୍ଦୁ ନ ଥିଲେ, ମୁସଲମାନ ନ ଥିଲେ—ଥିଲେ ନିଷ୍ଠାପର ଜଣେ ଆବିଷ୍ଟ ସ୍ୱରଧର୍ମୀ ।

 

ଏହି ସ୍ୱର ରାଜ୍ୟର ଭାଷା ସ୍ଵତନ୍ତ୍ର, ଧର୍ମ ସ୍ଵତନ୍ତ୍ର—ଏହାର ଉପଜୀବ୍ୟ ମଧ୍ୟ ସ୍ଵତନ୍ତ୍ର । ତାନସେନ ସେହି ଭାଷା, ସେହି ଜୀବିକା ଏବଂ ସେହି ଧର୍ମରେ ଦକ୍ଷତା, କୌଶଳ ଏବଂ ଅପୂର୍ବ ପାଟବ ଲାଭକରି ଜଗତକୁ ଏକ ନୂତନ ଦିବ୍ୟକାଳର ଆଲୋକ ଦାନ କରିଯାଇଛନ୍ତି ।

 

ସ୍ୱର ମନ୍ତ୍ରରାଜ—ମନ୍ତ୍ରାଧିପ–ମନ୍ତ୍ରଶ୍ରେଷ୍ଠ ଏକ ବୈଖରୀ ଶକ୍ତି । ସିଦ୍ଧ ସାଧକର ମୁଖନିଃସୃତ ଏ ସ୍ୱର ପୃଥିବୀରେ ଅସମ୍ଭବକୁ ସମ୍ଭବ କରିପାରେ । ତାନସେନ ସେହି ବିଶ୍ଵବଶୀକରଣମନ୍ତ୍ର—ସ୍ୱରଶକ୍ତିର ଆଳାପନ ଏବଂ ଆଲୋଡ଼ନରେ ବ୍ରହ୍ମାର ସର୍ଜନାକୁ ଅତିକ୍ରମ କରି, ସଂପୂର୍ଣ୍ଣ ନୂତନ ସୃଷ୍ଟିର ସନ୍ଧାନ ଦେଇ ପାରିଥିଲେ । ତାନସେନ ସ୍ଵ–ରଚିତ ସ୍ୱରକାବ୍ୟର ପଦାବଳୀ କଣ୍ଠରେ ଧରି ଯେତେବଳେ ମେଘମହ୍ଲାର ରାଗରେ ସଙ୍ଗୀତର ମୂର୍ଚ୍ଛନା ଦିଅନ୍ତି, ସେତେବେଳେ ଅସମୟରେ ମଧ୍ୟ ଆକାଶରେ ମେଘପଟଳ ଉଦିତ ହୋଇ ଅଜସ୍ର ବର୍ଷା-ବାରିରେ ଅବନୀ ଜଳସିକ୍ତ କରିବାର ଦେଖାଯାଉଥିଲା । ସେହି ଦୀପ୍ତିମାନ ପୁରୁଷଙ୍କର ଦୀପକ ରାଗରେ ନିର୍ବାପିତ ପ୍ରଦୀପ ମଧ୍ୟ ଉଦ୍ଦୀପ୍ତ ହୋଇ ଉଠୁଥିଲା । ତାନସେନ ତାଙ୍କର ଅସୀମ ସାଧନା ବଳରେ ପ୍ରମାଣିତ କରିଯାଇଛନ୍ତି ଯେ ସ୍ୱରକାଳ ହିଁ ପୃଥିବୀର ଶ୍ରେଷ୍ଠକଳା ।

 

‘ମହ୍ଲାର’ ଓ ‘ଦରବାରୀ କାନଡ଼ା’ ଏହି ବିଶିଷ୍ଟ ଦୁଇଟି ସ୍ୱରର ରଚୟିତା ଥିଲେ ସ୍ଵଂୟ ସ୍ୱରସ୍ରଷ୍ଟା ତାନସେନ । ସେ ନିଜେ ସଙ୍ଗୀତ ରଚନା ମଧ୍ୟ କରିପାରୁଥିଲେ । ଏହି ରଚନାଗୁଡ଼ିକ ତାନସେନଙ୍କ ଭାବପ୍ରବଣ କବି ହୃଦୟର ଯଥେଷ୍ଟ ପରିଚୟ ଦିଏ ଏବଂ ସେହି ସଙ୍ଗୀତମୟ ଲଳିତ ପଦାବଳୀ ଅଦ୍ୟାବଧି ଉତ୍ତର–ଭାରତର ହିନ୍ଦୁସ୍ଥାନୀ ସଙ୍ଗୀତ ଗବେୟାମାନଙ୍କର ବେଦ ମନ୍ତ୍ର—ଘୋଷା ପଦ ।

 

ତାନସେନଙ୍କ ସମୟରେ ସତେ ଯେପରି ଭାରତୀୟ ସଙ୍ଗୀତ–ସାଗରରେ ଉଚ୍ଛଳ ତରଙ୍ଗ ଉଦ୍ଦେଳିତ ହୋଇଉଠିଥିଲା । ସ୍ଵାମୀ ହରିଦାସ, ବୈଜୁବାଓରା ସୋରିମିଆଁ ତଥା ଆମର ଏହି ଜନ୍ମଭୂମି ଉତ୍କଳର ଏକ ବିଖ୍ୟାତ ସ୍ୱରସାଧକ ଶ୍ରୀ ଗୋପାଳ ନାୟକ ତାନସେନଙ୍କ ସମସାମୟିକ ।

 

ଭାରତୀୟ ସ୍ୱରବିଜ୍ଞାନରେ ଖେୟାଲ, ଟପ୍ପା, ଠୁମୁରୀ ଆଦି ସଙ୍ଗୀତ ପଦ୍ଧତି ଏହି ସ୍ୱରସିଦ୍ଧ ପୁରୁଷମାନଙ୍କର ଭାରତକୁ ମହାଦାନ ।

★★★

 

ଗୁରୁ ଗୋବିନ୍ଦ ସିଂହ

 

ପୃଥିବୀରେ ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ଅଛି ଏବଂ ପ୍ରତିକ୍ରିୟାର ସୁପ୍ରତିକ୍ରିୟାର ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେଁ । କୌଣସି ଯୁଗର ଯାବତୀୟ ଦୁଷ୍କ୍ରିୟାର ପ୍ରତିବିଧାନ ସ୍ଵରୂପ ଯୁଗସ୍ରଷ୍ଟାମାନଙ୍କର ଆବିର୍ଭାବ ହୋଇଥାଏ । ସେମାନଙ୍କର ଜୀବନୀ ହିଁ ସର୍ବମୟ ପ୍ରତିକ୍ରିୟାର ପ୍ରତୀକ । ସାମାଜିକ ପରିବେଷ୍ଟନୀର ଆବଶ୍ୟକ ଅନୁଯାୟୀ ସମାଜ ସର୍ବଦା ସାଧାରଣ ମାନବଠାରୁ ଆରମ୍ଭ କରି ମହାମାନବ ମହାପୁରୁଷମାନଙ୍କୁ ସୃଷ୍ଟି କରିଥାଏ । ଏହା ହିଁ ବାସ୍ତବ ପକ୍ଷରେ ସୃଷ୍ଟିର ପ୍ରାକୃତିକ ବିକାଶ ସୌଷ୍ଠବ ।

 

ଭାରତ ଇତିହାସରେ ଗୁରୁ ଗୋବିନ୍ଦ ସିଂହଙ୍କର ଜନ୍ମ ସେହିଭଳି ଏକ ବିରାଟ ସାଂପ୍ରଦାୟିକ ପ୍ରତିକ୍ରିୟା । ଗୁରୁ ଗୋବିନ୍ଦ ସିଂହ କେବଳ କେଶ, କଙ୍ଘୀ ଓ କଙ୍କଣଧାରୀ ଶିଖମାନଙ୍କର ଗୁରୁରୂପେ ଶିଖ ଜାତି ଓ ଶିଖ ଧର୍ମକୁ ଅଜୟ ଓ ଅମର କରି ରଖି ଯାଇନାହାନ୍ତି—ସେ ସମସ୍ତ ଭାରତକୁ ଏକ ନୈତିକ ପତନ ମୁଖରୁ ଉଦ୍ଧାର କରି ଭାରତ ଇତିହାସରେ ଚିରଦିନ ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କରୂପେ ବିରାଜମାନ କରୁଥିବେ ।

 

ସେତେବେଳେ ବ୍ୟସନୀ, ବିଳାସୀ ମୋଗଲ ଅଧିପତିମାନଙ୍କର ଅତ୍ୟାଚାରକ୍ଳିଷ୍ଟ ଜନତା ଉଚ୍ଛନ୍ନପ୍ରାୟ । ଚତୁର୍ଦ୍ଦିଗରେ ହାହାକାର ଓ ଆର୍ତ୍ତନାଦ । ଜିଜିଆକର ଭାରଗ୍ରସ୍ତ ମୁସଲମାନ ଇତର ସଂପ୍ରଦାୟର ପ୍ରଜାବର୍ଗ କିଂକର୍ତ୍ତବ୍ୟବିମୂଢ଼ ଭାବରେ କାହାର ନିର୍ଦ୍ଦେଶକୁ ଯେପରି ଅପେକ୍ଷା କରି ବସିଛନ୍ତି । ଆକବରଙ୍କ ସୁଶାସନ ଓ ସର୍ବଧର୍ମ–ସମନ୍ଵୟର ସୁମହାନ ବାଣୀ ଅତୀତର ଗଭୀରଗହ୍ୱର ମଧ୍ୟରେ ସଂପୂର୍ଣ୍ଣ ବିଲୁପ୍ତ । ଅତ୍ୟାଚାରଜର୍ଜ୍ଜରିତ ମୁମୂର୍ଷୁ ଜାତିର କ୍ଷୀଣ ଜୀବନ ସଂଚାର ସୂଚନା ମଧ୍ୟ ସନ୍ଦେହଜନକ । ସେହି ଦୁର୍ନୀତିପୂର୍ଣ୍ଣ ଦମନଲୀଳାର ସମ୍ମୁଖରେ ସ୍ପର୍ଦ୍ଧାନ୍ୱିତ ପ୍ରତିବାଦ ଜଣାଇବା କାରଣକୁ ମୋଗଲ ସାମ୍ରାଜ୍ୟର ସମସ୍ତ ଉତ୍କଟଶେଳ ସହ୍ୟ କରିବାକୁ ପଡ଼ିଥିଲା ନବ–ଅଭ୍ୟୁଦିତ ନାନକପନ୍ଥୀ ଶିଖ ଧର୍ମାବଲମ୍ବୀମାନଙ୍କୁ । ଏହି ଶିଖ୍‍ଜାତି ସେତେବେଳେ ସମଗ୍ର ଅତ୍ୟାଚାରିତ ଭାରତର ନେତୃତ୍ଵ ନେଇ ଦୁଃଶାସକ ମୋଗଲ ଶକ୍ତିର ଉତ୍ତର ଦେଲା ନିର୍ଭୀକ ବୀର ଗୁରୁ ଗୋବିନ୍ଦ ସିଂହଙ୍କର ଛତ୍ରଛାୟା ତଳେ । ଶିଖ ସଂପ୍ରଦାୟର ଜନକ ଗୁରୁ ନାନକ ସାହେବ ତାଙ୍କର ପ୍ରବର୍ତ୍ତିତ ମହାନ ମତକୁ ଗୋଟିଏ ଶାନ୍ତିପ୍ରିୟ ପନ୍ଥାରୂପେ ପ୍ରତିଷ୍ଠିତ କରି ଯାଇଥିଲେ ହେଁ, ମହାକାଳର ଅଭିଶାପରୂପୀ ଅତ୍ୟନ୍ତ ଅସ୍ଵାସ୍ଥ୍ୟକର ପରିସ୍ଥିତି ତାହାକୁ ଉଗ୍ର,ଉତ୍କଟ ହେବାପାଇଁ ବାଧ୍ୟ କଲା । ସେଦିନ ଶିଖ ଜାତି ତାର ପ୍ରତ୍ୟେକ ଶିରାପ୍ରଶିରାରେ ଅନୁଭବ କରିଥିଲା ଯେ କେବଳ ମାଳାଧାରଣପୂର୍ବକ ନିଷ୍କ୍ରିୟ ଧର୍ମ ଉପାସନାରେ ଗୋଟାଏ ଜାତି କଦାପି ବଞ୍ଚି ନ ପାରେ । ଯେଉଁ ଜାତି ଧର୍ମରକ୍ଷା ତଥା ଆତ୍ମରକ୍ଷା କରିବାପାଇଁ, ଧର୍ମାଚାରୀ ପୁରୁଷର ବଳିଦାନ କରିବାପାଇଁ ଅସମର୍ଥ, ସେ ଜାତି କିମ୍ଵା ସେ ଧର୍ମ ଅଧର୍ମ ଓ ଅତ୍ୟାଚାର ପ୍ରପୀଡ଼ିତ ମେଦିନୀ ପୃଷ୍ଠରେ ତିଷ୍ଠି ରହିବାର ଅଧିକାର ପାଇ ନ ପାରେ ।

 

ପରିଣାମ ସ୍ୱରୂପ ଶିଖ ସଂପ୍ରଦାୟ ଉପରେ ସେଦିନ ଘୋର ସଙ୍କଟମୟ ବାତ୍ୟା ବହିଗଲା । ନାନକଙ୍କ ପରବର୍ତ୍ତୀ ଅଙ୍ଗଦ, ଅମରଦାସ ଓ ରାମଦାସ ପ୍ରକାରାନ୍ତରେ ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ୟରେ ହିଁ ଧର୍ମ ପ୍ରଚାର କରାଯାଇଥିଲେ; କିନ୍ତୁ ପଞ୍ଚମଗୁରୁ ଅର୍ଜ୍ଜୁନ ଦେବ ଏବଂ ଷଷ୍ଠଗୁରୁ ହରଗୋବିନ୍ଦ ଦେବଙ୍କ ସମୟରେ ବିକଟ ପରିସ୍ଥିତି ସୃଷ୍ଟି ହୋଇ ପଡ଼ିଲା । ମୋଗଲ ସମ୍ରାଟ ଜାହାଙ୍ଗୀର ଅର୍ଜ୍ଜୁନଦେବଙ୍କ ଉପରେ ଅକଥନୀୟ ଉତ୍ପୀଡ଼ନ କରି ନିର୍ମମ ଭାବରେ ହତ୍ୟା କଲେ । ସେହି ଲୋମହର୍ଷଣକାରୀ ହତ୍ୟା ଶିଖଜାତି ପ୍ରାଣରେ ଯେଉଁ ବିକ୍ଷୋଭର ବହ୍ନି ପ୍ରଜ୍ଜ୍ଵଳିତ କରିଦେଲା ସେ ସର୍ବଗ୍ରାସୀ କାଳାନ୍ତକ ଅନଳ ମଧ୍ୟରେ ମୋଗଲ ସାମ୍ରାଜ୍ୟ ଓ ମୋଗଲ ସିଂହାସନ ପଳେ ପଳେ,ତିଳ ତିଳ ହୋଇ ଭସ୍ମୀଭୂତ ହେବାକୁ ଲାଗିଲା ଏବଂ ଏହା ଅତି କଠୋର ଓ ବାସ୍ତବ ସତ୍ୟ ଯେ ଶିଖଧର୍ମ ଗୁରୁମାନଙ୍କ ପ୍ରତି ଏହି ଅମାନୁଷିକ ଅତ୍ୟାଚାର ହିଁ ମୋଗଲ ସାମ୍ରାଜ୍ୟ ପତନର ଅନିବାର୍ଯ୍ୟ କାରଣ ।

 

ଅର୍ଜ୍ଜୁନଦେବଙ୍କୁ ହତ୍ୟା କରି ମୋଗଲ ସିଂହାସନର ମରଣମୁଖୀ ପିପାସା ସତେ ଯେପରି ମେଣ୍ଟନ ହୋଇ ପାରି ନ ଥିଲା । ଜାହାଙ୍ଗୀରଙ୍କର ସୁଯୋଗ୍ୟ ପୌତ୍ର ଆଉରଙ୍ଗଜେବଙ୍କର ରାଜତ୍ୱର ପ୍ରାକ୍କାଳରେ ହିଁ ଏହି ଅତ୍ୟାଚାର ପ୍ରବଳରୂପ ଧାରଣ କଲା । ସେତେବେଳେ ଶିଖମାନଙ୍କର ନବମ ଗୁରୁ ତେଗ୍ ବାହାଦୁର୍ ଆଉରଙ୍ଗଜେବଙ୍କର ଚକ୍ରାନ୍ତଫଳରେ ବନ୍ଦୀ ହୋଇ ଆସିଲେ । ବଳପ୍ରୟୋଗ–ପୂର୍ବକ ତେଗ୍ ବାହାଦୂର୍‍ଙ୍କୁ ମୁସଲମାନ ଧର୍ମ ଗ୍ରହଣ ପାଇଁ ବାଧ୍ୟ କରାଗଲା; କିନ୍ତୁ ସ୍ଵାଧୀନଚେତା, ନ୍ୟାୟଦ୍ରଷ୍ଟା ତେଗ୍ ବାହାଦୂରଙ୍କ ଶିଖ ରକ୍ତ ଧର୍ମାନ୍ତର ଗ୍ରହଣ–ଭୀରୁତାଠାରୁ ମୃତ୍ୟୁକୁ ହିଁ ସେଦିନ ଶ୍ରେୟ ମନେକରି ସ୍ଵାଗତ କରିଥିଲା । ଆଉରଙ୍ଗଜେବ ସର୍ବସାଧାରଣ ସମ୍ମୁଖରେ ରାଜ୍ୟସଭାର ମଧ୍ୟସ୍ଥଳରେ ତେଗ୍ ବାହାଦୂରଙ୍କର ଶିର ଛେଦନ କଲେ । ତଥାପି ଆଉରଙ୍ଗଜେବଙ୍କର ସ୍ୱପ୍ନ ସଫଳ ହୋଇପାରିଲା ନାହିଁ । ଆଉରଙ୍ଗଜେବ୍ କାଳର କରାଳ ମୁଖରେ ଲୋପ ପାଇଗଲେ, ମାତ୍ର ଶିଖଧର୍ମ ପୃଥିବୀ ବକ୍ଷରେ ଚିର ଜାଜ୍ଜ୍ଵଲ୍ୟମାନ ହୋଇ ରହିଲା ।

 

ଦଶମ ଗୁରୁ ଏହି ଆଖ୍ୟାୟିକାର ଅଧିନାୟକ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ପିତାଙ୍କ ପ୍ରତି ଏହି ମୃତ୍ୟୁଦଣ୍ଡରୂପୀ ଅପମାନର ପ୍ରତ୍ୟୁତ୍ତର ଦେବାପାଇଁ ଶିଖ ସଂପ୍ରଦାୟର ନେତୃତ୍ଵ ଗ୍ରହଣ କଲେ-। ଶିଖ ଜାତିକୁ ଏକ ନୂତନ ଜୀବନର ପ୍ରେରଣା ଦେଇ ଏକ ନୂତନ ପ୍ରାଣ ସଂଚାରରେ ଅନୁପ୍ରାଣିତ କରି, ନୂତନ ଉନ୍ମାଦନାରେ ଉତ୍ସାହିତ କରି, ପ୍ରବଳ ମୋଗଲଶକ୍ତି ସମ୍ମୁଖରେ ଶିଖ୍‍ଜାତିର ଉଦ୍ଧତ ଶିରକୁ ଚିରଦିନ ନିମନ୍ତେ ଉନ୍ନତ କରି ରଖିଗଲେ । ମୋଗଲ ସାମ୍ରାଜ୍ୟ ଧୂଳିସାତ୍ ହୋଇଗଲା । ବ୍ରିଟିଶ୍ ସାମ୍ରାଜ୍ୟ ମଧ୍ୟ ଇତିହାସର ଆଖ୍ୟାୟିକା ହୋଇଗଲା । ମାତ୍ର ଗୁରୁ ଗୋବିନ୍ଦ ସିଂହଙ୍କର ପ୍ରେରଣାପ୍ଳୁତ ଦୁର୍ଦ୍ଧର୍ଷ ଶିଖଜାତି ଅଦ୍ୟାପି ଏକ ଅଜେୟ ଶକ୍ତି ଏବଂ ଅଦ୍ୱିତୀୟ ଯୋଦ୍ଧା ଜାତି ରୂପେ ଭାରତବର୍ଷରେ ତିଷ୍ଠି ରହିଛି ଏବଂ ରହିଥିବ । ଗୁରୁ ଗୋବିନ୍ଦ ସିଂହ ଶିଖ ସଂପ୍ରଦାୟର ପ୍ରତ୍ୟେକ ବ୍ୟକ୍ତିକୁ ତାଙ୍କର ନବାବିଷ୍କୃତ ଯୋଦ୍ଧୃ–ବେଶରେ ସୁସଜ୍ଜିତ କରିଦେଲେ । ପ୍ରତ୍ୟେକ ଶିଖ ଧର୍ମାବଲମ୍ବୀ ପୁରୁଷ, ବ୍ରାହ୍ମଣଏବଂ କ୍ଷତ୍ରିୟର ସ୍ଵଧର୍ମାନୁକୂଳ ଅଧ୍ୟାତ୍ମିକତା ତଥା ସାହସିକତା ଘେନି ବୀରପୁଙ୍ଗବ ଓ ଧର୍ମସଂରକ୍ଷକ ମନୁଷ୍ୟରୂପେ ସାଂସାରିକ କ୍ଷେତ୍ରରେ ଅବତରଣ କରିବାକୁ ସେ ଶିକ୍ଷା ଦେଇଗଲେ । ଏହି ଶିଖ ଯୁବକମାନଙ୍କର ନବଜାଗରଣର ନାମକରଣ ହେଲା ‘ଖାଲ୍‍ସା ଅଭ୍ୟୁଦୟ’-। ଗୁରୁ ଗୋବିନ୍ଦ ସିଂହ ଏହି ଯୋଦ୍ଧା ବାହିନୀର ନାମ ଦେଲେ ‘ଖାଲ‌୍‍ସା’ । ପ୍ରତ୍ୟେକ ଖାଲ୍‍ସା ଏକାଧାରରେ ସାଧୁ ଏବଂ ସୈନିକ ରୂପେ ନ୍ୟାୟ ଓ ଧର୍ମର ରକ୍ଷା ତଥା ଦୁର୍ବଳର ପ୍ରତିପାଳନ କରିବାପାଇ ଆତ୍ମୋତ୍ସର୍ଗ କରିବାକୁ ଯେପରି ସତତ ଉଦ୍ୟତ, ସେହିପରି ଶତ୍ରୁ ବିରୋଧରେ ପ୍ରାଣାନ୍ତକ ସଂଗ୍ରାମ କରି ଜାତିକୁ ରକ୍ଷା କରିବାରେ ପଶ୍ଚାତପଦ ହେଉ ନ ଥିଲା । ଏହି ଖାଲସାମାନଙ୍କର ସନ୍ତକ ହେଲା—କେଶ, କଢ଼ା, କଙ୍ଘୀ, କାଛା ଓ କୃପାଣ—ପଞ୍ଚ‘କ’ କାର । ସଙ୍ଗେ ସଙ୍ଗେ ଖାଲସା ଧର୍ମର ସଂରକ୍ଷଣ ପାଇଁ ପ୍ରତ୍ୟେକ ଶିଖକୁ ପ୍ରତିଜ୍ଞା କରିବାକୁ ହେଉଥିଲା ଯେ, ସେ ଯଶନାଶ, କୁଳନାଶ, ଧର୍ମନାଶ, କର୍ମନାଶର ଚରମତ୍ୟାଗ ପାଇଁ ପ୍ରସ୍ତୁତ ହୋଇ ରହିବ-

 

ଏହି ଆତ୍ମତ୍ୟାଗର ଆଦର୍ଶ ଘେନି, ଶିଖଜାତି ଅତ୍ୟାଚାରିତ ଭାରତକୁ ସେଦିନ ଆଶାର ମନ୍ଦ୍ରବାଣୀ ଶୁଣାଇଥିଲା । ପ୍ରତ୍ୟେକ ଶିଖ ମୁଖରୁ ସେଦିନ ଧ୍ଵନିତ ହୋଇ ଉଠୁଥିଲା—‘ଜୟ ଗୁରୁ ଗୁରୁଜୀକି ଜୟ ।’

 

ଶେଷ ପର୍ଯ୍ୟନ୍ତ ମୋଗଲ ସାମ୍ରାଜ୍ୟ ବିରୋଧରେ ଯୁଦ୍ଧ କରି ସତରଶହ ଆଠ ଖ୍ରୀଷ୍ଟାବ୍ଦରେ ଦାକ୍ଷିଣାତ୍ୟର ଗୋଦାବରୀ ତଟରେ ଗୁରୁ ଗୋବିନ୍ଦ ସିଂହଙ୍କର ଦେହାବସାନ ହେଲା ।

 

ଗୁରୁ ଗୋବିନ୍ଦ କେବଳ ଜଣେ ଯୋଦ୍ଧା, ରାଷ୍ଟ୍ରନିର୍ମାତା ଓ ଧର୍ମଗୁରୁ ନ ଥିଲେ । ତାଙ୍କର ରଚିତ ‘ବିଚିତ୍ର ନାଟକ’ ତାଙ୍କର କବି–ହୃଦୟ ଏବଂ ସର୍ବତୋମୁଖୀ ପ୍ରତିଭାର ସାକ୍ଷ୍ୟ ପ୍ରଦାନ କରେ ।

★★★

 

ଛତ୍ରପତି ଶିବାଜୀ

 

ଜୁନାର ନିକଟସ୍ଥ ଶିବନେରର ପ୍ରାକୃତିକ ଦୁର୍ଗ-ସ୍ଵରୂପ କ୍ଷୁଦ୍ର ପର୍ବତମାଳା ପରିବେଷ୍ଟିତ ଉପତ୍ୟକା । ଏହି ଜନମାନବଶୂନ୍ୟ ବିବିକ୍ତ ସ୍ଥଳୀରେ ଆଶ୍ରୟ ନେଇଛନ୍ତି ଆସନ୍ନପ୍ରସବା ଜଣେ ନାରୀ । ସଙ୍ଗରେ ମାତ୍ର ମୁଷ୍ଟିମେୟ ବିଶ୍ଵସ୍ତ ଦେହରକ୍ଷୀ ।

 

ସମଗ୍ର ଭାରତରେ ଅବିଦିତ ଏକ ଅପୂର୍ବ ଘଟଣା ଏହି ନିବିଡ଼ ନିକାଞ୍ଚନ ସ୍ଥାନରେ ସଂଘଟିତ ହେଲା ସେଦିନ । ସେହିଦିନ, ସେଇଠାରେ, ଭାରତୀୟ ସ୍ଵାଧୀନତାର ପ୍ରଥମ ଆଲୋକସ୍ତମ୍ଭର ଶୁଭ ପ୍ରତିଷ୍ଠା ହୋଇଥିଲା ସେହି ସତୀ ସାଧ୍ଵୀ ନାରୀଙ୍କର ପୌରୋହିତ୍ୟରେ । ଏକଥା କିଏ ବିଶ୍ଵାସ କରିବ !

 

କିଏ ଏହି ନାରୀ ! କିଏ ଏହି ସଦ୍ୟଜାତ ଶିଶୁ—ମାତୃକୋଳରେ ଅହରହ ରୋରୁଦ୍ୟମାନ ? ପରପଦାନତ ମାତୃଭୂମି ଭାରତ ଏବଂ ଶତ୍ରୁପ୍ରପୀଡ଼ିତା ଗର୍ଭଧାରଣୀ ଜନନୀର ଦୁଃଖ କ’ଣ ଏହି ଅଜ୍ଞାନ ଅବୋଧ ଶିଶୁପ୍ରାଣକୁ ବ୍ୟଥିତ ବ୍ୟାକୁଳ କରିଛି ?

 

ସେହି ଘଟଣା ବହୁଦିନ ଯାଏ ଭାରତ ଇତିହାସର ଏବଂ ଭାରତବାସୀଙ୍କର ଅଗୋଚରରେ ରହି ଯାଇଥିଲା । ଆଜି ଷୋଳତାରିଖ ଅପ୍ରେଲ, ଷୋଳଶହ ସତେଇଶ ଖ୍ରୀଷ୍ଟାବ୍ଦ କୌଣସି ଭାରତୀୟର ବା ଭାରତ ଇତିହାସରେ ଆଗ୍ରହୀ ପାଠକର ଅବଦିତ ନୁହେଁ ।

 

ସେଦିନ ଅହମ୍ମଦନଗରର ସ୍ଵାଧୀନତା ଶାହାଜହାନଙ୍କ ଦ୍ଵାରା ଅପହୃତ ହୋଇ ସାରିଥିଲା-। ସୁତରାଂ ଅହମ୍ମଦନଗର ଦତ୍ତ ଜାଗିରର ଅବସ୍ଥା ମଧ୍ୟ ତଦ୍ରୂପ । ଜାଗିରିଚ୍ୟୁତ ଶାହାଜୀ ବାଧ୍ୟ ହୋଇ ବୀଜାପୁରର ଶରଣାପନ୍ନ ହେଲେ । ଶାହାଜୀଙ୍କର ପିତା ମାଲୋଜୀ ଏହି ଜାଗିର ଲାଭ କରିଥିଲେ ହେଁ ଅଧିକ ଦିନ ଭୋଗ କରିବା ପାଇଁ ସେ ଜୀବିତ ରହି ନ ଥିଲେ । ପୁତ୍ର ଶାହାଜୀଙ୍କର ମଧ୍ୟ ସେ ଜାଗିରି ଭୋଗ କରିବାର ସୌଭାଗ୍ୟ ବା ସୁକୃତି ନ ଥିଲା । ବୀଜାପୁର ଶାହାଜୀଙ୍କ ପକ୍ଷରେ ନିରାପଦ ମନେ ହେଲା ନାହିଁ । ତେଣୁ ସେ ଗର୍ଭବତୀ ପତ୍ନୀ ଜୀଜାବାଈଙ୍କୁ ଏହି ଅଜ୍ଞାତ ସ୍ଥାନରେ ସୁରକ୍ଷିତ କରି ଚାଲି ଆସିଲେ ।

 

ମାତ୍ର ଅଧିକ ଦିନ ସେ ସ୍ଥାନ ଅଜ୍ଞାତ ହୋଇ ରହି ପାରିଲା ନାହିଁ । ଯେଉଁ ସ୍ଥାନ ଭାରତର ଛତ୍ରପତି ଶିବାଜୀଙ୍କୁ ସର୍ବପ୍ରଥମ କୋଳରେ ଧରିବାର ଗୌରବ ଲାଭ କରିଛି—ସେ କ’ଣ କଦାପି ଅଧିକକାଳ ଲୋକଲୋଚନର ଅଗୋଚରରେ ରହିବା ସମ୍ଭବ ? ମୋଗଲମାନେ ସଂବାଦ ପାଇଲେ ଯେ ମୋଗଲ ସାମ୍ରାଜ୍ୟର ପରମ ଶତ୍ରୁ ମରହଟ୍ଟାମାନଙ୍କର ଭବିଷ୍ୟତ୍ ବଂଶଧର, ରାଜସ୍ଥାନର ସିସିଦୀୟ ବଂଶର କୌଣସି ରାଜକୁମାରଙ୍କ ଦାୟାଦ ଏହି ଶିବନେରର ପାହାଡ଼ ମଧ୍ୟରେ ଆତ୍ମପ୍ରକାଶ କରିଛି ।

 

ସେ ଏକ ଅଦ୍ଭୁତ ଲୋମହର୍ଷଣକାରୀ ଆଖ୍ୟାୟିକା । ଶିବାଜୀଙ୍କ ପରବର୍ତ୍ତୀ ଜୀବନୀ ଯେପରି ରୋମାଞ୍ଚକ କାହାଣୀରେ ପୂର୍ଣ୍ଣ, ତାଙ୍କର ବାଲ୍ୟ ଓ ଶୈଶବ ମଧ୍ୟ ତଦ୍ରୁପ ଅତ୍ୟଦ୍ଭୁତ ଘଟନାବଳୀରେ ପରିପୂର୍ଣ୍ଣ ।

 

ସେହି ଶିବନେର ପାହାଡ଼ ଉପରେ ମୋଗଲ ଆକ୍ରମଣ ଚାଲିଲା ଅକସ୍ମାତ୍—ଅତର୍କିତରେ । ଫଳରେ ମାତା ଓ ସନ୍ତାନ ଉଭୟେ ବନ୍ଦୀ ହେଲେ ।

 

କିନ୍ତୁ ମରହଟ୍ଟା ତଥାପି ହତୋତ୍ସାହ ହୋଇ ନ ଥିଲେ—ସାହାସ ହରାଇ ନ ଥିଲେ । ବୀରତ୍ଵ, ବୁଦ୍ଧିମତ୍ତା ଏବଂ ସୁତୀବ୍ର କୌଶଳ ପ୍ରୟୋଗ କରି ସେମାନେ ସଦ୍ୟଜାତ ଶିଶୁ ଶିବାଜୀଙ୍କୁ ଧରି ମୃତ୍ୟୁର ଶାଣିତ ଖଡ୍‍ଗଧାର ଉପରେ ମୃତ୍ୟୁକୁ ହିଁ ପ୍ରତାରିତ କରି ଶତ୍ରୁ କବଳରୁ ମୁକୁଳାଇ ଆଣି ପାରିଥିଲେ । ବନ୍ଦୀ ରହିଲେ ଏକାକିନୀ ମାତା ଜୀଜାବାଈ–ସେ ଯୁଗର ଦେବକୀ ଜୀଜାବାଈ-

 

ଇତି ମଧ୍ୟରେ ତିନି ଚାରି ବର୍ଷ ବିତି ଯାଇଛି—ମରହଟ୍ଟା ରକ୍ଷୀମାନେ ଶିବାଜୀଙ୍କୁ ସେହି ପର୍ବତମାଳାର ସଙ୍କଟ ମଧ୍ୟରେ ମୋଗଲ ସୈନ୍ୟଙ୍କ ଆଖିରେ ଧୂଳି ଦେଇ ସଯତ୍ନ ଲାଳନ ପାଳନ କରିବାକୁ ଲାଗିଲେ ।

 

ଶିବାଜୀଙ୍କୁ ସେତେବେଳକୁ ଦଶବର୍ଷ ହେଲାଣି–ଦିନେ ହଠାତ୍ ଶିବାଜୀ ତାଙ୍କ ସମ୍ମୁଖରେ ଦେଖିବାକୁ ପାଇଲେ ଏକ ଦେବୀମୂର୍ତ୍ତି । କିଏ ଏହି ମାତୃରୂପା ? ଶିବାଜୀଙ୍କ ହୃଦୟରେ ସହଜ ଉଦ୍‍ବେଳିତ ତରଙ୍ଗ ଖେଳିଗଲା । ଶିବାଜୀ ମା, ମା, ସମ୍ବୋଧନ କରି, ମାତୃକୋଳକୁ ଲମ୍ଫପ୍ରଦାନ କଲେ । ମାତୃ ଚରଣଧୂଳି ଶିରରେ ସ୍ପର୍ଶ କରି ଶିବାଜୀ ଉତ୍‍ଫୁଲ୍ଲ ହୋଇ ଉଠିଲେ ।

 

ମହାରାଷ୍ଟ୍ର ଲଳନା ସେହି ମାତୃମୂର୍ତ୍ତି, ଶିବାଜୀଙ୍କ ସମ୍ମୁଖରେ ସ୍ତବ୍ଧ, ନିର୍ଭୀକ, ପ୍ରସ୍ତର ଅଙ୍କିତ ପ୍ରତିମାତୁଲ୍ୟ ନେତ୍ରରେ ଅଶ୍ରୁ ନାହିଁ–ମୁଖମଣ୍ଡଳରେ ଆନନ୍ଦର ରେଖାପାତ ମଧ୍ୟ ହୋଇନାହିଁ–କିମ୍ବା ବିଷାଦର କାଳିମାକ୍ତ ଛାୟାର ଚିହ୍ନବର୍ଣ୍ଣ ମଧ୍ୟ ନାହିଁ–ଅଛି କେବଳ ବିରାଟ ଭବିଷ୍ୟତ୍ର ଏକ ନିର୍ମମ ନିର୍ଦ୍ଦେଶ ।

 

ଶାହାଜୀ ମାତା ଓ ପୁତ୍ରଙ୍କର ଏହି ମିଳନ ସମ୍ବାଦ ପାଇ, ଉଭୟଙ୍କୁ ବୀଜାପୁର ଡକାଇ ନେଲେ; କିନ୍ତୁ ବାଳକ ଶିବାଜୀର ଉଷ୍ଣ ରକ୍ତ ଅଧିକ କାଳ ପରାଧୀନତା ଓ ପରାନୁଗ୍ରହ ସହ୍ୟ କରି ପାରିଲା ନାହିଁ । ଶିବାଜୀଙ୍କର ଧମନୀରେ ଯେଉଁ ବୀର ରକ୍ତ ପ୍ରବାହିତ ହେଉଥିଲା, ତାହାର ପ୍ରଥମ ପରିଚୟ ମିଳିଲା ମୁସଲମାନମାନଙ୍କର ଗୋହତ୍ୟା ଜନିତ ନିଷ୍ଠୁର ଅବିମୃଷ୍ୟକାରୀତାର ପ୍ରତିବାଦ ଛଳରେ । ହିନ୍ଦୁମାନଙ୍କର ଶତ ପ୍ରତିବାଦ ସତ୍ତ୍ଵେ ମୁସଲମାନମାନଙ୍କର ପ୍ରତିବେଶୀ ସଂପ୍ରଦାୟ ପ୍ରତି ଏହି ଅସହିଷ୍ଣୁତାର ପ୍ରତିବାଦ କରି, ଶିବାଜୀ ଏକ ତରୁଣ ହିନ୍ଦୁ ଯୁବକ ସ୍ୱେଚ୍ଛାସେବକ ଦଳର ନେତୃତ୍ଵ ଗ୍ରହଣ କଲେ । ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଗୋଟିଏ ସାଂପ୍ରଦାୟିକ ଖଣ୍ଡଯୁଦ୍ଧ ଲାଗିଗଲା । ଶିବାଜୀ ଜୟୀ ହେଲେ । ମାତ୍ର ପିତା ଶାହାଜୀ, ପୁତ୍ରର ଏହି ଆଚରଣରେ ବିଚଳିତ ହୋଇ ସଙ୍ଗେ ସଙ୍ଗେ ମାତା ଓ ପୁତ୍ର ଉଭୟଙ୍କୁ ମହାରାଷ୍ଟ୍ରସ୍ଥ ଜାଗିରି ଭୂମିକୁ ପ୍ରେରଣ କରିଦେଲେ ।

 

ସେହିଠାରେ ହିଁ ଶିବାଜୀଙ୍କ ଭବିଷ୍ୟତ ବିଦ୍ରୋହୀ ଜୀବନ-ସଂଗଠନ କାଳର ଅୟମାରମ୍ଭ ଏବଂ ସେହି ଅଗ୍ନି ଉତ୍ସବରେ ପ୍ରଥମ ପୁରୋଧା ହେଲେ ଅଗ୍ନିହୋତ୍ରୀ ଜଣେ ନୈଷ୍ଠିକ କର୍ମଠ ବ୍ରାହ୍ମଣ–ଦାଦାଜୀକୋଣ୍ଡ ଦେବ । କୋଣ୍ଡ ଦେବଙ୍କର ଶିକ୍ଷା ଦୀକ୍ଷା ଏବଂ ପ୍ରେରଣା ବଳରେ ମାତୃଭୂମିକୁ ସ୍ଵାଧୀନ କରିବାର ଅଦମ୍ୟ ଆକାଙ୍କ୍ଷା ଶିବାଜୀଙ୍କ ପ୍ରାଣରେ ପ୍ରବଳ ହୋଇ ଉଠିଲା । ସେହି ଭବିଷ୍ୟ ପୁରାଣର ପ୍ରଥମ ଅଧ୍ୟାୟରୂପେ ଶିବାଜୀ ଭାରତର ନୂତନ ଇତିହାସ ସେହିଦିନ ରଚନା କରିଥିଲେ, ଯେଉଁଦିନ କତିପୟ ଯୁବକ ସଙ୍ଗୀମାନଙ୍କୁ ଏକତ୍ରିତ କରି ସେ ବିଜାପୁର ଅଧୀନସ୍ଥ ନିକଟବର୍ତ୍ତୀ ଗୋଟିଏ ଦୁର୍ଗ ଆକ୍ରମଣ କଲେ ଏବଂ ତତ୍ରତ୍ୟ ଧନ, ରତ୍ନ, ଅସ୍ତ୍ର, ଶସ୍ତ୍ରାଦି ଲୁଣ୍ଠନ କରି ସ୍ଵସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ ।

 

ଏହା ହିଁ ତାଙ୍କର ବିଜୟ–ଯାତ୍ରାର ଶୁଭାରମ୍ଭ ।

 

‘ମାଓଆଲି’ ନାମକ ଏକ ପାର୍ବତ୍ୟ ଜାତିର ଲୋକେ ଶିବାଜୀଙ୍କର ନେତୃତ୍ୱ ପ୍ରାର୍ଥନା କଲେ । କ୍ରମେ ଏହି ପାର୍ବତ୍ୟମାନେ ହିଁ ଶିବାଜୀଙ୍କର ପ୍ରଥମ ସୁସଂଗଠିତ ସୈନ୍ୟବାହିନୀ ହୋଇ ଛିଡ଼ା ହେଲେ । ବିଜାପୁରର ବହୁ ଦୁର୍ଗ ମାତ୍ର ଅଳ୍ପସଂଖ୍ୟକ କେତେକ ଦୁର୍ବଳ ସୈନ୍ୟଙ୍କ ଦ୍ଵାରା ଏକପ୍ରକାର ଅରକ୍ଷ ଅବସ୍ଥାରେ ଥିବାର ଦେଖି, ଶିବାଜୀ ଉପର୍ଯ୍ୟୁପରି ସେ ସମସ୍ତ ସ୍ୱାଧିକାର ଭୁକ୍ତ କଲେ । ପୁନା ଓ ପୁରନ୍ଦର ଶିବାଜୀଙ୍କର ହସ୍ତଗତ ହେଲା । ବିଜାପୁରର ରାଜା ଏଥିରେ ଉତ୍ୟକ୍ତ ହୋଇ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ତାଙ୍କର ପିତା ଶାହଜୀଙ୍କୁ ବନ୍ଦୀ କଲେ ।

 

ଶିବାଜୀ ଯେପରି ସାହସୀ, ଯୋଦ୍ଧା, ସେହିପରି ଦୁର୍ଦ୍ଦମନୀୟ କୂଟନୈତିକ ଏବଂ ବଳିଷ୍ଠ ରାଜନୀତିଜ୍ଞ ମଧ୍ୟ ଥିଲେ । ପିତା ଶାହଜୀ ବନ୍ଦୀ ହେବାର ଦେଖି, ଶିବାଜୀ ଅନନ୍ୟୋପାୟ ହୋଇ, ଆପାତତଃ ମୋଗଲ ସମ୍ରାଟଙ୍କ ଅଧୀନରେ କାର୍ଯ୍ୟ କରିବାପାଇଁ ପ୍ରାର୍ଥୀ ହେଲେ । ସେତେବେଳେ ଦିଲ୍ଲୀ ସିଂହାସନରେ ଅଧିରୂଢ଼ ହୋଇଥାନ୍ତି ଶାହେନଶାହ ସାହାଜାହାନ ।

 

ସାହାଜାହାନଙ୍କର ଅନୁମତି ମିଳିଲା । ବିଜାପୁରର ରାଜା ଭୀତତ୍ରସ୍ତ ହୋଇ ଶାହଜୀଙ୍କୁ ମୁକ୍ତ କରିଦେଲେ । ସେହିଠାରେ ହିଁ ଶିବାଜୀଙ୍କର ମୋଗଲମାନଙ୍କ ସହିତ ପ୍ରଭୁଦାସ ସଂପର୍କର ପରିସମାପ୍ତି ।

 

ଶିବାଜୀଙ୍କର ବିଜୟ ଅଭିଯାନ ନବ ଉତ୍ସାହରେ ପୁନରାୟ ମାତି ଉଠିଲା । ବିଜାପୁରର ରାଜା ଶିବାଜୀଙ୍କୁ ଦମନ କରିବା ଉଦ୍ଦେଶ୍ୟରେ ଅଫଜଲ୍ ଖାଁଙ୍କୁ ପ୍ରେରଣ କଲେ । ଶିବାଜୀ ସନ୍ଧି କାମନା କଲେ । ଅଫଜଲ୍ ଓ ଶିବାଜୀଙ୍କର ସାକ୍ଷାତ୍ ହେଲା—ମାତ୍ର ଅଫଜଲ୍ ଶିବାଜୀଙ୍କୁ ଅତର୍କିତରେ ହତ୍ୟା କରିବା ନିମନ୍ତେ ଉପକ୍ରମ କରିବାରୁ ପୂର୍ବରୁ ପ୍ରସ୍ତୁତ ଚତୁର ଶିବାଜୀ ବ୍ୟାଘ୍ରନଖ ଦ୍ଵାରା ଅଫଜଲ୍‍ଙ୍କର ଉଦର ବିଦୀର୍ଣ୍ଣ କରି ପକାଇଲେ । ସେନାପତିଙ୍କର ମୃତ୍ୟୁ ସମ୍ବାଦ ପାଇ ବିଜାପୁର ଅଗତ୍ୟା ଶିବାଜୀଙ୍କ ସହିତ ସନ୍ଧି ସ୍ଥାପନା କଲେ ।

 

ତାହାପରେ ଚାଲିଲା ମୋଗଲ ସାମ୍ରାଜ୍ୟ ଲୁଣ୍ଠନ । ୧୬୬୦ ଖ୍ରୀଷ୍ଟାବ୍ଦରେ ଔରଙ୍ଗଜେବଙ୍କ ସେନାପତି ଶାୟସ୍ତ ଖାଁଙ୍କ ସହିତ ତାଙ୍କର ସଂଘର୍ଷ ହେଲା । ଶାୟସ୍ତ ଖାଁ ପୁନା ଦୁର୍ଗ ଅଧିକାର କରିଥିବା ସମୟରେ ଶିବାଜୀ ଅତର୍କିତ ଏବଂ ଗୁପ୍ତଭାବରେ ଆକ୍ରମଣ କରି ତାଙ୍କୁ ପରାସ୍ତ କଲେ । ପରେ ମୋଗଲମାନେ ପୁନା ପୁନରଧିକାର କରିବା ସତ୍ୱେ ଶିବାଜୀ ନିରୁତ୍ସାହିତ ନ ହୋଇ ସୁରାଟ ଓ ଅହମ୍ମଦନଗର ଆକ୍ରମଣ କରି ଲୁଣ୍ଠନ ଆରମ୍ଭ କରି ଦେଲେ; କିନ୍ତୁ ଔରଙ୍ଗଜେବଙ୍କ ଚକ୍ରୀ ହିନ୍ଦୁ ସେନାପତି ଜୟସିଂହ ବିଜାପୁର ରାଜାଙ୍କ ସହାୟତାରେ ଶିବାଜୀଙ୍କ ପୁରନ୍ଦର ଦୁର୍ଗ ଅଧିକାର କରି ତାଙ୍କୁ ସନ୍ଧି କରିବାପାଇଁ ବାଧ୍ୟ କଲେ । ଚକ୍ରୀ ଜୟସିଂହ ପୁଣି ଶିବାଜୀଙ୍କ ସାହାଯ୍ୟରେ ବିଜାପୁର ଜୟ କଲେ । ଔରଙ୍ଗଜେବ ଶିବାଜୀଙ୍କ ଉପରେ ପ୍ରୀତ ହୋଇ ଦିଲ୍ଲୀ ଦରବାରକୁ ଆକ୍ରମଣ କରି ଆଣିଲେ ।

 

ମାତ୍ର ମୋଗଲରକ୍ତ ସେଠି ମଧ୍ୟ ନିଜର ପରିଚୟ ନ ଦେଇ ରହିପାରିଲା ନାହିଁ । ଆମନ୍ତ୍ରିତ ଅତିଥି ପ୍ରତି ଏପରି ଅପମାନଜନକ ଆଚରଣ କରାଗଲା ଯେ, ଶିବାଜୀ ତାହା ସହ୍ୟ କରି ନ ପାରି ସେହିଠାରେ ମୂର୍ଚ୍ଛା ଗଲେ । ଏହିଭଳି ସଂଜ୍ଞାହୀନ ଅବସ୍ଥାରେ ବିଶ୍ୱାସଘାତକ ମୋଗଲ ସମ୍ରାଟ ଶିବାଜୀ ଓ ତାଙ୍କ ପୁତ୍ର ଶମ୍ଭୁଜୀଙ୍କୁ ବନ୍ଦୀ କରିନେଲେ । ବୁଦ୍ଧିମାନ ଶିବାଜୀ ବିଚକ୍ଷଣ ଚତୁରତାର ସହିତ ମିଷ୍ଟାନ୍ନ ଭାର ମଧ୍ୟରେ ଲୁକ୍କାୟିତ ରହି କାରାଗାରରୁ ସମସ୍ତଙ୍କ ଅଗୋଚରରେ ପଳାୟନ କଲେ । ଔରଙ୍ଗଜେବ ମୁକ୍ତ ଶିବାଜୀଙ୍କ ଭୟରେ ତ୍ରସ୍ତ ହୋଇ ଶିବାଜୀଙ୍କ ସହ ସନ୍ଧି ସ୍ଥାପନା କଲେ—୧୬୬୮ ଖ୍ରୀଷ୍ଟାବ୍ଦରେ ।

 

କିନ୍ତୁ ଏ ସନ୍ଧି ଏକ ଅସ୍ଥାୟୀ ବନ୍ଦୋବସ୍ତ ମାତ୍ର । ଶିବାଜୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମୋଗଲ ସାମ୍ରାଜ୍ୟର ପତନ ସାଧନ କରିବା । ସେ କ୍ରମେ ବିଜାପୁର ଓ ଗୋଲକୁଣ୍ଡାର ସାହାର୍ଯ୍ୟରେ ୧୬୭୨ରେ ପୁନରାୟ ବିଦ୍ରୋହର ଝଣ୍ଡା ଉଡ଼ାଇ ଦେଲେ । ଦାକ୍ଷିଣାତ୍ୟର ମୋଗଲସେନା ପରାସ୍ତ ହୋଇ ପଳାୟନ କଲେ । ୧୬୭୪ ଖ୍ରୀଷ୍ଟାବ୍ଦରେ ରାମଗଡ଼ଠାରେ ଛତ୍ରପତି ଶିବାଜୀଙ୍କର ଅଭିଷେକ ଅନୁଷ୍ଠିତ ହେଲା ।

 

ଏହିଠାରୁ ହିଁ ଶିବାଜୀଙ୍କର ଶାସନକାଳ ଆରମ୍ଭ । ଏହିଠାରେ ହିଁ ଭବିଷ୍ୟତ୍ ମରହଟ୍ଟା ସାମ୍ରାଜ୍ୟର ଭିତ୍ତିସ୍ଥାପନ । ଶିବାଜୀଙ୍କ ଜୀବନର ଏହାର ପରବର୍ତ୍ତୀ କାଳହିଁ ଅତ୍ୟନ୍ତ ଗୌରବୋଜ୍ଜ୍ୱଳ କାରଣ ଶିବାଜୀ ଏହି ସମୟରେ ହିଁ ସମର୍ଥ ରାମଦାସଙ୍କୁ ଗୁରୁରୂପେ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହେଲେ । ଶିବାଜୀଙ୍କର ନ୍ୟାୟପୂର୍ଣ୍ଣ ରାଜତ୍ଵରେ ଯଦି କାହାରି କିଛି କୃତିତ୍ୱ ଥାଏ ତେବେ ସେ ହେଉଛନ୍ତି ଶିବାଜୀ—ଗୁରୁ ରାମଦାସ । ଏକଦା ଶିବାଜୀ ଗୁରୁ ରାମଦାସଙ୍କ ଚରଣ ତଳେ ରାଜ୍ୟ ଓ ରାଜମୁକୁଟ ଅର୍ପଣ କରି ଭିକ୍ଷାଶୀ ଭାବରେ ଜୀବନ ଯାପନ କରିବାକୁ ପ୍ରତିଜ୍ଞାବଦ୍ଧ ମଧ୍ୟ ହୋଇଥିଲେ; କିନ୍ତୁ ତାହା ଗୁରୁ ରାମଦାସଙ୍କର ପରୀକ୍ଷା ମାତ୍ର ଥିଲା । ଶିବାଜୀ ଉର୍ତ୍ତୀର୍ଣ୍ଣ ହେଲେ । ଶିବାଜୀଙ୍କୁ ଲୋଭଶୂନ୍ୟ ନ୍ୟାୟପରାୟଣ ଆଦର୍ଶ ଶାସକରୂପେ ଗଢ଼ିବାର ଦାୟିତ୍ୱ ଥିଲା ଏହି ଗୁରୁ ରାମଦାସଙ୍କର । ରାମଦାସ ଓ ଶିବାଜୀ ଅଭେଦ୍ୟ ।

 

ଶିବାଜୀ ବାସ୍ତବରେ ଜଣେ ବିଦ୍ରୋହୀ ଲୁଣ୍ଠନକାରୀ ନ ଥିଲେ । ଶିବାଜୀଙ୍କର ପ୍ରଥମ ଜୀବନର ଯାବତୀୟ କାର୍ଯ୍ୟ କେବଳ ଏକ ମହତ୍ତର ଲକ୍ଷ୍ୟ ଦିଗରେ ପରିଚାଳିତ ଏବଂ କୌଶଳ ରାଜନୀତି ବ୍ୟତୀତ ଅନ୍ୟ କିଛି ନୁହେଁ ।

 

ଶିବାଜୀଙ୍କର ସୁଶାସନ ଅଦ୍ୟାବଧି ଆଦର୍ଶ ହୋଇ ରହିଛି । ଶିବାଜୀଙ୍କର ରାଜ୍ୟ ଅଷ୍ଟ ପ୍ରଧାନ ମନ୍ତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ତଦ୍‍ବ୍ୟତୀତ ପ୍ରାଦେଶିକ ଉପମନ୍ତ୍ରୀମାନେ ମଧ୍ୟ ନିଯୁକ୍ତ ହୋଇଥିଲେ । ଏକ ସୁଶୃଙ୍ଖଳ ସୈନ୍ୟବାହିନୀ ଦ୍ୱାରା ରାଜ୍ୟ ସୁରକ୍ଷିତ ଥିଲା । ସେ ରାଜସ୍ୱ ଆଦାୟର ସୁବନ୍ଦୋବସ୍ତ କରିଥିଲେ । ଚୌଥକର ଆଦାୟ ପ୍ରଥା ଶିବାଜୀଙ୍କର ପ୍ରବର୍ତ୍ତିତ । ରାଜସ୍ୱର ଏକଦଶମାଂଶ ସରଦେଶମୁଖୀ ବା ରାଜପ୍ରାପ୍ୟରୂପେ ସେ ଗ୍ରହଣ କରୁଥିଲେ ।

 

ଶିବାଜୀ ଅତ୍ୟନ୍ତ ଚରିତ୍ରବାନ୍ ପୁରୁଷ ଥିଲେ । ମୁସଲମାନ ମହିଳାମାନଙ୍କ ପ୍ରତି ଭଦ୍ରାଚରଣ କରୁଥିବାରୁ ତାଙ୍କର ଶତ୍ରୁ ଔରଙ୍ଗଜେବ ମଧ୍ୟ ଶିବାଜୀଙ୍କର ଭୂୟସୀ ପ୍ରଶଂସା କରିଛନ୍ତି । ସେ ମୋଗଲ ଦୁଃଶାସନର ବିରୋଧୀ ଥିଲେ ସତ୍ୟ ମାତ୍ର ଇସଲାମ ଧର୍ମର ବିଦ୍ୱେଷୀ ନ ଥିଲେ । ସେ ମନ୍ଦିର ଓ ମସ୍‍ଜିଦ୍‍ ଉଭୟକୁ ସମାନ ଦୃଷ୍ଟିରେ ସମ୍ମାନିତ କରୁଥିଲେ ଏବଂ ରାମ୍ ରହିମ୍‍ଙ୍କ ନାମ ଆତ୍ୟନ୍ତିକ ଭକ୍ତି ସହକାରେ କୀର୍ତ୍ତନ କରୁଥିଲେ ।

 

ଭାରତର ଦୁର୍ଭାଗ୍ୟ—ମାତ୍ର ୫୩ ବର୍ଷ ବୟସରେ—ଦାକ୍ଷିଣାତ୍ୟର ବହୁ ଅଞ୍ଚଳ ଜୟ କରି—ଗଙ୍ଗା ଯମୁନାର ସମତଳ ଭୂମିଠାରୁ କୁମାରିକା ଅନ୍ତରୀପ ପର୍ଯ୍ୟନ୍ତ ଯେଉଁ ମହାରାଷ୍ଟ୍ର ସାମ୍ରାଜ୍ୟ ବିସ୍ତାର ଲାଭ କରିଥିଲା ତାର ଭିତ୍ତି ସ୍ଥାପନ ପରେ ପରେ ହିଁ—ଏହି ଆଦର୍ଶ ରାଷ୍ଟ୍ରନାୟକ ଇହଲୀଳା ସାଙ୍ଗ କରି ଚାଲିଗଲେ ।

★★★

 

ରାଣୀ ଅହଲ୍ୟାବାଈ

 

ସ୍ୱାଧୀନ ଗୋଟିଏ କ୍ଷୁଦ୍ରରାଜ୍ୟ ଶାସନର ବାଗ୍ଡ଼ୋରି ଯେଉଁଦିନ ସେ ବାଧ୍ୟ ହୋଇ ଗ୍ରହଣ କଲେ–ସେହିଦିନ—ସେ ମୁହୂର୍ତ୍ତରେ ରାଜ୍ୟାଭିଷେକ ହେଉ ନ ହେଉଣୁ ରାଜକୋଷ ଉପରେ ତୁଳସୀଦଳ ଅର୍ପଣ କରି ସେ ନୈବେଦ୍ୟ କରିଦେଲେ—‘‘ଏ ରାଜକୋଷର ସମସ୍ତ ଧନ କେବଳ ଧର୍ମ କାର୍ଯ୍ୟରେ ବ୍ୟୟିତ ହେବ ।”

 

ଦୀର୍ଘ ସାର୍ଦ୍ଧ ଦୁଇଶତ ବର୍ଷ ପରେ ମଧ୍ୟ ସେହି ଅସାଧାରଣା ମହିଳାଙ୍କର ମହିମାନ୍ୱିତ ନାମ ହିମାଚଳଠାରୁ କୁମାରିକା ଯାଏ ସାଧୁସନ୍ଥମାନଙ୍କ ମୁଖରେ ମୁଖରିତ ହେଉଛି । ଅଢ଼େଇଶହ ବର୍ଷ ପରେ ମଧ୍ୟ କାଶୀଠାରୁ କଲିକତା ଗଙ୍ଗା, ଗଙ୍ଗାଠାରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଯେଉଁ ବିଶାଳଦୀର୍ଘ ପ୍ରଶସ୍ତ ରାଜପଥ ପାର୍ଶ୍ଵବର୍ତ୍ତୀ ତରୁଦ୍ରୁମଛାୟା ବିମଣ୍ଡିତ ହୋଇ ଅଦ୍ୟାବଧି ପଦଯାତ୍ରୀଠାରୁ ଆରମ୍ଭ କରି ଯାନବାହନ ଆରୂଢ଼ ବ୍ୟକ୍ତିମାନଙ୍କର ଅବିରତ ସେବା ବ୍ରତରେ ବ୍ରତୀ, ତାହାର ପ୍ରତି ରେଣୁରେ ରଜରେ ତାଙ୍କର ଅକ୍ଷୟ କୀର୍ତ୍ତି, ସୁମହାନ ହୃଦୟର ପରିଚୟ ବିଜଡ଼ିତ । ଏହି ଦୀର୍ଘ ଦୁଇଶତ ଅର୍ଦ୍ଧ ବର୍ଷ ପରିମିତକାଳ ଅତିବାହିତ ହେବା ପରେ ମଧ୍ୟ ତୀର୍ଥଭୂମି ଭାରତର ପ୍ରଧାନ ପ୍ରଧାନ କ୍ଷେତ୍ରମାନଙ୍କରେ କୂପ, ପୁଷ୍କରିଣୀ, ମନ୍ଦିର, ପାନ୍ଥଶାଳା ଆଦିର ଯେଉଁ ଆଦର୍ଶ ଏବେ ମଧ୍ୟ ସୁରକ୍ଷିତ ଅଛି ତାହା ସେହି ମହୀୟସୀ ମହିଳାଙ୍କର କୀର୍ତ୍ତିରାଜିରେ ସୁସଜ୍ଜିତ ।

 

କିଏ ଏହି ନାରୀ ?

 

ଭାରତୀୟ ନାରୀ କ’ଣ ତାର ନରସନ୍ତାନମାନଙ୍କ ସମକକ୍ଷ ସମସ୍କନ୍ଦ ହୋଇ ସୁଶାସକ, ସୁପରିଚାଳକ, ନ୍ୟାୟପରାୟଣ, ପୁଣ୍ୟଶ୍ଳୋକ, ପୁଣ୍ୟବାନ୍, ପ୍ରଜାନୁରଞ୍ଜନ, ପ୍ରଜାପାଳକରୂପେ ଭାରତର ଇତିହାସକୁ ସମୁଜ୍ଜ୍ୱଳ କରିପାରିଛନ୍ତି ?

 

ରାଣୀ ଅହଲ୍ୟାବାଈ ତାର ଜ୍ୱଳନ୍ତ ପ୍ରମାଣ ।

 

ରାଣୀ ଅହଲ୍ୟାବାଈ ଇନ୍ଦୋରର ବିଖ୍ୟାତ ହୋଲକାର ରାଜ୍ୟର ସଂସ୍ଥାପକ ବୀର ମହ୍ଲାର ରାୟଙ୍କ ପୁତ୍ରବଧୂ । ବିବାହର କେତେକ ବର୍ଷ ପରେ ମହ୍ଲାରଙ୍କ ଏକମାତ୍ର ପୁତ୍ର ରଣଭୂମିରେ ପ୍ରାଣ ଦାନ ଦେଲେ । ବୃଦ୍ଧ ମହ୍ଲାର ଓ ଏକମାତ୍ର ପୌତ୍ର ମାଲୀରାବ ମଧ୍ୟ ଅଧିକ ଦିନ ସଂସାରରେ ଜୀବନ ଧାରଣ କରି ଅହଲ୍ୟାଙ୍କୁ ସାମାନ୍ୟ ସାଂସାରିକ ସୁଖ ଦେଇ ପାରି ନ ଥିଲେ । ଫଳରେ ଅହଲ୍ୟାଙ୍କ ଉପରେ ରାଜ୍ୟ ଶାସନର ଦାୟିତ୍ଵ ପଡ଼ିଲା ।

 

ଏ ଭାଗ୍ୟ ବିପର୍ଯ୍ୟୟରେ ସାମାନ୍ୟ ବିଚଳିତ ହେଲେ ଶୈଥିଲ୍ୟବଶତଃ ପରିସ୍ଥିତି ସଂକଟାକୁଳ ହୋଇପାରେ—ଏ ଆଶଙ୍କା ଅହଲ୍ୟାଙ୍କର ସ୍ଥୈର୍ଯ୍ୟ ଏବଂ ଧୈର୍ଯ୍ୟ ଆଣି ଦେଇଥିଲା । ଅହଲ୍ୟା ଅଚଳମେରୁ ସଦୃଶ କର୍ତ୍ତବ୍ୟରେ ଦୃଢ଼ ରହି ସ୍ଵଧର୍ମ ଓ କର୍ମରେ ନିଜକୁ ନିୟୋଜିତ କରିଥିଲେ ।

 

ଦୀର୍ଘ ତିରିଶ ବର୍ଷ ରାଜତ୍ଵକାଳରେ ସେ କେବଳ ଜଣେ ସୁଶାସକ ରୂପେ ଆପଣାର ପରିଚୟ ଦେଇ ଯାଇ ନାହାନ୍ତି—ପ୍ରଜା ରାଜାର କର୍ତ୍ତବ୍ୟ ସମ୍ବନ୍ଧରେ ସେ ଯେଉଁ ସୁସ୍ପଷ୍ଟ ଧାରଣା ଦେଇ ଯାଇଛନ୍ତି ତାହା କ୍ଵଚିତ ରାଜପୁରୁଷଙ୍କ ପକ୍ଷରେ ସମ୍ଭବ ହୋଇଥାଏ ।

 

ବାଲ୍ୟକାଳରୁ ଅହଲ୍ୟା ଧର୍ମପରାୟଣା ସାଧୁ ପ୍ରକୃତିର ବାଳିକା ଥିଲେ । ପରବର୍ତ୍ତୀ ଜୀବନରେ ସେ ନିବୃତ୍ତିମାର୍ଗକୁ ହିଁ ଜୀବନର ସତ୍ୟାଦର୍ଶରୂପେ ଗ୍ରହଣ କରିଥିଲେ । ସିଂହାସନ ଲାଭ କରିବା ପରେ ମଧ୍ୟ କେହି କେବେ ରାଣୀ ଅହଲ୍ୟାବାଈଙ୍କଠାରେ ଆଡ଼ମ୍ବରର ଲେଶମାତ୍ର ଆଭାସ ପାଇନାହିଁ ।

 

ଅହଲ୍ୟ ସନ୍ତାନହୀନା ଥିଲେ । ମାତ୍ର ଶତ ଶତ ଭାରତୀୟ ସନ୍ତାନ ଆଜି ମାତା ଅହଲ୍ୟାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାମାଲ୍ୟ ଅର୍ପଣ କରୁଛନ୍ତି ।

 

ମନୁଷ୍ୟର ଆକୃତି ଭିତରେ ବାସ୍ତବିକ୍ ସାକ୍ଷାତ୍ ଦେବୀ ରୂପରେ ବିରାଜମାନ ହୋଇଥିଲେ ବୋଲି କହିଲେ ବାହୁଲ୍ୟ ହେବ ନାହିଁ ।

Image